Unknown

 

 

 

 

 

 

 

 

 

 

 

ସ୍ୱର୍ଣ୍ଣ ପ୍ରଦୀପ

ଶ୍ରୀ ସତ୍ୟାନନ୍ଦ ବେହୁରା

 

ଉତ୍ସର୍ଗ

 

ବୁଢ଼ୀର ସମାଧି–ମନ୍ଦିରେ

 

‘‘ସ୍ୱର୍ଣ୍ଣ ପ୍ରଦୀପ’’

 

ସୂଚୀପତ୍ର

 

୧.

କନିକା କଟେଜ

୨.

ପଳିତ ପଲଳ

୩.

ପୋତା ହାଣ୍ଡି

୪.

ପୁରୁଷର ଆଇନ

୫.

ଟ୍ରେନିଂ

୬.

ପାଶଚ୍ଛିନ୍ନ

୭.

କୁ–ସଂସ୍କାର

୮.

ସ୍ୱାର୍ଥପର

୯.

ବର–ଓସ୍ତ

୧୦.

ବଞ୍ଚିତ ସ୍ନେହର ସଞ୍ଚିତ ହାହାକାର

☆☆☆

 

କନିକା କଟେଜ୍‌

 

କଟକ ମେଡ଼ିକାଲ କଲେଜ । ଦୁଇଟି ଆଳୟ । ପାଖକୁ ପାଖ ଲଗାଲଗି–ଯାଆଁଳା । ଦୁଇଟି ଯାକର ବ୍ୟବସ୍ଥା ସ୍ୱତନ୍ତ୍ର । କାହାର କାହା ସହିତ ସମ୍ପର୍କ ନାହିଁ । ଦୁଇଟିଯାକରେ ଦୁଇଟି ରୋଗୀ । ପ୍ରଥମଟିରେ ଜଣେ ବୃଦ୍ଧ । ବୟସ ଅନ୍ଦାଜ ଷାଠିଏ ହେବ । ଦାଢ଼ି ନିଶ ଧୋବ । ମୁଣ୍ଡବାଳ କଳା ଅଛି । ଦାନ୍ତ ବିଲ୍‌କୁଲ ନାହିଁ । ପାନ ଚୋବାଇଲାବେଳେ ଭାକୁର ମାଛ ପାଟି ପାକୁପାକୁ କଲା ପରି ଦିଶେ । ବହୁବର୍ଷ ପୀଡ଼ ଗ୍ରସ୍ତ ହୋଇ ଜୀବନର ମମତା ତ୍ୟାଗକରି ନ ପାରି ଏବଂ ଆତ୍ମୀୟସ୍ୱଜନଙ୍କ ଜିଦ୍‌ଯୋଗୁଁ ଡାକ୍ତରଖାନାକୁ ଆସିଛନ୍ତି । ଅନ୍ତକୋଷରେ ଅସ୍ତ୍ରୋପଚାର । ସବୁ ନିର୍ବିଘ୍ନରେ ହୋଇଯାଇଛି । ଜୀବନର ଆଲୋକ ତେଜି ଉଠିଛି, ମୃତ୍ୟୁ ଦୂରେଇ ଯାଇଛି ।

 

ଆପର ନିଳୟରେ ଏକ ମହିଳା । ବୟସ ପ୍ରାୟ ପଚିଶ ଛବିଶ । ସାତ ଆଠଟି ସନ୍ତାନର ଜନନୀ । ପ୍ରସୂତୀ ହେବା ପାଇଁ ଆସିଛନ୍ତି । ଜୀବନ ଭୋଗର ବସ୍ତୁ, ସନ୍ତାନ ତ ଅନେକ ହେଲେ, ଏବେ ତାଙ୍କୁ ବଞ୍ଚାଇ ମଣିଷ କରିବାର କାମ, ଭାରତ ତଥା ପୃଥିବୀର ଅର୍ଥନୀତି ଯେ ସେଠି ନାହିଁ, ତାହା ବା କୁହା ନ ଯିବ କିପରି ? ଏହି ସନ୍ତାନଟି ପରେ ଜନ୍ମ ନିରୋଧ କରିବା ମତଲବରେ ଆସିଛନ୍ତି । ପ୍ରସୂତୀ ହୋଇ ସାରିଲା ପରେ ଅସ୍ତ୍ରୋପ୍ରଚାର ଦ୍ୱାରା ଅଭୀଷ୍ଟ ମଧ୍ୟ ସାଧିତ ହୋଇଛି । ସୁସ୍ଥ ହେବା ପଥରେ । ହୃତ ଯୌବନ ଫେରି ଆସିବ–ଭବିଷ୍ୟତରେ ଜନନୀ ହେବାର ସମ୍ଭାବନା ଆଉ ନାହିଁ ।

 

ଦୁଇଟି ବିଭିନ୍ନ ଡାକ୍ତରଙ୍କ ତତ୍ତ୍ୱାବିଧାନରେ ଦୁହେଁ ଥାନ୍ତି । ଅସମବୟସୀ ରୋଗୀ । ହେଲେ କିଛିଦିନ ରହିଲା ପରେ ପଡ଼ୋଶୀଭାବ ଆସି ଯାଇଛି । ଉଭୟଙ୍କର ପାଖ ଲୋକେ ସାମାନ୍ୟ କିଛି ଦରକାର ପଡ଼ିଲେ ଉଭୟଙ୍କର ସାହାଯ୍ୟ ନେଇଥାନ୍ତି । ପାଖରେ ପାଖରେ ଥିଲେ ତାହା ସଚରାଚର ଘଟିଥାଏ । ବୃଦ୍ଧଙ୍କର ସ୍ତ୍ରୀ ମଧ୍ୟ ସେଠି ରହନ୍ତି । ଫୁର୍‌ସତ୍‌ ମିଳିଲେ ବୃଦ୍ଧା ମହିଳାଙ୍କ ପାଖରେ ଆସି ବସି ନାନା ଗପ ଆରମ୍ଭ କରି ଦିଅନ୍ତି । ଏ ଭିତରେ ମଧ୍ୟ ଏକାଧିକବାର କହିଥିବେ–ତେରଟି ସନ୍ତାନର ଗର୍ଭଧାରିଣୀ ସେ । ମାତ୍ର ଦୈବ ଅହନ୍ତା ସାଧି ସେଥିରୁ ଏଗାରଟି ନେଇଗଲା, ଆଉ ରହିଲା କ’ଣ ? ମାତ୍ର ଗୋଟିଏ ପୁଅ ଗୋଟିଏ ଝିଅ ଜୀବିତ । ଏକଥା କହିଲାବେଳେ ବୃଦ୍ଧା କାନ୍ଦି ପକାନ୍ତି । ଗଲାବେଳେ ଆଶୀର୍ବାଦ ଦେଇଯାନ୍ତି–ତମ ପିଲାଏ ମଣିଷ ହୋଇ ଏ ପୃଥିବୀରେ ଘରଦ୍ୱାର କରି ଆନନ୍ଦରେ ରହନ୍ତୁ ।

 

ପ୍ରାୟ ପନ୍ଦର ଦିନ ଦୁହେଁ ରହିଲା ପରେ ଉଭୟଙ୍କୁ ଡାକ୍ତର ପରାମର୍ଶ ଦେଲେ–ଏଣିକି ଟିକେ ବୁଲା ଚଲା କଲେ ଭଲ ହେବ ।

 

ଦୁହେଁ କଟେଜ୍‌ ବାରଣ୍ଡାରେ ସକାଳେ ସଞ୍ଜେ ଟିକେ ଟିକେ ବୁଲିବାକୁ ଲାଗିଲେ । ପରିଚୟ ହୋଇଗଲା । ପିତା ଓ କନ୍ୟା ସମ୍ପର୍କରେ ଦୁହେଁ ଦୁହିଙ୍କି ସମ୍ବୋଧନ କରିଥାନ୍ତି । ଏ ସମ୍ପର୍କଟା ସାଧାରଣ ହେଲେହେଁ ମହିଳାଙ୍କର ଅଜାଙ୍କ ବୟସୀ ସେ ହୋଇ ପାରନ୍ତି । ସେଠି ଦୁଇ ତିନିଦିନ ଏମିତି ବୁଲିବା ପରେ ସେମାନେ ଡାକ୍ତରଖାନା ଫାଟକ ପର୍ଯ୍ୟନ୍ତ ଥରେ ଗଲେ । ତା’ପରେ ଦୁଇ ତିନିଥରଲେଖା ଯିବା ଆସିବା କଲେ । ରବୀନ୍ଦ୍ରନାଥଙ୍କ ବାକୁଲିବାଲା ପରି ବୃଦ୍ଧ ମଧ୍ୟ ଦିନେ କହିଲେ–ମୋର ତମରି ପରି ଏକ କନ୍ୟା ଥିଲା । ତାକୁ ମୁଁ ସମସ୍ତଙ୍କଠୁ ବେଶୀ ଭଲ ପାଉଥିଲି । ହଠାତ୍‌ ତା’ର ଦିନେ ଝାଡ଼ା ହେଲା–ବାସ୍‌...... ।

 

ବୃଦ୍ଧ ଅଟକିଗଲେ । କଣ୍ଠ ରୁଦ୍ଧ ହୋଇଗଲା । ଅଶ୍ରୁଳ ଚକ୍ଷୁ । ମହିଳା ଶୁଣିଲେ । ସହାନୁଭୂତିରେ ଆଖିପତା ଓଦା ହୋଇଗଲା । ଦୁହେଁ ଦୁହିଙ୍କି ସମ୍ବରଣ କରିନେଲେ । ନାନା ଆଡ଼ର ଗଳ୍ପ ଚାଲିଲା ।

 

ମହିଳାଙ୍କର ସାଢ଼େ ପାଞ୍ଚଟାରେ ବୁଲିଯିବା କଥା । ଯଦି ଦେବାତ୍‌ ତାଙ୍କର କେହି ଲୋକ ନଥାନ୍ତି, ବୃଦ୍ଧ ତାଙ୍କ ସ୍ତ୍ରୀଙ୍କି କହନ୍ତି–ଯା, ଟିକେ ତମେ ସେ ଝିଅର ପିଲାପାଖରେ ରହିବ, ସେ ବୁଲି ଆସିବ । ଡାକ୍ତର କହିଛନ୍ତି । ବୃଦ୍ଧା ତାହା ଅତି ଆନନ୍ଦରେ ଓ ଆଗ୍ରହରେ କରନ୍ତି । ଦୁଇଟି ଅସମବୟସୀ ରୋଗୀ ବାହାରନ୍ତି ବୁଲି । ଦୁହେଁ ଅପରିଚିତ । ମାତ୍ର ତାରି ଭିତରେ କ’ଣ ଏକ ଅଜ୍ଞାନ ସୁତ୍ର ଥିଲା ଯାହା ଉଭୟଙ୍କୁ ଏକ ଅପରିକଳ୍ପିତ, ଅନାସ୍ୱାଦିତ ଡୋରୀରେ ବାନ୍ଧି ପକାଇଥିଲା-। ଉଭୟେ ଉଭୟଙ୍କୁ ଆନନ୍ଦିତ ହୁଅନ୍ତି–ଜଣକର ସନ୍ତାନବାତ୍ସଲ୍ୟ ଅପରର ପିତୃ ସ୍ନେହ-। କ’ଣ ଭଲ ଜିନିଷ ବୁଢ଼ାଙ୍କର ଆସିଲେ ତାହା ବୁଢ଼ୀଙ୍କ ହାତରେ ପଠାଇ ଦିଅନ୍ତି । ବୁଢ଼ୀ ବି ଭାରୀ ଖୁସୀ ହୋଇ ଦେଇଯାନ୍ତି । କେଉଁ ଦିନ ତାଙ୍କର ଖାଇବା ଆସିବାରେ ଡେରି ହେଲେ ବୁଢ଼ା କହନ୍ତି–ଯାଉନା, ଝୁଅର କାହିଁକି ଏତେବେଳଯାକେ କେହି ଖାଇବାକୁ ଦେଇଯାଇ ନାହାନ୍ତି । ଆମର ଯାହା ହୋଇଚି ଦେଇ ଆସ । ତାଙ୍କର ଆସିଲେ ନହେଲା ତମେ ଖାଇଦବ ତାହା କେତେଥର ବି ହୋଇଛି-। ମହିଳାଙ୍କର ଆପଣା ଘର ଆସେ, ମାତ୍ର ଏଙ୍କର ସେହି କଟେଜ୍‌ର ରନ୍ଧନଶାଳାରେ ରନ୍ଧା ହୁଏ-

 

କେତେଦିନ କଟିଗଲା । ବନ୍ଧୁତା ନିବିଡ଼ ହୋଇ ଆସିଲା–

 

ବୃଦ୍ଧ କ୍ରମେ ଆରୋଗ୍ୟ ହେଲେ । ଦିନେ ତାଙ୍କ ଡାକ୍ତର ତାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଲେ । ବୃଦ୍ଧଙ୍କ ସ୍ତ୍ରୀ ସେଠି ବରାବର ରହୁଥିଲେ । ପିଲାମାନେ ବରାବର ଯା’ ଆସ କରନ୍ତି ଚାକର ପୁଝାରୀ ସହଜେ ଥା’ନ୍ତି । ଘରପରି ରହିଥିଲେ । ଯିବାରେ ତାଙ୍କର ଆନନ୍ଦ ନ ଥିଲା । କାରଣ ଯେଉଁ ବିଶିଷ୍ଟ ଆକର୍ଷଣ ଏ ଭିତରେ ତାଙ୍କର ସେଠି ହୋଇଯାଇଛି, ତାହା ସେ ହରାଇବାକୁ ହେବ । ମାତ୍ର ଯିବାକୁ ହେବ । ବୃଦ୍ଧଙ୍କ ନିଜ ମଟର ଆସିଗଲା । ବୁଢ଼ାବୁଢ଼ୀ ଦୁହେଁ ମହିଳାଙ୍କ ପାଖକୁ ଆସି କାନ୍ଦ କାନ୍ଦ ହୋଇ ବିଦାୟ ନେଲେ । ଗଲାବେଳେ କହିଗଲେ–‘‘ମୁଁ (.....) ଘରକୁ ତମେ ଏଠୁ ଗଲେ ନିଶ୍ଚୟ ଯିବି ।’’

 

ମହିଳା କହିଲେ–‘‘ନିଶ୍ଚୟ ଯିବ ମଉସା !’’

 

ବୃଦ୍ଧଙ୍କ ନିର୍ଦ୍ଦେଶରେ ବୃଦ୍ଧା ମଟରରୁ ଓହ୍ଲାଇ ଆସି ମୋତେ କହିଗଲେ–‘‘ଝୁଅ ମୁଁ ଆମ ଲୋକ ହାତରେ ଫଳହେରିକା ପଠାଇ ଦେବି । ତୁ କେବେ ଯିବୁ ତା’ ହାତରେ କହିବୁ ।’’

 

–ଫଳ କାହିଁକି ପଠାଇବ ? ଲୋକକୁ ମୁଁ ନିଶ୍ଚୟ (...) ଯିବାକଥା କହିବି ।

 

–ଛି ମା’ ! ନାହିଁ କରନ୍ତି ନି । ମଉସା ପରା ମନ ଖରାପ କରିବେ ।

 

–ଆଚ୍ଛା–ନମସ୍କାର ମାଉସୀ ।

 

ତହିଁ ଆରଦିନ ଲୋକ ଫଳହେରିକା କେତେ କ’ଣ ଖାଇବା ଜିନିଷ ଧରି ଆସିଲା । କହିଲା–‘‘ମା’ କେବେ ଯିବ ! ମା’ ଓ ବାବୁ ପଚାରିଛନ୍ତି ।’’

 

–ଡାକ୍ତର କହୁଥିଲେ କାଲି ପରିଦିନ ଯିବି ।

 

–ମୁଁ କାଲି ଆସିବି ?

 

–ନା ପରଦିନ ଆ ।

 

ଠିକ୍‌ ସେହିଦିନ ଲୋକ ଆସିଲାବେଳକୁ ମହିଳାଙ୍କର ଜିନିଷପତ୍ର ସଜଡ଼ା ହେଉଛି ।

 

–ଆପଣ ଆଜି ଯାଉଛନ୍ତି ତାହାହେଲେ ?

 

–ହଁ, ମଉସା ଭଲ ଅଛନ୍ତି ? କହିଦବୁ–ମଉସା ମାଉସୀ ଦିହିଁକି ମୋର ନମସ୍କାର ।

 

–ମା, ବାବୁ ଓ ମା’ ରୋଜ୍‌ ଆପଣଙ୍କ କଥା ପକାନ୍ତି । ବାବୁ ଭାରି ବ୍ୟସ୍ତ ହୁଅନ୍ତି ଆସିବାକୁ । ତାଙ୍କ ପୁଅ ମନା କରନ୍ତି ।

 

–ଆଚ୍ଛା ।

 

ମହିଳା ପିଲାଙ୍କୁ ଧରି ନିଜ ଘରକୁ ଆସିଲେ ।

 

ଦୁଇଦିନ ପରେ । ସମୟ ସାଢ଼େ ପାଞ୍ଚଟା । କନିକା କଟେଜ୍‌ । ବୃଦ୍ଧ ମଟର ଘେନି ଆସି ମହିଳାଙ୍କ ଦାଣ୍ଡଦ୍ୱାରେ ହାଜର । ମହିଳାଙ୍କ ବଡ଼ପୁଅ ମଟର ଅଟକିବା ଜାଣି ଚଟ୍‌କିନା ଦାଣ୍ଡକୁ ଆସିଲା । ଫେରିଯାଇ ମା’କୁ ସମ୍ବାଦ ଦେଲା । ନିଜେ ସେଠୁ ଆସି ମଟର ଦରଜାରେ ପହଞ୍ଚିଲା । ବୃଦ୍ଧ ମୁରୁକି ହସି କହିଲେ–‘‘ବସିବ ?’’ ଲାଜ ମାଡ଼ିଲା ତାକୁ । ମାତ୍ର ଇଚ୍ଛା ଥିଲା ବସିବାକୁ ।

 

ମହିଳା ଇତିମଧ୍ୟରେ ବାହାରି ଆସିଲେ । ବୃଦ୍ଧଙ୍କୁ ନମସ୍କାର କରି ପୁଅକୁ କହିଲେ–‘‘ତୁ ଯିବୁ ?’’

 

ସେ ପଛ ସିଟ୍‌ରେ ତୁରନ୍ତ ବସିପଡ଼ିଲା ।

 

ବୁଲିଗଲେ ତିନିଜଣ । ମହାନଦୀ କୂଳେ ମଟର ରଖିଦେଇ ବନ୍ଧ ଉପରେ ଥୋଡ଼ାଏ ବାଟ ଚାଲିଲେ । ବୃଦ୍ଧ କ୍ଳାନ୍ତି ଅନୁଭବ କଲେ । ସେ କିଛି କାହାକୁ ନକହି ବନ୍ଧ ଉପରେ ବସି ପଡ଼ିଲେ । ମା’ ପୁଅ ଦୁହେଁ ଟିକେ ଦୂରେଇ ବସିଲେ । ପୁଅ ବସିଲା ମା’ ଦିହକୁ ଲାଗି ।

 

‘‘କନିକା କଟେଜ୍‌ ଭଲ ଲାଗୁ ନ ଥିଲା ପରା ?’’ ବୃଦ୍ଧ କହିଲେ ।

 

–ସେହି କ’ଣ ମଉସା ତୁମକୁ ଭଲ ଲାଗୁଥିଲା ? ପିଲାଙ୍କୁ ଛାଡ଼ିଯାଇଥିଲି ମୁଁ । ସବୁବେଳେ ସେମାନେ ମନେ ପଡ଼ୁଥିଲେ ଏକୁ ଦେଖୁନି କିମିତି ଝଡ଼ିଯାଇଛି । ମୁଁ ଯେମିତି ଗାଡ଼ିରୁ ଓହ୍ଲେଇ ଆସିଲି, ଏଙ୍କର କି ଖୁସି !

 

ବୃଦ୍ଧ ଶୁଣିଲେ । ମାତ୍ର ହଠାତ୍‌ ଚିନ୍ତାଶୀଳ ହୋଇ ପଡ଼ିଲେ ଅତୀତର ଏକ ଅଧ୍ୟାୟ ମନେ ପଡ଼ିଲା ପରା । ସେ ଅଫିସରୁ ଆସିଲାକ୍ଷଣି ତାଙ୍କ ପିଲାମାନେ ସେମିତି ଦୌଡ଼ିଯାଇ ତାଙ୍କ ପ୍ୟାଣ୍ଟ କୁରୁତା ଭିଡ଼ି ପକାଉଥିଲେ । କହିଲେ–‘‘ସାନ ଝିଅକୁ ଆଣିଲନି ! ସେ କାନ୍ଦିବନି ?’’

 

–ନା, ଲୋକ ଅଛନ୍ତି କାନ୍ଦିଲେ ଖୁଆଇ ଦେବେ ।

 

–ସତେ ମା, ମତେ କନିକା କଟେଜ ଭାରି ଭଲ ଲାଗୁଥିଲା । ତମ ସାଙ୍ଗରେ ଯେଉଁଦିନଠୁଁ ଚିହ୍ନା ହୋଇଗଲା...ସତ କହୁଛି, ମୋର ତମକୁ ଛାଡ଼ି ଜମା ଆସିବାକୁ ମନ ହେଉ ନଥିଲା ।

 

ମହିଳା କିଛି କହିଲେ ନାହିଁ ।

 

ପୁଅ କହିଲା–‘‘ମା ଯିବା ଏଥର ଘରକୁ ।’’

 

ସେମାନେ ଚାଲି ଚାଲି ମଟର ପାଖକୁ ଆସିଲେ । ମଟର ମହିଳାଙ୍କ ଘରେ ତାଙ୍କୁ ଛାଡ଼ିଦେଇ ସ୍ୱସ୍ଥାନକୁ ଗଲା । ବୃଦ୍ଧ ଗଲାବେଳେ ପୁଅ କହିଲା–‘‘କାଲି ଆସିବ ?’’

 

‘‘ନିଶ୍ଚୟ ।’’

 

ସେମାନେ ଘରେ ପହଞ୍ଚିବାବେଳକୁ ତାଙ୍କ ସ୍ୱାମୀ ଆସିଥିଲେ ସେ କହିଲେ, ‘‘ତମର–ବୁଲିଯିବା କ’ଣ ଏକାନ୍ତ ଆବଶ୍ୟକ ? ଫେର୍‌ ପର ମଟରରେ ?’’

 

–‘‘କନିକା କଟେଜରେ ତାଙ୍କ ସହିତ ପରିଚୟ; ସେ ଭାରି ଭଲ ମଣିଷ । ମତେ ଝିଅଠାରୁ ବଳି ସ୍ନେହ କରନ୍ତି ।’’

 

‘‘ହୁଁ... ।’’

 

ମହିଳା କାର୍ଯ୍ୟାନ୍ତରରେ ଗଲେ କିଛି ନ ଭାବି ।

 

ତହିଁ ଆରଦିନ, ପୁଅ କେତେଥର ଆସି ଦାଣ୍ଡରୁ ଫେରିଲାଣି । ମଟର ଆସି ନାହିଁ । ମା’କୁ ତିନି ଚାରିଥର ପଚାରିଲାଣି–‘‘ମା, ସେ ବୁଢ଼ାବବୁ କ’ଣ ଆଜି ଆସିବେ ନି ? କାଲି କହିଥିଲେ ଆସିବେ ବୋଲି ?’’

 

‘‘ଆଚ୍ଛା ପିଲାରେ ବାବୁ, ମୁଁ କିମିତି ଜାଣିଲି ? ତୁ ତ ଯେଉଁଠି ମୁଁ ସେଇଠି । ସାଢ଼େ ପାଞ୍ଚ ବାଜିଲାଣି ? ଘଣ୍ଟା ଦେଖ୍‌ ।’’

 

‘‘ମା, ଆଉ ଦଶମିନିଟ୍‌ ଅଛି । ତମେ ଲୁଗା ପିନ୍ଧ । ମା, ସେ ଭାରି ଭଲ ଲୋକ । ମତେ ତାଙ୍କୁ ଭାରି ଭଲ ଲାଗେ । କାଲି ମତେ କମଳା ଦେଇଥିଲେ । ଆଜି କୁଆଡ଼େ କିଛି ନୂଆ ଜିନିଷ ଆଣିଦେବେ !’’

 

ଦାଣ୍ଡରେ ମଟର ଆଓ୍ୱାଜ୍‌ ଶୁଭିଲା ।

 

ପୁଅ ଭୁସ୍‌କିନା ଦୌଡ଼ିଗଲା । ତା’ର ଆନନ୍ଦ ଓ ଆବେଗର ସୀମା ନଥିଲା ।

 

ଘରକୁ ଆସି କହିଲା–‘‘ମା, ଆସ, ସେ ଆସିଲେଣି ।’’

 

ତିନିଜଣଯାକ ସେମିତି ମଟରରେ ବସି ବୁଲିଗଲେ ।

 

କିଲ୍ଲା ପଡ଼ିଆରେ ବୁଲି ବୁଲି ନିଛାଟିଆ ଜାଗାରେ ତିନିହେଁ କାଲି ପରି ବସିଲେ । କିଛି କଥା ନାହିଁ ।

 

ବୃଦ୍ଧ କହିଲେ–‘‘ମା, ମଣିଷ ସିନା ସ୍ନେହ କାଙ୍ଗାଳ ! ନହେଲେ ସେ କ’ଣ ବଞ୍ଚି ପାରନ୍ତା ! କାହାପ୍ରତି ଆକର୍ଷଣ ନଥିଲେ ସେ ଜମା ରହି ପାରନ୍ତା ନାହିଁ । ଜାଣ, ତମ ସାଙ୍ଗରେ ଚିହ୍ନା ହେବା ଦିନୁଁ ମୁଁ କେତେ ଭଲରେ ଅଛି ? କେତେ ଖାଉଛି ଏବେ ? ତମ ମାଉସୀ ଦେଖି ତାଜୁବ୍‌ ହୋଇଯାନ୍ତି । ଭାରି ଖୁସି ଲାଗେ ମତେ ତମ ଘରକୁ ଆସିବାକୁ । ତମକୁ ଓ ତମ ପୁଅକୁ ଦେଖିଲେ ମତେ କୋଟିନିଧି ପାଇଲାପରି ଲାଗେ । ଚାରିଟା ହେଲେ ମତେ ଘରେ ରହିବାକୁ ଜମା ଭଲ ଲାଗେ ନା, ଖାଲି ଘଣ୍ଟା ଦେଖି ଲାଗୁଥିବି । ଭଗବାନଙ୍କ ବରାଦ । ଝିଅ ଯାଇଥିଲା, ଝିଅ ମିଳିଲା । ପ୍ରଭୁ...’’

 

ବାଷ୍ପାକୁଳିତ କଣ୍ଠ । ନିଜକୁ ସମ୍ଭରଣ କରି କହିଲେ–‘‘ବାବୁ, ତୋ ପାଇଁ ଗୋଟାଏ ଜିନିଷ ଆଣିଥିଲି, ମଟରରେ ରହିଗଲା । ଚାଲ୍‌ ଦେବି ।’’ ସେମାନେ ଆସି ମଟରରେ ବସିଲେ । କାଲିପରି ଆଜି ବି ତାଙ୍କୁ ତାଙ୍କ ଘରେ ଛାଡ଼ିଦେଇ ବୃଦ୍ଧ ଚାଲିଗଲେ ।

 

ତାଙ୍କ ସ୍ୱାମୀ ଆସିଯାଇଥିଲେ । ଦାଣ୍ଡଘରେ ଚୌକି ଉପରେ ବସିଥିଲେ । ମୂହଁ ଶୁଖିଲା–ବିରସ ।

 

ମହିଳା ପଚାରିଲେ ‘‘ଖାଇଛ ?’’

 

‘‘ନା’’...ଶ୍ଳେଷ ଭରିଥିଲା ସେ ‘ନା’ରେ ।

 

ଚାକରକୁ ଫଜିତ୍‌ କରି ମହିଳା କହିଲେ–‘‘କିରେ ବାବୁଙ୍କୁ ଜଳଖିଆ ଦେଇନୁ ଏତେ ବେଳଯାକେ ? ତୁ ଏବେ ବଡ଼ ବଦମାସ୍‌ ହେଲୁଣି ।’’

 

‘ଉଁ–ତିନିଥର ଯାଚିଲିଣି । ମନା କରୁଛନ୍ତି, ହଁ ରହିଥା କହୁଛନ୍ତି । ମୋର ହେଲା ଦୋଷ ! ମୁଁ ବଦ୍‌ମାସ !’’

 

–କିଓ ଜଳଖିଆ ଖାଇଲ ନି ?

 

–ମଟର ଗୋଟାଏ ଏକାନ୍ତ ଆବଶ୍ୟକ ତାହାହେଲେ !

 

–ମାନେ ?

 

–ମାନେ ମଟର ନହେଲେ ବୁଲିଯିବ କିପରି ? ସାଙ୍ଗସୁଖ ହେବ କିପରି ?

 

–କ’ଣ ତମେ କହୁଛ ମୁଁ ବୁଝୁନି ।

 

–ବୁଝିବା ଦରକାର ନାହିଁ । ଶୀଘ୍ର ମଟର କିଣିଲେ ବୁଝିବ ।

 

କିଛି ନକହି ମହିଳା ସ୍ଥାନାନ୍ତରେ ଗଲେ । ଖଟ ଉପରେ ମୁହଁ ମାଡ଼ି ଶୋଇ ସେ ଭାବିବାକୁ ଲାଗିଲେ–ନାରୀର ସଂଜ୍ଞା ତାହାହେଲେ ସନ୍ଦେହ ! ଛିଃ ଛିଃ, ମଣିଷର ମନ ! ତାହା ନିଜ ପାଖରେ କି ଏଡ଼େ ଛୋଟ ହୋଇ ପଡ଼େ ! ବୁକୁ ଭିତରେ ଫେର୍‌ କିଏ ଅପରେସନ୍‌ କଲା । ଏଥର ତାଙ୍କୁ ଜଡ଼ୀଭୂତ କରଯାଇନି । ଓଷଦ ଶୁଙ୍ଘାଇ ଅଚେତ କରାଯାଇନି ।

 

‘‘ଏଇ ତମ ବହି ଆଣ ?’’ ମହିଳାଙ୍କ ସ୍ୱାମୀ ବଡ଼ ପୁଅକୁ ଡାକିଲେ । ବହି ଆଣିଲା ସେ-। ଦିହରେ ଟୋପାଏ ବୋଲି ରକ୍ତ ନାହିଁ । ବୁଦ୍ଧିମାନ୍‌ ପିଲା । ପାଠ ସବୁ ମନେ ରଖିଦିଏ-। ଥରେ ଦି’ଥର ପଢ଼ି ।

 

ପାଠ ପଚାରିଲେ ବାପା । କହି ପାରିଲା ନାହିଁ ପୁଅ ।

 

ବସିଲା ପିଠିରେ ବିଧା–ବିଧା ଉପରେ ବିଧା, ଚଟକଣି । ମହିଳା ଖଟ ଉପରୁ ଉଠି ଆସି ଅନ୍ତରାଳରେ ଦେଖିଲେ । ଆଖି ଲୁହରେ ଭରିଗଲା । ପାଟି ଫିଟେଇ ପାରିଲେ ନାହିଁ ।

 

କାହାର ଦୁର୍ଭାଗ୍ୟ । କିଏ କହିବ ? ମାଷ୍ଟ୍ରେ ଆସିଗଲେ । ବାବୁ କହିଲେ–‘‘ଏ’ତ ସବୁବେଳେ ମଟର ଚଢ଼ି ବୁଲିଲା, ପାଠ କିଛି ପଢ଼ୁନି । ଯାହା ପଚାରିଲେ କିଛି କହି ପାରୁ ନି ।’’

 

ମାଷ୍ଟ୍ର ବିଚାରା କାବ୍‌ବା ହୋଇଗଲେ । ପରେ କହିଲେ–‘‘ଆପଣ କ’ଣ ପଚାରିଲେ ? ଯାହାଁ ସେ ପଢ଼ି ନଥିବ, ତାହା ପଚାରିଲେ ସେ କହିବ କେଉଁଠୁ ?’’ ମାଷ୍ଟ୍ରଙ୍କ କଥା ସତ୍ୟ ବୋଲି ପ୍ରମାଣିତ ହେଲା ।

 

ଏଣେ ପୁଅତଳ ଝିଅ କାଚ୍‌ ଗ୍ଲାସରେ ପାଣି ଆଣୁ ଆଣୁ ହାତରୁ ଖସିଗଲା ଗ୍ଲାସ୍‌, ତଳେ ପଡ଼ି ଚୂନା ହେଇଗଲା ।

 

ବସିଲା ତା’ ପିଠିରେ ମାଡ଼–ଗୋଗୋଛ, ବାଡ଼ିଆ ମାଡ଼ ସେ । ମହାଦେବ ପଳେଇ ଯିବେ ।

 

ଘରର ସବୁ ଲୋକଙ୍କୁ ଛାନିଆ ଧରିଲା । ଏ ଦୁହେଁଯାକ କ’ଣ ରାଗୁଆ ଭାଙ୍ଗ କେତେବେଳେ ପିଇଛନ୍ତି ? ଦାଣ୍ଡରେ ଛୁଆ ବାବୁଙ୍କୁ ବାବୁ ମାରୁଛନ୍ତି, ଘରେ ଦେଈଙ୍କୁ ମା’ ମାରୁଛନ୍ତି-? ପାଠ କ’ଣ ସବୁ ଆସିବ ! ନା କାଚ ଗିଲାସ ଭାଙ୍ଗିବ ନି ! ଜଣେ କହିଲା ତାଙ୍କ ଭିତରୁ-

 

ମହିଳା ଓ ତାଙ୍କ ସ୍ୱାମୀ ଖାଲି ବୁଝୁଥିଲେ ମାଡ଼ କିଏ ଖାଉଥିଲେ । ଅନ୍ୟମାନଙ୍କ ମସ୍ତିଷ୍କ ଖାଲି ।

 

ମାଡ଼ ପିଟି ବନ୍ଦ ହେଲା । କ୍ରୋଧ ଓ ରାଗ ଶାନ୍ତ ପଡ଼ିଲା, ଲୋକ ଆଖିରେ । ତା ବଦଳରେ ଥିଲା–ରୂପାନ୍ତରିତ ଅଭିମାନ ଉଭୟଙ୍କ ଅନ୍ତରରେ । ଦୁଇଟି ଯୁକ୍ତି ବୁକୁ ଭିତରେ ଟେନିସ୍‌ ଖେଳୁଥିଲେ ।

 

ଖିଆପିଆ ଶେଷ ହେଲା । ପୁଅକ ବିଛଣାରେ ସ୍ୱାମୀସ୍ତ୍ରୀ ଶୋଇଥାନ୍ତି । ଦୁହିଁଙ୍କର ଅଶାନ୍ତି ମନ ଦୁହିଁଙ୍କୁ ମନେ ମନେ ଅଭିଯୁକ୍ତ କରୁଥାନ୍ତି । ସ୍ୱାମୀଙ୍କର ଅନୁଦାରତା ଓ ସଂକୀର୍ଣ୍ଣତା ମହିଳାଙ୍କୁ ବିଚଳିତ କରୁଥାଏ । ପ୍ରକାଶ କରିବାର ସାହସ ନ ଥାଏ । ସ୍ତ୍ରୀର ଚରିତ୍ର ଉପରେ ଆକ୍ଷେପ କରିବାର ସାହସ ସ୍ୱାମୀର ନ ଥାଏ । ଈର୍ଷା ଓ ଅଭିମାନ ବିବ୍ରତ କରୁଥାଏ । ଅପରେସନ କରି ଆସିଲା–ଏବେ ତ ସୁବିଧା ହେବ ! ଛିଃ ଛିଃ, ପୁରୁଷର ସନ୍ଦେହ !

 

ଦୁହେଁ ଶେଷରାତିକି ଶୋଇପଡ଼ିଲେ ।

 

ତା’ ଆରଦିନ । ଆଜି ନୂଆ ଝୁଅର ଏକୋଇଶା । ବାବୁ ଅତି ଅସ୍ୱାଭାବିକ ଭାବରେ ଚାରିଟାରେ କଚେରୀରୁ ଚାଲି ଆସିଲେ । ରୋଜ ଆସନ୍ତି । ସ୍ୱାମୀ ସ୍ତ୍ରୀ କିଏ କାହା ସହିତ କଥା କହୁ ନ ଥାନ୍ତି । ପ୍ରତ୍ୟେକର ସବୁକାମ ଅନ୍ୟମାନଙ୍କ ଜରିଆରେ ହୋଇଯାଉଥାଏ ।

 

ସାଢ଼େ ପାଞ୍ଚ ବାଜିଲା । ପୁଅ ଅନେଇ ବସିଛି ମଟରକୁ । ଆସିଲେ ସେ ବୁଲିଯିବ । ମଟର ଠିକ୍‌ ସମୟରେ ଆସିଗଲା । କନିକା କଟେଜ୍‌ ସମୟ । ବୃଦ୍ଧ ସବୁଦିନ ପରି ସେଦିନ ବି ଓହ୍ଲେଇଲେ ନାହିଁ । କାରଣ ପୁଅ ଯାଇଁ ସାଙ୍ଗେ ସାଙ୍ଗେ ଅଭବାଦନ ଜଣାଇ କହିଲା–‘‘ବସ, ମୁଁ ମା’କୁ ଡାକିଆଣେ ।’’

 

–ମା’ ମା’, ଆସ ଆସ, ସେ ପରା ଆସିଲେଣି !

 

ସେହି ସମୟରେ ବୃଦ୍ଧଙ୍କର ଡ୍ରାଇଭର ଗୋଟିଏ ପୁଡ଼ା ଆଣି ଦାଣ୍ଡରେ ଠିଆ ହୋଇଥିବା ଚାକର ହାତରେ ଦେଲା–ଝିଅଙ୍କର ଏକୋଇଶା । ବୁଢ଼ୀ ମା’ ପଠାଇଛନ୍ତି ।

 

ବାପା ପୁଅକୁ ଜବତ୍‌ କରି କହିଲେ–‘‘କାଲି ଏତେ ମାଡ଼ ଖାଇଥିଲୁ ପାଶୋରି ଗଲା, ଆଜି ଫେର୍‌ ବୁଲିଯିବୁ ? ନା ଯିବୁ ନାହିଁ ।’’

 

ମହିଳା ଲୁଗା ପିନ୍ଧି ଚାଲି ଆସୁଥିଲେ । ସ୍ୱାମୀ ଲୁଗା ଭିଡ଼ିଧରି କହିଲେ–‘‘ତୁମେ ବୁଲିଯାଇ ପାରିବ ନାହିଁ । ବେଅକଲି ! ପର ଲୋକର ମଟରରେ ବସି ବୁଲି ବାହାରିଲେ ! ଆଃ–ଅଫିସରୁ ମଣିଷ ଆସିଲା, କଥା ନାହିଁ, ବାର୍ତ୍ତା ନାହିଁ, ସାଙ୍ଗ ସୁଖ ଧରି ବାହାରିଲେ... ।’’

 

ବୃଦ୍ଧ ମଟରରେ ବସି ସବୁ ଶୁଣୁଥିଲେ । ଛାତି ଭିତରେ ରେଲଇଞ୍ଜିନ, ମନରେ ଉଡ଼ାଜାହାଜର ଇଞ୍ଜିନ ଯୁଗପତ୍‌ ଛୁଟିଲେ । ଅଭିମାନ ଓ ହତାଶାରେ ମୁହ୍ୟମାଣ । ଡ୍ରାଇଭରକୁ ହସ୍ତ ଦ୍ୱାରା ଇଙ୍ଗିତ ଦେଲେ ଚାଲିବାକୁ ।

 

ପୁଅ ଅନେଇ ଥାଏ ମଟର ଆଡ଼େ–କାଳିଆ ମଟରଟା ।

☆☆☆

 

ପଳିତ ପଲ୍ୱଳ

 

ଉଜ୍ଜୟନୀ ଚାଉଳକଳ ମଧ୍ୟରେ ଥିବା ମାଲିକଙ୍କ ଖାସ୍‌ କାମରା ମଧ୍ୟରୁ ସୁଚିତ୍ରା ଶଙ୍କିତ ଚିତ୍ତରେ ପଶିଲା । ମାଲିକ ସୁବ୍ରତ ବିସ୍ମିତ ହୋଇ କହିଲେ–‘‘କ’ଣ ଖବର ? ଜଲ୍‌ଦି, ଜଲ୍‌ଦି କହ ।’’

 

ବିପନ୍ନା ସୁଚିତ୍ରା କହିଲା–‘‘ଆଜ୍ଞା, ଆଜି ସେମାନେ ଟ୍ରେଜରୀରୁ ତହବିଲ୍‌ ଲୁଟ୍‌ କରିବେ, ଆପଣଙ୍କ ଘର ବି ଘେରାଉ କରି ପାରନ୍ତି ।’’

 

ସୁବ୍ରତଙ୍କର ମୁହଁ ଶୁଖିଗଲା, ତଣ୍ଟିରେ କ’ଣ ଅଟକି ଗଲା, କଥା କହି ପାରିଲେ ନାହିଁ ।

 

‘ମୁଁ ଯାଉଛି ଆଜ୍ଞା ।’

 

‘ଯା, ଯା, ଜଲ୍‍ଦି ଯା.....’

 

ଉଜ୍ଜୟିନୀ ଚାଉଳକଳରେ ଧର୍ମଘଟ । ମଜୁରୀ ବଢ଼ାଅ, ଦରଦାମ ହୁ–ହୁ ବଢ଼ି ଚାଲିଛି । କିଣି ଖାଇବାକୁ ପଇସା ନିଅଣ୍ଟ, ବଞ୍ଚିବାକୁ ହେବ ମଣିଷକୁ । ମିଲ୍‌ ମାଲିକ ପଇସା ଦେବାକୁ ନାରାଜ । ଲାଭ ବେଶୀ ହେଉ ନାହିଁ । ଉତ୍ପାଦନ କମି ଯାଉଛି । ଢିଙ୍କିକୁଟା ଚାଉଳ ଦେଶରେ ସମସ୍ତେ ଖାଇଲେ । ମିଲ ଚାଉଳରେ ଖାଦ୍ୟସାର ନାହିଁ, ନଷ୍ଟ ହୋଇଯାଇଛି । ଫେର୍‌ ତା’ ଉପରେ କଟକଣା–ବାହାରକୁ ଚାଉଳ ରପ୍ତାନି ହୋଇ ପାରିବ ନାହିଁ ।

 

ସାଲିସ୍‌ ହୋଇ ପାରିଲା ନାହିଁ । ଉଦ୍ୟମ ଚାଲିଥିଲା, ବିଫଳ ହୋଇଛି, ହେଲେ ଆଲୋଚନାର ବାଟ ବନ୍ଦ ନୁହେଁ । ଆଜିକି ଆଠଦିନ ହୋଇଗଲାଣି । ଧର୍ମଘଟକାରୀଙ୍କର ପଇସା ସରିଗଲାଣି । ଉପାୟ ଉଦ୍ଭାବନ ହୋଇଛି–ଲୁଟ୍‌ । ମାଲିକଙ୍କର ଲୋକ ଅଛନ୍ତି ଧର୍ମଘଟକାରୀଙ୍କ ଭିତରେ, ସାଙ୍ଗେ ସାଙ୍ଗେ ପ୍ରସ୍ତାବଗୁଡ଼ିକ କହି ଦେଇଯାନ୍ତି । ମାଲିକ ସତର୍କ ରହନ୍ତି, କାର୍ଯ୍ୟନୁଷ୍ଠାନ ପୁର୍ବରୁ ସେ ପ୍ରସ୍ତୁତ ।

 

ପୁଲିସ, ମାଜିଷ୍ଟ୍ରେଟ ଓ ଜନତା ସମସ୍ତେ କଳରେ ଜମା । ଲୁଟତରାଜ ହେବ–ଜୀବନ ଓ ଧନ ଉପରେ ଚଢ଼ାଉ ! ବରଦାସ୍ତ କରିବ କିଏ ? ଜାତୀୟ ସମ୍ପତ୍ତି ନଷ୍ଟ ହୋଇଯିବ ? ମାଲିକ ସୁବ୍ରତଙ୍କର ଖର୍ଚ୍ଚ ଚାଲିଛି । ପୁଅ ମୁହଁ ରୋକି ହେଉନାହିଁ । ମଜଦୁରଙ୍କୁ ଜବତ୍‌ କରିବାକୁ ହେବ । ଧନପତିର ବିଜୟ ନିଶାଣ ଉଡ଼ିବ ଫାଟକ ଉପରେ–ଯେଉଁଠି ଅର୍ଦ୍ଧ ବୃତ୍ତାକାର କାଠପଟାରେ ଲେଖାହୋଇଛି–ଉଜ୍ଜୟିନୀ ଚାଉଳକଳ । ସେ ପତାକା ଲାଲ୍‌ ନୁହେଁ–ସବୁଜ, ଚିରଦିନ ତାହା ସବୁଜ ରହିବ । ମଣିଷ ବଞ୍ଚିବ ଦୁଇଶ ପଚାଶ ବର୍ଷ । ଡାକ୍ତର ଭାନ୍‌ ଫେଲ୍‌ଟ କହୁଛନ୍ତି–ହେଲେ ବଞ୍ଚିବାର ସ୍ପୃହା ରହିବା ଦରକାର–ଆଗ୍ରହ ଲୋଡ଼ା । ଯୁବକ ସୁବ୍ରତ ପିତାଙ୍କ ମୃତ୍ୟୁ ପରେ ତାହାହିଁ ବୁଝିଛନ୍ତି । ମଜଦୁରଙ୍କୁ ଚିରଦିନ ମଜଦୁର କରି ରଖିବାକୁ ହେବ । ନ ହେଲେ ସୌଖିନ ହୋଇ ବଞ୍ଚିବା ଦାୟ । ସେଥିପାଇଁ ସେ ପୁଲିସ ମାଜିଷ୍ଟ୍ରେଟ୍‌ ଓ ନେତାମାନଙ୍କୁ ହାତ କରିଛନ୍ତି । ସମସ୍ତେ ହେବେ ତାଙ୍କର । ଗୁଇନ୍ଦା ଯେଉଁ ଖବର ଦେଇଗଲା, ସେଥିରେ ମାଲିକ ହିଁ ଜୟଲାଭ କଲେ । ମଜଦୁରଙ୍କ ଭିତରେ ମତଭେଦ ଘଟିଲା, ନେତାମାନଙ୍କୁ ସେ ଭିତରୁ ଧରିନେଇ ହାଜତରେ ରଖାଗଲା, ଆଉ ମଜଦୁର ଯିବେ କୁଆଡ଼େ, ସମସ୍ତେ କାନମୁଣ୍ଡା ଆଉଁସି କାମରେ ଯୋଗ ଦେଲେ । ଧର୍ମଘଟରେ ତାଙ୍କର ପରାଜୟ ହେଲା । ଯେଉଁମାନେ ବାହାରୁ ଆସିଥିଲେ ସେମାନେ ବିଦାୟ ନେଲେ ।

 

ସୁବ୍ରତ ବୁଦ୍ଧିମାନ, ଚତୁର ଓ ଉଚ୍ଚାଭିଳାଷୀ । ସୌଖିନ ସୁନ୍ଦର ଚେହେରା । ବୟସ ତିରିଶ ବତିଶ ମଧ୍ୟରେ । ବାପା ବଞ୍ଚିଲାବେଳେ ବିବାହ କରାଇ ଦେଇଥିଲେ–ଏକ ସମ୍ଭ୍ରାନ୍ତ ପରିବାରରେ । ଉଜ୍ଜୟିନୀ ସୁନ୍ଦରୀ, ପତିବ୍ରତା ।

 

ସୁଚିତ୍ରା ସମ୍ଭ୍ରାନ୍ତ ବଂଶଜା । ବିବାହର ବର୍ଷକ ପରେ ସ୍ୱାମୀ ମରିଗଲେ । ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲା । ମାତ୍ର ପରିକ୍ଷା ଦେଇ ନ ଥିଲା । ଭଲ ମୁରବୀ । କ’ଣ କରିବେ । ତାକୁ ପରୀକ୍ଷା ଦେବାକୁ କହିଲେ, ସେ ପାସ୍‌ ବି କଲା । ଶେଷକୁ ଟାଇପ ରାଇଟିଙ୍ଗ୍‌ ଶିଖି ଚାକିରି କରିବ ବୋଲି ସ୍ଥିର କଲା । ଭଦ୍ରଖ ପାଖରୁ ଆଠ ମାଇଲ ଦୂରରେ ଏହି ଉଜ୍ଜୟିନୀ ଚାଉଳକଳଟି । ସେଇଠିକି ଦିନେ ସେ ତା’ ଭାଇଙ୍କ ସହ ଆସି ସୁବ୍ରତଙ୍କୁ ଦେଖା କଲା । ସୁବ୍ରତ ତାକୁ ଚାକିରି ଦେଲେ । ଭାଇ ବିଦାୟ ନେଲେ । ସୁଚିତ୍ରାକୁ ଘର ମିଳିଲା । ଶୋଇବା ଘର, ଦାଣ୍ଡଘର, ରୋଷେଇ ଓ ସରଘର, ପାଇଖାନା ଓ ଗାଧୁଆ ଘର ମଧ୍ୟ ଥିଲା । ସୁବ୍ରତ ବିଶେଷ ସୁବିଧା କରାଇ ଦେଇଥିଲେ, ତାକୁ ଗୋଟିଏ ଚାକର ମାହାଳିଆ ଯୋଗାଇ ଦିଆଯାଇଥିଲା ।

 

ସୁବ୍ରତଙ୍କ ସହିତ ସୁଚିତ୍ରାର ରୋଜ ଦେଖାହୁଏ । ସୁବ୍ରତ ଚିଠିଟିମାନ ଲେଖିଦିଅନ୍ତି । ବେଳେବେଳେ ଡାକନ୍ତି, ସୁଚିତ୍ରା ଲେଖି ତାହା ଟାଇପ କରି ଆଣିଦିଏ । ସୁବ୍ରତ କେଜାଣି କାହିଁକି ସୁଚିତ୍ରାକୁ ସୁନଜରରେ ଦେଖନ୍ତି, ତାହା ବୋଧହୁଏ ତାଙ୍କର ଏକ ଦୁର୍ବଳତା । ବିନୀତା ସୁଚିତ୍ରା ।

 

ଧର୍ମଘଟ ପରଠାରୁ ତା’ର ମନ ଜମା ଭଲ ନ ଥାଏ । ସେ ଯେ ଆପଣା ସାଥି ଭାଇଙ୍କ ଖବରଟା ଆଣିଦେଲା ମାଲିକଙ୍କୁ ? ସେ କ’ଣ ସତେ ନିମକସଚ୍ଚା ! ଏଟା ତା’ ମନକୁ ସର୍ବଦା ଉଦ୍‌ବେଳିତ କରିବାକୁ ଲାଗିଲା । ଏଣେ ସୁବ୍ରତ ତାକୁ ଯେତେ ଅଧିକ ସୁବିଧା ଦେବାକୁ ଯାଉଥାନ୍ତି, ସେ ସେତିକି ସେଥିରୁ ଓହରି ଯାଉଥାଏ ହେଲେ ନୌକରୀ !

 

ସୁବ୍ରତ ମିଲଠାରୁ ଦୁଇ ମାଇଲ ଦୂରରେ ଗୋଟିଏ ମନୋହର ଉପବନ ତିଆର କରାଇଛନ୍ତି । ଛଅ ଏକର ଜମି । ଅନ୍ଦାଜ ଏକରକରେ ଗୋଟିଏ ପୁଷ୍କରିଣୀ ଖୋଳାଇଛନ୍ତି । ଏହି ଉପବନର ଯେଉଁଦିନ ଶୁଭ ଦିଆଗଲା, ସେଦିନ ଦୌବାତ୍‌ ମନ୍ତ୍ରୀ ସେ ଅଞ୍ଚଳକୁ ଗସ୍ତରେ ଆସିଥିଲେ-। ସୁବ୍ରତ ବହୁ ଅନୁନୟ କଲାପରେ ସେ ତାହାର ଶୁଭ ଦେଇଥିଲେ । ସେଠି ସେ କହିଥିଲେ ଏହି ଉଦ୍ୟାନର ବିଶିଷ୍ଟତା ରହିବ–ତାହା ମାମୁଲି ବଗିଚା ନୁହେଁ ଅଭିନବ ଉପବନ ।

 

ସେ ଦିନଠୁ ଆଜିକି ବର୍ଷେ ହେଇଗଲାଣି । ଏବେ ବଗିଚାରେ ଫଳଫୁଲ ଭର୍ତ୍ତି–ପାଚିରି ଥିବାରୁ କେହି ବାହାରୁ ଦେଖି ପାରନ୍ତି ନାହିଁ । ନ ହେଲେ ଦେଖିବା ଜିନିଷ ସେଟା । ସୁଚିତ୍ରାକୁ ଥରେ ସୁବ୍ରତ କହିଥିଲେ–ତମରି ନାମରେ ସେଟା ରଖାଯିବ । ସୁଚିତ୍ରା ମୁରୁକି ହସିଥିଲା । ମାତ୍ର ପରେ ଗମ୍ଭୀର ହୋଇ ଯାଇଥିଲା ।

 

X X X

 

ଏବେ ଘରେ ସୁବ୍ରତଙ୍କର ମନ ଲାଗେନା । କ୍ୱଚିତ୍‌ ଘରକୁ ଆସନ୍ତି । ଆସିବେ ଖାଲି ଚିଡ଼ି ଚିଡ଼ି ହୁଅନ୍ତି । ଉଜ୍ଜୟିନୀ ସୁନ୍ଦରୀ, ସୁଶ୍ରୀ ଓ ମିଷ୍ଟଭାଷୀ । ଯେତେବେଳେ ସେ ନୂଆ ହୋଇ ଏ ଘରକୁ ଆସିଥିଲେ ଶାଶୁ, ଶ୍ୱଶୁର, ସ୍ୱାମୀ ସମସ୍ତେ ତାଙ୍କୁ ସ୍ନେହ କରୁଥିଲେ । ସେଥିପାଇଁ ନୂଆ ମିଲ୍‌ର ନାମ ‘ଉଜ୍ଜୟିନୀ ଚାଉଳକଳ’ ରଖାଯାଇଥିଲା । ସେ ସୁବ୍ରତକୁ ଯାହା କହୁଥିଲେ ସୁବ୍ରତ ସେଥିରେ ହଁ ଭରୁଥିଲେ । ଏବେ କେତେଦିନ ହେଲା ସେ ଯାହା କହନ୍ତି ସୁବ୍ରତ ତା’ର ଓଲଟା କରନ୍ତି । ସେଦିନ ଉଜ୍ଜୟିନୀ କହିଲେ–ସେ ବଗିଚାଟିକୁ ସେକାଳୁ କହୁଛି, ପ୍ରତିଷ୍ଠା କରାଇବାକୁ, କ’ଣ ଗୁଡ଼ାଏ ଏମିତି ଖର୍ଚ୍ଚ ହେଇଯିବ ଶୁଣିବା । ପଥର ପୋଖରୀର ପାହାଚ ହୋଇ ଗଲାଣି, ଖାଲି ଦୀପିଦଣ୍ଡୀର ମୁଣ୍ଡି ମରିନି, ହେଇ ଯିବନି, ଦିନ ସ୍ଥିରକର । ନାହାକକୁ ଖବର ଦିଅ ।

 

‘ବଗିଚାରେ ଶୁଭ ଦିଆଯାଇଛି । ସେ ଦିନ ପରା ସବୁ ହୋଇଗଲା, ଫେର୍‌ ଆଉ କ’ଣ ହବ ?’

 

‘ବାସ୍‌ ଏତେ ସଂକ୍ଷେପରେ ସବୁ ହବ ?’

 

‘ମଲା ଯା, ତମେ କ’ଣ ଅଫିମ ଖାଇ ଢୁଳଉଛ ନା କ’ଣ ? କିଓ ଲଣ୍ଡନରୁ ନିଉୟର୍କକୁ ଗଲେ ଜମା ଚାରିଘଣ୍ଟା ବାବନ ମିନିଟ ତେଇଶି ସେକେଣ୍ଡ ଲାଗୁଚିଟି ? ଏ କହୁଛନ୍ତି ସଂକ୍ଷେପ । ହାଃ...ହାଃ... ତୁନୀ ପଡ଼ିଲେ ଉଜ୍ଜୟିନୀ–ସୁବ୍ରତଙ୍କ ସ୍ତ୍ରୀ ।

 

‘କାଲି ବଗିଚାରୁ ଯେତେ ପରିବା ଆସିଥିଲା ସବୁ ପୋକା । ସେଥିପାଇଁ କହୁଥିଲି...‘ଉଜ୍ଜୟିନୀ କହିଲେ ।

 

‘କ’ଣ ହେଲା, ସବୁ ପୋକା !’

 

‘ସେଥିପାଇଁ କହୁଥିଲି ସିନା ! ତିରିଶ ହଜାର ସେଥିରେ ଖର୍ଚ୍ଚ କଲ । ଆଉ ତିରିଶ ଟଙ୍କାକୁ କୁଣ୍ଠା !’

 

‘ତମେ ବହୁତ ପଛରେ ପଡ଼ିଛ ।’

 

‘ଆଗେଇ ନିଅ ମତେ । –ମନା କରୁଛି କିଏ ?’

 

ବେଶ୍‌ ତାହାହିଁ ହେବ । ଚାଲ କହିଲେ, ଚାଲିବ–ସ୍ଫୁଟ୍‌ନିକ୍‌ ବେଗରେ ।’

 

‘‘ସେଟା ତ ଯାଉ ଯାଉ ଯଦି ଖସି ପଡ଼ିଲା ?’’

 

‘ଖସିବ, ଜମା ନୁହେଁ । ଗବେଷଣା କରାଯାଇଛି କ’ଣ ମିଛରେ–ପୃଥିବୀର ମାଧ୍ୟକର୍ଷଣ ଉପରକୁ ଗଲାଣି ପରା !’’

 

‘ମଣିଷ ମନକୁ କ’ଣ ସେ ସ୍ତରକୁ ନେଇ ଯାଇ ପାରିବ ?’

 

‘ମଣିଷ କରିପାରେ ତାହା ।’

 

‘ସବୁ ମିଛ, ମିଛ, ମୁଁ କାହିଁକି ମାନିବାକୁ ଯିବି ।’ ଉଜ୍ଜୟିନୀ ହସି ହସି କହିଲେ ।

 

‘ମଣିଷ ମନ...ଆରେ ସତେ ତ, ତାକୁ ତ ବଦଳାଇ ଦେଇ ପାରୁନି ବିଜ୍ଞାନ......’

 

‘ଆଉ, ଏହିକ୍ଷଣି ବୁଲିଯିବ ! ଯିବତ ମତେ ନେଇଯିବ । ବଗିଚାକୁ ଯିବା, ପୋକ କାହିଁକି ଲାଗୁଛନ୍ତି ଦେଖିବା ।’

 

‘ତମେ କ’ଣ ପୋକବିଶାରଦ ! ପୋକମରା ଗୁଣ୍ଡ ପକାଇ ଦେଲେ ହବ । ମାଳିକି କହି ଦଉଛି । ମୋର ଢେର୍‌ କାମ ଅଫିସରେ, ମୁଁ ବୁଲି ଯାଉନି ।’

 

‘ଚା’ ଖାଅ ।’

 

‘ନା, ଥାଉ ।’ ସୁବ୍ରତ ବେଶବିନ୍ୟାସ ହୋଇ ବାହାରିଲେ ।

 

‘କ’ଣ କରୁଛ ସୁଚିତ୍ରା, ଆସ ବୁଲିଯିବା ବଗିଚାକୁ ।’

 

‘ଟିକେ ବସନ୍ତୁ, ଚା’ ପାଣି ଫୁଟି ଆସିଲାଣି ।

 

‘କାହିଁକି, ତମର ସେ ଲୋକ ଆଜି ନାହିଁ କି ?’

 

‘ଆଜି ଆସିନି ସେ ।’

 

‘ଆସିନି ? ମାନେ......ଦେଉଛି ଠିକ୍‌ କରି..... ।’

 

ସୁଚିତ୍ରା–କାହାରି ଅନୁଗ୍ରହ ଚାହେଁନା, ସେ ନିଜେ ଖଟିବ, ଖାଇବ, ମାଗିଯିବ କାହିଁକି କାହାକୁ ? କିଛି କହିଲାଣି, ସେ ଟ୍ରେରେ ଚା’ ଧରି ଆସିଲା ଦାଣ୍ଡ ଘରକୁ ।

 

‘ଆରେ ଖାଲି ଚା–ବିସ୍‌କୁଟ୍‌, ଚା’ ଆଉ କ’ଣ କ’ଣ ସବୁ ଧରି ଆସିଲେ ତୁରନ୍ତ ।

 

‘ଭାରି ଜଲ୍‌ଦି ଆସିଗଲେ ତ !’

 

‘ବଳଦ ଗାଡ଼ିରେ ଯାଇଥିଲେ ସିନା ଡେରି ହୋଇଥାନ୍ତା । ହସିଲେ ସୁବ୍ରତ ।

 

‘ତୁନୀ ପଡ଼ିଲା ସୁଚିତ୍ରା । ଜିନିଷଗୁଡ଼ିକ ନେବାକୁ ହାତ ତା’ର ଯାଉ ନଥିଲା, ମାତ୍ର ନେବାକୁ ହେବ ବୋଲି ନେଲା ।

 

ଚୌକିରେ ବସି ଟେବୁଲ ଉପରେ କହୁଣି ରଖି ଚା’ ପିଉଥିଲେ ସୁବ୍ରତ କହିଲେ–‘ବଢ଼ିଆ ଚା’, ଘରେ ତ ଏମିତି ମିଳେ ନା ।’

 

ସୁଚିତ୍ରା ଗମ୍ଭୀର ହୋଇ ଠିଆ ହୋଇଥାଏ । ମନରେ ନଥାଏ ସୁଖ । ହେଲେ ଦେଖାଇବାକୁ ହବ–ମନ ସୁସ୍ଥ, ଦେହ ସତେଜ ।

 

‘ମୁହଁ କାହିଁକି ଶୁଭିଲା ? ଭଲ ନାହିଁ କି ଦେହ ?’

 

‘ନା, ଭଲ ଅଛି ତ ?’

 

‘ବୁଲିଯିବା ଚାଲ ବଗିଚାକୁ ?’

 

‘ନ ଗଲେ ସେଠିକି ?’

 

‘ଆଚ୍ଛା ଲୋକ ତ ଇଏ ! ସେଟା ହେଲା ତେବେ କାହା ପାଇଁ ?’

 

‘ବିସ୍ମିତା ସୁଚିତ୍ରା କହିଲା–‘କାହାପାଇଁ ହୋଇଛି ?’

 

‘କାହିଁକି ? ତମରି ପାଇଁ, ତମର ସ୍ନେହର କ’ଣ ମୂଲ୍ୟ ନାହିଁ ?’

 

‘ନିଶ୍ଚୟ ଅଛି । ତାହା କ’ଣ ଟଙ୍କା, ସୁନା, ଇଟା, ପଥର, ଗଛଲତାରୁ ବୁଝାଯାଏ ?’

 

‘ତେବେ ସୁନ୍ଦର ତାଜର ସୃଷ୍ଟି କିପରି ହେଲା ?’

 

‘ତାହା ସମ୍ରାଟ୍‌ ସାହାଜାହାନଙ୍କ ଦୂର୍ବଳ ହୃଦୟର ଏକ ବିକାର ମାତ୍ର ?’

 

‘କ’ଣ କହୁଛ ସୁଚିତ୍ରା ? ପ୍ରେମିକ ସମ୍ରାଟ ଦୂର୍ବଳ ?’

 

‘ନିଶ୍ଚୟ । ନ ହେଲେ କ’ଣ ସେ ହୃଦୟକୁ ପଥର ସାଙ୍ଗରେ ତୁଳିଥାନ୍ତେ ? ଜୀବନ୍ତ ଓ ଜଡ଼–ୟାରି ତୁଳନା ।’

 

‘ଓଃ, କ’ଣ କହୁଛ ସୁଚିତ୍ରା–ତମେ କ’ଣ ମତେ ହୃଦୟ ଦେଇଛ–ବିନିମୟରେ ହୃଦୟ ହିଁ ଚାହି ?’

 

ସୁଚିତ୍ରା କିଛି କହିଲା ନାହିଁ । ଦେହ ତା’ର ତାତିଛି । ମୁହଁ ରଙ୍ଗା ପଡ଼ିଛି । ସେ ଠିଆ ହୋଇ ପାରିଲା ନାହିଁ, ଘର ଭିତରକୁ ଚାଲିଗଲା ।

 

‘ଓଃ–ସେଥିପାଇଁ ତୁମେ ଚା’ ବିସ୍‌କୁଟ୍‌ ନେଲାବେଳେ ବିଗିଡ଼ିଲା ଭାବ ପ୍ରକାଶ କରୁଥିଲ-। ଧନ୍ୟ ମୁଁ ସୁଚିତ୍ରା–ଆଃ ମତେ ଦେଇଛ ତମେ କ’ଣ–ଅମୂଲ୍ୟରତ୍ନ.... । ଚାଲ ଯିବା-।’

 

ସୁଚିତ୍ରା ଫେରି ଆସିଲା ଘରୁ । କହିଲା–‘ନ ଗଲେ ହବନି ?’

 

‘ନାଁ, ନାଁ, ନ ଗଲେ ହବନି । ଚାଲ ସୁଚିତ୍ରା, ସେହି ଶଙ୍ଖମଲମଲ ପଥର ପାହାଚରେ ତମେ ବସିବ, ମୁଁ...ମୁଁ...’

 

ସୁଚିତ୍ରା ବେଶ ହୋଇ ବାହାରି ପଡ଼ିଲା । ସୁନ୍ଦରୀ ସୁଚିତ୍ରା ।

 

ସୁବ୍ରତ ମଟର ଚଳାଇ ସଟାଙ୍ଗ୍‌ କିନା ବଗିଚା ଫାଟକ ପାର ହୋଇ ଉଦ୍ୟାନ–ସରୋବର ନିକଟକୁ ଚାଲିଗଲେ । ଗଲାବେଳେ ମାଳିକୁ କହିଥିଲେ–ଫାଟକ ବନ୍ଦକରି ଚାବି ମତେ ଦେଇ ଆସିବୁ ।

 

ଚତୁଷ୍କୋଣୀ କେଳି ପଲ୍ୱଳର ପାହାଚ ଥିବା ତରଫରେ ମଟର ଠିଆ ହେଲା । ଆରୋହୀ ଦୁହେଁ ଓହ୍ଲେଇଲା ବେଳକୁ ସୁଚିତ୍ରାର ବିଳମ୍ବିତ ଅଞ୍ଚଳଟି ମଟରର ଦ୍ୱାରରେ ଲାଖିଗଲା । ସୁଚିତ୍ରା ଟାଣୁଟାଣୁ ତାହା ଚିରି ଗଲା ।

 

ଦୁଃଖିତହୋଇ ସୁବ୍ରତ କହିଲେ–ବିଡ଼ମ୍ବନା...

 

ସୁଚିତ୍ରା ହସିହସି କହିଲା–‘ମନ ତ ଚିରା...’ ଖିଲ୍‌ ଖିଲ୍‌ ହସ ତା’ର ।

 

ସୁବ୍ରତ ବ୍ୟଥିତ ହୋଇ କହିଲେ–ଏମିତି ଅମଙ୍ଗଳ କଥାଟିଏ କହୁଚ ? ସୁଚିତ୍ରା–କାହିଁକି ଏମିତି କହିଲ, କହ, କହ ସୁଚିତ୍ରା...ତମର ମୁଁ କ’ଣ କଲି...ଜଣେ ଜଣକୁ ଭଲ ପାଇ ପାରେନା...

 

‘ମୁଁ ଯେ ଦୋଷୀ ଗୁଇନ୍ଦା । ଆପଣଙ୍କର, ପ୍ରଣୟିନୀ ନୁହେ–ଆପଣ ବିବାହିତ, ମୁଁ କ’ଣ ତାହା ବୁଝେନା–ମୋ ଦେହକୁ ଆପଣ ଲୋଭେଇଛନ୍ତି, ପ୍ରଣୟ ସୀମାର ବାହାରେ ସେଟା । ମୁଁ ତାହା ଚାହେଁନା...’

 

ସୁଚିତ୍ରାର ଆଖି ଝଲସି ଉଠିଲା–ଲୁହ ଭରିଗଲା ଆଖିରେ ।

 

‘ଏମିତି କାହିଁକି ହଉଛ ସୁଚିତ୍ରା ? ମୁଁ ତମକୁ ହୃଦୟ ଦେଇ ଭଲ ପାଏନା ? ସଂଶୟ ଅଛି ?’

 

‘ନିଶ୍ଚୟ ।’

 

‘କିମିତି ?’

 

‘ପ୍ରମାଣ କରାଇ ଦେବି, ବ୍ୟସ୍ତ ହେବେନି ।’ ଏହି ସମୟରେ ମାଳି ଚାବି ଦେଇଗଲା । ଦୁହେଁ ତୁନି ପଡ଼ିଲେ ।

 

‘ପ୍ରମାଣ କରାଇ ଦେବ ? ସତ କହୁଛ ସୁଚିତ୍ରା ! ମୁଁ ବିଶ୍ୱାସ କରୁନି ତାହା ।’

 

‘ଶୀଘ୍ର ଦେଖାଇଦେବି ।’

 

ଅନ୍ୟମନସ୍କ ସୁବ୍ରତ । ଦଣ୍ଡେ ଗଲାରୁ କହିଲେ–ଆସ ସୁଚିତ୍ରା ବସିବା, ପଲ୍ୱଳର ଶେଷ ପାହାଚରେ, ଯେଉଁଠି ସେଟାକୁ ସେ ସ୍ପର୍ଶ କରିଛି ।

 

ସୁଚିତ୍ରା ଗଲା । ଦୁହେଁ ପାଖକୁ ପାଖ ଲଗାଲଗି ହୋଇ ବସିଲେ ।

 

ସୁଚିତ୍ରା କହିଲା–‘ଏ ଶଙ୍ଖମଲମଲ ପଥରଟା ଏଠି ପଡ଼ି ଯେ ପାହାଚ ଉପରେ, ଏଟା କ’ଣ ବଳିଲା ?’

 

‘ଏଟା ପରା ମୁଣ୍ଡି ମରିବା ପଥର । ଏଇ ଦିନେ କି ଦି’ଦିନେ ସେଟା ଶେଷ ହୋଇଯିବ । ମୁଣ୍ଡି ମରିବ...ଡେରି ହୋଇ ଯାଇଛି ଆର ଥରକୁ ଆସିଲା ବେଳକୁ ସମ୍ପୂର୍ଣ୍ଣ ଦେଖିବ ।’

 

ଆଜି ତାହା ସମ୍ପୂର୍ଣ୍ଣ ହୋଇଯିବ, ଦୀପଦଣ୍ଡୀ ଦେଉଳ (...) ମରିଯିବ, ଦେଖିବେ ।

 

ହଠାତ୍‌ ଶୁଭିଲା କୋଳାହଳ । ‘ଖୋଲ ଫାଟକ, ଖୋଲବେ–ଜଲ୍‌ଦି–ଜଲ୍‌ଦି...’

 

‘ଆଜ୍ଞା ଚାବିକାଠି ଆଣୁଛି ବାବୁଙ୍କଠୁ, ଟିକେ ରହିଯାନ୍ତୁ ।’

 

‘ନା, ନା, ଭାଙ୍ଗିଦେ ତାଲା...ଅପେକ୍ଷା କରି ପାରିବା ନାହିଁ, କୁହୁଣ୍ଡା ଓପାଡ଼ି ଦେ...ଦେ...ଦେ ଜଲଦି୍‌...’

 

କାନ୍ଥରେ ଗୋଡ଼ ଦେଇ ଚଢ଼ିଲାବେଳକୁ ଗୋଡ଼ ଖସି ଗଲା, ପଡ଼ିଗଲେ ମହିଳାଟି । ପୁଣି ଚେଷ୍ଟା, ପାଖରୁ ପଥର ଆଣି କାନ୍ଥ ଛେଚି କଣା କଲେ; ଚଢ଼ିଗଲେ ଉପରକୁ–ପାଚିରୀରୁ ମାରିଲେ କୁଦା–ତଳେ...

 

‘କିଏ, କିଏ ?’ ଚାବି ମାଗୁଛି...?’ ସୁବ୍ରତ ବ୍ୟଥିତ ହୋଇ କହିଲେ ।

 

‘ମା, ମା, ମା ଆଜ୍ଞା...’

 

‘ସୁଚିତ୍ରା, ସୁଚିତ୍ରା, କ’ଣ କରିବ !’

 

ଓଠରେ ହସ ଚାପି ସୁଚିତ୍ରା କହିଲା–‘କିଛି ଚିନ୍ତା ନାହିଁ, ଆପଣ ଘାବରଉଛନ୍ତି କାହିଁକି ? ଏହି ପଥରଟି ତ ମୁଣ୍ଡି ମାରିବାକୁ ରଖିଥିଲେ, ଦିଅନ୍ତୁ ମୋ ଶାଢ଼ୀରେ ବାନ୍ଧି । ମୁଁ ପଶୁଛି ପାଣିକି । ଜଲ୍‌ଦି ବାନ୍ଧନ୍ତୁ ।’

 

ପାଣି ଭିତରକୁ ପଶିଲେ ସୁଚିତ୍ରା, ସୁବ୍ରତ ବାନ୍ଧିଲେ ପଥରଟିକି ତା’ ଶାଢ଼ୀରେ, ପେଲି ଦେଲେ ପଥରକୁ ପାଣି ଭିତରକୁ ।

 

ଅର୍ଦ୍ଧ ଉଲଗ୍ନାବସ୍ଥାରେ ଦୌଡ଼ିଛନ୍ତି ଏକ ରମଣୀ, ସୁବ୍ରତ ପାହାଚରୁ ଉପର ବନ୍ଧକୁ ଉଠି ଆସି ଦେଖିଲେ–ଉଜ୍ଜୟିନୀ–ରଣଚଣ୍ଡୀ ଉଜ୍ଜୟିନୀ, ବିଜୟିନୀ ଉଜ୍ଜୟିନୀ ।

 

‘ସଇତାନ୍‌ !’

 

‘ପାଟି କରନା, ଉଜ୍ଜୟିନୀ, ତମ ହାତ ଧରୁଛି, ନେହୁରା ହଉଛି ଆସ ଗାଡ଼ିରେ ବସ, ଯିବା ଘରକୁ ।’

 

‘ଚୁପ୍‌କର, ପାଷାଣ୍ଡ–ମୁଁ ଘରେ ଚା’ ଖାଇବିନି, ସୁଆଦିଆ ଚା’ ମିଳିବ ସେଣେ ନା...କାହିଁ ସେ, କାହିଁଗଲା ସେଟା...ରାକ୍ଷସୀ...’

 

‘ଆସ, ଉଜ୍ଜୟିନୀ, ଆସ ଯିବା...ଏଠି କେହି ନାହିଁ ।’

 

‘ଯିବି, ଯିବି–ସେ ମଲେ ଯିବି, ତମେ ଯାଉ ନା ।’ ସେ ପାଣି ଭିତରକୁ ଅନେଇଲା, ନିସ୍ତର ମରଣ ।

 

‘ସୁନାଟି ପରା ଆସ...’

 

‘ଆସ ପ୍ରିୟତମ, ବସିବା ଏହି ପାହାଚରେ–ଶେଷ ପାହାଚରେ, ଯେଉଁଠି ତାକୁ ଜଳ କରିଛି ସ୍ପର୍ଶ...’

 

‘ଆସ, ଯିବା ଆସ, ଏଠି କେହି ନାହିଁ ।’

 

‘କାହିଁକି ଏ ବ୍ୟାକୁଳତା ପ୍ରିୟତମ...କହ–ଫେରି କହ... ସାବାସ୍‍, ସ୍ୱାମୀ...ଆସ ବସ, କହୁଛି–ପ୍ରଣୟର, ପରକୀୟାପ୍ରୀତିର ଶ୍ରେଷ୍ଠ ନିଦର୍ଶନ ଦେଖାଇ ଦେବି, ଆଜି ରାତିଟି ଏଠି ବସିବାକୁ ହବ ।’

 

ଉଠିଲା ନାହିଁ ଉଜ୍ଜୟିନୀ ପାହାଚ ଉପରୁ । ଦୀର୍ଘ ବାରଘଣ୍ଟା ପରେ ଦୁହେଁ ଉଠିଗଲେ ନିଜ ଘରକୁ ।

 

ଆଉ କେବେ ସୁବ୍ରତ କି ଉଜ୍ଜୟିନୀ ସେ ବଗିଚାକୁ ଆସି ନାହାନ୍ତି । ପରିତ୍ୟକ୍ତ ଉଦ୍ୟାନ । ପାଳିତ ହୋଇ ଯାଇଛି ପଲ୍ୱଳ । ଲୋକେ ଦେଖନ୍ତି–ସଞ୍ଜୁଆ ପହରେ–ଧୋବ ଫର ଫର ମାଇକିନାଟାଏ ପୋଖରୀରୁ ବାହାରି ପାହାଚରେ ବସେ, ଫେର ପୋଖରୀକି ପାଟି ଶୁଣାଯାଏ–ବିଶ୍ୱାସଘାତକତା କରିଛି । ଏହାହିଁ ତା’ର ଶାସ୍ତି ।

☆☆☆

 

ପୋତା ହାଣ୍ଡି

 

ପରି ପୁହାଣର ଦାଣ୍ଡଦ୍ୱାରେ ଗୁଡ଼ିଆଣୀ ପସରା ଧରି ଯାଉଛି । ପୁହାଣର ବଡ଼ପୁଅ ପାଣୁଆ ଡାକିଲା–ଆମ ସାହିକି ଆ, ମୋ ବୋଉ କିଣିବ ଖଜା, ଭୁଜା । ଗୁଡ଼ିଆଣୀ ଆସିଲା । ଦୁର୍ଯୋଗ । କାହାକୁ କହିବ । କଟାସଭଳି ତିନି ତିନିଟା ପିଲା ଅନେଇଛନ୍ତି ବୋଉ କିଣିଦେବ ତାଠୁଁ–ଭୁଜା, ଉଖୁଡ଼ା, ଖଜା । ପାରା କହିଲା–ଦଉନା ଦିଅଣା ପଇସା ।

 

ଏଁ ପଇସା କେଉଁଠି ଅଛି ? ତାଙ୍କୁ ଗଣ୍ଡାଏ ପଖାଳ ଦଉନି ଯେ ଇଏ ଅଇଲା ପଇସା ମାଗି । ଖବରଦାର କହି ଦଉଛି–ସେରେ ଧାନ ବରବାଦ୍‌ କଲେ ମୁଁ ବରଦାସ୍ତ କରିପାରିବି ନାହିଁ । ଏବର୍ଷ ଫସଲ କ’ଣ ହେବ ଜଣା ନାହିଁ। ଇଏ ଆମର ସବୁଦିନେ ଖାଲି ଖର୍ଚ୍ଚ କରିବାରେ ଲାଗି ପଡ଼ିଛି । ମୁଁ ପଛକେ ଖଟି ଖଟି ମରେଁ ।

 

ସତକୁ ସତ ପୁହାଣର ଭାର୍ଯ୍ୟା ପାରା ଗୁଡ଼ିଆଣୀକି ଆଖି ମାରିଦେଲା । ସେ ଆର ସାହିକି ଚାଲିଗଲା । ଗାଁରେ ସମସ୍ତେ ଜାଣନ୍ତି ପରିଆଟା ଭାରୀ କଷୋଟ । ପିଲା ଗୁଡ଼ାକ ନିରାଶରେ ଅନେଇ ଥାନ୍ତି ତା ଚାଲିକି ।

 

ହେ ଖର୍ଚ୍ଚିଟା ସବୁଦିନେ ପାରା ! ତେଣୁ ପରମାନନ୍ଦ ତା’ ହାତକୁ ପଇସାଟିଏ ଦିଏନା ।

 

ପରି ଆପଣା ଶୋଇବା ଘରେ କରିଛି ଗୋଟିଏ ଗାତ । ସେଥିରେ ପୋତା ଅଛି ଗୋଟିଏ ହାଣ୍ଡି । ହାଣ୍ଡି ଭିତରେ ତାର ଟଙ୍କା ନୋଟ ସବୁ ସାଇତା ଥାଏ । ତାକୁ କେହି ଭୁଲରେ ଦେଖନ୍ତି ନି । ଦେଖିବ ବା କିଏ ? ଘରଣୀ ଛୁଇଁ ଯାଏନା କାରଣ ଘରେ ଏକମାତ୍ର ପୁତ୍ର ସେତେବେଳେ ପାଣୁଆ । ତାଙ୍କୁ ହୋଇଥିଲା କାସ । କିଏ ବତେଇଥିଲା ଗୁଆଘିଅ ଟିକେ ଛାତିରେ ଘଷିଲେ କଫ ଛିଡ଼ିଯିବ । ପରି ଘରେ ନ ଥିଲା । ପାରା ଦିଅଣା ପଇସା ନେଇ ଆସି ଘିଅ କିଣି ଥିଲା । ରାତିରେ ରୋଜ୍‌ ସମସ୍ତେ ଶୋଇସାରିବା ପରେ ଯେତେବେଳେ ପରି ଗଣିଲା, ଦି’ଅଣା ନିଅଣ୍ଟ ପଡ଼ିଲା ନିଅ । ପାରା ତ ପ୍ରଥମେ ମାନିଲା ନାହିଁ । ଜାଣେ ସେ ପରିଆର ସ୍ୱଭାବ । ନାନା ଧମକ ଚମକ୍‌ ଦେଲା ପରେ–ଯେତେବେଳେ ଜାଣିଲା । ପାରା ଯାଏ କୁଆଡ଼େ । ପରି ଦି’ବିଧା କସିଦେଲା । ଆଗ ପାରା ଛୁଇଁଯିବ ।

 

ଆଜି ସେ ପିଲାଙ୍କୁ ଧାର କରି ଗୁଡ଼ିଆଣୀଠୁ ଭୁଜା ଉଖୁଡ଼ା କିଣି ଦେଲା ପଡ଼ିଶା ଘର ସାହିରେ । ପରି ତାହା ଜାଣିନି ।

 

ପରି ପଇସା ସଞ୍ଚୟ କରେ ପିଲାଙ୍କ ପାଇଁ । ଘରେ ଖର୍ଚ୍ଚ କରିବ–ମାଣେ ଦିପା କେଉଁଠି ମିଳିଲେ କିଣିବ । ଖଜଣା ବାଜଣା ଦବ । ପାରା କିଛି କହେନା–ଲୋକେ ତ କହନ୍ତି–ପରିଆର ନାଁ ସକାଳୁ ଧଇଲେ ଦିନଟା ଲୋ, କିଛି ମିଳିବ ନାହିଁ ।

 

ଏବେ ପଇସା ରଖୁଛି । ସବୁଆଡ଼ୁ ଖେଣ୍ଟା ଖେଣ୍ଟି କରି–ବଳଦ ପଟେ କିଣିବ । ଡାହିଁଆଟା ହଡ଼ା ହୋଇ ଗଲାଣି । ଆଉ ପାରା ତା’ ପିଲାଙ୍କ ପାଇଁ ଖଜା କିଣିବାକୁ ବାହାରିଲେ ସେ ଦବ କାହିଁକି ?

 

X X X

 

ସାଇରେନ୍‌ ବାଜିଲା । ଲକ୍ଷ ଆର୍ତ୍ତକଣ୍ଠର କରୁଣ ସ୍ୱର କି ସେ ! ନିଦ୍ରିତ ପ୍ରଭୁଙ୍କୁ ଉଠାଇବା ପାଇଁ ଯେଉଁ ନାମ ଧ୍ୱନି ଘଡ଼ିକ ଆଗରେ ହେଉଥିଲା, ତାହା ଏହି କ୍ଷଣି ବନ୍ଦ । ସରକାରୀ ନିର୍ଦ୍ଦେଶ । ସାଇରେନ୍‌ ବାଜିଲା । ଏଟା ମଣିଷକୁ ସତର୍କ କରାଇବା ପାଇଁ । ନାମଧୁନିରୁ କ’ଣ ମିଳିବ ! ସେ ଦେବତା କ’ଣ ଆଉ ଅଛନ୍ତି ଏଠି ! ସେ ଖିଆଲୀ। ମଣିଷ କଥା ଜମା ଶୁଣୁ ନାହାନ୍ତି । ଲକ୍ଷମନର ଅଭିଯୋଗ ଏ ।

 

ପରି ମାନିନି ସେ ପ୍ରଭୁକୁ । ଫେର୍‌ ମାନିଛି ତ ! ବିଶ୍ୱାସ ହରାଇଛି, ଅବିଶ୍ୱାସ କରିନି ତ-! ସିଏ ବି ଖୋଳ ଧରି ନାମ ସଂକୀର୍ତ୍ତନ କରିଥିଲା । ତାଙ୍କ ଗା’ ପାଖ ଦେବୀନଈ ବନ୍ଧରେ ଘଳିଆ ପଡ଼ିଥିଲା ବୋଲି ତ ! ବସ୍ତା ବସ୍ତା ବାଲି ବୋହି ବୋହି ଅଣ୍ଟା ପିଠି ଲାଗି ଯାଇଥିଲା । ଭୋକ ଶୋଷ ମାନି ନଥିଲା ସେ । ଗାଁଟା ଯାକର ସବୁ ଲୋକ–ଅଣ୍ଡା ବଚା ସମସ୍ତେ ଲାଗିପଡ଼ି ଥିଲେ-। ଘଳିଆ ଅଟକିଛି ତ !

 

ଜହ୍ନପକ୍ଷ ରାତିଟା । ହେଲେ ବି ବାଦଲ ମଧ୍ୟରେ ଲୁଚିଥିଲା ଜହ୍ନ ଡରରେ । ରାହୁ ଡରରେ ନା ଇନ୍ଦ୍ରଦେବତାର ଧମକରେ ! ଗାଁରେ ଯେତେ ପେଟ୍ରୋମାକ୍‌ସ ଥିଲା ସବୁ ଆସିଥିଲା ବନ୍ଧ ଉପରକୁ ମାତ୍ର ବର୍ଷା ପବନ ଦାଉରେ କାହିଁ ସେଗୁଡ଼ାକ ସମ୍ଭଳା ପଡ଼ିବେ ? ତାକତ କେତେ ତାଙ୍କର ।

 

ପରି କଲିକତା ଯାଇ ନ ଥିଲା କି କେଉଁ କାରଖାନାକୁ ଯାଇନଥିଲା । କାହିଁକି ? ବିଲ କ’ଣ ତାର ଏତେ ଅଛି ଯେ ସେଥିରେ ସେ କୁଟୁମ୍ବ ପରିପୋଷଣ କରିବ ? ମାତ୍ର କରିଛି ତ ? ସର୍ବ ମୋଟ ଦୁଇମାଣ ବାରଗୁଣ ଆଠବିଶ୍ୱା ତା’ର ସମ୍ବଳ । ସେଇଥିରୁ ସେ ପାଞ୍ଚପ୍ରାଣୀ କୁଟୁମ୍ବ ପୋଷି ବାହାପୁଆଣି, ଖଜଣା ବାଜଣା କରିବ । ତୁଲେଇଛି ତ ! ଧାନ କରିଛି । ମୁଗ କରିଛି । ବିଲାତି ଆଳୁ ଲଗାଇଛି । ସାରୁ, କଦଳୀ, ବାଇଗଣ ସବୁ ଲଗେଇଛି । ସବୁ ବିକିଛି । ପଇସା କରିଛି । ରଖିଛି ତାକୁ ପୋତାହାଣ୍ଡି ଭିତରେ । ନିଅଣ୍ଟ ତା’ର କେବେ ହୋଇନି । ବଳକା ସାମାନ୍ୟ । ମରୁଡ଼ି ବାଧିନି ତା’ ବିଲକୁ । ସେବର୍ଷ ବର୍ଷା ଅଭାବରୁ ଧାନ ପତର ଗୁଡ଼ାକ ପାଚିଲା ଆସିଆ ହୋଇ ଯିବାରୁ ସେ ପ୍ରଭୁଙ୍କୁ ଡାକିଛି ବର୍ଷା ହବ । ଫେର୍‌ କଳା ମଚ୍‌ମଚ୍‌ ହୋଇ ଯିବ ପତର । ପବନରେ ଦୋହଲିବ । ତା’ ବୁକୁ ଫୁଲି ଉଠିବ । ଧାନଗଲେ ମୁଗ ବଣିବ । ଆଶା କରିଛି ଢେର୍‌ ।

 

ହେଲେ ବିପ୍ଳବ ମାଡ଼ି ଆସିଲା । ଜନତାର ବିପ୍ଳବ ନୁହେଁ, ଫରାସୀ ବିପ୍ଳବ ନୁହେଁ, କି ଭାରତର ମୁକ୍ତି ସଂଗ୍ରାମ ନୁହେଁ । ବନ୍ୟା ବିପ୍ଳବ, ମଣିଷର ଭିଆଣ ନୁହେ ସେ–ଖୋଦ୍‌ ବିଧାତାର । ସେହି ବିଧାତାକୁ ଘୁଷ୍‌ ଦେବା ପାଇଁ ଏତେ ବାଜା, ଏତେ ଗୀତ । କାହିଁ–ସେ ଦେବତା ! ଲକ୍ଷ ମନର ବିଦ୍ରୋହ ସେ ।

 

X X X

 

ସମସ୍ତେ ଖରତର, ତରତର । ରୋଗୀ ବୈରାଗୀ ସମସ୍ତେ । ଜୀବନ ସବୁରୀ ପାଖରେ ଅମୂଲ୍ୟ । ‘ଘୋଡ଼େ କମ୍ବଳ ପଡ଼େ ‘ରହୋ’ ନୁହେ କେହି । ସମସ୍ତେ କର୍ମମୁଖର, ବ୍ୟସ୍ତ, ବିବ୍ରତ, ବିତ୍ରସ୍ତ ।

 

ପାରା ଡକା ପକାଇଲା । ପାଶୋରୀ, ପାଣୁଆ, ପଞ୍ଚୁଆ ହେରିକା ରଡ଼ି ଛାଡ଼ିଲେ–ବୋଉ, ବୋଉ, ବାପା ପଳାଇଛି ଆମକୁ ଛାଡ଼ି କୁଆଡ଼େ । ନିଦ ମଳମଳ ଆଖି ସେଗୁଡ଼ାଙ୍କର । ହେଁସ କତରା, କନାକବଟା, ଓଳିଆ ବାଳିଆ ଗୁଛେଇ ଲାଗିଛି ପାରା । ସବୁ ନେଇ ଯିବ ବନ୍ଧ ଉପରକୁ । ପାଟି କରୁଛି ସେ–ଚାଲ ଚାଲ ଧଅସି...ମାଡ଼ି ଆସିବ ପାଣି ପରି ପାଟି କରୁଛି–ଆ ବା, ମାଇପିଟା ପଛକୁ ଅନେଇ ଠିଆ ହୋଇଛୁ କାହିଁକି ? ପାରା ପିଲାଙ୍କୁ ଧରିଲା ପରିର।

 

ଭୁସ୍‌କିନା ଓଜନିଆ ଓଳିଆଟା କଚାଡ଼ି ଦେଲା ବନ୍ଧ ଉପରେ ପରି । ଲଙ୍ଗଳା ମୁକୁଳା ହୋଇ ଧାଇଁଲା ଘର ଆଡ଼କୁ । ପିଲାଗୁଡ଼ାକ ହାଲୋଳ ଛାଡ଼ିଛନ୍ତି–ବୋଉ, ବୋଉ, ଗଲା ବାହାରି ବାପା କୁଆଡ଼େ ।

 

ପାରା ଡାକ ଛାଡ଼ିଲା–ହେଲା, ହେଇ, ହେଇ । ସେ ମଣିଷଟାକୁ ଅନେଇଲା–କାହିଁକି ଏମିତି ବାତୁଳ ପରି ଧାଇଁଲା ? ଆଉ ସେଠି ଆମର କ’ଣ ଅଛି କି ? ଥାଇ ମରୁ–ହେ–ଇ...

 

ପାଣୁଆ, ପାଶୋରୀ ଡାକ ଛାଡ଼ିଲେ–ବାପା, ବାପା...ବା...

 

ପରି କିଛି ଶୁଣିନି ସେଗୁଡ଼ାକ । ଛୁଟିଛି ସେ ଆଣିବ ଖୋଲି କବାଟ ଦିପଟ । ଫେର ଆଣିବ ତା’ ପୋତା ହାଣ୍ଡିଟାକୁ ।

 

ଯାଉ ସିଏ । ମଣିଷର ଜୀବନ ଆଗ ନା ଜିନିଷ ଆଗ । ଜୀବନ ରହିଲେ କ’ଣ ସେ କରିବନି ଫେର୍‌ । ଗଢ଼ିବନି ତା’ ସଂସାରକୁ । ଅକୁହାରିଆଟା କାହା କଥା ଶୁଣିବ କ’ଣ ! ପିଲାଙ୍କର ସେହି ରଡ଼ି–ବାପା–ବା...ପା...

 

X X X

 

ହିରୋସୀମା, ନାଗାସାକୀ–ଜନହୀନ ଦ୍ୱୀପ ସମୁଦ୍ର ବକ୍ଷରେ ମନୁଷ୍ୟ ସଭ୍ୟତାକୁ ନିଶ୍ଚିହ୍ନ କରିବା ପାଇଁ କି ସଫଳ ପ୍ରୟାସ ! ଆଉ ମଣିଷ ଯଦି ମଣିଷକୁ ମାରିପାରୁଛି । ଯିଏ ମଣିଷ ନୁହେଁ, ସେ କାହିଁକି ମଣିଷକୁ ଅନାଇବ ? ମଣିଷକୁ ମାରିବାକୁ ଯଦି ଆଣବିକ ବୋମାର ସୃଷ୍ଟି ହେଲା, ମଣିଷକୁ ବଞ୍ଚାଇବାକୁ ଇନ୍ଦ୍ରଦେବତାର ଗରଜ ! ତାହାହିଁ କ’ଣ ଏହି ଲକ୍ଷ କୋଟି କଣ୍ଠରୁ ଉଦ୍‌ବୁଦ୍ଧ କରିଛି ? ତାହାହିଁ କ’ଣ ଆଜି ତାଙ୍କର ଅଭିଯୋଗ ! ଖୋଳ କରତାଳରେ ତାହାରି ପରି ପ୍ରକାଶ ।

 

ବାପାଙ୍କ କାନରେ ପୁତ୍ର କନ୍ୟାଙ୍କର ଆକୁଳ କୁହାଟ ପଶିଲା କି ନା, କେହି ଜାଣନ୍ତି ନାହିଁ-। ହେଲେ ବାପା ଚାଲିଛନ୍ତି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ–ପିଲାଙ୍କୁ ଭଲରେ ରଖିବେ । ପ୍ରଭୁଙ୍କ ଅସୀମ କୃପା ଯୋଗୁଁ ତ ସେମାନେ ତା’ ପାଖକୁ ଆସିଛନ୍ତି ? ନ ହେଲେ ତ ପଡ଼ିଶାଘର ସେ ନାହାକ ଘରେ ମାମୁଁ ମାଇଁ ଦି’ପ୍ରାଣୀ ଥିଲାପରି ସେ ବି ତ ପାରା ସାଙ୍ଗରେ ଦି ପ୍ରାଣୀ ହୋଇ ଥାନ୍ତେ-। ପ୍ରଭୁ ଯେତେବେଳେ ତାକୁ ଦାୟିତ୍ୱ ଦେଇଛନ୍ତି ସେ ନିଶ୍ଚୟ ତାହା ନେଇଆଣି ଥୋଇବ । ସତେ କ’ଣ ସେ ଏହି ଦାୟିତ୍ୱ ମୁଣ୍ଡାଇବା ପାଇଁ ସବୁରି ଡାକ ପ୍ରତ୍ୟାଖ୍ୟାନ କରି ପ୍ରାଣ ବିସର୍ଜନ ଦେବାକୁ ଯାଉଛି, ଛାଡ଼ି ଆସିଥିବା ସେହି ଘରକୁ ? କିଛି ଭାବିନି ସେ । ଭାବିବାକୁ ବା ଅଛି କ’ଣ ? ପ୍ରଭୁ ତାକୁ କାମ କରିବାକୁ ଆଣିଛନ୍ତି । ଜୀବନ କର୍ମମୟ ତା’ର । ବିଶ୍ୱମୟ ତା’ର ପ୍ରଭୁ । ତାହାହିଁ ତା’ର ଅବଚେତନ ମନର ଇଙ୍ଗିତ । ନିର୍ଦ୍ଦିଷ୍ଟ ଚେତନା ତା’ର ନାହିଁ । ଯାହା ସେତେବେଳେ ଦିଶୁଚି ସେ ତାହା ହିଁ କରିଛି-। ବିଚାର ଭାବନାର ସ୍ଥାନ ନାହିଁ । ଅଛି ଅନିର୍ଦ୍ଦିଷ୍ଟର ଇସାରା । ଖାଲି ଗାଇଛି–‘‘କର୍ମେ ଚଞ୍ଚଳ ମନ ବଳେ ।

 

ନିରୋପି କୃଷ୍ଣ ପାଦତଳେ ।’’

 

ଦୁଇଟା ଲଙ୍ଗଳ ଦଉଡ଼ି ସଙ୍ଗାରୁ ଓଟାରି ଆଣି ନାହାଚାଳିଆ ଘରଟାକୁ ଦି’ଜାଗାରେ ଆମ୍ବଗଛ ଦିହିରେ ବାନ୍ଧିଦେଲା । ଦ୍ୱାର ବନ୍ଧ ଓ କବାଟକୁ ଆଉ ଦୁଇଟା ଦଉଡ଼ିରେ ବାନ୍ଧଦେଲା । ସହସ ସାଇରେନ୍‌ ସଙ୍କେତକୁ ଉପେକ୍ଷା କରି ।

 

ଶବ୍ଦ ଶୁଭୁଥାଏ–ସୁ–ସୁ–ଭୁଷ୍‌–ଭୁଷ୍‌ । ସହସ୍ର ମଟରକୁ ଏକତ୍ର କଲେ ବି ସେତେ ଜୋର୍‌ରେ ସେମାନେ ଚାଳିବେ ନାହିଁ । ଲୋକେ ରଡ଼ି ଛାଡ଼ୁଥାନ୍ତି । କିଏ କାହାର ଆତ୍ମୀୟସ୍ୱଜନଙ୍କୁ ଡାକୁଥାନ୍ତି । କି ବିକଳ ସେ ଶବ୍ଦ ! ପ୍ରାଣବନ୍ତ ଦେବତା ବରଦାସ୍ତ କଲେ ତ ତାକୁ ? ତାଙ୍କୁ କିଏ ଗାଳି ଦେଉଥାଏ । କିଏ କହୁଥାଏ–ପ୍ରଭୁ ତମ ଇଚ୍ଛା । ବିରୁଦ୍ଧାତ୍ମକଯୁକ୍ତି । ବିଶ୍ୱାସ ଓ ସଂଶୟର ଯୁଗପତ୍‌ ଆକ୍ଷେପ ।

 

ପାରା ଅନେଇଛି ତା’ ଘର ଆଡ଼େ । ପରିଚିତ ସକଳ ପଦାର୍ଥ ପାଣିରେ ଉବେଇ ଟୁବେଇ ହେଉଛି । ହେଲେ ପରିଆର ପତ୍ତା ନାହିଁ । ମନେ ମନେ, ବେଳେ ବେଳେ ପାଟିକରି କହୁଛି–ଅକୁହାରିଆଟା କିମିତି ଗଲା ବାହାରି କହିବଟି !

 

ପିଲାଗୁଡ଼ିକ ତା’ର ବୋବାଳି ଛାଡ଼ୁଥାନ୍ତି । ମାଇପିଟା କ’ଣ କରିବ ? କେଉଁ ହାତ ପାହାନ୍ତା ଯେ ତାକୁ ଘୋଷାରି ଆଣିବ ? ପ୍ରଭୁ ଭରସା । ବେକରେ କାନି ପକାଇ ଲମ୍ବ ହୋଇ ବନ୍ଧ ଉପରେ ପଡ଼ିଗଲା । ପ୍ରଭୁ, ତମେ ତାକୁ ସାହା ହୁଅ ।

 

ପ୍ରତିବେଶିନୀ ପାନ ଅପା ଆସି କହିଲା–ପିଲାଗୁଡ଼ାକ ଏମିତି ଆକୁଳିଆ ହୋଇ କାନ୍ଦୁଛନ୍ତି । ବୁଝେଇ ଦଉନୁ, ତେଇଙ୍କି ମାଈପିଟା !

 

କିଏ କାନ୍ଦୁନି ଯେ ସେ ଏକା ।

 

–‘‘ଦଇବ ଦଉଡ଼ି ମଣିଷ ଗାଈ । ଯେଣିକି ଟାଣିବ ସେଣିକି ଯାଇ ।’’ ବିଧାତାର ଯାହା ବରାଦଥିବ ତାହା ଅବଶ୍ୟ ଘଟିବ ଲୋ ! କାନ୍ଦିଲେ କ’ଣ ହବ ।

 

କିଏ ତାକୁ ବୁଝେଇ ପାରିବ ଅପା ! ମର୍ଦ୍ଦଟା ଦେଖ, ଡାକୁ ଡାକୁ ପଳଉଛି । ଶୁଣିଲା । ଅନେଇଲା । X X ସତେ କ’ଣ ସେ ଆଉ ଜୀବନରେ ଥିବ ଅପା ! କୁଆଡ଼େ ଯାଇ ଦରିଆରେ ପଡ଼ିବଣି !

 

–ଆଲୋ ସତେ ତ, ପରିଆ ସତିଆ ନାଶିଆ ଦୁଶୁନି ତ !

 

ପାରା କାନ୍ଦୁଛି ନୋହନୋଟ ହୋଇ । କି କାନ୍ଦଣା ତା’ର !

 

ଆଲୋ ସେ ଚୁଲିପଶା ଫେର କୋଉ ଚୁଲିକି ଗଲା ! ସବୁ ଜିନିଷପତ୍ର ଧରି ପରା ତମର ଘରୁ ବାହାରି ଅଇଲା ?

 

ବାରକୁ ବାର ଗଲାପରା ଏଠି ଆମକୁ ଛାଡ଼ିଦେଇ । ହଳକ ଆଣିବ ବୋଲି । କ’ଣ ମାନିଲା ?

 

–କପାରକୁ କହିବନି ତ ଆଉ କ’ଣ ? ପିଲାଙ୍କ ତ ଆଣିଲୁ ଗାଈ ବରଦ ତ ଆଣିଲୁ, ଫେର୍‌ ଇଏ କ’ଣ ?

 

ତା’ ଆରଦିନ । ସଞ୍ଜ ବାଜିଲା । ପରିଆର ଦେଖା ଦର୍ଶନ ନାହିଁ । ପାରା ପିଲାଙ୍କୁ ଚାଉଳ ଭଜା ଗଣ୍ଡାଏ ଦେଲା । ନିଜେ କିଛି ଖାଇଲା ନାହିଁ । ପାଣି ଟୋପାଏ ବି ପିଇଲା ନାହିଁ ।

 

ବୃନ୍ଦାବତୀଙ୍କି ଛାଡ଼ିଆସିଛି ଦ୍ୱାର ଅଗଣାରେ । (....) ଥୋଇବ କାହା ପାଖରେ ? ବତି କାହିଁ ? ତଥାପି ନୁଖୁରା ବତିଟି ଲଗେଇ ଘରଆଡ଼କୁ ମୁହଁକରି ଲମ୍ବ ହୋଇ ପଡ଼ିଗଲା । ମା ବୃନ୍ଦାବତୀ ସତେ ସେ ଥିବ । ପୋଷଣାହାରୀ ସେ ! କୋହ ଉଠିଲା । ତଣ୍ଟି ରୁନ୍ଧି ଗଲା । ବାହୁନି ବସିଲା । ତାରପରା ମଣିଷଟା ମୋର । (...) ମୋ ସଂସାର ଉଚ୍ଛନ୍ନ କରି ଚାଲିଗଲା । ସେ ଆସିବ-। ପାଣି ଛାଡ଼ିଯିବ କାଲିକି ।

 

ସାମାନ୍ୟ ପାଣି ଛାଡ଼ିଯାଇଛି । ସରକାରୀ ବେସରକାରୀ ନାନା ଅନୁଷ୍ଠାନ ଡଙ୍ଗା ଧରି ଆସି ପହଞ୍ଚିଗଲେ । ସାଙ୍ଗରେ ଆଣିଛନ୍ତି ଚୁଡ଼ା ଚାଉଳ, ଓଷଦପତ୍ର । ଡାକ୍ତର ବି ସାଙ୍ଗରେ । ବର୍ଷା ଜମା ଛାଡ଼ୁନି ବଢ଼ି ଆହୁରି ଆସୁଛି ତୁହାକୁ ତୁହା । ଡଙ୍ଗାରେ ବସି ଦଳେ ଲୋକ ଗାଁ ଭିତରକୁ ଗଲେ-। ପାରା ତାଙ୍କୁ ନେହୁରା ହୋଇ କହିଲା ହେଇ ଯେଉଁ ବୁଢ଼ା ଆମ୍ବଗଛ ଦେଖିବ–ସେଇଠି ପାଇବ ତାକୁ । ସତେ ଧନ ମୋର ଜୀବନରେ ଥିବ ? ଆମକୁ ତ ଭସେଇ ଦେଇଗଲା ଲୋକେ ତାକୁ ଆଶ୍ୱାସନା ଦେଲେ । ମନ ବୁଝୁଛି କେତେ କେତେ ହେଲେ ଉପାୟ ।

 

ବୁଢ଼ା ବୁଢ଼ା ଆମ୍ବଗଛ ଗୁଡ଼ାକ ସୁଅର ତୋଡ଼ ସମ୍ଭାଳି ନପାରି ଉପୁଡ଼ି ପଡ଼ିଛନ୍ତି । ମୂଳ ଖୋଳି ହୋଇ ଯାଇଛି। ହେଲେ ଭାସିଯାଇ ନାହାନ୍ତି ସେଗୁଡ଼ିକ । ନିମକ ହାରାମ ହୋଇ ନାହାନ୍ତି । ପୈତୃକ ଭୂମିର ମୋହ ଛାଡ଼ି ପାରି ନାହାନ୍ତି । କେତେ ଲୋକ ଗଛ ଉପରେ, କିଏ ପୀଢ଼ା ଉପରେ ଥିଲେ । ମୁମୂର୍ଷୂ ଅବସ୍ଥା । ସେମାନଙ୍କୁ ଡଙ୍ଗାରେ ବସାଇଲେ । ପାରା କହିଥିବା ସ୍ଥାନକୁ ଆସିଲେ । କବାଟ ବନ୍ଧା ଆମ୍ବଗଛ ଦିହରେ । ଘର ଭାସି ଯାଇଛି । କିଛି ଜିନିଷ ଯାଇନି । ଚାଳଟା ଅଟିକି ଯାଇଛି ଆମ୍ବଗଛ ଦିହରେ । ଭିତରେ ପଶିଲେ । ଦେଖିଲେ ପେଟେଇ ପଡ଼ିଛି ଲୋକଟାଏ । କଳା ମଚ ମଚ ଦିହଟା । ସେତା ଦିଶୁଛି ପାଣି ମାଡ଼ ଖାଇ । ତାକୁ ଆଣିଲେ । ପାଣି ପିଇଛି–ଢୋଲ ହୋଇଛି ପେଟ । ଫୁଲି ଯାଇଛି । ପୋତା ହାଣ୍ଡିଟା ଦିଶିଲା । ସରକାରୀ ଲୋକ ସନ୍ଦେହ କଲେ–ହାଣ୍ଡିଟା ଉପରେ ପେଟେଇ ପଡ଼ିଲା କାହିଁକି ? ଉପରେ ହାଣ୍ଡିଟିକି ଟେକି ଦେଲେ । ଟଙ୍କା, ନୋଟ, ନୂଆ ପଇସା । ଗଣୁଛି କିଏ ? ଅନ୍ଦାଜ ଷାଠିଏ ସରିକି ହବ । ଘେନି ଆସିଲେ ।

 

ପରିଙ୍କର ପିଣ୍ଡରୁ ପ୍ରାଣ ଯାଇଛି ଉଡ଼ି । ହେଲେ ପୋତା ହାଣ୍ଡିକି ସେ ଜାବୁଡ଼ି ଧରିଛି ମୃତ୍ୟୁ ପର୍ଯ୍ୟନ୍ତ ।

☆☆☆

 

ପୁରୁଷର ଆଇନ

 

ଆମ ବସା ସାମନାରେ ଗୋଟିଏ ଛୋଟିଆ ଧର୍ମଶାଳା ଥିଲା । ସେଠିକି ଯେ କେତେ ଲୋକ ଯାନ୍ତି ଆସନ୍ତି, କେତେ ଜଣ ବରାବର ଥାନ୍ତି, ଏ ଖବର ମୁଁ ରଖେନା କି କାହାରି ବୋଧହୁଏ କେବେ ରଖିବାର ଦରକାର ବି ପଡ଼ି ନ ଥାଏ । ମୁଁ ନିତି ପାଞ୍ଚଟା ବାଜିଲେ କାଠଯୋଡ଼ୀ କୂଳକୁ ବୁଲିଯାଏ । ଫେରିଲା ବେଳକୁ ଛଅଟା ଘଡ଼ି ଦେଖି ମତେ ଫେରିବାକୁ ପଡ଼ିଥାଏ । ତା’ର କାରଣ ହେଉଛି, ମୁଁ ସଞ୍ଜବେଳେ ଟିଉସନକୁ ଯାଉଥିଲି । ନିତି ଗୋଟାଏ ଜିନିଷ ଦେଖିଲେ, ତା’ ବିଷୟରେ କିଛି ଜାଣିବାକୁ କାହିଁକି କେଜାଣେ ଗୋଟାଏ କୁତୁହଳ ଜନ୍ମିଥାଏ । ମୋର ଯେ ନ ଜନ୍ମିବ, ଏ କଥା ବା କିପରି କହିବି ? ମୁଁ ନିତି ବୁଲିସାରି ଫେରିଲା ବେଳକୁ ଦେଖେ ଜଣେ ସ୍ତ୍ରୀ ଲୋକ–ବିଧବା କି ସଧବା ଠିକ୍‌ କହିପାରିବି ନାହିଁ । କାରଣ ତାଙ୍କର ବାଁ ହାତରେ ପଟେ ଲାଲ ରଙ୍ଗର ରେଶମୀ କାଚ–ଡାହାଣ ହାତଟି ଶୂନ୍ୟ । ମଥାରେ କେବେହେଲେ ସିନ୍ଦୁର ଲାଗେ ନାହିଁ । ବାଳଗୁଡ଼ିକ ତେଲ ନ ବାଜିଥିବାରୁ ଫୁର୍‌ ଫୁର୍‌ ଉଡ଼େ । କେବେ ବୋଧହୁଏ ସେ ରମଣୀ ଜୁଡ଼ା ପାରନ୍ତି ନାହିଁ–ଏହିପରି ଗୋଟିଏ ଜୀବ ଦେଖି ମୋର କାହିଁକି ତାଙ୍କ ବିଷୟରେ କିଛି ଜାଣିବାକୁ ଭାରି ଇଚ୍ଛା ହେଲା । ତା’ପରେ ଆହୁରି ମଧ୍ୟ ଗୋଟାଏ ବ୍ୟଗ୍ର କୌତୁକ ଥିଲା–ନିତି ଛଅଟାବେଳେ, ଠିକ୍‌ ମୁଁ ଟିଉସନକୁ ବାହାରିବା ବେଳେ ସେ ଆମ ଦାଣ୍ଡ ଆଗ ତରାଟ ଗଛମୂଳେ ଠିଆହୋଇ ବୋଧହୁଏ କଅଣ ଭାବି ଏକଦୃଷ୍ଟିରେ ଆକାଶ ଆଡ଼େ ଚାହିଁ ରହିଥାନ୍ତି । କେତେବେଳଯାକେ ଚାହାନ୍ତି ମୁଁ କହିପାରିବି ନାହିଁ । କିନ୍ତୁ ମୁଁ ଆଠଟାବେଳେ ଟିଉସନରୁ ଫେରିଲା ବେଳକୁ ସେ ଚାଲିଯାଇଥାନ୍ତି ।

 

ସେଦିନ କେଜାଣେ କାହିଁକି ତାଙ୍କୁ ପଚାରିବାକୁ ମୋ ମନଟା ଆବେଗରେ ଅସଂଯତ ହୋଇପଡ଼ିଲା–କେତେ ଭାବ ଅନୁଭାବ ଜାଗି ଉଠି ମତେ ଅସ୍ତବ୍ୟସ୍ତ କରିପକାଇଲା । ସେ ଦିନ ମଧ୍ୟ ସେ ଆସି ସେମିତି ସେହି ଗଛମୂଳେ, ଠିକ୍‌ ସେହି ସ୍ଥାନରେ ଠିଆ ହୋଇ ଉପରକୁ ଚାହିଁ କ’ଣ ଦେଖୁଛନ୍ତି । ମୁଁ ତାଙ୍କ ପାଖକୁ ଯିବାକୁ ପ୍ରଥମେ ସାହସ କଲି ନାହିଁ । କାରଣ ବସାରେ ମୋର ଭାଇ ଥିଲେ–କାଳେ ସେ କ’ଣ ବିଚାରିବେ ! ସ୍ତ୍ରୀ ଲୋକ ସାଥିରେ ମୁଁ କିମିତି କଥା ହେବି ? ମୋର କିନ୍ତୁ ସେଦିନ ଏସବୁ ଡର–ଭୟ, ଲଜ୍ଜା–ସଙ୍କୋଚ କିଛି କାହିଁକି ନ ଥିଲା । ମୁଁ ଶିଥିଳ ଗତିରେ ତାଙ୍କୁ ଯାଇ ପଚାରିଲି–‘‘ତମେ ନିତି କାହିଁକି ଏଠି ଠିଆ ହୁଅ ? ତମ ଘର କେଉଁଠି ?’’

 

ସେ କିଛି ଉତ୍ତର ଦେଲେ ନାହିଁ । ମୁଁ ପୁଣି ଥରେ କହିଲି–‘‘ଏଠି କାହିଁକି ଠିଆ ହୋଇଛ-?’’

 

ସେ ଅନ୍ୟମନସ୍କ ଭାବରେ କହିଲେ–‘‘ବାବୁ, ତମେ ମତେ ଘୃଣା କରୁଛ ? ଏଠି ମଧ୍ୟ ମୋର ସ୍ଥାନ ନାହିଁ ? ଏଠି କ’ଣ ପୁରୁଷର–’’

 

ସେ କାହିଁକି ଅଟକିଗଲେ । ତାଙ୍କ କଥାରୁ ମୁଁ କିଛି ହେଲେ ବିନ୍ଦୁ ବିସର୍ଗ ବୁଝିପାରିଲି ନାହିଁ । ବେଳକୁ ବେଳ ମୋର କୌତୁହଳ ବୃଦ୍ଧି ପାଇବାକୁ ଲାଗିଲା । ମୁଁ ଦୁନିଆଠାରୁ ଅଲଗା ରହି ନିବିଷ୍ଟ ଚିତ୍ତରେ ତାଙ୍କଠାରୁ କ’ଣ ଶୁଣିବି ବୋଲି ଆଁ କରି ରହିଲା । ସେ କିନ୍ତୁ କିଛି କହିଲେ ନାହିଁ । ମୋର ମନେ ହେଲା–ଏ ବୋଧହୁଏ ପାଗଳୀଟିଏ । ସେହିକ୍ଷଣି ପୁଣି ମନେ ହେଲା–ଏତ ବେଶ୍ ମାର୍ଜିତ ଭାଷାରେ କଥା କହୁଛି । ମୁଁ କୌଣସିମତେ ମୋର ଚପଳ କୌତୁକଟାକୁ ନିରୋଧ କରିପାରିଲି ନାହିଁ; କହିଲି–ତମ ଘର କୋଉଠି ?

 

ସେ କହିଲେ–ମୋର ଘର ନାହିଁ । ପୁରୁଷ ଆଇନରେ ଅଛି–ମୁଁ ପତିତା...

 

ତାଙ୍କ ବାକ୍ୟର, ପୁଣି ଅସମ୍ପୂର୍ଣ୍ଣ ବାକ୍ୟର ପ୍ରତ୍ୟେକ ଅକ୍ଷର ମୋର ଅବୋଧ୍ୟ ହୋଇଥିଲା-। ମୁଁ କହିଲି–ମୁଁ କିଛି ବୁଝିପାରୁ ନାହିଁ ଯେ–କ’ଣ ଘଟଣାଟି କହିବ କି ?

 

‘ପୁରୁଷ ପାଖରେ କହିବାକୁ ମୋର ଘୃଣା ହୁଏ । ତେବେ ତୁମେ ଯଦି ନିହାତି ଜିଦ ଧର କହିପାରେ ।’

 

ମୁଁ ଟିକେ ଆହତ ହେଲା ଭଳି କହିଲି–ଯଦି ତମର କୌଣସି ଆପତ୍ତି ନ ଥାଏ କହ–ମୋର ଭାରି ଇଚ୍ଛା ।

 

ସେ ଟିକେ ହସିଲେ । ମୋର ମନେ ହେଲା, ସେ ଯେମିତି ମୋ କଥାଗୁଡ଼ାକ ସବୁ ବୁଝି ପାରିଲେ । ସେ ହସରେ ଯେ କେତେ ବୁକୁଫଟା କରୁଣ ଉଚ୍ଛ୍ୱାସ ଭରି ରହିଥିଲା–ସେ ଜାଣନ୍ତି, ମୁଁ ଟିକେ ଟିକେ ଜାଣିଥିଲି । ସେ କହିଲେ–ଆଚ୍ଛା ହେଉ କହିବି । ସେ ଆରମ୍ଭ କଲେ–

 

ଏଗାରଟାରୁ ପାଞ୍ଚଟା ପର୍ଯ୍ୟନ୍ତ କେତେଟା ଫାଇଲର ବୈଚିତ୍ର୍ୟହୀନ ଦୃଶ୍ୟରେ, ଟାଇପ୍ ରାଇଟର୍‍ର ଟକ୍ ଟକ୍, ଛର୍–ଘର୍ ଶବ୍ଦରେ ଚଞ୍ଚଳ କାମ ସରିଯିବ ବୋଲି ପରକଲମର ଚର୍ ଚର୍ ସ୍ୱରରେ ଏକାନ୍ତ ବ୍ୟଥିତ ମୋର ବାପା ପାଞ୍ଚଟାବେଳେ କଚିରୀରୁ ଆସି ଯେତେବେଳେ ପରିଶ୍ରମଜନିତ ଅବସାଦର ତୀବ୍ରତା ହ୍ରାସ କରେଇବା ତ ଦୂରର କଥା, ମୋ ବୋଉ ତାଙ୍କୁ ବିରକ୍ତ କରିବାକୁ ଆଦୌ କୁଣ୍ଠିତ ହେଉ ନ ଥିଲା । ସେ ତାଙ୍କୁ ଦ୍ୱାରମୁହଁରେ ଦେଖି କହୁଥିଲା–‘‘ତମେ କିଆଁ ମତେ ବିରକ୍ତ କର ମୁଁ ବୁଝିପାରେ ନାହିଁ । ଏତେ ଲୋକଙ୍କର ଏତେ ପାଢ଼ିବ କାହିଁକି ? ଏ ଆସିବାର କଥା କହିବ କାହିଁକି ? ନିତି ପଚାଶ ଲୋକ ଆସି ଦୁଆରେ ଧାରଣା ଦେଇ ବସି ବାର ବେଜିତ୍ କରି ଯାଉଛନ୍ତି । ଯାଅ–ଆଜି ଶରତ୍ ମହାଜନ ଲୁଗା ପାଇଁ ଲୋକ ପଠେଇଥିଲା । କାଙ୍ଗାଳୀ ସାହୁ କହିଯାଇଛି–ଆଜି ପରା ତା’ର ଚିଠାସବୁ ହିସାବ କରି ନିକାସ୍‌ ବାକିଆ ଟଙ୍କା ଶୁଝି ଦେଇ ଆସିବ । ଆଚ୍ଛା, ଯାର ଯେତିକି ବଳ, ସେ ସେତିକି ଖର୍ଚ୍ଚ ନ କରିବ କାହିଁକି, ବାର ଲୋକଙ୍କର ବାର କଥା ସହିବ କାହିଁକି ? ଦରମା ପାଇଲା ବେଳକୁ ପଚାଶଟା ଟଙ୍କା, ଆଉ ଖର୍ଚ୍ଚ କଲାବେଳକୁ କ’ଣ ନା, ଶଏ ! ଏଗୁଡ଼ାକ କେତେ ଆଉ ମଣିଷ ବରଦାସ୍ତ କରିବ ? ଖାଲି ଏତିକି ନୁହେଁ, ତାଙ୍କର ବୋଉଠାରୁ ଆହୁରି ପ୍ରାପ୍ୟ ଥିଲା–ଆହୁରି ଅଭିଯୋଗ ଥିଲା । ସେଇଟା ମୋ ସମ୍ବନ୍ଧୀୟ । ଯଥା–ସୁନୁ ମୋର କେତେଦିନ ଆଉ ରୂପାଚୁଡ଼ି ପିନ୍ଧିଥିବ ? ମୋର ହେଲା ପିଲା ଭିତରେ ସେଇ ଗୋଟିକ; ଯାହା ସମ୍ପାଦିବ, ସବୁ ତାରି ପାଇଁ । ତମର ଏତେ ଆଡ଼େ ଏତେ ଖର୍ଚ୍ଚ ହେଉଛି, ସବୁ ଦିନେ ପାଞ୍ଚ ସାତ ଖାଇଯାଉଛନ୍ତି, ଛୁଟି ଦିନ କଥା ବା କାହିଁକି କହିବି ? ତମେ ତା’ ପାଇଁ ଦି ହାତରେ ଦି ଦି ପଟ ସୁନାକାଚ କରିଦେଲେ କ’ଣ ହୁଅନ୍ତା ନାହିଁ ! ତା’ର ସାଙ୍ଗ ସାଥୀ ପିଲାଏ ସମସ୍ତେ ସୁନା କାଚ ପିନ୍ଧି ସ୍କୁଲକୁ ଗଲେ; ଆଉ ମୋ ଝିଅ ....! ବାପା ଏସବୁ ଶୁଣି ସାମୟିକ କ୍ଷୁର୍ଣ୍ଣ ହେଉଥିଲେ । ସେହି ସମୟତକ କଟିଗଲେ ସେ ପୁଣି ନିଶ୍ଚିନ୍ତ ରହୁଥିଲେ । କେବେ ହେଲେ ଯେ ପ୍ରତିବାଦ ଛଳରେ ବୋଉକୁ କିଛି କହୁ ନଥିଲେ । ତା’ପରେ ବୋଉ ତାଙ୍କୁ ଝାଡ଼ା ଫେରିଯିବାକୁ ତଳେ ପାଣି ଆଣି ଦଉଥିଲା । ସେ ଗୋଡ଼ ହାତ ଧୋଇ ଆସି ମତେ ସାଙ୍ଗରେ ବସେଇ ଜଳଖିଆ ଖାଉଥିଲେ; ଆଉ ଯଦି କିଏ ହାବୁଡ଼ା–ଝଟକା ପହଞ୍ଚିଯାଉଥିଲେ, ସେମାନେ ମଧ୍ୟ ଆମ ଘରେ ଖାଇଦେଇ ଯାଉଥିଲେ । ଯୋଉ ଦିନ ବାପାଙ୍କ କଚେରୀ ବନ୍ଦ ଥିବ, ଆମ ସ୍କୁଲ ବନ୍ଦ ଥିବ, ସେଦିନ ଆମ ଘରେ ଭାରି କୋଳାହଳ । ଆମ ବାହାର ଘରେ ଦୁଇ ତିନି ପଞ୍ଝା ତାସ–ପଶା ଖେଳୁଆଳୀଙ୍କର ଆଡ଼ା ବସୁଥିଲା । ଯେତେବେଳେ ସେଥିଭିତରୁ କଚେ–ବାର, ଛ ତିନ୍–ନଅ, ନୋ ଟ୍ରମ୍ପସ୍‌ଥ୍ରିର ନିର୍ଦ୍ଧୁମ ଡାକ ଶୁଭୁଥିଲା, ଠିକ୍ ସେତିକିବେଳେ ଭିତର ଘରେ ତାଳ ଦେଇ ତତଲା ଘିଅ–କରେଇରେ ଶୁଭୁଥିଲା–ସେଁ ସେଁ, କଡ଼ କଡ଼ ଶବ୍ଦ । ବୋଉ ସେ ଘରେ ଝାଳ ନାଳ ଏକାଠି ହୋଇ ଆଗନ୍ତୁକମାନଙ୍କର ସମ୍ବର୍ଦ୍ଧନା ପାଇଁ ତା’ର ପ୍ରାଣପଣେ ଚେଷ୍ଟା କରୁଥିଲା । ତା’ର ନିଜର ଇଚ୍ଛା ଯେତେ ଥିଲା, ବାପାଙ୍କର ପ୍ରୀତି ପାଇଁ ଏସବୁ କରିବାରେ ତା’ର ଆଗ୍ରହ ଥିଲା ଯଥେଷ୍ଟ ବେଶୀ । ମୁଁ ସେତେବେଳେ କିଶୋରୀ । ତାକୁ ରୋଷେଇବାସରେ ବେଶ୍ ସାହାଯ୍ୟ କରିପାରୁଥାନ୍ତି; କିନ୍ତୁ ମୋର ସୁନା–ରଙ୍ଗଟା ଖରାପ ହୋଇଯିବ ବୋଲି ବାପା–ବୋଉଙ୍କର କଡ଼ା ତାଗଦା ଯୋଗେ ସେ ଘରେ ମୋର ପ୍ରବେଶ ନିଷେଧ ଥିଲା । ମୁଁ ମୋର ପଢ଼ାପଢ଼ି, ସିଲେଇରେ ଏକାନ୍ତ ମନୋଯୋଗୀ ରହୁଥିଲି । ମୋ ପ୍ରତି ଯେ ସେମାନଙ୍କର ଗୋଟାଏ ପ୍ରଗାଢ଼ ସ୍ନେହ ଥିଲା, ଏଥିରୁ ଓ ଆଉ ଏହିପରି ଅନେକ ଘଟଣାରୁ ବେଶ ପ୍ରତୀତ ହୋଇଥିଲା । ସେମାନଙ୍କର ନିସ୍ୱାର୍ଥ ସ୍ନେହ ଓ ପ୍ରତିଦିନ–ସତ୍ତାହୀନ ମମତାରେ ମୋର ଜୀବନ ସଯତ୍ନ ପାଳିତ ମଲ୍ଲିକାର ସୌରଭ ସମ ମଧୁମୟ ହୋଇ ଉଠିଥିଲା–ସଂସାରଟା ଗୋଟାଏ ଭୋଗ–ବିଳାସର ସମ୍ଭାର, ଜମାଟ ବନ୍ଧା ଅମଳ ତୁଷାରସ୍ତୁପର ଝଲକ ବୋଲି ମୋର ଧାରଣା ଥିଲା ।

 

ବାହ୍ୟ ଜଗତରେ କ’ଣ ଘଟେ, ମୋର ଜାଣିବା ଦୁରୁହ ହୋଇ ପଡ଼ିଥିଲା । ମତେ ସେ ସବୁ ନିର୍ମମ ତଥ୍ୟ ଜଣାଇଦେବାକୁ କେହି କେବେ ଚେଷ୍ଟା କରି ନ ଥିଲେ; ମୋର ସୁବିଧା ବି ନ ଥିଲା । ସେ ପର୍ଯ୍ୟନ୍ତ ମୁଁ ମୋଟେ ଗୋଟିଏ ଘଟଣା ଜାଣିଥିଲି । ଦିନେ ବାପା, ବୋଉ ଓ ମୁଁ ଖଟ ଉପରେ ସଞ୍ଜବେଳେ ବସିଥିଲୁ, ବୋଉ ମୋ ଆଙ୍ଗୁଠି ଫୁଟେଇ ଦଉଥିଲା । ବାପା ବସି ବସି କ’ଣ କଥା ପଡ଼ୁ ପଡ଼ୁ କହିଲେ–‘‘ମୁଁ ଯୋଉ କଷ୍ଟରେ ପାଠ ପଢ଼ିଛି, ସେ କଥା ତମେସବୁ ଶୁଣିଲେ ତାଜୁବ୍ ହୋଇଯିବ । ଆମର ଜମିବାଡ଼ି କିଛି ନ ଥିଲା । ମୁଁ ସେତେବେଳେ ନିହାତି ପିଲା, ସେତେବେଳେ କଲେରାରେ ବାପା ବୋଉ ଦୁହେଁ ଚାଲିଗଲେ । ମୁଁ ଯେ କିମିତି କାହା ସାହାଯ୍ୟରେ ଦଶ ବର୍ଷର ହେଲି ଜାଣେ ନାହିଁ । ତା’ପରେ ମତେ ଆମ ଗାଁ ଜମିଦାର ହରିବାବୁ ଟଙ୍କା ଦେଇ ଗାଁ ମାଇନର ସ୍କୁଲରେ ପଢ଼ାଇଲେ । ସେଉଠୁ କଟକ ଆସିଲି । ସେତେବେଳେ ମତେ ପଇସା ବେଶୀ ମିଳେ ନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲି–ଲୁଗା ଥିଲା ମୋଟେ ଦି ଖଣ୍ଡ, କମିଜ କୁର୍ତ୍ତା କଥା ଛାଡ଼ ।’’ ସେ ଏତକ କହି ସାରିଲାରୁ ମୁଁ କହିଲି ବାପା, ‘‘ତମେ ଦି ଖଣ୍ଡ ଲୁଗାରେ କିମିତି ଚଳମ ? ତମ ଲୁଗା ମଇଳା ହୋଇଗଲେ ତାକୁ ତ ଧୋବାଘରେ ପକାଉ ନ ଥିବ । ଏମିତି ମଇଳା ଲୁଗା ପିନ୍ଧିବାକୁ ତମକୁ ଘୃଣା ଲାଗୁ ନ ଥିଲା !’’ ବାପା ହସି ଦଉଥିଲେ; ବୋଉ ମଧ୍ୟ । ବାପା ମତେ ଭଲରେ ରଖିଛନ୍ତି ବୋଲି ଆତ୍ମପ୍ରସାଦରେ ଉତ୍‌ଫୁଲ୍ଲ ହୋଇ ଉଠିଥିଲେ । ସେହି ଘଟଣାରୁ ମୁଁ ଜାଣିଥିଲି, ଜୀବନରେ ବୋଧହୁଏ ଦୁଃଖ–ଝଞ୍ଜା ବେଳେ ବେଳେ ବହେ; ମୁଁ କିନ୍ତୁ ସେ ସବୁ ଆଡ଼େ ମନ ଦେଇ ନ ଥିଲି ।

 

ଆମେ ଖଣ୍ଡିଏ ତଳ ପକା, ଉପର ଚାଳ ଘରେ ଥିଲୁ । ଆମ ଚାଳକୁ ଲାଗି କୃପାସିନ୍ଧୁ ବାବୁ ଡାକ୍ତରଙ୍କ ଘର । ତାଙ୍କୁ ପରିବାର ସାଥିରେ ଆମର ବିଶେଷ ଘନିଷ୍ଠତା ଥିଲା । ଆଗରୁ କହିଛି–ବାପା ମୋର ଭାରୀ ମେଳାପୀ ଲୋକ । କଟକରେ ତାଙ୍କୁ ତାଙ୍କର ଏହି ସ୍ୱଭାବ ଯୋଗୁଁ ବହୁତ ଭଦ୍ରଲୋକ ଜାଣନ୍ତି । ଆଉ ଡାକ୍ତର ବାବୁ ଯେତେବେଳେ ଆମର ପଡ଼ିଶା, ତାଙ୍କ ସାଙ୍ଗରେ ତାଙ୍କର ଏକା କାହିଁକି ବୋଉର ଓ ମୋର ମଧ୍ୟ ଖୁବ୍ ଚିହ୍ନା ଥିଲା । ସେ ଓ ତାଙ୍କ ପତ୍ନୀ କରୁଣାମୟୀ ମତେ ତାଙ୍କ କନ୍ୟା ଭଳି ଦେଖୁଥିଲେ । ତାଙ୍କର ଝିଅ ନ ଥିବାରୁ ବୋଧହୁଏ ସେ ମତେ ଟିକେ ବେଶୀ ସ୍ନେହ କରୁଥିଲେ । ତାଙ୍କ ବାରିପଟେ ତାଙ୍କର ଗୋଟିଏ ମସ୍ତ ବଡ଼ ବଗିଚା । ସେ ବଗିଚାଟି ତମ ଆମ ବଗିଚାଠାରୁ ଅନେକ ପୃଥକ୍ ଥିଲା । ତା’ର କାରଣ କୃପାସିନ୍ଧୁ ବାବୁ ଫୁଲ ଗଛ ଓ ଶାକସବଜିକୁ ଭାରୀ ଭଲ ପାଉଥିଲେ । ଆଉ ତାଙ୍କ ସ୍ତ୍ରୀ ମଧ୍ୟ ତଟକା ଶାଗପନିପରିବାର ଭାରୀ ଆଦର କରୁଥିଲେ । ସେ ବଗିଚାରେ ତାଙ୍କର ମାସକୁ ଶତାଧିକ ଟଙ୍କା ବ୍ୟୟିତ ହେଉଥିଲା–ଯଦି ବା ସେ ମାସକୁ ସେଥିରୁ ଆୟ କରୁଥିଲେ ମୋଟେ କୋଡ଼ିଏ ଟଙ୍କା । ସେ ତ ଆଉ ଲାଭ ଆଶାରେ ବଗିଚା କରି ନ ଥିଲେ–ଥିଲା ସୌନ୍ଦର୍ଯ୍ୟ ଭୋଗର ଗୋଟାଏ ମୁକୁଳା ପିପାସା । ‘‘ତାର ଦେଖି, ମୋର ଡେଇଁଲା ଡାହାଣ ଆଖି’’–କଥାଟା ମୋଠି ପୂରାପୂରି ଖାଟିଥିଲା । ମୁଁ ସବୁବେଳେ ମନକୁ ଭାବୁଥିଲି, ଆମର କିମିତି ଏମିତି ବଗିଚାଟିଏ ହୁଅନ୍ତା । ଦିନେ ବୋଉକୁ କହିଲି–‘‘ବୋଉ, ଆମ ବାଡ଼ିରେ ଫୁଲ ଗଛ, କୋବି ଗଛ, ଲିଚୁ ଗଛ ଲଗେଇଲେ ହବନି ? ତାଙ୍କର କେଡ଼େ ସୁନ୍ଦର ବଗିଚା କରିଛନ୍ତି–’’

 

ବୋଉ ଉତ୍ତରରେ କହିଲା–‘‘ସେ ହେଲେ ବଡ଼ଲୋକ, ତାଙ୍କର ବାଡ଼ି ଅଛି । ଆମର ତ ବାଡ଼ି ବୋଲି ଚାଖଣ୍ଡେ, ସେଥିରେ ପୁଣି ପାଇଖାନାଟା । ଥାନ କାହିଁ ଯେ, ତୁ ଗଛ ଲଗେଇବୁ ?’’

 

ସେ ତା କାମରେ ଚାଲିଗଲା । ମୁଁ ବାପାଙ୍କ ଆଗମନ ପ୍ରତୀକ୍ଷାରେ ରହିଲି । ବାପା ସବୁଦିନ ପରି ସେ ଦିନ ମଧ୍ୟ ପାଞ୍ଚଟା ବାଜିଲାରୁ କଚେରୀରୁ ଫେରିଲେ । ମୁଁ ଆଗେ କହିଲି–‘‘ବାପା, ଆମର କାହିଁକି ଗୋଟାଏ ବଗିଚା ନ ହେବ ? ମଉସା (କୃପାସିନ୍ଧୁ ବାବୁ) କିମିତି ବଗିଚା ବ୍ରଜଭାଇଙ୍କ ପାଇଁ କରିଛନ୍ତି ?’’ ବ୍ରଜ ଭାଇ ତାଙ୍କ ପୁଅ ।

 

ମୋର କାମନା ପୂର୍ଣ୍ଣ କରି ନ ପାରିବାରୁ ବାପା ଟିକେ ଦୁଃଖ କଲେ । ତା’ପରେ ଅନ୍ୟ ଉପାୟ ନ ଦେଖି କହିଲେ–‘‘ତୁ ତାଙ୍କରି ବଗିଚାଟି ଆମରି କରିନେଲେ କ’ଣ ହବନି ? ମୁଁ ତାଙ୍କୁ କହିଦଉଛି ।’’

 

ସତକୁ ସତ ତହିଁ ଆରଦିନ ସକାଳୁ ଯେତେବେଳେ ଫୁଲ ପାଇଁ ତାଙ୍କ ବଗିଚାକୁ ମୁଁ ଗଲି, କୃପାସିନ୍ଧୁ ବାବୁ ହସି ହସି କହିଲେ–‘‘ମା, ତୋର କ’ଣ ଏ ବଗିଚାଟି ନୁହେଁ ? ତୁ ତୋ ମନ ଇଚ୍ଛା ଏଠି ଯା ଇଚ୍ଛା ତାହା କରିପାରୁ, ମୋର ଆଦୌ ଆପତ୍ତି ନାହିଁ ।’’

 

ସେତେବେଳେ ବ୍ରଜ ଭାଇ ଦାନ୍ତ ଘଷୁଥିଲେ । ସେ ଉଠି ଆସି କହିଲେ–‘ନାଇଁ ବାପା, ସେଇଟା ତ ଗୋଟାଏ ମାଙ୍କଡ଼ ! ତାକୁ ଯଦି ତମେ ଏ ଭିତରକୁ ଛାଡ଼ିବ, ସବୁ ପରା ସେ ନଷ୍ଟ କରିଦବ ! ଦେଖିଲ କାଲି କ’ଣ କଲା–ସବୁ ନାଗେଶ୍ୱର କଢିଗୁଡ଼ିକ ଛିଣ୍ଡେଇ ପକେଇ ମତେ କହିଲା–ଦେଖିଲ ବ୍ରଜ ଭାଇ, ଏଗୁଡ଼ିକ କେଡ଼େ ସୁନ୍ଦର କାଚ ଗୋଟାଳି ଭଳି ହୋଇଛି, ଆସ ଖେଳିବା । ନା, ମୁଁ ତାକୁ କେବେହେଲେ ଏଥି ଭିତରକୁ ଛାଡ଼ିବି ନାହିଁ ।’’

 

ସେ ଠୋ ଠୋ ହସି ଉଠିଲେ । ତାଙ୍କ ବାପା ତାଙ୍କ ଆଡ଼କୁ ଚାହିଁଲେ । ତା’ପରେ ମୋ ପିଠି ଆଉଁସି ଦେଇ କହିଲେ–‘‘ନା ଲୋ ମା, ତୁ କାହିଁକି ତା କଥା ଶୁଣୁଛୁ ? ସେଇଟା ଚଗଲାଟା, ମୋ ସୁନୁ ଖୁବ୍ ଭଲ ପିଲାଟା । ସେ କାହିଁକି କିଛି ଛିଣ୍ଡାନ୍ତା ! ଏ ଟୋକା ତା ନାଁରେ ମିଛ କହୁଛି ! ନିଜର ଦୋଷଟାକୁ ତ କହିବନି, ଖାଲି ଚୁଗୁଲି କରି ଶିଖିଛି । ତାକୁ ଯଦି ବୁଝେଇ ଶୁଝେଇ କହିଦେଇଥାନ୍ତୁ–ନାଁ ଲୋ, ଏ ସବୁ ପରା ଫୁଟିଲେ ଚାରିଆଡ଼ ସୁନ୍ଦର ଦିଶିବ, ବାସନାରେ ଚାରିଆଡ଼ ମହକି ଉଠିବ । ତାହାହେଲେ ସେ ଆଉ ଛିଣ୍ଡାନ୍ତା ? ଆଚ୍ଛା ତୁ କାଲି ଦେଖିବୁ, ଯେବେ ସେ ଆଉ ଛିଣ୍ଡେଇଛି ! ତୁ ଆଉ ଛିଣ୍ଡେଇବୁ ମା.... !’’

 

ମୁଁ କହିଲି–‘‘ନା, ମଉସା ! ମୁଁ ମୋଟେ ଛିଣ୍ଡେଇବି ନାହିଁ ।’’

 

ମୁଁ ସେହି ଦିନୁ ଅବାଧରେ ତାଙ୍କ ବଗିଚାରେ ବୁଲେ । ମହୁମାଛି ଭଳି ଏ ଫୁଲରୁ ସେ ଫୁଲକୁ ଯାଏ । କୋଉଠି ଲୁଚି ଲୁଚି ବ୍ରଜଭାଇ ବସିଥିବେ–ଚୁପ୍ ଚୁପ୍ ଦୌଡ଼ି ଆସି ମୋ ପଛରେ ଠିଆ ହୋଇଯିବେ । ମିଛରେ ହସି ହସି କହିବେ–ହଉ ଯେ, ବାପାଙ୍କୁ କହିବି, ତୁ କିମିତି ଫୁଲ ଛିଣ୍ଡେଇଛୁ !

 

ମୁଁ ଭୟରେ କାକୁସ୍ତ ହୋଇଯାଇ କହେ–ମୁଁ କୋଉଠି ଛିଣ୍ଡେଇଛି ! ତମେ ମିଛରେ କହୁଛ । ଯା, ମୁଁ ଆଉ ଏଠି କି ଆସିବି ନାହିଁ ।

 

ସେ ଖୁବ୍ ଜୋରରେ ହସିଉଠି ମୋ ଚିବୁକ ଚିପି ଦେଇ କହନ୍ତି–ନାଁ ଲୋ ସୁନୁ, ମୋ ସୁନା ଭଉଣୀଟି ପରା ! ମୁଁ ମିଛରେ ସେମିତି କହିଲି ନା–ତୁ କିମିତି ହବୁ ବୋଲି, ସତରେ କ’ଣ କହିବି ! ନେ, ଏହା କହି ସେ ମୋ ହାତକୁ ଯୁଈଫୁଲଗୁଡ଼ିଏ ଦେଲେ ।

 

ଏହିପରି ଭାବରେ ମୋର ଏଗାର ବର୍ଷ କାହିଁକି ତେର ବର୍ଷ ପର୍ଯ୍ୟନ୍ତ କଟିଲା ।

 

ମୁଁ ଅସ୍ଥିର ହୋଇ କହିଲି–ତା’ପରେ, ତା’ପରେ....

 

ଆମ ଦୁହିଁଙ୍କର ଭାରୀ ଖୁସିବାସିଆ ଜୀବନ । ସେ ଯେମିତି ଏକଇରବଳା ବିଶିକେଶନ, ମୁଁ ସେମିତି ଏକଇରବାଳୀ ବିଶିକେଶନୀ । କିନ୍ତୁ ଆମ ଦୁଇ ପରିବାର ମଧ୍ୟରେ ହିମାଳୟ ସଦୃଶ ଗୋଟାଏ ତଫାତ୍ ଥିଲା । ମୋ ବାପା ଦରମା ପାଉଥିଲେ ପଚାଶ, ତାଙ୍କ ବାପା ଦରମା ପାଉଥିଲେ ପାଞ୍ଚଶ । ଏତକ ସିନା ଥିଲା, ସେ ଓ ମୁଁ ଦୁହେଁ ଦୁଇ ପରିବାରରେ ଭାଇଭଉଣୀ ପରି ଚଳୁଥିଲୁ । ମୁଁ ଯେମିତି ତାଙ୍କ ସାଥିରେ ଖାଉଥିଲି, ସେ ସେମିତି ଆମ ଘରେ ମୋ ସାଥିରେ ଖାଉଥିଲେ । ତାଙ୍କ ମୋ ମଧ୍ୟରେ ମଧ୍ୟ ଗୋଟିଏ ତଫାତ୍ ଥିଲା–ମୁଁ ଥିଲି ଟିକକ କଥାରେ ଅଭିମାନିନୀ ଓ ଟିକେ ବେଶୀ ଏକଜିଦିଆ । ସତ କହୁଛି ଏକା, ବ୍ରଜ ଭାଇ ମତେ ମୋର ନ୍ୟାଯ୍ୟ ପ୍ରାପ୍ୟ ସବୁବଳେ ଦଉଥିଲେ । ଯେତେବେଳେ ମୁଁ ଯାହା ଚାହୁଁଥିଲି, ସେତେବେଳେ ଦଉଥିଲେ । ଯେତେବେଳେ ମୁଁ ଯାହା ଚାହୁଁଥିଲି, ସେତେବେଳେ ବ୍ରଜ ଭାଇ ତାଙ୍କ ବାପା ବୋଉଙ୍କୁ କହି ମତେ ଆଣି ଦଉଥିଲେ । ସେ ଯେ ମତେ କାହିଁକି ଏତେ ଭଲ ପାଉଥିଲେ, ସେ ଜାଣନ୍ତି । ଆଉ ମୁଁ ଯେ ତାଙ୍କୁ କୋଉ କଥାରେ ଊଣା କରିଥିଲି, ଏ କଥା କେଜାଣେ ସେ କହିବେ ସିନା, ମୁଁ କହିପାରୁ ନାହିଁ ।

 

ଏହିପରି ସୃଷ୍ଟିର ଧାରାବାହିକ କ୍ରିୟା ଅନୁସାରେ ଦୁଇଟି ନିରଳସ କର୍ମମୟ ଜୀବନ ଆସି ଯଥାକ୍ରମେ ତେର ଓ ସତର ବର୍ଷରେ ପହଞ୍ଚିଗଲା । ସେ ବର୍ଷ ମୁଁ ମାଇନର ପାସ୍ କରିବି ଓ ସେ ମ୍ୟାଟ୍ରିକୁଲେସନ୍ ପାସ୍ କରିବେ । ମୁଁ କିମିତି ଫାଷ୍ଟ ହୋଇ କ୍ଳାସ ଉଠିବି ସେ ସେଥିପାଇଁ ଯେତେ ଚେଷ୍ଟା କରିଥିଲେ, ମୁଁ ନିଜେ କରିଥିଲି ତାଠୁ ଢେର କମ । ମୁଁ ପ୍ରଥମ ସ୍ଥାନ ଅଧିକାର କରି ପ୍ରମୋସନ୍ ପାଇଲି ଫୋର୍ଥକ୍ଳାସକୁ । ତାଙ୍କର ପରୀକ୍ଷା ଡେରି ଥିଲା । ତା’ପରେ କେଜାଣେ କାହିଁକି ବୋଉ ମତେ ସ୍କୁଲକୁ ଯିବାକୁ ଛାଡ଼ିଲା ନାହିଁ । ଫଳରେ ମୋର ସ୍କୁଲକୁ ଯିବାଟା ବନ୍ଦ ହୋଇଗଲା । ସେତେବେଳେ ଖରାବେଳଟା । ମୋର ପ୍ରାୟ ତାଙ୍କ ପଢ଼ାଘରେ କଟିବାକୁ ଲାଗିଲା । ସ୍କୁଲରେ ଯେ ଅଧିକା ମୁଁ କ’ଣ ଶିଖିଥାନ୍ତି, ଏ କଥା ମୋର ମନେ ହେଉ ନ ଥିଲା, କାରଣ ବ୍ରଜ ଭାଇ ମତେ ମଝିରେ ମଝିରେ ପଢ଼ାନ୍ତି ଓ ନାନା ଆଡ଼ୁ ନାନା କଥା କହନ୍ତି । ତାଙ୍କ ପରୀକ୍ଷା ଯୋଗେ ମୁଁ ତାଙ୍କର କେତେ କାମ କରି ଦେଉଥିଲି । ମୁଁ ତାଙ୍କ ଘର ସଜାଇ ଦେଉଥିଲି, ଟେବୁଲ ଉପରେ ଟେବୁଲ କ୍ଳଥ୍ ପରିଷ୍କାର କରି ବିଛେଇ ଦେଉଥିଲି, ଖାତାପତ୍ର ବହି ଗୁଡ଼ିକ ଯଥାସ୍ଥାନରେ ରଖି ଦେଉଥିଲି । ବେଳେ ବେଳେ କାହାର ନୋଟ୍ ବହି ସେ ମାଗି ଆଣୁଥିଲେ, ମୁଁ ସେ ସବୁ ତାଙ୍କ ଖାତାରେ ଉତାରି ରଖୁଥିଲି । ତା’ପରେ ଯେତେବେଳେ ସେ ପଢ଼ି ପଢ଼ି ମୁଣ୍ଡ ବୁଲାଇବାରୁ ଗୁମ୍ ମାରି ବସି ପଡ଼ୁଥିଲେ ସେତେବେଳେ ମୁଁ ଓଡ଼ିକୋଲନ ଶିଶିରୁ କିଛି ଆଣି ପାଣିରେ ମିଶାଇ ତାଙ୍କ ମୁଣ୍ଡରେ ମାଲିସ କରୁଥିଲି । ଏ ସବୁରେ ଯେ କେବଳ ତାଙ୍କର ପ୍ରୀତି ଥିଲା, ମୋର ନ ଥିଲା, ଏ କଥା କେବେ କହି ପାରିବ ନାହିଁ । ସବୁଥିରେ ମୋର ଥିଲା–ବୁକୁଭରା ଆନନ୍ଦ, ଅସୀମ ପ୍ରୀତି !

 

ତାଙ୍କ ପରୀକ୍ଷା ଶେଷ ହେଲା । ସେ ଦୀର୍ଘ ନିଃଶ୍ୱାସ ପକେଇ ମତେ କହିଲେ–ଉଃ, ଆଜି ବଞ୍ଚିଲି ସୁନୁ ! ସେ ଦିନ ମତେ ସେ କହିଲେ–ସୁନୁ, ତୁ ସ୍କୁଲକୁ ଯାଉନୁ ? ମୁଁ ମନେ ମନେ କ’ଣ ଭାବିଲି, ତା’ପରେ କହିଲି–ବୋଉ ପରା ମନାକରିଛି । ହଁ, ସେଠି ଆଉ ଅଧିକା କ’ଣ ଶିଖିବି ? ଖାଲି ଗୋଟିଏ ଶୃଙ୍ଖଳା ବନ୍ଧା କାମ ତ, ଆଉ ତ ସେଠି ଯାହା ପଢ଼ନ୍ତି !

 

ସେ କ’ଣ ଭାବିଲେ କେଜାଣେ, କହିଲେ–‘ତଥାପି’... ! ସେ ଓ ମୁଁ ଦୁହେଁ ଆମ ଘରକୁ ଆସିଲୁ । ସେ ବୋଉକୁ କହିଲେ–‘‘ମାଉସି, ସୁନୁକୁ କାହିଁକି ସ୍କୁଲକୁ ପଠଉନ, ସେ ତ ଭଲ ପଢ଼ୁଥିଲା ! ନା ତାକୁ ସ୍କୁଲକୁ ପଠାଇବାକୁ ହବ ।’’

 

ବୋଉ ଟିକେ ନରମ ହୋଇ କହିଲା–ତା ବାପା କହିଲେ, ଆମେ ତ ଗରିବ, କୋଉ ଏବେ ବଡ଼ଘରେ ବାହା ଦବୁ ଯେ, ବେଶୀ ପାଠ ଦରକାର ? ଯଦି ଗରିବ ଘରେ ଦବାକୁ ହବ–ସେ ତ ଆଉ ଏତେ ପାଠ ଚାହିଁବେନି । ଆହୁରି କହିବେ ମଲା, ଝିଅକୁ ଇସ୍କୁଲରେ ପଢ଼େଇ କୀରସ୍ତାନୀ କରିଛି । ଏ ଯୋଉ ଯୁଗ, ଟଙ୍କା ଉପରେ ତ ସବୁ ଚାଲ । ଆମର ବାପ, କୋଉ ଟଙ୍କା ଅଛି ଯେ ବଡ଼ଘରକୁ ମନ କରିବୁ ? ଏଥିରେ ପୁଣି ସେ ଯୁବତୀ ହେଲାଣି, ସେଥିପାଇଁ–

 

ବ୍ରଜଭାଇ ସବୁ ନ ବୁଝିଲା ପରି କହିଲେ–ନା, ତାକୁ ସ୍କୁଲକୁ ପଠାଅ ।

 

‘ହଉ, ତାହା ହେଲେ କାଲିଠୁ ସେ ଯାଉ ।’

 

ସେ ଚାଲିଗଲା, ଆମେ ଦୁହେଁ ତାଙ୍କ ବଗିଚାକୁ ଆସିଲୁ । ତାଙ୍କ ବଗିଚାରେ ବୁଲିଲୁ । ସେତେବେଳେ ବସନ୍ତର ମହୋତ୍ସବ ପ୍ରତି କୁଞ୍ଜରେ, ପ୍ରତି ଗଛର ରନ୍ଧ୍ରରେ ମହାସମାରୋହରେ ସମ୍ପନ୍ନ ହେଉଥିଲା । ପଶୁ ପକ୍ଷୀ ସମସ୍ତେ ଆନନ୍ଦରେ ମାତି ଉଠି ନାନା ରବରେ ବଗିଚାଟାକୁ ମୁଖରିତ କରି ଦେଉଥିଲେ । ଗଛପତ୍ର ଲତା ପୁଷ୍ପ ସମସ୍ତେ ସରସତାର ଗୋଟାଏ ନଗ୍ନ ଆଭା ଆମ ଆଗରା ମେଲି ଦେଇଥିଲେ । ଯୁଆଡ଼େ ମୁଁ ଚାହୁଁଥିଲି ସେ ଚାହୁଁଥିଲେ–ସେଆଡ଼େ ସୌନ୍ଦର୍ଯ୍ୟର ଅନାବୃତ ପସରା । ସୌନ୍ଦର୍ଯ୍ୟ–ପିପାସୁ ମୋର ଓ ତାଙ୍କର ତରୁଣ ପ୍ରାଣ ଏକାନ୍ତ ଉଚ୍ଛୃଙ୍ଖଳ ହୋଇ ପଡ଼ିଥିଲା–ଆମେ ଦୁହେଁ ଗୋଟାଏ ଅଜଣା କୁହୁକର ଅସୀମ ମାଦଳତାରେ ଆକୁଳ ହୋଇ ପଡ଼ିଲୁ-। ସେହି ଦିନୁ ତାଙ୍କର ଓ ମୋର ଆଉ ଗୋଟାଏ ନୂଆ ଜୀବନର ପ୍ରଥମ ଦୃଶ୍ୟର ପର୍ଦା ଉଠିଥିଲା-!

 

ସନ୍ଧ୍ୟା ହୋଇ ରାତି ହେଲାରୁ ମୁଁ ଘରକୁ ଫେରିଲି । ସେତେବେଳକୁ ବାପା ମତେ ଅପେକ୍ଷା କରି ଜଳଖିଆ ଖାଇ ନ ଥିଲେ । ମୋର କିନ୍ତୁ ସେଠି ମନ ନ ଥିଲା–କାର ସାଥି ପାଇଁ ମୋ ମନଟା ବ୍ୟାକୁଳ ହୋଇ ପଡ଼ୁଥିଲା । ମନର ଏହି କ୍ଷୁବ୍‌ଧ ଚାଞ୍ଚଲ୍ୟଟାକୁ ଦମନ କରିବାର ଶତ ଚେଷ୍ଟା ବାଲିବନ୍ଧଦ୍ୱାରା ଗିରି ନଦୀରସ୍ରୋତ ଅଟକାଇଲା ପରି ବିଫଳ ହେଉଥିଲା । ବାପା ଖାଇବାକୁ ଡାକିଲେ । ବସି ଖାଇଲି ସତ, ମନଟା ମୋଟେ ସେଠି ନ ଥିଲା । ସେ ନାନା କଥା କହିଲେ–ସେ ସବୁ ଶୁଣିବାକୁ ମୁଁ ଆଦୌ ରାଜି ନ ଥିଲି । ଫଳରେ ସେ ଦିନ ମୁଁ ଗୋଟାଏ ନିହାତି ଅବାଧ୍ୟ, ଅମନୋଯୋଗୀ ଶ୍ରୋତ୍ରୀ ଥିଲି । ମୁଁ କନ କନ ହୋଇ ଏଣେ ତେଣେ ଚାହୁଁଥାଏ–ମନେ ହେଉଥାଏ,–ସେ ଆଉ ଆସିଲେ କି ! ମୋ ଆସିବାର ପନ୍ଦର ମିନିଟ ପରେ ସେ ଅପ୍ରତ୍ୟାଶିତ ଭାବରେ ଆସି ଆମ ଘରେ ପହଞ୍ଚିଗଲେ । ବାପାଙ୍କ ସାମନାରେ ତାଙ୍କୁ ସେ ଦିନ କିଛି କହିବାକୁ କାହିଁକି ମତେ ଭାରୀ ସଙ୍କୋଚ ବୋଧ ହେଉଥିଲା । ସେଥିପାଇଁ ମୁଁ ଖୋଜୁଥିଲି ବିଜନତା । ସେ ସୁବିଧା ମତେ ଖୁବ୍ ଚଞ୍ଚଳ ମିଳିଗଲା । ବାପା ତାଙ୍କ ବାପାଙ୍କ ସାଥିରେ କଥା ହେବେ ବୋଲି ଚାଲିଗଲେ । ତାଙ୍କୁ ଏକାନ୍ତରେ ଦେଖି ମୋ ବୁକୁ ଭିତରେ କିଏ ବିଦ୍ୟୁତ୍ ପ୍ରବାହ ଖେଳାଇଦେଲା; ମନ ଆବେଗରେ ପୂରିଗଲା । ମୁଁ ତାଙ୍କୁ ପଚାରିଲି–ଏଡ଼େ ଚଞ୍ଚଳ କୁଆଡ଼େ ଆସିଲ କି ? ସେ ତାଙ୍କର ସ୍ୱଭାବସୁଲଭ ମନଭୁଲା ସଜ୍ଜିତ ବଦନରେ ସୁହାଗର ଲୋହିତ ରଶ୍ମି ଫୁଟାଇ କହିଲେ–ସୁନୁ, ତମକୁ ପରା ଦେଖିବାକୁ ।

 

ସତ କହୁଛି, ମୁଁ ସେତେବେଳେ ଯେ କ’ଣ ହୋଇଥିଲି ନିଜେ ବୁଝିପାରୁ ନ ଥିଲି । ମୋ ବୁକୁ ଏଡ଼େ ହାଲୁକା ହୋଇଥିଲା ଯେ, ମୁଁ ପବନ ପରି ମୋର ଅବସ୍ଥିତି ଅନୁଭବ କରି ପାରୁ ନ ଥିଲି-। ସେହି ମୁହୂର୍ତ୍ତରେ ମୋର ସାରା ଅଙ୍ଗରେ ଗୋଟାଏ ଚପଳ ତପ୍ତ ଲଜ୍ଜାରେଖା ପ୍ରଭାତସୂର୍ଯ୍ୟର ପ୍ରଥମ ଉନ୍ମେଷର ଶ୍ରୀ ପରି ଫୁଟି ଉଠିଲା । ମୁଁ ତାଙ୍କୁ କିଛି କହି ପାରିଲି ନାହିଁ । ସେ ମଧ୍ୟ କିଛି କହି ନ ଥିଲେ ।

 

ପାଞ୍ଚ ମିନିଟ ପରେ ଦୁହେଁ ସାଥୀ ହୋଇ ତାଙ୍କ ବଗିଚାକୁ ଆସିଲୁ । ମୋ ବୋଉ ଦେଖିଲା–ସେ ବାଧା ଦେଇ ନ ଥିଲା । ତାଙ୍କ ବାପା ଓ ମୋ ବାପା ଆମକୁ ତାଙ୍କ ଦାଣ୍ଡରେ ଦେଖିଲେ–କିଛି କହି ନ ଥିଲେ, ତାଙ୍କ ବୋଉ ମଧ୍ୟ କିଛି କହି ବାଧା ଦେଇ ନ ଥିଲେ । ଜ୍ୟୋତ୍ସ୍ନା ରାତିଟା ଏକା ଖୁବ୍ ଆମୋଦ ଦେଇଥିଲା । ଆମେ ଦୁହେଁ ଉଲ୍ଲସିତ ପକ୍ଷିଯୁଗଳ ଭଳି କୁଞ୍ଜେ କୁଞ୍ଜେ ବିହରଣ କଲୁ । ତା’ପରେ–ତା’ପରେ....

 

ସେ କହିଲେ–ସୁନୁ, ଏହି କୋଣରେ ଦେଖୁଛ ତ ଏହି ନକ୍ଷତ୍ରଟି ! ଭାରି ଉଜ୍ଜ୍ୱଳ ଏକା ଦିଶୁଛି !

 

ମୁଁ କହିଲି–ହଁ, ଭାରି ଉଜ୍ଜ୍ୱଳ ଦିଶୁଛି !

 

‘ଏ କାହିଁକି ଉଠିଛି ଜାଣ’

 

‘ନା ।’

 

‘ଏ ପରା ଆମ ପ୍ରଣୟର ସାକ୍ଷୀ ।’

 

ମୁଁ କିଛି କହି ପାରିଲି ନାହିଁ । ଲଜ୍ଜାରେ ସେତେବେଳକୁ ଗୋଟିଯାକ ସଙ୍କୁଚିତ ହୋଇ ଯାଇଥିଲି ।

 

ମୁଁ କହିଲି–ତାହାହେଲେ ଏଥିପାଇଁ ତମେ ତାରା ଦେଖୁଛ କି ? ଆଚ୍ଛା, ତା’ପରେ...

 

ପୁଣି ସେ ରମଣୀ ଆରମ୍ଭ କଲେ–ତା ପର ଦିନ ସକାଳୁ ମୁଁ କାହିଁକି ତାଙ୍କ ପାଖକୁ ଯିବାକୁ ଭାରୀ ସଙ୍କୋଚ ବୋଧ କଲି । ମୋର ତାଙ୍କ ପାଖକୁ ଯିବାକୁ ଖୁବ୍‌ଇଚ୍ଛା ହେଉଥାଏ; କିନ୍ତୁ କୋଉଟା ଯେ ମରମରେ ପଶି ବାଧା ଦଉଥାଏ, ମୁଁ ଭାବି ଠିକ୍‌କରି ପାରୁ ନ ଥିଲି । ଅନେକ ଚେଷ୍ଟା କଲାପରେ ତାଙ୍କ ପାଖକୁ ଗଲି । ସେ ମତେ ଦେଖି ହସିଦେଲେ । ମୁଁ ମୋ ମୁହଁଟାକୁ ପଣନ୍ତରେ ଲୁଚାଇ ରଖି ହସିଲି ।

 

ଏହିପରି ଭାବରେ ଆମ ଜୀବନର ପ୍ରଥମ ଅଙ୍କର ଯବନିକା ପତନ ହେଲା । ବର୍ଷେ ବିତି ଯାଇଥିଲା ।

 

ତା’ପରେ ତାଙ୍କ ଘରକୁ ମୁଁ କାହିଁକି କେଜାଣେ ବେଶୀ ଯିବା ଆସିବା ବନ୍ଦ କରିଦେଲି, ସ୍କୁଲକୁ ମଧ୍ୟ । ସେ ବି ତୁଚ୍ଛାକୁ ଆମ ଘରକୁ ଆସିଲେ ନାହିଁ, ବିଶେଷ ଦରକାର ନ ପଡ଼ିଲେ । ତାଙ୍କର ବା ଆମ ଘରେ କି କାମ ? ଶେଷରେ ସେ ଆଦୌ ଆମ ଘରକୁ ଆସିଲେ ନାହିଁ । ମୁଁ କିନ୍ତୁ ଦିନକେ ଥରେ ଖଣ୍ଡେ ଯାଉଥିଲି । ଏ ଭିତରେ ଯେ ପରସ୍ପର ପ୍ରତି ଗୋଟାଏ ଆକର୍ଷଣ ନ ଥିଲା, ଏ କଥା ମୁଁ କହିପାରିବି ନାହିଁ, ସେ କହିଲେ କହି ପାରନ୍ତି । ତା’ର କାରଣ ଯେ ନ ଥିଲା, ତା’ ନୁହେଁ ।

 

ଦିନେ ମୁଁ ତାଙ୍କ ଘରୁ ଫେରିଆସିଲା ବେଳକୁ ବୋଉ ବାପା କହିବାର ଶୁଣିଲି–ସୁନୁର ବାହାଘରଟା ଚଞ୍ଚଳ କରିନେଲେ ହୁଅନ୍ତା । କୃପାସିନ୍ଧୁ ବାବୁଙ୍କୁ କହିଲନି–ବ୍ରଜକୁ ଏକା ଜ୍ୱାଇଁ କଲେ ଭଲ ହୁଅନ୍ତା–ମୋ ମନଟା....

 

ବାପା ଉତ୍ତରରେ କହିଲେ–ମୋ ମନକୁ ପାଇଲେ ତ ହୁଏନି, ତାଙ୍କର ମନ ଥିଲେ ତ ? ସେ ତ ଚାହିଁବେ, ଏହିକ୍ଷଣି ନଗଦ ପାଞ୍ଚ କି ସାତ ହଜାର ଟଙ୍କା । ବ୍ରଜ ଆଉ କେଇଟା ଦିନରେ ଏଫ୍‌.ଏ. ପରୀକ୍ଷା ଦେଉଛି–ସେ କାହିଁକି ନ ଚାହିଁବେ ? ତମେ ଦେଇ ପାରିବ ତ ?

 

ହେଉ, ତମେ ଆଗେ ପଚାର ! ଏମିତି ପଚାରିଦେଲେ ଖାଲି ତମର ଜାତି ବାଧା ହୋଇ ଯାଉଛି ? ହଉ ଏବେ ନ ହେଲା, ଆଉ କେଉଁଠି ଦେଖ ।

 

ମୁଁ ପଶି ଆସିଲାକ୍ଷଣି ବୋଉ ଉଠି ଚାଲିଗଲା । ଦେଖିଲି, ବାପା ଝରକା–ବାଟେ ଦାଣ୍ଡକୁ ଚାହିଁ କ’ଣ ଭାବୁଛନ୍ତି । ମୁଁ ସବୁ ଶୁଣି ମନେ ମନେ ହସିଦେଲି । ମୋତେ ଯେ ଅନ୍ୟ କୋଉଠିକି ଯିବାକୁ ପଡ଼ିବ, ଏ କଥା ମୁଁ କାହିଁକି ବିଚାରନ୍ତି ।

 

ଏହି ଘଟଣାର ଦୁଇ ଦିନ ପରେ ଶୁଣିଲି, ମାଉସୀ କହିଲେ–ଏଁ ତାଙ୍କର ଘରଦ୍ୱାର କିଛି ନାହିଁ, ଆଭିଜାତ୍ୟ ନାହିଁ, ମୂଲିଆ ମୁଣ୍ଡ । କୋଉ କଥା ଦେଖି ସେଠି ସମ୍ବନ୍ଧ କରିବ ? ଖାଲି ଝିଅ ଦି’ଅକ୍ଷର ପଢ଼ିଛି ବୋଲି କ’ଣ ମତେ ସରଗ ନେବ ?

 

ମଉସା ପରା କହିଲେ–ଟଙ୍କା ତ ଦେବ ନାହିଁ, ସେଠି କିଏ ବାହାଘର କରୁଛି ? ତମେ ପାଗଳ ହେଲ ? ସେ କେତେକର ଲୋକ–ତାଙ୍କ ସଙ୍ଗରେ ଗୋଟାଏ ସମ୍ବନ୍ଧ କ’ଣ ?

 

ମୋ ବାପା ବୋଉ ନିରାଶ ହେଲେ । ଆଉ କେବେ କେହି ସେ ସମ୍ବନ୍ଧରେ ପ୍ରଶ୍ନ ଉତ୍‌ଥାପନ କରି ନ ଥିଲେ । ତେବେ ବୋଉ ଦିନେ ତା’ର ହୃଦ୍‌ବାଦ୍ୟ ଯନ୍ତ୍ରର ତଳ ପର୍ଦ୍ଦାରେ ମୂର୍ଚ୍ଛନା ଦେଇ କହିଥିଲା–ଏ, ଟଙ୍କା କ’ଣ ସରଗ ନବ କି ? ମଣିଷ ସରଗ ନିଏନି, କ’ଣ ଟଙ୍କା ନିଏ ?

 

ଆଉ କିଛି ଶୁଣି ନାହିଁ । ବ୍ରଜ ଭାଇ ମଧ୍ୟ ଏ ସମ୍ବନ୍ଧରେ କିଛି କହିଲେ ନାହିଁ । ଦେଖିଲି, ଦିନକୁ ଦିନ ସେ ଭାରୀ କରଛଡ଼ା ଦେଇ ବୁଲିଲେ–ମୋ ପ୍ରତି ଯେମିତି ତାଙ୍କର ଆଉ କୌଣସି ସ୍ନେହ ଆକର୍ଷଣ ନାହିଁ । କାହିଁକି ଯେ ସେ ଦିନକୁ ଦିନ ମତେ ଘୃଣାଚକ୍ଷୁରେ ଦେଖିବାକୁ ଲାଗିଲେ, ମୁଁ ବୁଝିପାରିଲି ନାହିଁ । ମୋର ଚୌଦବର୍ଷ ପୂରିଯିବାର ଚାରିମାସ ପରେ ଗର୍ଭର ଲକ୍ଷଣ ମୋର ଶରୀରରେ ପ୍ରକାଶ ପାଇଲା । ଯୋଉ ଦିନ ବୋଉ ଜାଣିଲା; କ’ଣ କହିବି, ଆଜି ସେ ବୀଭତ୍ସ ଦୃଶ୍ୟ ମନେ ପଡ଼ି ମୋର ହୃତ୍‌କମ୍ପ ହେଉଛି । ଆକାଶଟା ମୋ ମୁଣ୍ଡରେ ଛିଡ଼ି ପଡ଼ୁଛି । ସେହିଦିନ ରାତିରେ ସେ ଅଫିମ ଖାଇଲା । ତହିଁ ଆରଦିନ ସକାଳୁ ଆମ ଘରେ ମଣିଷ ହାଉଯାଉ ହେଲେ । ପୋଲିସ୍‌ ଆସି କ’ଣ ତଦନ୍ତ କଲା, ମୁଁ କହିପାରିବି ନାହିଁ । ମୁଁ କିନ୍ତୁ ବୋଉକୁ ହରାଇ ଏକାନ୍ତ ମର୍ମାହତ ହୋଇ ପଡ଼ିଲି । ବୋଉ ଯେ କାହିଁକି ସେତେବେଳେ ଆତ୍ମହତ୍ୟା କରିଥିଲା, ମୁଁ ବୁଝି ପାରି ନ ଥିଲି । ଏବେ ଜାଣୁଛି–ଜଗତର ସମସ୍ତେ ଯେମିତି ମତେ ଦେଖିବାକୁ, ମୋର ଛାଇ ମାଡ଼ିବାକୁ ଘୃଣା କରୁଛନ୍ତି, ସେ ମଧ୍ୟ ସେଇଆ କରିଥିଲା । ବୋଉର ଅପମୃତ୍ୟୁଟା ଏହିପରି ଭାବରେ ଚାରିଆଡ଼େ ବ୍ୟାଖ୍ୟା ହୋଇଥିଲା–କିରାନୀ ବାବୁଙ୍କ ଝିଅ ପାପଗର୍ଭ ହୋଇଥିବାରୁ ତାଙ୍କ ସ୍ତ୍ରୀ ଅଫିମ ଖାଇ ମରିଯାଇଛି । ଦେଖିଲି–ମୁଁ ଯଦି କେବେ ଭୁଲ୍‌ରେ ତାଙ୍କ ଘରକୁ ଗଲି, ସେ, ତାଙ୍କ ବାପା ବୋଉ, ଚାକରବାକରଙ୍କ ସଙ୍ଗେ ଦେଖା ହବା ତ ଦୂରର କଥା, ତାଙ୍କ ଘରର ବିରାଡ଼ି, କୁକୁର ମଧ୍ୟ ମତେ ଗୋଟାଏ ପାପର ଜୀବନ୍ତ ବିଗ୍ରହ ବୋଲି ମଣିଲେ । ମତେ ମଧ୍ୟ ପଦାକୁ ବାହାରିବାକୁ ଭାରୀ ଲାଜ ମାଡ଼ିଲା । ଯେ ଦେଖିଲା, ଟାହୁଲ ଟାପରା କରି ମୁହଁ ତଳକୁ କଲା । ମୁଁ ଯେ କୋଉ ଅପରାଧରେ ଅପରାଧିନୀ–ବୁଝିପାରିଲି ନାହିଁ; ସେ ବୁଝିଥିବେ ଓ ଯେଉଁମାନେ ମତେ ଘୃଣାଚକ୍ଷୁରେ ଦେଖୁଥିଲେ, ସେମାନେ ବୁଝିଥିବେ । ମତେ ସେ ଭଲ ପାଇଲେ, ସେ ମୋର ଆପଣାର ହେଲେ–ଏଥିରେ ଯଦି ମୋର ପାପ ହେଲା, ମୁଁ ଆଉ ଦୁଃଖିତ କାହିଁକି ହୁଅନ୍ତି ! ତାଙ୍କ ପ୍ରତି ମୋର ତିଳେ ମାତ୍ର ଆକ୍ରୋଶ ନ ଥିଲା–ବୈରାଗ୍ୟ, ଘୃଣା, ବିଦ୍ୱେଷ ତ ଦୂରର କଥା । ତାଙ୍କର ଯେ କୋଉଥିପାଇଁ ପୂର୍ଣ୍ଣ ଭାବାନ୍ତର ଘଟିଲା, ମୁଁ ଜାଣିପାରିଲି ନାହିଁ । ମୋ ମନଟା କିନ୍ତୁ ସବୁବେଳେ ଅସ୍ଥିର ହୋଇ ପଡ଼ିଥିଲା । ତାଙ୍କୁ ଦେଖିବାକୁ ମୋର ଭାରୀ ଉଦ୍‌ବେଗ ହେଲା–ସୁବିଧା ଆଦୌ ମିଳି ନ ଥିଲା । ଶେଷରେ ଖଣ୍ଡେ ଚିଠି ଲେଖିଲି–ମୁଁ ଯେ କାହିଁକି ଅପରାଧିନୀ, ଆଉ କୋଉ ଦୋଷରେ, ସେ କଥା ମୋତେ ଜଣାଇ ଦେଲେ ହୁଅନ୍ତା ନାହିଁ ? ଏମିତି ଘୃଣା କଲେ ମୁଁ ଚଳିପାରିବି ତ !

 

ତା’ର ଉତ୍ତର ପାଇଲି ନାହିଁ । ଦିନେ ଦିନେ ଯାଇ ପକ୍ଷେ ପକ୍ଷେ ଗଲା । ପୁଣି ଥରେ ଲେଖିଲି–ମତେ କଥା କହିଲେ କ’ଣ ତମର ଏତେ ସମ୍ମାନହାନି ଘଟୁଛି ? ଆଉ ମୁଁ ଯୋଉ ପାପର ଭାଗୀ, ତମେ କ’ଣ ତାର ଅଂଶ ନବ ନାହିଁ ? ଯୋଉଥି ପାଇଁ ମୋର ପ୍ରାୟଶ୍ଚିତ୍ତ ଲୋଡ଼ା, ତମେ କ’ଣ ତାର ପ୍ରାୟଶ୍ଚିତ୍ତ କରିବ ନାହିଁ ? ଆଶା କରେ ମତେ ଦେଖା ଦେଲେ ତମର କିଛି କ୍ଷତି ହବ ନାହିଁ । ତା’ର ମଧ୍ୟ କିଛି ଉତ୍ତର ପାଇଲି ନାହିଁ । ମନେ ମନେ କହିଲି–ହାଇରେ–ମୋର ଜନ୍ମ କ’ଣ ଏଇଥିପାଇଁ ! ମତେ ଯେ ଦେଖିଲା ସେ ଘୃଣା କଲା ! ଆଉ–ଆଉ–ସେ କ’ଣ ଏଥିରେ କିଛି କରି ନାହାନ୍ତି ! ସବୁ ହେଲା ତାଙ୍କର ମାଫ୍‌! ସେ କ’ଣ ଏଡ଼େ ମହତ, ଏଡ଼େ ଉଚ୍ଚ, ମୁଁ ଏଡ଼େ ହୀନ, ଏଡ଼େ ନୀଚ ! ପୁରୁଷ କ’ଣ ସେହି ମହତ୍ତ୍ୱର ପୁରସ୍କାର ସ୍ୱରୂପ ଶିଶୁର ଭାର ବହେ ନାହିଁ ! ନାନା ଚିନ୍ତାରେ ମୋର ଶରୀର ଓ ମନ ଦୁର୍ବଳରୁ ଦୁର୍ବଳତର ହୋଇ ପଡ଼ିଲା । କ’ଣ କରିବି, କିମିତି ମୋର ଗୁରୁଭାର ଶରୀରଟାକୁ ଛପେଇବି–ମତେ ଚିନ୍ତା ଘାରିଲା । ଭାବିଲି ବିଷ ଖାଇ ମୋର ସମସ୍ତ ଯନ୍ତ୍ରଣା ସାଙ୍ଗ କରିବି–ବିଷ କୋଉଠୁ ମତେ ମିଳିବ ? ଶେଷରେ ସ୍ଥିର କଲି–ତାଙ୍କୁ ଯାଇ ଥରେ ଦେଖା କରିବି; ତାଙ୍କରି ଜରିଆରେ ବିଷ ଆଣିବି ।

 

ଏହି ଯୋଉ ତାରାଟି ଦେଖୁଛ, ସେ ଉଇଁଲା ଯେମିତି, ସେମିତି ସେହି କୁଞ୍ଜକୁ ଗଲି । ସେ ବସିଥିଲେ କ’ଣ ଭାବି ତାଙ୍କୁ ଜଣା, ମତେ ଯେମିତି ଦେଖିଲେ ଘୃଣାରେ ମୁହଁ ଫେରାଇ ଉଠିଗଲେ । ମୁଁ କେତେ କ’ଣ କହିବି ବୋଲି ଭାବି ଯାଇଥିଲି । ତାଙ୍କୁ ଦେଖି ମୋ ପାଟି ଖନି ବାଜି ଆଫୁ ଆଫୁ ହୋଇଗଲା । ମୁଁ ଏତିକି କହିଲି–ମତେ.....ମୁଁ ଯେ କାହିଁକି ତାଙ୍କର ଘୃଣାର ପାତ୍ରୀ ହୋଇଥିଲି, ମୁଁ ଏବେ ମଧ୍ୟ ଜାଣିପାରିଲି ନାହିଁ–ସେ କହିବେ ।

 

ତା’ପରେ ମୁଁ ଫେରିଲି । ସେ ଦିନକୁ ମୋର ଗର୍ଭର ସାତ ମାସ ହୋଇଥିଲା ।

 

ଶେଷରେ ମୋର ଶେଷ ଆଶ୍ରୟସ୍ଥଳ ମଧ୍ୟ ହରେଇବାକୁ ପଡ଼ିଲା । ବାପା ମତେ ଯାହା ଦେଖନ୍ତି, ସେଥିରୁ ମୁଁ ବୁଝିଲି, ମୁଁ ଚାଲିଗଲେ ସେ ତାଙ୍କର ଜୀବନର ଅବଶିଷ୍ଟାଂଶ ଏକରକମ କଟାନ୍ତେ । ଅବଶ୍ୟ ପ୍ରକାଶ୍ୟରେ ସେ ମତେ କିଛି କହୁ ନ ଥିଲେ; କିନ୍ତୁ ମୁଁ ଯାହା ଦେଖିଲି, ମୋ ଯୋଗେ ତାଙ୍କ ଜୀବନଟା ବିଷମୟ ହୋଇ ଉଠିଛି । ମତେ ଏକା ଦେଖି ତ ସେ ଏମିତି ହେଲେ, ମୋର ଭବିଷ୍ୟତ ଶିଶୁଟି ଆସିଲେ ସେ ଲଜ୍ଜା–ସଙ୍କୋଚରେ ମରିଯିବେ ! ତେଣୁ ସ୍ଥିର କଲି, ତାଙ୍କୁ ଆଉ ହଇରାଣ କରିବି ନାହିଁ–ତାଙ୍କର ଆତ୍ମମର୍ଯ୍ୟାଦା ଉପରେ ବାଧା ଦେବି ନାହିଁ । ଏଇଆ ସ୍ଥିର କରି ଘରୁ ବାହାରିବାକୁ ମନସ୍ଥ କଲି । ସେଇ ତାରାଟି ଉଇଁଲା, ତାକୁ ମନ ପୁରେଇ ସେଠି ଦେଖିଲି-। ବାପା ସେତେବେଳକୁ କାହିଁକି ସେ ଦିନ ଆସି ନ ଥିଲେ । ଘରୁ ବାହାରିଲି ।

 

ମୁଁ ଉଦ୍‌ବିଗ୍ନ ହୋଇ ପଚାରିଲି–ତା’ପରେ ତମର ଶିଶୁ କାହିଁ ? କୁଆଡ଼େ ଗଲା ?

 

କୁଆଡ଼େ ଯିବ ? ଜ୍ୟୋତ୍ସା ଫୁଟା ରାତିଟା । ଚାରିଆଡ଼େ ଦେଖିଲି ସମସ୍ତେ ହସ ହସ, ଏକା ମୋରି ମୁହଁରେ ହସ ନ ଥିଲା। ମୋର ମନେ ହେଉଥିଲା–ସାରା ଜଗତ ବିଦ୍ରୁପରେ ହସୁଛି । ମୋ ମନ ପୋଡ଼ିଗଲା । ଭାବିଲି, କୁଆଡ଼େ ଯିବି ? ମତେ କିଏ ବା ଆଶ୍ରୟ ଦବ ? ଭାବୁଛି, ଶିଶୁଟିର ଭାର ଯଦି ମୋ ଉପରେ ନ ଥାନ୍ତା, ତାହାହେଲେ ମୁଁ କ’ଣ ପୁରୁଷ ପରି ଯେଣେ ଇଚ୍ଛା, ତେଣେ ଯାଇପାରି ନ ଥାନ୍ତି ? ନିଶ୍ଚୟ ପାରିଥାନ୍ତି । ସେଇଟା ମୋର କାଳ ହେଲା । ତଥାପି ଗଲି ଚୌଧୁରୀ ବଜାର ଦେଇ, ନିମିଚୌଡ଼ି ଛକ ଦେଇ, କଚେରୀ ଦେଇ । ଯେତେବେଳେ ଟାଉନ ଥାନା ସାମାନାରେ ଅବଗୁଣ୍ଠନବତୀ ମୁଁ ପହଞ୍ଚିଲି ହଠାତ୍‌ କାହିଁକି ଛାତିଟା ଦାଉଁକିନା ହୋଇଗଲା–ମନେହେଲା ଯେମିତି ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା କି ଆଉ ! ମୁଁ ଚାରିଆଡ଼କୁ କନ କନ ହୋଇ ଚାହିଁଲି । ମନ ହେଉଥାଏ–ଖୁବ୍‌ଜୋରରେ ସେଠୁ ଚାଲିଯିବି କିନ୍ତୁ ରାତିଟା ବରାବର ଶିଥିଳ ହୋଇ ଯାଉଥିଲା । ମନଟା ନାନା ସନ୍ଦେହର ତୁମୁଳ ଝଞ୍ଜାରେ ଇତସ୍ତତଃ ହେଉଥିଲା । ଗଲି–ନନ୍ଦିକେଶ୍ୱରୀ ପଠା ଦେଇ ଗଲି । ସେଠି ନନ୍ଦିକା କଥା ମନେହେଲା । ତାଙ୍କ ସାଙ୍ଗରେ ନନ୍ଦିକେଶ୍ୱରୀ କାବ୍ୟ ପଢ଼ିଥିଲି–ବହୁତ ସମାଲୋଚନା କରିଥିଲି । ସେ ବହୁତ ଯୁକ୍ତି ଦେଖାଇ ନନ୍ଦିକାର ନିନ୍ଦା କରିଥିଲେ, ମୁଁ କିନ୍ତୁ ତାଙ୍କୁ ଖୁବ୍‌ପ୍ରଶଂସା କରି ତାଙ୍କ ଯୁକ୍ତି ଖଣ୍ଡନ କରିଥିଲି–ତା’ର ଯୋଉ ମହତ୍ୱ ଆଦର୍ଶ ! ଜଗତରେ ତା’ପରି ନାରୀ ସବୁବେଳେ ପୂଜା ପାଇବ । ପ୍ରେମ ପାଇଁ ତ ସେ ତା’ର ସମସ୍ତ ବଳି ଦେଇଥିଲା । କିନ୍ତୁ ସେ ତାକୁ ବଡ଼ ଘୃଣାଚକ୍ଷୁରେ ଦେଖୁଥିଲେ । ମୁଁ ସେହି ପଠାଏ ପଠାଏ କେତେ ଅତୀତ ଭବିଷ୍ୟତର ଛବି ଘେନି ବୁଲିଲି । ସେ ରାତିଟାରେ କେହି ମୋର ମୁଖ ଦେଖି ପାରିଲେ ନାହିଁ–ମୁଁ ଲୋକଲୋଚନ ଅନ୍ତରାଳରେ ଥିଲି । ସେମିତି ଉପବାସରେ ରାତିଟା କଟାଇବାକୁ ହୋଇଥିଲା, କାହାପ୍ରତି ହେଲେ ମୋର ଅଭିମାନ ଥିଲା । ସକାଳୁ ଉଠି ନରାଜଆଡ଼େ ଗଲି । ଦେଖିଲି ଚାରିଆଡ଼େ ଟାଙ୍ଗରା ଭୂଇଁ ହାଁ କରି ମତେ ଚାହିଁ ବିଦ୍ରୁପ କରୁଛି । ସେତ ଯେମିତି କୋଉଁ ନରକ ରାଜ୍ୟର ବେଦନା–ବ୍ୟଥିତ ବିଭୀଷିକାମୟ କାହାଣୀ ମୋ ପାଖରେ କହିଯିବ ! କାହିଁକି କେଜାଣେ ମୋର ପଞ୍ଜରା ହାଡ଼ଟା ଗୋଟାଯାକ ଥରିଗଲା । ପୁଣି ସେହି ଟାଙ୍ଗର ଭୂମି ଉପରେ କେତେଟା ଗିରିନଦୀ ଧରଣୀର ବୁକୁ ଚିରି ପଡ଼ି ରହିଛି ଶୁଷ୍କ ହୋଇ । ସବୁ ମୋର ମନର ତିକ୍ତତା ବୃଦ୍ଧ କରାଇଥିଲେ । ମୋର ମନେ ହେଉଥିଲା, ଏସବୁ ବୀଭତ୍ସ ଦୃଶ୍ୟ କେବଳ ମୋତେ ଉପହାସ କରିବା ପାଇଁ ସୃଷ୍ଟି ହୋଇଛନ୍ତି । ଦେଖିଲି, ସବୁ ଭାବିଲି; କିନ୍ତୁ ଉପାୟ ଯେ କ’ଣ, ସେଇଟା ଖାଲି ବାକି ଥିଲା । ମନେ ମନେ କହିଲି–ଉଃ, କେତେଦିନ ଆଉ ଏମିତି ଏହି ବ୍ୟର୍ଥ ଜୀବନର ତପ୍ତ ବିଶ୍ୱାସ ବହୁଥିବ ? ସେତକ ହେଲେ ମତେ କିଏ କହନ୍ତା ! ତାହାହେଲେ ବା କେତେକାଂଶରେ ଆଶ୍ୱସ୍ତ ହୁଅନ୍ତି । ତାଙ୍କୁ ପ୍ରଥମେ ଘୃଣାଚକ୍ଷୁରେ ଦେଖୁଥିଲି । ଏବେ ସ୍ଥିର କରି ନେଲି–ନା, ଆଉ କାହିଁକି ତାଙ୍କୁ ଘୃଣା କରିବି ? ସେ ଯଦି ମତେ ଅପଦସ୍ଥ କରି ସୁଖରେ ରହିପାରିଲେ, ସେହି ମୋର ଲକ୍ଷେ । ପ୍ରତ୍ୟେକଙ୍କ ଜୀବନରେ ଏହିପରି ବୋଧହୁଏ ଘଟିଥାଏ । ଘୃଣାଟା ଶେଷରେ ସ୍ନେହରେ ପରିଣତ ହୁଏ । ଅବଶ୍ୟ ସେଇଟା ଖାଣ୍ଟି ସ୍ନେହ ନ ହୋଇପାରେ; କିନ୍ତୁ ସେହି ସ୍ନେହରେ ଟିକେ ଅନୁକମ୍ପା ଓ ସହାନୁଭୂତି ମିଶିଥାଏ । ମୁଁ ମନ ମଧ୍ୟରେ ତାଙ୍କ ଉପରେ କେତେ ଯେ ଅଭିମାନ କଲି, ତା’ର ସୀମା ନ ଥିଲା । କେତେ ଯେ ଭାବ ଉତ୍ସୁକ ହୋଇ ଉଠୁଥିଲା, କ’ଣ କହିବି ! ଶେଷରେ ସେହି ଟଙ୍କିଳ ଭୂମିରେ ଚାଲିଲି, ପଦ ମୋର କ୍ଷତବିକ୍ଷତ ହେଲା । କ’ଣ କରିବି ? ସାମନାରେ ଦେଖିଲି ସରକାରୀ ଡାକବଙ୍ଗଳା । ସେଠିକି ବା କିମିତି ଯାନ୍ତି, ଜାଣେ ସେଠି ପୁରୁଷ ଅଛନ୍ତି; ସୁତରାଂ ସେଠାକୁ ଯିବାକୁ ମନ ହେଲା ନାହିଁ । ତା’ର କାରଣ ପୁରୁଷ ପ୍ରତି ମୋର ଥିଲା–ଏକ୍ଷଣି ମଧ୍ୟ ଅଛି–ଗୋଟାଏ ନିର୍ମମ ଘୃଣା ।

 

କୁଆଡ଼େ ଯିବି, ସ୍ଥିର କରି ନ ପାରିବାରୁ ମନଟା ରିକ୍ତ ହୋଇ ଉଠିଲା, ପ୍ରାଣ ବ୍ୟାକୁଳ ହୋଇ ପଡ଼ିଲା । ଶୂନ୍ୟ ମନରେ ଆକାଶ ଆଡ଼େ ଚାହିଁଲି । ସେଠି ଦେଖିଲି–ବୋଉର ବିକଟାଳ କୁତ୍ସିତ ମୂର୍ତ୍ତି । ବଡ଼ ବଡ଼ ଢିମା ଢିମା ଲାଲ ଆଖି କରି ମୋତେ ଚାହି ଗାଳି ଦେଉଛି ଯେମିତି ! ଭୟରେ ସେ ଆଡ଼େ ଆଉ ଚାହିଁ ପାରିଲି ନାହିଁ । ଗୋଟିଏ ଗୋଟିଏ ଚାଲିଲି । ନିକଟରେ ଦେଖିଲି, କେତେଗୁଡ଼ିଏ ଛୋଟ ଛୋଟ କୁଡ଼ିଆ ଘର । ଭାବିଲି ସେଠାକୁ ଯାଇ ଆଶ୍ରୟ ଖୋଜିବି । ସେଇଆ ମଧ୍ୟ କଲି । କିଛି ବାଟ ଯାଇ ଜଣେ ବୁଢ଼ୀକି ଦେଖିଲି । ସେ ମୋର ବିପନ୍ନ ଅବସ୍ଥାରୁ କ’ଣ ବୁଝିଲା କେଜାଣେ ମତେ କହିଲା–ଝିଅ ତୋର କ’ଣ ହୋଇଛି କି ? ଏଠିକି କାହିଁକି ଆସିଛୁ ? ଏ ତ କେଉଟ ଗାଁ ।

 

ମୁଁ ଖନ ଖନ କରି କହିଲି–ମତେ ଯଦି ଟିକେ ତମ ଘରେ ଥାନ ଦିଅନ୍ତ, ମୁଁ ରହନ୍ତି । ମୋର ଘରଦ୍ୱାର ନାହିଁ । ମୁଁ.....ଏତିକି କହିଛି, ସେ ମତେ କହିଲା–ମଲା, ଖାନିକୀଟାକୁ କିଏ ଘରେ ଜାଗା ଦବ ? ସେ ଚାଲିଗଲା । ମୋର ନୈରାଶ୍ୟ ବେଳକୁ ବେଳ ବଢ଼ିବାକୁ ଲାଗିଲା–ନଈ ବଢ଼ିଦିନେ ଯେମିତି ଫୁଲି ଉଠେ, ସେମିତି ମୋ ଭିତରେ କୋହ ଜନ୍ମି ମୋର ଛାତିଟାକୁ ଫୁଲେଇ ଦେଇଥିଲା । ମତେ କିଛି ଭଲ ଲାଗିଲା ନାହିଁ । ମନେ ହେଲା–ନା, ଆଉ ଏତେ ଅପଦସ୍ଥ ହୋଇପାରିବି ନାହିଁ । ଏମିତି ଘୃଣ୍ୟ ଜୀବନ ଯାପିବାରେ କୋଉ ଲାଭ ଅଛି ? କାହିଁ, ସେ ତ ବେଶ୍‌ ସୁଖ ସ୍ୱାଚ୍ଛନ୍ଦ୍ୟରେ ଅଛନ୍ତି ! ମୋ ବେଳକୁ ଏତେ କଟକଣା କାହିଁକି ହେଲା ? ଏମିତି ଠିଆ ହୋଇ ଭାବୁଛି, ଆଉ ଜଣେ ବୟସ୍କୀ ଆସି ପହଞ୍ଚିଲେ । ମୁଁ ତାଙ୍କୁ କହିଲି–ମତେ ଟିକେ ମାଉସୀ, ତମ ଘରେ ଥାନ ଦବ? ମୁଁ କିଛି ଦିନ ରହିଯିବି । ସେ କିଛି ନ ବୁଝି ମତେ କହିଲେ–ଆଚ୍ଛା ଆସ ଆମେ କେଉଟ, ଆମ ଘରେ ରହିବ ତ ! ମୁଁ କିଛି ନ କହି ଯନ୍ତ୍ରଚାଳିତ ପରି ତାଙ୍କ ଘରକୁ ଗଲି ।

 

ତାଙ୍କ ଘରେ ମାସେ ରହିଲି । ସେଠି ସମସ୍ତେ ଜାଣିଲେ, ମୁଁ ଗୋଟାଏ ଛତରଖାଇ ଖାନିକୀ ବୋଲି । ମତେ ଅନେକ ପୁରୁଷ ଥଟ୍ଟା ଉପହାସ ମଧ୍ୟ କଲେ । ଏ ସବୁର ପ୍ରତିବାଦ କରିବାକୁ ମୋର ସାହସ ଥିଲେ ମଧ୍ୟ ଉପସ୍ଥିତ କ୍ଷେତ୍ରରେ କରିବାର ସୁବିଧା ନ ଥିଲା । ତେଣୁ ଆଖିର ଲୁହ ତା’ର ଜବାବ୍‌ ଦେଉଥିଲା । ଆଉ ବା କାହିଁକି କିଏ ମୋ ଆଖିର ଲୁହ ଦେଖିବାକୁ ଯିବ–ଦେଖିବ ନିଶ୍ଚୟ ଜଣେ, ଯେ ମତେ ଓ ତାଙ୍କୁ ସୃଷ୍ଟି କରିଛି । ମନେ ମନେ କହିଲି–ହାଇରେ, ପୁରୁଷ ଆଇନ୍‌ କରିଛି ବୋଲି ସିନା ସେ ସ୍ୱାଧୀନ–ଛିଃ, ଆଉ କ’ଣ କହିବି, ବାବୁ–

 

ମୁଁ ଅସ୍ଥିର ହୋଇ କହିଲି–ନା, କହ ତା’ପରେ–

 

ତା’ପରେ–ତା’ପରେ–ଛିଃ–କ’ଣ କହିବି, ମତେ ବେଳକୁ ବେଳ ଭାରୀ ଲାଜ ମାଡ଼ିଲା–କିମିତି ଅବିବାହିତା ମା ହେବି ! ଶିଶୁଟି ତ ମତେ ମା ଡାକିବ, ତାର ଭରରପୋଷଣ ଭାର ମୁଁ ମୋ କାନ୍ଧରେ ନେବି । କାହାକୁ କିମିତି କ’ଣ କହିବି ? ଏ ବିଷୟରେ ନାନା କଥା ଭାବିଲି । କୋଉଟା ହେଲେ ମୋର ପସନ୍ଦ ହେଲା ନାହିଁ । ଶେଷରେ ସ୍ଥିର କଲି–ନା, ଆଉ ପାରିହେବ ନାହିଁ, ଆନିକଟ ଭିତରେ ଯାଉଛି ମୋର ଓ ମୋର ଶିଶୁର ଜୀବନ–ଲୀଳା ସାଙ୍ଗ କରିବି । ପୁରୁଷର ବିଦ୍ରୁପ ଆଉ କେତେ ସହିବି ? ସତ କହୁଛି ଏତକ ସିନା ସ୍ଥିର କରିଦେଲି, କିମିତି ଯେ ମୋ ପେଟ ଛୁଆଟିକୁ ନଷ୍ଟ କରିବି, ଭାବିଲାକ୍ଷଣି ପ୍ରାଣ ଥରି ଉଠିଲା–ଶରୀରର ପ୍ରତ୍ୟେକ ଶିରାପ୍ରଶିରା ସଙ୍କୁଚିତ ହୋଇଗଲା । ବୁକୁ ଭିତରେ ଇଞ୍ଜିନ୍‌ ଚାଲିଲା । ଲଜ୍ଜା ମୋତେ ଖାଇଲା । ସଙ୍ଗେ ସଙ୍ଗେ ମନ ମୋର ବିଦ୍ରୋହୀ ହୋଇଉଠିଲା । ମୁଁ ପୁଣି ଭାବିଲି–ନା, ମୁଁ ତାକୁ ନଷ୍ଟ କରିଦେବି ! ମୁଁ ଯେତେବେଳେ ତାର ସୃଷ୍ଟିକର୍ତ୍ତା ତାକୁ କାହିଁକି ଅପଦସ୍ଥ କରିବି ? ସେ ଯଦି ବଞ୍ଚିବ, ତାକୁ ସମସ୍ତେ ଘୃଣା କରିବେ, ସମସ୍ତେ ବ୍ୟଙ୍ଗ କରିବେ । ତାଠୁଁ କ’ଣ ତାର ମୃତ୍ୟୁ ଶ୍ରେୟସ୍କର ନୁହେଁ ? ଅନ୍ତତଃ ତା’ର ମଙ୍ଗଳ ପାଇଁ ମୁଁ ଏତକ ସ୍ଥିର କରିନେଲି । ମୋର ସମୟ ହୋଇଗଲା । ସ ପ୍ରସବ ବେଦନାରେ ଅସ୍ଥିର ହୋଇ ମୋର (...) ଛପେଇବା ପାଇଁ ଆନିକଟ୍‌ ଅଭିମୁଖରେ ଯାତ୍ରା କଲି । ସେଠି ମୋର ଭବିଷ୍ୟତ୍‌ ଶିଶୁର ଭବିଷ୍ୟତ୍‌ ଓ ଉପସ୍ଥିତ ଯନ୍ତ୍ରଣା ସମସ୍ତେ ମିଶି ମତେ ଦାରୁଣ ଭାବରେ ଆଘାତ ଦେବାକୁ ଲାଗିଲେ । ସେହି ଫୁକାର ଭିତରେ ପାଣିରେ ମୋର ପ୍ରସବ ହେଲା । ମୁଁ କନ୍ୟାଟିଏ ପ୍ରସବ କରିଥିଲି । ଛି ଛି–କି ଜଘନ୍ୟ ମୁ ! ପାଷାଣୀ ମୁଁ–କ’ଣ କରିଥିଲି, କେ ଜାଣେ...ସତ କହୁଛି, ଶିଶୁଟିକୁ ସଫାସୁତୁରା କଲା ପରେ ତା’ ମୁଖମଣ୍ଡଳରେ ଦେଖିଲି ଗୋଟାଏ ବିମଳ ଆଭା–ଫୁଟନ୍ତା ପଦ୍ମର ସମସ୍ତ ସୌରଭ, ଗୌରବ ଘେନି ମୋ ସାମନାରେ ଉଭା–କିନ୍ତୁ କଲି କ’ଣ, ଆଉ ମନେ ନାହିଁ, ଆଉ ଜାଣେ ନାହି । ମୁଁ ଉଦ୍‌ବିଗ୍ନ ହୋଇ ପଚାରିଲି, ଏଠିକି କିମିତି ଆସିଲ ?

 

ତା’ପରେ କ’ଣ ଘଟିଲା, ମୁଁ କହିପାରିବି ନାହିଁ । ସେଠୁ କିମିତି କଟକ ଡାକ୍ତରଖାନାକୁ ଯାଇଥିଲି; ଜାଣେ ନାହିଁ । ସେଠାରେ ଦେଖିଲି କେତେ ନର୍ସ ମୋର ସେବା କରୁଛନ୍ତି, ଡାକ୍ତର ମିନିଟ୍‌କୁ ମିନିଟ୍‌ ଆସୁଥାନ୍ତି ଯାଉଥାନ୍ତି । ସେ ସବୁ କାହିକି ହଉଥାଏ, ମୁଁ ଜାଣେ ନାହିଁ ; ତେବେ ମୋର ସ୍ୱାସ୍ଥ୍ୟଭଙ୍ଗ ହୋଇଥିଲା, ମୁଁ କାହାକୁ କିଛି କହି ନାହି । ଡାକ୍ତରମାନେ କ’ଣ ପଚାରନ୍ତି, ନର୍ସମାନେ ଯେ କ’ଣ କରନ୍ତି, ମୋର ସେ ଆଡ଼େ ନଜର ନ ଥାଏ । ମୁଁ ଖାଲି ପଡ଼ି କାନ୍ଦୁଥାଏ । ତା’ପରେ ଦେଖିଲି, ଦଶ ଦିନ ପରେ ମୁଁ ଥାନା ହାଜତ୍‌କୁ ଦୁଇଜଣ କନେଷ୍ଟବଲ ଓ ଜଣେ ସବ୍‌ଇନ୍‌ସପେକ୍ଟରଙ୍କ ସାଙ୍ଗରେ ଆସିଲି । ସେଠି ଯେ କାହିଁକି ଥିଲି, କହି ପାରିବି ନାହିଁ । ତମେ ଆଇନ୍‌ ପଢ଼ି ଥିଲେ କହିବ । ରାତିରେ ମତେ ଖାଇବାକୁ ଦିଆଗଲା, ମୁଁ ଖାଇଲି । ତା ପର ଦିନ ମଧ୍ୟ ସକାଳୁ ମତେ ଖାଇବାକୁ ଦିଆଗଲା; ସେତକ ଖାଇଲି । ବନ୍ଦିନୀର ଆଉ କୋଉ କଥାରେ ଆପତ୍ତି ଥାଏ କି ?

 

ଦିନ ଦଶଟାବେଳେ ମୁଁ ଦୁଇ ଜଣ କନେଷ୍ଟବଳଙ୍କ ସାଥିରେ ବିଚ୍‌ବଜାରରେ ଚାଲି ଚାଲି କଚେରୀକି ଗଲି । ହାକିମଙ୍କ ଇଜଲାସ ଭିତରେ ପ୍ରବେଶ କଲା ପରେ ମତେ ଅଟକେଇ ଭିତରକୁ ଯିବାକୁ କହିଲେ–ମୁଁ ଗଲି । ହାକିମ ନଥି ତାଡ଼ାଏ ସାମନାରେ ପକେଇ ମତେ କହିଲେ, ‘‘ତୁମର ପାପଗର୍ଭ ହୋଇଥିଲା ?’’

 

ମୁଁ କ୍ଷୁନ୍ନମନରେ ତଳକୁ ମୁହଁ କରି ଠିଆ ହୋଇ ରହିଲି । ମୋ ଆଖିରୁ ଟର୍ଚ୍ଚ ଆଲୁଅର ଫୋକସ୍‌ଭଳି ଦୁଇଟା ଅଗ୍ନିସ୍ପୁଲିଙ୍ଗ ନିର୍ଗତ ହୋଇ ସମ୍ମୁଖସ୍ଥ ହାକିମଙ୍କ ପିଣ୍ଡି ଉପରେ ପଡ଼ିଲା । ମୁଁ ବିହ୍ୱଳ ହୋଇ ପଡ଼ିଲି । ତା’ପରେ ନିସ୍ପନ୍ଦ ଭାବରେ ଠିଆ ହୋଇ ରହିଲି ।

 

ପୁଣି ପ୍ରଶ୍ନ ହେଲା–ତମର ପାପଗର୍ଭ ହୋଇଥିଲା ?

 

ମୁଁ ତେବେ ମଧ୍ୟ ନୀରବ ରହିଲି । ତା’ପରେ ସେ କହିଲେ–ତମକୁ ଜବାବ୍‌ ଦବାକୁ ପଡ଼ିବ ।

 

ସେତେବେଳେ ମୁଁ ମୋର ବୁଦ୍ଧି ବିବେକ ସମସ୍ତ କୁଆଡ଼େ ଛାଡ଼ି ଆସିଥିଲି । କହିଲି–କାର ଜବାବ୍‌ ?

 

‘ଯାହା ପ୍ରଶ୍ନ କରାଗଲା ।’

 

ତାଙ୍କୁ କହିଲି–ପ୍ରଶ୍ନର ଯେ କୌଣସି ଅର୍ଥ ଅଛି, ଏପରି ମୋର ମନେ ହୁଏ ନାହିଁ ।

 

ହାକିମ ବଲ ବଲ କରି ମୋ ଆଡ଼େ ଚାହିଁ ରହିଲେ । ମୁଁ ସେମିତି ନିସ୍ପନ୍ଦଭାବରେ ଠିଆ ହୋଇଥାଏ, ତାଙ୍କ ଟେବୁଲ ଆଡ଼େ ଚାହିଁ । ମୋ ମନେ ହେଲା–ସେ ବୋଧହୁଏ ମୋ କଥାଟା ଆଦୌ ବୁଝିପାରିଲେ ନାହିଁ ।

 

ସେ ବିରକ୍ତ ହୋଇ କହିଲେ–ତମେ ପାପ ପ୍ରଣୟ କରିଥିଲ ତ ? ମୋର ପାପ ପ୍ରଣୟ-! ମୁଁ ବାରନାରୀ ନୁହେଁ । ମୁଁ ଯଦିବା ଅବିବାହିତା, ନ୍ୟାୟତଃ ମୁଁ ତାଙ୍କୁ ବିବାହ କରିଛି । ଏଠାରେ ତାଙ୍କର ନାମ ଉଲ୍ଲେଖ କରିବି ନାହିଁ । ତା’ର କାରଣ ସେ ପୁରୁଷ । ଟିକେ ରହିଗଲା । ସେ ମଧ୍ୟ କିଛି କହିଲେ ନାହିଁ । ତା’ପରେ କହିଲି, ‘ପୁରୁଷ ଆଇନ୍‌ରେ ଅଛି–ମୋର ପାପଗର୍ଭ, ନାରୀ ଆଇନ୍‌ରେ ତା ନାହିଁ ବୋଲି ମୁଁ କହେ । ଆପଣ ଯାହା କହିବେ, ମୋର ସେଥିରେ ସମ୍ମତି ଅଛି-। ମୁଁ ପ୍ରତିବାଦ କରିବାକୁ ଚାହେଁ ନା । କାରଣ, ଯଦି ଜଣେ ନାରୀ ବିଚାରପତିଙ୍କ ଆସନରେ ବସିଥାନ୍ତେ, ତାହାହେଲେ ସବୁ କହନ୍ତି ।’

 

ହାକିମ ମୋ ଉତ୍ତର ଶୁଣି ତାଜୁବ ହୋଇଗଲେ । କିଛିକ୍ଷଣ ପରେ ସେ କହିଲେ–ତମର କ’ଣ ମତିଭ୍ରମ ଘଟିଛି କି ?

 

ମୁଁ କିଛି କହିଲି ନାହିଁ । ଆଉ ବା କ’ଣ କହନ୍ତି ? ମୋର ତ ଲଜ୍ଜା ଥିଲା, ତେବେକେ ଖୁବ୍‌ସାହସ ଦେଖାଇ ସେତିକି କହିଲି ଆଉ ପାରିଲି ନାହିଁ ।

 

ପୁଣି ପ୍ରଶ୍ନ ହେଲା–‘‘ତମେ ଶିଶୁହତ୍ୟା କରିଛ ?’’ ସେତିକିବେଳେ ମୋର ଶିଶୁକଥା ମନେ ପଡ଼ିଲା । ମୁଁ ଥରେ କାହିଁକି ଚାରିପାଖକୁ ଚାହିଁଲି । ମୋର ଆଖି ଛଳ ଛଳ ହୋଇ ଉଠିଲା । ତାଙ୍କ ପ୍ରଶ୍ନର ଉତ୍ତର ନ ଦେଲାରୁ ସେ ପୁଣି ସେଇଆ ପ୍ରଶ୍ନ କଲେ । ମୁଁ କହିଲି କେଜାଣେ କରି ପାରିଥାଏ, ମୋର ମନେ ହେଉ ନାହିଁ । ଆଉ ଯଦି ବା କରିଥିବି, ତାହା ତା’ର ମଙ୍ଗଳ ପାଇଁ, ମୋର ମଙ୍ଗଳ ପାଇଁ । ତା’ର କାରଣ, ମୋର ସମାଜରେ ସ୍ଥାନ ନାହି, ତା’ର ମଧ୍ୟ ନ ଥାନ୍ତା । ଏତିକି କହି ସେହି ବିରାଟ ନିସ୍ତବ୍‌ଧତା ମଧ୍ୟରେ ମୁଁ ସ୍ତବ୍‌ଧ ହୋଇ ଠିଆ ହୋଇ ରହିଲି । ସେତେବେଳେ ମୋ ମୁଣ୍ଡ ଗରମ ହୋଇଯାଇଥିଲା । ମନେ ହେଉଥିଲା, ସେଠି ଆଉ ପଡ଼ିଯିବି କି ?

 

ତିନିଟା ବେଳକୁ ମୁଁ ଜେଲଖାନାକୁ ଗଲି । ସେଠାରେ ଜୀବନଟା ମୋର ଏକ ଗତିରେ–ଠିକ୍‌ ସ୍କୁଲର ରୁଟିନବନ୍ଧା ସମୟ ଅନୁସାରେ କଟିବାକୁ ଲାଗିଲା । ସେଠୁ ବର୍ଷେ ରହିଲା ପରେ ମତେ ଚୋରଣୀମାନଙ୍କ ଉପରେ ସର୍ଦ୍ଦାରିଆଣୀ କରି ଦିଆଗଲା । ମୁଁ କେତେ ଚୋରଣୀ, ମୋରି ଭଳିଆ ସ୍ତ୍ରୀଲୋକଙ୍କ କାମ ଦେଖିଲି । ସେଠି ଯେ କେତେ ଦିନ ସେମିତି ରୁଟିନ୍‌ବନ୍ଧା ଜୀବନ କାଟିବାକୁ ହେବ, ମୁ ଜାଣି ପାରି ନ ଥିଲି । ତେବେ ମଧ୍ୟ ସେ କଥା ମୋ ଆସି ନ ଥିଲା । ସେଠି ଆଉ ଗୋଟିଏ ଅନୁଭୂତ ମୋର ହେଲା । ଦେଖିଲି ମୋଠି ଯେ କୋଉ ସୌନ୍ଦର୍ଯ୍ୟ ଥିଲା, ତାହା ଜେଲର ଜାଣନ୍ତି । ସେ ମୋର ପ୍ରଣୟ–ପ୍ରାର୍ଥୀ ହେବାକୁ ଇଚ୍ଛା କଲେ । ମୁଁ ଜାଣିଲି, ତାଙ୍କର ପ୍ରତ୍ୟେକ ଇଙ୍ଗିତ ମୋ ବୁକୁରେ ଗୋଟାଏ ଗୋଟାଏ ନିଆଁ ଗାର ଟାଣି ଦେଇଥିଲା । ମୁଁ ମନେ ମନେ ହସୁଥିଲି ! ଏକାନ୍ତରେ କହୁଥିଲି–ହାଇରେ ପୁରୁଷ, ଏଡ଼େ ନୀଚ ତମେ ! ଜଣେ ଅବଳାର ସର୍ବସ୍ୱ ହରଣ କରିବାକୁ ତିଳେମାତ୍ର କୁଣ୍ଠିତ ହୁଅନି ! ଏଡ଼େ ମୁକ୍ତ ମନା ତମେ । ଛି, ଛି, ତମର ପୌରୁଷ ! ଯଦି ଆଗରୁ ଜାଣିଥାନ୍ତି–ପୁରୁଷ ଏଡ଼େ ନିର୍ମମ, ଖାଲି ସେତିକି ନୁହେଁ, ସେ ଆଇନ ପ୍ରଣେତା, ତାହାହେଲେ କ’ଣ ଆଉ ଏଡ଼େ ଅପଦସ୍ଥ ହୋଇଥାନ୍ତି । କାହିଁ, ତାଙ୍କର ତ କିଛି ହେଲା ନାହିଁ । ତାଙ୍କରି ଯୋଗୁଁ ମୋର ଏଡ଼େ ଆଦରର ବାପା ବୋଉଙ୍କ ନିଃସ୍ୱାର୍ଥ ଅମର ସ୍ନେହ ତୁଚ୍ଛମଣିଲି-। ଶରୀରରେ ଏତେ କଷ୍ଟ ସହିଲି । ପୁଣି ଏତେ ନିର୍ଯ୍ୟାତନା ! ଆଉ ଭାବିପାରେ ନାହିଁ, କାମରେ ଲାଗିଯାଉଥିଲି । ସେଠି ଏକା ମୋର ଏକରକମ ଜୀବନ ଥିଲା–କାରଣ ସେହି ବନ୍ଦିନୀମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶଙ୍କର ମୋରି ଦଶା । ସେମାନେ ଯେତେବେଳେ ମୋଠୁ ମୋ ଇତିହାସ ଶୁଣିଲେ, ତାଜୁବ୍‌ ହୋଇ ମୋ ମୁହଁକୁ ଚାହିଁ ରହିଲେ । କିନ୍ତୁ ମତେ ସେମାନେ ଭାରୀ ଖାତିରି କରୁଥିଲେ । ମୁଁ ଗୋଟାଏ ଭାରୀ ଶିକ୍ଷିତା ବୋଲି ତାଙ୍କର ଧାରଣା ଥିଲା । ଏହିପରି ଆଠ ବର୍ଷ ସେଠି କଟିଲା ପରେ ଦିନେ ଜେଲ୍‌ସାହେବ ମୋ ଦ୍ୱାରକୁ ଆସି କହିଲେ–

 

ଏଗାର ନମ୍ବର କଏଦୀ ଖଲାସ୍‌ । ମତେ ସଙ୍ଗେ ସଙ୍ଗେ ପଦାକୁ ଘେନିଆସି ଦୁଇଟଙ୍କା ଦେଇଦେଲେ । ତା’ପରେ କୁଆଡ଼େ ଯିବି ? କିନ୍ତୁ ମୋର କ’ଣ ଖିଆଲ ଜୁଟିଲା କେଜାଣି, ମୁଁ ସିଧା ସିଧା ତାଙ୍କ ଘର ଆଡ଼କୁ ଗଲି । ସେଠି ଜଣେ ବୁଢ଼ାଠାରୁ ଶୁଣିଲି–ସେ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁଅ । ସେ ସପତ୍ନୀକ । ବିହାରରେ କୋଉଠି ହାକିମ ହୋଇଛନ୍ତି । ଆଉ କାହା କଥା ପଚାରିବାକୁ ମୋର ଇଚ୍ଛା ହେଲା ନାହିଁ । ତା’ପରେ ହାଟରେ, ଘାଟରେ ବଜାରରେ ବୁଲି ବୁଲି ଶେଷକୁ ଏଠି ଆଶ୍ରୟ ନେଇଛି; ଏହି ଗଛମୂଳେ ସେହି ତାରାଟିକୁ ଭଲ କରିଦେଖି ପାରିବି ବୋଲି ଏଠାକୁ ଆସେ । ତମେ ଯଦି ମତେ ଘୃଣା କରୁଛ, ଆଉ ଆସିବି ନାହିଁ ।

 

ଏହା କହି ରମଣୀ ଶିଥିଳ ଗତିରେ ଚାଲିଗଲେ । ମୁଁ ପଛରୁ ଡାକିଲି–ଶୁଣ, ଆଉ ଗୋଟିଏ କଥା ତମକୁ କହିବି । ସେ ଆଉ ଶୁଣିଲେ ନାହିଁ ।

☆☆☆

 

Unknown

ଟ୍ରେନିଂ

 

ଦର୍ପଣ ସାମନାରେ ରଖି ନଟବର ଉଆଟିନ୍‌ ସ୍ନୋ ଡିବାଟି ଖୋଲି ସେଥିରୁ ଟିପେ ଟିପେ ମୁଖମଣ୍ଡଳରେ ମାରି ନିବିଷ୍ଟ ଚିତ୍ତରେ ସେଗୁଡ଼ିକ ଘଷିବାରେ ଲାଗିଛି । ଏହି ସମୟରେ ତା’ର ପ୍ରିୟ ସୁହୃତ୍‌ ମହେନ୍ଦ୍ର ପଛଆଡ଼ୁ ଆସି ସ୍ମିତ ବଦନରେ କହିଲା–‘‘ବାଃ, ଏତ ଗାଁ ନାଟବାଲାଙ୍କ ଦ୍ୱାରୀ ! ମୁହଁରେ ଚକ୍‌ଖଡ଼ି ବୋଳିଲା ପରି ଦିଶୁଛି । ଆଜି ଅଭିସାର ହେବ କି କୁଆଡ଼େ ? ତୁମେ ସବୁ ବିଦେଶୀ ବଣିକକୁ ପୋଷିଲ ଭାଇ ! କିଆଁ ସେଥିରୁ ଗୁଡ଼ିଏ ମୁହଁରେ ମାରି ପ୍ରାକୃତିକ ମୁଖଶ୍ରୀ ନଷ୍ଟ କରୁଛ, ଶୁଣେ ?’’

 

‘‘ଆରେ, ମଫସଲି କୋଉଠି ଥିଲୁ ? ତୁ କୋଉଠୁ ବୁଝିବୁ ? ଆସିଲୁ ଆସିଲୁ, ତୋ ମୁହଁରେ ଟିକେ ମାରିଦିଏ । ଆଃ, କି ଆରାମ ! ଯେମିତି କିଏ ବରଫ ଲଗେଇ ଦେଲା ! କି ସୌରଭ ଭାଇ, କ’ଣ କହିବି ? ଯେ ଏହି ସ୍ନୋ ଟିକି ବାହାର କରିଛି, ତାକୁ ମୁଁ ସହସ୍ର ମୁଖରେ ଧନ୍ୟବାଦ ନ ଦେଇ ରହି ପାରୁନାହିଁ । ଥାଉ ଥାଉ, ବାଜେ କଥା–ସେଉଠୁ....କ’ଣ ହେଲା ?’’

 

ସେ ମୁହଁ ଘଷିବାରେ ଲାଗିଲା ।

 

ମହେନ୍ଦ୍ରର ସେ ଆଡ଼େ ଲକ୍ଷ୍ୟ ନ ଥିଲା । ସେ ନଟର ଠିକଣା ଲେଖା ଖଣ୍ଡିଏ ପୋଷ୍ଟକାର୍ଡ଼ ଟେବୁଲ ଉପରୁ ନେଇ ପଢ଼ିବାରେ ବ୍ୟାପୃତ ଥିଲା । ସେ ସେ ଖଣ୍ଡି ପଢ଼ିସାରି ଚାହିଁଲା ବେଳକୁ ନଟ ପୂର୍ବପରି ତା’ କାମରେ ଲାଗି ପଡ଼ିଛି । ସେ ଅସହିଷ୍ଣୁ ହୋଇ କହିଲା–‘‘ମୁଷ୍କଲ ବାବୁ, ଲୋକଟାକୁ ଦେଖୁଛନା, ଖାଇଲାବେଳେ ସ୍ନୋ, ହଗିଗଲେ ସ୍ନୋ, ବନ୍ଧୁବାନ୍ଧବ ଆସିଲାବେଳେ ସ୍ନୋ...ମଲା ମଣିଷ, ଆରେ ବାବୁ, ରଖିଦେ ନା, ଆଜି କ’ଣ କିଏ ଦେଖିବାକୁ ଆସୁଛି ? ଦେଖୁଛ ନା, ସେ ଗାଲଟା ଏବେ କିମିତି ଧଳାରୁ ଯାଇ ରଙ୍ଗ ଦିଶିଲାଣି ?’’

 

‘‘ଆଚ୍ଛା ପଚାରେ, ଏହି ସ୍ନୋରେ କେତେ ଟଙ୍କା ମାସରେ ଖର୍ଚ୍ଚ ହେଉଛି ?’’

 

‘‘ନା ଭାଇ, ବେଶୀ ନୁହେଁ, ମୋଟେ ତିନିଟା ଟଙ୍କା ।’’

 

‘‘ଆଜିକାଲି ଜଳଖିଆ ଖିଆ ହେଉନି ପରା ବାବୁଙ୍କର ! ଆଃ, ରୂପ ତ ଯାହା ହେଲାଣି-।’’

 

ନା ମହେନ୍ଦ୍ର, ଆଜିକାଲି କଲେଜ ଛାଡ଼ିଲା ଦିନୁ ଜଳଖିଆ କିଏ ଦେଲା ? ଟିଉସନ୍‌ରୁ ତ ମୋଟେ ମିଳିଲା ପନ୍ଦରଟି । ମେସ୍‌ନେଲା ନଅଟି, ବାକୀ–ସ୍ନୋରେ ତ ଗଲା ତିନୋଟି ! ‘‘ଆଚ୍ଛା ନଟ, ଜଳଖିଆ ତିନୋଟି ଟଙ୍କାରେ ଖାଇଲେ ତ ଦେହରେ ଟିକେ ଜୋର ହୁଅନ୍ତା । ଭବିଷ୍ୟତ ଅଗ୍ନିମାନ୍ଦ୍ୟରୁ ତ ମୁକ୍ତି ମିଳନ୍ତା ! ଛି–ଛି, ତମକୁ ବାବୁ ପାରିହେବ ନାହିଁ ।’’

 

ନଟବର ଠୋ–ଠୋ ହୋଇ ହସି ଉଠିଲା । ସ୍ମିତ ବଦନରେ କହିଲା–‘‘ହଉ, ସେ ବକ୍ତୃତା ଥାଉ । ଖୁବ୍‌କହିଲ, ଏବେ ସେ କଥା କ’ଣ ହେଲା ?’’

 

‘‘ହବ ଆଉ କ’ଣ ? ଚିଠିରୁ ତ ସବୁ ଜାଣିଛୁ । ପରା କହୁଛୁ, ଚାକିରି ନ ମିଳିଲେ ତୁ ବାହା ହେବୁ ନାହିଁ ?’’

 

‘‘ସେ ଯାହା ହେଉ, ତୁ ମତେ ତାକୁ ଟିକେ ନ ଦେଖେଇ ଦେଲେ ହେବ ନାହିଁ ।’’

 

‘‘ଅରେ, ସେ କଥା କ’ଣ ମୋ ହାତରେ ଅଛି ? ମୁଁ ଠିକ୍‌ ଏହି କଥା ପରା ତମ ଦାଦିଙ୍କି ଲେଖିଥିଲି । ସେ ଉତ୍ତରରେ ଲେଖିଲେ–ସେ ଖୁବ୍‌ ଖାମଦାନ୍‌ଘର, ବିସ୍ତର ଟଙ୍କା । ହେଲେ ତାଙ୍କ ଘରେ ଏତେ ପର୍ଦ୍ଦା ବେଶୀ ଯେ ମୋଗଲ ଅନ୍ତଃପୁର ମହିଷୀଙ୍କ ପରି ଅସୂର୍ଯ୍ୟମ୍‌ପଶ୍ୟା ମୁଁ କ’ଣ କରିବି, କହ ଭାଇ ! ତେବେ ସେ ଲେଖିଛନ୍ତି ଯେ, ସେ ଗୋଟିଏ ଦାସୀ ପଠାଇ କନ୍ୟା ସମ୍ବନ୍ଧରେ ନାନା କଥା ଜାଣିଛନ୍ତି । ତାଙ୍କ ମତରେ କନ୍ୟାଟି ପରମ ରୂପବତୀ । ସାକ୍ଷାତ୍‌ ଲକ୍ଷ୍ମୀ–ପ୍ରତିମା ! ଏଥିରେ ମୋର ଚାରା କ’ଣ କହ ଭାଇ ? ତୁ ଯେମିତି କହିବୁ, ମୁଁ ସେମିତି କରିବି । ଦେଖୁଛୁ ତ ମତେ ଛୁଟି ଆଣିବାକୁ କହିଲେ ଖାଲି ଏଇଥିପାଇଁ କାଲି ମୋର ଜଏନ୍‌ ଦିନ ।’’

 

ନଟବର ମହା ସନ୍ଦେହରେ ପଡ଼ିଲା । ମନେ ମନେ କେତେ କ’ଣ ଭାବିଲା ପରେ କହିଲା–‘ଆଚ୍ଛା, ବାଳିକାଟି ପାଠ ପଢ଼ିଛି ନାଁ ?

 

‘‘କିମିତି କଥା ତୁ କହୁମ ? ଏଡ଼େ ବଡ଼ଘର ଝିଅ, ପାଠ ପଢ଼ି ନ ଥିବ !’’

 

‘‘ଧର ଯଦି ନ ପଢ଼ିଥିବ, ତୁ ପରା କହୁଛୁ, ସେମାନଙ୍କଠି ସୂର୍ଯ୍ୟକିରଣ ପଡ଼େ ନାହିଁ ?’’

 

‘‘କି ବୋକା ଏବ ଲୋକେ ! ଦେହରେ ସୂର୍ଯ୍ୟକିରଣ ପଡ଼େ ନାହିଁ ବୋଲି କ’ଣ ପାଠରେ ବି ପଡ଼ିବ ନାହିଁ ? ସେ ସବୁ ନେଇ ତୋର ମୁଣ୍ଡ ବିଗିଡ଼େଇବା ଦରକାର ନାହିଁ । ଏବେ କହ କେବକୁ ଦିନ ସ୍ଥିର କରିବା ?’’

 

‘‘ପାଗଳ ତୁ, କୋଉଠି ଖଣ୍ଡେ ନ ଜୁଟିଲେ ମୁଁ ବାହା ହେଉଛି ପରା ! ସେଥିରୁ ଗୋଟିଏ ଆଣି କ’ଣ ଚିନ୍ତା କରି କରି ମରିବି?’’

 

‘ଆଚ୍ଛା, ତାହାହେଲେ ମୁଁ ଯାଉଛି ତୁ ଚିଠି ଲେଖିବୁ ।’ ଚିନ୍ତିତ ମନରେ ନଟବର ବସି ରହିଲା ।

 

‘କିଛି ନ କହି ତୁନୀ ପଡ଼ିଗଲୁ କାହିଁକି ?’

 

‘କ’ଣ ଆଉ କହିବି, ତୁ ଯାହା କରିବୁ ।’

 

‘ଏ କିମିତି କଥା ? ମୋ ହାତରେ କ’ଣ ଅଛି ? ତୋ ଦାଦି ମତେ ଯେମିତି କହିବେ, ମୁଁ ସେମିତି କରିବି ।’

 

‘ଆଚ୍ଛା.....’

 

‘ନାଇଁ, ତୋର କୋଉଥିରେ ଅପ୍‌ଶୋଷ୍‌ ଥିଲେ ମତେ କହ ଯେ–ମୁଁ ଦେଖିବି ।’

 

‘ଖଣ୍ଡିଏ ଫଟୋ ମିଳିପାରିବ ନାହିଁ ?’

 

‘ଚିନ୍ତିତ ମନରେ ମହେନ୍ଦ୍ର କହିଲା–ଦେଖିବି ।’

 

ସେ ଚାଲିଗଲା ।

 

ନୃସିଂହ ବାବୁ ଥିଲେ କେନ୍ଦ୍ରାପଡ଼ା ସବ୍‌ଡ଼ିଭିଜିନାଲ୍‌ ଅଫିସରଙ୍କ ପେସ୍କାର । ଜୀବନର ତୃତୀୟ ଅବସ୍ଥା ଅତିକ୍ରମ କରିବା ଉପରେ; ତଥାପି ସଂସାରର ଚାପା ତାଙ୍କ ଉପରେ ଏତେ ବେଶୀ ଯେ, ସେଥିରୁ ସେ ମୁକ୍ତି ପାଇବାକୁ ଚେଷ୍ଟା କଲେ ମଧ୍ୟ ସଂସାରର ଜଞ୍ଜାଳ ତାଙ୍କୁ ଭିଡ଼ି ଧରିଥିଲା; ତେଣୁ ଦେଖିଲେ ଯେତେବେଳେ ମୁକ୍ତି ନ ମିଳୁଛି, ଦୃଢ଼ ଭାବରେ ଅଣ୍ଟା ଭିଡ଼ି ନ ବସିବେ କାହିଁକି ? ଏଥିପାଇଁ ସେ ତାଙ୍କର ସଞ୍ଚିତ ନିର୍ଲିପ୍ତତାକୁ ତଡ଼ିଦେଇ ଆଣିଛନ୍ତି ତା’ ବଦଳରେ କାମନା, ବାସନା । ପରିବାରର ମୁରବି ସେ । ତାଙ୍କ ଉପରେ ତାଙ୍କ ପରିବାର ତଥା ତାଙ୍କ ମୃତ ବଡ଼ ଭାଇଙ୍କ ପରିବାର ସଂପୂର୍ଣ୍ଣ ଭାବରେ ନିର୍ଭର କରନ୍ତି । ଘରେ ସମ୍ପତ୍ତିବାଡ଼ି ବିଶେଷ କିଛି ନାହିଁ । ଅତି କଷ୍ଟରେ ଭାତ ଗଣ୍ଡାକ ଧାନ ଜମିରୁ ଚଳେ । ତାଙ୍କର ଚାକିରି ଟଙ୍କାରୁ ନଟବର ବି.ଏ.ପାସ୍‌କରିଛି । ଦୁଇଟି ଝିଅ ସେ ବାହାଘର କରାଇଛନ୍ତି, ବେଶ୍‌ ଜାକଜମକରେ । ପୁଣି ନଟର ଗୋଟିଏ ଭାଇ ମାଟ୍ରିକ ପଢ଼ିଛି ।

 

ନଟର ପଚିଶ ବର୍ଷ ଚାଲିଛି । ଗ୍ରାମରେ ଚହଳ ପଡ଼ିଗଲାଣି ବାପ ନାହିଁ ବୋଲି ସିନା ନଟ ଏପର୍ଯ୍ୟନ୍ତ ବାବନାଭୂତ ହୋଇ ବୁଲୁଛି, ନହେଲେ ଏ ବୟସରେ କୋଉ ପୁଅ ଘରସଂସାର ନ କରେ ? ଏ ଅପବାଦ ଯେ ନୃସିଂହବାବୁଙ୍କ କାନକୁ ନ ଆସିଛି, ଏ କଥା ଠିକ୍‌ କହି ହେବ ନାହିଁ । କାରଣ ଏହି ବିଷୟରେ ପତି–ପତ୍ନୀଙ୍କ ଭିତରେ କେତେଥର ବାକ୍‌ଯୁଦ୍ଧ ଲାଗିଯାଇ ସେ ପତ୍ନୀଙ୍କ ପାଖରେ ହାର ମାନିଛନ୍ତି । ତାଙ୍କ ପତ୍ନୀ ଚମ୍ପାଦେଇ ଦିନେ କହିଲେ, ‘ନଟ ଚାକିରି ନ କଲେ ବିବାହ କରିବ ନାହିଁ ବୋଲି କହିଲେ କ’ଣ ହେଲା, ତମେ ତ କିଛି ତା ପାଇଁ କରିବ ? ଏତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼େଇଲ ଆଉ ବା ବାହାଘରରେ କେତେ ଖର୍ଚ୍ଚ ହେବ ! ଏହି କଥାକୁ ଭୟ କରି ମଣିଷ କେତେ ଯେ ଅପବାଦ ସହିବ, ତାର ସୀମା ନାହିଁ । ତା ବୋଉ ତ ସବୁବେଳେ ଅଥାର ଲଦିଲା ପରି ମୁହଁ କରିଛନ୍ତି । ମୁହଁରେ ସିନା କିଛି କହନ୍ତି ନାହିଁ, ଏଙ୍କ ପାଖରେ ତାଙ୍କ ପାଖରେ ବାରକଥା କହନ୍ତି-। ମୁଁ ସବୁ ଶୁଣି ନ ଶୁଣିଲା ପରି ରହେ ।’ ଏହିପରି ଦୁଇ ତିନିଥର ସେ ପତ୍ନୀଙ୍କ ମୁଖରୁ ଶୁଣିଛନ୍ତି, ହେଲେ ଟାଳ ଦିଅନ୍ତି–ହଁ, ଦେଖିବା, ସମୟ କାହିଁ–ଇତ୍ୟାଦି ଜବାବ ଦେଇ । ଏସବୁ ଫାଙ୍କି ପଛପଟେ ଲୁଚି ରହିଥିଲା ଅର୍ଥ–ପିପାସା । ଯାହା ତାଙ୍କୁ ନିବିଷ୍ଟ ଚିତ୍ତରେ ଭାବିବାକୁ ଦେଇଥିଲା–ବରରତ୍ନ ବିକିଲେ କେତେ ଲାଭ ହେବ ।

 

ସେଦିନ କଚେରୀ କାମରେ ନିତାନ୍ତ ବ୍ୟସ୍ତ ରହି ଦିନଯାକ ଆଦୌ ତର ମିଳିଲା ନାହିଁ । ସେହି ଶେଷ କଚେରୀଇଷ୍ଟର ଛୁଟି ସେଇଦିନ ହେବ । ରାତି ହୋଇ ଗଲା ସେ ଦିନ ପେସ୍କାର ବାବୁଙ୍କର କଚେରୀରୁ ଆସିବାକୁ। ସନ୍ଧ୍ୟାଜପରେ ଲାଗିପଡ଼ିଲେ ଦୈନଦିନ କାର୍ଯ୍ୟ ପରି । ଏହି ସମୟରେ ତାଙ୍କ ସାନଝିଅ ଡାକିଲା, ‘‘ବାପା, କିଏ ଆସିଛନ୍ତି ଗୋପଳସାଗରରୁ । ନୃସିଂହ ବାବୁଙ୍କର ଭଗବଦ୍‍ ପ୍ରାର୍ଥନା ସେଦିନ ଅଧା ରହିଲା–ପୁଣି କାଲି ସକାଳୁ ଆରମ୍ଭ ହେବ । ପିଣ୍ଡାରେ ଠିଆ ହେଉଣୁ ଜଣେ ବୃଦ୍ଧ ତାଙ୍କୁ ନମସ୍କାର କଲେ । ମସ୍ତକଟି ତାଙ୍କର ଠିକ୍ ତରଭୁଜ ପରି ଚିକ୍‌ଣ ଓ ଗୋଲ ; ଶିଖାଟି ଠିକ୍‌ ତାର ନାଡ଼ ପରି । ପରିଚ୍ଛେଦରେ ପରିପାଟି ଯଥେଷ୍ଟ ଥିଲା । ଫେର ଲୁଗା କୁଞ୍ଚା ହୋଇ ଅଣ୍ଟାରେ ଖୋସା ହୋଇଛି । କଇଁଫୁଲିଆ ଧୋବ ଶାନ୍ତିପୁରୀ ଚାଦରଟି ବାମ୍ଫସ୍କନ୍ଧରୁ କଟୀଯାକେ ଲମ୍ବିଛି । ପାଦରେ ଯୋଡ଼ିଏ ମରହଟ୍ଟିଆ କାବୁଲି ଜୋତା । ହାତରେ ଖଣ୍ଡିଏ ବାଙ୍କୁଲି ବାଡ଼ି । ପଛରେ ଠିଆ ହୋଇଛି, ବାରିକଘର ପୁଅ ଅର୍ଜୁନା ପାନିବିଡ଼ା ଧରି ଏହି ଅଭିଜାତ୍ୟସମ୍ପନ୍ନ ନିତାନ୍ତ ସୌଖିନ୍ ପ୍ରାପ୍ତବୟସ୍କ କନ୍ୟାପିତା ଅତି ନମ୍ର ହୋଇ ପେସ୍କାର ବାବୁଙ୍କୁ ନମସ୍କାର କଲେ । ପ୍ରତି ନମସ୍କାର ଗ୍ରହଣ କରି ପେସ୍କାର ବାବୁ ଅତି ଆଦର ଦେଖାଇ ବସିବାକୁ କହିଲେ । କନ୍ୟାପିତାଙ୍କର ବୁକୁ ଧଡ଼ପଡ଼ ହେଲା, କାହିଁକି ସେ ନିଜେ ଏ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ । ଏହାରି ଅନ୍ତରାଳରେ ବୋଧହୁଏ ପ୍ରଚ୍ଛନ୍ନ ଥିଲା , ରକ୍ତଶୋଷୀ ବରକର୍ତ୍ତାର ପ୍ରାଣମ୍ଭରୀ ଅର୍ଥ–ଶୋଷଣ ।

 

ପେସ୍କାରବାବୁଙ୍କ ଚାକର ମାଧିଆ ପାନ ଆଣି ଦେଲା । ତାକୁ ଆଦେଶ ହେଲା , ହେଡ୍‌ କିରାନୀ ବାବୁଙ୍କୁ ଡାକି ଆଣିବାକୁ ସେହି ସାଙ୍ଗେ ସାଙ୍ଗେ । ପେସ୍କାରବାବୁ ଲୌକିକତା ରକ୍ଷା କରି ନାନା ପ୍ରକାର ମାମୁଲି ପ୍ରଶ୍ନ ପଚାରିଲା ପରେ କହିଲେ–ବାବୁ, କ’ଣ ଠିକଣା କଲେ ? ଏହି ବୈଶାଖରେ ହେବ ତ ?

 

ଜମିଦାରେ ଧ୍ୟାନମଗ୍ନ ସନ୍ନ୍ୟାସୀ ପରି ବସିଥିଲେ । କହିଲେ, ‘‘ହଁ , କଲେ ଭଲ ହେବ । ବହୁତ କାମ ମୋର, ଟିକେ ଫୁରସତ୍ ମିଳେନା, ଚେଷ୍ଟା କରାଯିବ । ତେବେ ଆପଣ ଦିନ ସ୍ଥିର କରନ୍ତୁ, ଆପଣଙ୍କଠି ତ ସବୁ ।’’

 

ପେସ୍କାରବାବୁ ଏଠି ସିନା ଆଗ କହି ପକେଇଲେ, ହେଲେ ମନଟା ତାଙ୍କର କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ରାଜି ନ ଥିଲା । ତାଙ୍କର ଦୀର୍ଘସୂତ୍ରତା ବୁଝିବାକୁ ଜମିଦାର ବାବୁଙ୍କର ବାକି ନ ଥିଲା । ଜମିଦାର ଅପେକ୍ଷାରେ ରହିଲେ । କିଛି ସ୍ଥିରତା ନ ପାଇ କହିଲେ–ଆଉ କ’ଣ ଅଛି, ସବୁ ତ ପ୍ରାୟ ଠିକ୍‌ ହୋଇଗଲାଣି । ଖାଲି ଦବା ନବା ବିଷୟ ଛିଡ଼ିଗଲେ, ଆଉ କ’ଣ ଅଛି କି ? ବୁଝିଲେ ବାବୁ, ଆପଣ ସିନା କଞ୍ଚା ପଇସା ରାତି ପାହିଲା ବେଳକୁ ଦେଖୁଛନ୍ତି, ଆମ୍ଭମାନଙ୍କ ଅବସ୍ଥା କହିଲେ ନ ସରେ । ଦି’ଖଣ୍ଡ ଗହଣାଗଣ୍ଠି ଦେଲାବେଳକୁ ତ ମଁ ନାକେଦମ୍।

 

ପେସ୍କାରବାବୁଙ୍କ ସ୍ୱଭାବଚରିତ୍ର ଜମିଦାରେ ଅନେକ ଆଗରୁ ଲୋକମୁଖରୁ ଶୁଣିଥିଲେ । ସେଥିପାଇଁ ସେ ଆଜି କାଲିପରି ମଟାଳୁଥାନ୍ତି । ଏହି ପ୍ରକାର ମଟାଳିବାରୁ ତାଙ୍କର ନାନା ସଂଶୟ ହୋଇଥିଲା । ମନେ ମନେ କ’ଣ ସେ ବିଚାରୁଥାନ୍ତି, ଏହି ସମୟରେ ହେଡ଼୍‌କ୍ଲର୍କ ବାବୁ ଆସି ପହଞ୍ଚିଗଲେ । ସାଙ୍ଗେ ସାଙ୍ଗେ ନିତାନ୍ତ ପରିଚିତ ପରି ସେ କହିଲେ, ‘‘ନମସ୍କାର ଆଜ୍ଞା, କେତେବେଳେ ଆସିଲେ କି ?’’

 

ସେ କିଛି କହିବା ଆଗରୁ ପେସ୍କାରବାବୁ କହିଲେ–‘‘ଏବେ ତ ଆସିଛନ୍ତି।’’

 

ହେଡ଼୍‌କିରାନୀବାବୁ କହିଲେ–‘‘ଭଲ ହେଲା, ଆଉ ଅଳ୍ପଦିନ ବାହାଘର ଅଛି । କ’ଣ ବା ସେଥିରେ ଅଛି, ଦାନ ଯୌତୁକ ଛିଣ୍ଡେଇବ କ’ଣ ଗୋଟାଏ ଭାରୀ ବଡ଼ କଥା । ବହୁ କ’ଣ ରାସ୍ତାଖର୍ଚ୍ଚକୁ ହଜାରେ ଦି’ହଜାର ନ ଦେବେ ନା ଚାଳିଶ ପଚାଣ ଭରି ସୁନା ଝିଅକୁ ନ ଦେବେ । ମୁଁ ଏ ଦାନଯୌତୁକ କଥା ମୋଟେ ପସନ୍ଦ କରେ ନା । ହେଲେ ଖାଲି ଏ ଲୋକଦେଖାକୁ ଯାହା ସିନା-!’’ ସେ ଯୋଗୁ....ନା ବାବୁ, ସେ ଯୋଗୁ କ’ଣ ରହି ଯାଉଛି କହି ପେସ୍କାରବାବୁ ଖଣ୍ଡିଏ ପାନ ଖାଇଲେ ।

 

ଜମିଦାର ମହାଶୟ, ଏ ଖର୍ଚ୍ଚଫର୍ଦ୍ଦ ଶୁଣି ଏକାବେଳେକେ ମର୍ମାହତ ହୋଇ ପଡ଼ିଲେ । ଆରେ ବାପ୍‌ରେ ବାସ୍‌–ଧାନ ଟଙ୍କାରେ ଆଠ ଗୌଣୀ, ସୁନା ଭରି ଟ୩୪୧ । ଦୁଇଟି କଥା ସଙ୍ଗେ ସଙ୍ଗେ ତାଙ୍କର ମନେ ପଡ଼ିଲା । ଗୋଟାଏ ଦୀର୍ଘନିଶ୍ୱାସ ପକେଇ ଜମିଦାର ମହାଶୟ କହିଲେ, ‘‘ବାବୁ, ଏମିତି ତଣ୍ଟିରେ ବସିଲେ ହେବ ନା ? ବଳ ଯାହା ପାଇବ, ଦେବି ।’’ ଶେଷରେ କଥାଟା ଭାଙ୍ଗସାର ହୋଇଗଲା–କୋଉ ତରଫକୁ ନ ବାଧିଲା ଭଳି ।

 

ଗତ ବୈଶାଖରେ ଗୌରୀର ନଟ ସାଥିରେ ବିବାହ ହୋଇ ଯାଇଛି । ଗୌରୀ ପାଟୀଗଣିତ କଷିଛି, ବିଦ୍‌ଗଧ ଚିନ୍ତାମଣିରୁ ଛନ୍ଦ, କେଶବ କେଇଲି, ମଥୁରା ମଙ୍ଗଳ ଇତ୍ୟାଦି ମୁଖସ୍ଥ କରିଛି, ହେଲେ ସେ ଆଧୁନିକ ଗଳ୍ପ ଉପନ୍ୟାସ କିଛି ପଢ଼ି ନାହିଁ, ମାସିକ ପତ୍ରିକା ମୋଟେ ଦେଖି ନାହିଁ । ସେ ବାହା ହୋଇ ଆସିଲା ଦିନ ମୁହଁରେ ସ୍ନୋ ଲଗେଇ ନ ଥିଲା; କିନ୍ତୁ ତା’ର ସ୍ନୋ–ବିହୀନ ନିଖୁଣ ସୌନ୍ଦର୍ଯ୍ୟ ବାସ୍ତବିକ ଉପଭୋଗ୍ୟ । ସେ ଅଗ୍ନି ପରି ଝଟକୁଛି। ଝରଣା ଜଳ ପରି ନିର୍ମଳ, ଚିନ୍ତାଗୁଡ଼ିକ ସୂର୍ଯ୍ୟର ଅଗ୍ନି ପରି ପ୍ରଖର । ତା’ର ଏହି ନୈସର୍ଗିକ ସୌନ୍ଦର୍ଯ୍ୟ ଓ ଛଳନାହୀନ ଗତି ନଟ ମୁହଁରେ କଳା ବୋଳିଦେଲା । ନଟର ଅଭିଳଷିତ କଳ୍ପନା ପ୍ରସୂତ ବାଳିକା ପତ୍ନୀଟି ନିଶ୍ଚୟ ତରଲ୍‌ଅଳତା, ସାବୁନ, ଏସେନ୍‌ସ ବ୍ୟବହାର କରୁଥିବ । କିନ୍ତୁ ହାୟ, ଏ ଯେ ବିଲ୍‌କୁଲ୍‌ ଓଡ଼ିଆଣୀ ! ଦେହ ତମାମ୍‌ ହଳଦୀ ଗର ଗର । ସୁନା ପରି ଦିଶୁଛି । ଚକ୍ଷୁରେ କଳାଗାର, ଚୂଆଚନ୍ଦନ କସ୍ତୁରୀ କୁଙ୍କୁମର ସୁବାସ । ନଟ ମନ ଏବାବେଳକେ ଫିକା ପଡ଼ିଗଲା । ଏତେଗୁଡ଼ାଏ ରୋଜ୍‌ ଏସେନ୍‌ସ, ସ୍ନୋ ସିନା ସବୁ ମାଟି ! ଛି–ଛି–ପରିବାରରେ ଗୌରୀକୁ ସମସ୍ତେ ସୁଖ ପାଇଲେ । ତାର ରୂପ ବିଭବ ଯେ ଦେଖିଲା, ସେ ପ୍ରଶଂସା କଲା । ସେ କିମିତି ନିନ୍ଦା କରି କାହା ଆଗରେ କହିବ ? ତାକୁ ଏ ସବୁ ଭଲା ଶିଖେଇ ଦିଅନ୍ତା ! କିନ୍ତୁ ସେ ଯେ ପ୍ରଗତିର ତ୍ରିସୀମାର ବାହାରେ । ଏତେ କୁସଂସ୍କାର କ’ଣ ସହଜରେ ତଡ଼ିଦେଇ ହେବ ! ନାନା ଅର୍ଥହୀନ ଚିନ୍ତାରେ ନଟର ଚିନ୍ତାଧାରା ବରାବର କର୍ଦ୍ଦମାକ୍ତ ପଥରେ ପଥିକର ଗତି ଭଳି ବାଧାପ୍ରାପ୍ତ ହେଲା । ସେ କେତେଥର ଚିତ୍‌ପଟାଙ୍ଗ ହୋଇ ପଡ଼ିଗଲା । ଉଠିଲା ନିଶ୍ଚୟ ; କିନ୍ତୁ କରିବ କ’ଣ ? ସେଦିନ ନିତାନ୍ତ ଅସହ୍ୟ ହେବାରୁ ଖଣ୍ଡିଏ ଚିଠି ଲେଖିଲା–‘‘ମହେନ୍ଦ୍ର, ତୁ ମୋ ସାଙ୍ଗରେ ଏତେ ଶଠତା କରିବୁ ବୋଲି ମୋର ଧାରଣା ନ ଥିଲା । ମତେ ଯୋଉ ବାଳିକାର ଫଟୋ ଦେଖାଇଥିଲୁ, ଏ ତ ସେ ବାଳିକା ନୁହେ ! ଏହାର ବ୍ଲାଉସ୍‌ କାହିଁ, ଶାଢ଼ୀ କୁଞ୍ଚା କାହିଁ ? ବ୍ରୁଚ ଗୋଟାଏ ଦେଲେ ବି ସେ ନେଉ ନାହିଁ । ଅଧରରେ ଆଦୌ କୃତ୍ରିମତା ନାହିଁ । ବାସ୍ତବିକ ତୁ ମୋ ଜୀବନ ବିଲ୍‌କୁଲ ମାଟି କରିଦେଲୁ । ମତେ ଏ ସବୁ କଥା ନ କହିଲୁ ବା କାହିଁକି, ମୁଁ ବୁଝିପାରୁ ନାହିଁ । ଯାହାହେଉ ତୁ ଶୀଘ୍ର ଦୁଇ ଦିନ ପାଇଁ ଏଠାକୁ ଆସିବୁ ।’

 

ମହେନ୍ଦ୍ର ଚିଠି ପାଇ ତାଜୁବ୍‌ ହୋଇ ମନେ ମନେ କହିଲା–‘ହାଇରେ, ଏଭଳି ବୋକା ବି ଦୁନିଆରେ ଅଛନ୍ତି ?’ ଚିଠିର ଉତ୍ତର ଦେବାକୁ ତା’ର ସେ ସମୟ ଓ ସୁଯୋଗ ନ ଥିଲା, ଏ କଥା ଠିକ୍‌ କହିହେବ ନାହିଁ । ତେବେ ସେ ଚିଠିର ଉତ୍ତର ଦେବାର ଗୁରୁତ୍ୱଟା ଅନୁଭବ କରି ପାରିଲା ନାହିଁ-। ହଠାତ୍‌ ଦିନେ ତାର ପାଇଲା ‘‘ନଟ ଟାଇଫୋଡ଼୍‌ରେ ପଡ଼ିଛି, ଶୀଘ୍ର ଆସ ।’’ ଏକାନ୍ତ ମର୍ମାହତ ହୋଇ ଦୁଇଦିନ ଛୁଟି ପାଇ ନଟକୁ ଦେଖିବାକୁ ଗଲା କେନ୍ଦ୍ରାପଡ଼ା । ନଟର ପୂର୍ଣ୍ଣ ସ୍ୱାସ୍ଥ୍ୟ ଦେଖି ସେ ତାଜୁବ୍‌ ହୋଇଗଲା । ହସି ହସି କହିଲା–‘‘ମତେ ବୋକା ବନେଇଲୁ ଏକା ନଟ !’’

 

ନଟ ଗୁମ୍‌ ହୋଇ ରହିଗଲା । ଭିତରେ ଯେ ତା’ର କେତେ ଅଭିମାନ ଗୋପନରେ ରହି କେତେ କ’ଣ ସୃଷ୍ଟି କରିଥିଲେ, ସେହି କେବଳ କହିବ । ନିତାନ୍ତ ବେହିଆ ହୋଇ ମହେନ୍ଦ୍ର କହିଲା–‘‘ଏବେ ଏମିତି ବାବାଜି ହେଲୁ କାହିଁକି ନଟ ! ପ୍ରେମ–ବୈରାଗ୍ୟ କିରେ ?’’

 

ମହେନ୍ଦ୍ରର ରସିକତା ହାଣିଲା ନଟ ବୁକୁରେ ବଜ୍ରବାଣ । ସେ ଅସହିଷ୍ଣୁ ହୋଇ କହିଲା–‘‘ଏମିତି ପରା ଶୁଝିଦେଲୁ ନିଜର ଋଣ !’’

 

ଅତି ଅରସିକ ଆଗରେ ରସିକତା କରି ଯୋଉ ମୂଲ୍ୟ ମିଳେ, ମହେନ୍ଦ୍ର କପାଳରେ ସେ ଦିନ ଅନେକ ମିଳିଥିଲା, ଏହି ଶ୍ରେଣୀର ପୁରସ୍କାର । ଫଳରେ ନଟର ନୈରାଶ୍ୟ ଓ ବିରକ୍ତି ବୃଦ୍ଧି ପାଇଥିଲା ସିନା, ବୁକୁର ଦରଦ ଊଣା ହୋଇ ପାରି ନ ଥିଲା । ମହେନ୍ଦ୍ର ବିରକ୍ତ ହୋଇ କହିଲା–‘‘କି ଆଶ୍ଚର୍ଯ୍ୟ କଥା ! ମତେ କାହିଁକି ଏମିତି ଉଚ୍ଛନ୍ନ କରି ପକେଇଲୁ ? ଉଃ, କି ମୁସ୍କିଲ–ସୌନ୍ଦର୍ଯ୍ୟରୁ ଯେମିତି ଚାଟି ଖାଇବୁ !’’

 

ବନ୍ଧୁକୁ ନାନା ଭାବରେ ସମ୍ବର୍ଦ୍ଧନା କଲା ନାଟ । ଖାଇ ପିଇ ଆଶ୍ୱସ୍ତ ହେଲାପରେ ନଟ କହିଲା–‘ମୋ ସାଙ୍ଗରେ ଏମିତି ବ୍ୟବହାର କାହିଁକି କଲୁ ଶୁଣେ ! ଯୋଉ ଫଟୋ ମତେ ଦେଇଥିଲୁ, ସେଇଟା ତ ଏହାର ଫଟୋ ନୁହେଁ !

 

ମହେନ୍ଦ୍ର ଛଳନାରେ ବିସ୍ମିତ ହେଲା ପରି କହିଲା, ‘ସତେ ?’

 

ତା’ପରେ ହସି ହସି କହିଲା–‘‘ଆଃ....କି ମୁସ୍କିଲ ! ହଉ, ଯାହା ତ ହେବାର ହେଲାଣି ଏବେ କ’ଣ କରିବି କହ ?

 

‘ଏବେ କ’ଣ ମୁଁ ତାକୁ ଛାଡ଼ପତ୍ର ଦେବି ?’

 

ମହେନ୍ଦ୍ର ହସି ହସି ବେଦମ୍‌ ହେଲା । ତା’ର ବିମର୍ଷ ବଦନରେ କ୍ଷୋଭ ଓ ଅସୂୟାର ନିବିଡ଼ ଛାୟା ପତିତ ହୋଇ ତାକୁ ଏକାବେଳେକେ କଳା କରିଦେଲା; ସେ ରାଗରେ କାନ୍ଦିଲା ।

 

ମହେନ୍ଦ୍ର ରସିକତା ବଜାୟ ରଖିଥିଲା ସିନା, ତାକୁ କାନ୍ଦିବାର ଦେଖି ସେ ଦବିଗଲା । ଦଣ୍ଡେ କାଳ କିଛି କହି ପାରିଲା ନାହିଁ । ତା’ପରେ କହିଲା–ପାଗଳ କିରେ ତୁ ? ‘‘ଏଗୁଡ଼ାକ କ’ଣ କହୁଛୁ ? କପାଳରେ ଯାହା ଥିଲା ହୋଇଗଲା । ସେ ଏମିତି କ’ଣ ହୋଇଛି ଯେ ତା’ର ଏତେ ଝୁଙ୍କ୍-? ସମସ୍ତେ ତ କହୁଛନ୍ତି ସେ ପରମା(...) ସୁନ୍ଦରୀ, ସୁଶ୍ରୀ, ମିଷ୍ଟଭାଷିଣୀ । ତୋର କୋଉଟା ପସନ୍ଦ ହେଲା ନାହିଁ, ମୁଁ ବୁଝିଲି ନାହିଁ । ଯାହା ବା ତା’ର ତୋ ମନକୁ ଆସୁ ନ ଥିଲା ସେଗୁଡ଼ିକ ସୁଧୁରିଯିବ ନାହିଁ । ତୋର ଏହି କୃଷ୍ଣ କେଶ କରି ସବୁଦିନେ ଏମିତି କଳା ଦିଶୁଥିବ, ଧଳା ହେବ ନି କି !’’

 

ସେ ନୀରବ ରହିଲା । କ’ଣ ବା କହନ୍ତା । ତା’ପରେ ପୁଣି ମହେନ୍ଦ୍ର କହିଲା–‘‘ମତେ କାହିଁକି ଦୋଷ ଦେଉଛୁ ? ମୁଁ କ’ଣ କଲି ? ତମ ଦାଦି ମୋତେ ଯେତେବେଳେ ଗୋଟିଏ ଫଟୋବାଲା ପାଖରୁ ଫଟୋଟି ଆଣିଦେଲେ, ମୁଁ ତାଙ୍କୁ ସଫା କହିଦେଲି–ମାଫ୍‍ କରିବେ, ମୁଁ ଏମିତି ବିଶ୍ୱସଘାତକତା କରି ପାରିବି ନାହିଁ । ସେ କ’ଣ କହିଲେ ଜାଣୁ–ନା ହେ, ତମେ ସବୁ ଟୋକା ଟାକିଳିଆ ତଟୁ ଘୋଡ଼ା–କାମ କରିବ ଥୋଡ଼ା ଥୋଡ଼ା । ଏହିକ୍ଷଣି ହୁଜୁରେ (...) ମାତିଛ । ମୋର ତ ପୁଣି ମୋହମତ୍ ଅଛି ? ଭଦ୍ରଲୋକକୁ ଯେତେବେଳେ ଜବାବ୍ ଦେଇ ସାରିଲିଣି, ଏହିକ୍ଷଣି କୋଉ ମୁହଁରେ ତାକୁ ମନା କରିବି ? ତମ ଦାଦି ତ ଟଙ୍କା ପାଇବେ ବୋଲି ଅସ୍ଥିର ହୋଇ ପଡ଼ିଲେ, ଆଉ ମୋ ଉପରେ ସବୁ ଦୋଷଯାକ ଅଜାଡ଼ି ପକାଉଛୁ କାହିଁକି ? ମୁଁ ତା’ ପାଖରେ ଫଟୋ ଖଣ୍ଡିକ ଫୋପାଡ଼ି ଦେଇ ଆସିଲି । ମୋର କି ଦରକାର ?’’

 

ନଟର ମୁହଁ କ୍ରୋଧରେ ଲାଲ ପଡ଼ିଗଲା । ମନେ ହେଲା, ଯେମିତି ଏହିକ୍ଷଣି ଘରେ ନିଆଁ ଲଗେଇ କୌପୁନୀ ମାରି କୁଆଡ଼େ ଚାଲିଯିବ । ନିଜକୁ ସଂଯତ କରି ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ବସି ପଡ଼ିଲା ।

 

ମହେନ୍ଦ୍ର ତା’ର ଏ ଭାବନ୍ତର ଦାଖି ସହାନୁଭୂତି ଛଳରେ କହିଲା–‘‘ନଟ, ସେ ସବୁ ବାଜେ କଥାନେଇ ଆଉ ମୁଣ୍ଡ ଖରାପ କରନା । ଯାହାକୁ ପାଇଛି, ସେ ଭଲ । ଗୋଲାପର ସୌଦର୍ଯ୍ୟ ସମସ୍ତେ ବୁଝନ୍ତି; ତେଣୁ ଗୋଲାପର ସୌନ୍ଦର୍ଯ୍ୟ ଅଛି କହିବାରେ କୋଉ ବାହାଦୂରୀ ? ସହଜ ସରଳ କଥାରେ କେହି ଜୀବନରେ ସତ୍ୟ ବୁଝେ ନା । ସେହି ସତ୍ୟର ସନ୍ଧାନୀ ହେବାକୁ ଗଲେ ଜୀବନକୁ ପାଣି ଛଡ଼ାଇ ଦେବାକୁ ପଡ଼େ । ଆଚ୍ଛା କହିଲୁ, ଯଦି ମହାତ୍ମା ଦକ୍ଷିଣ ଆଫ୍ରିକାରେ ନିର୍ଯ୍ୟାତନା ସହି ନ ଥାନ୍ତେ, ତାଙ୍କୁ କିଏ ଚିହ୍ନିଥାନ୍ତା । ଏକାଦିନେ କ’ଣ ସେ ମହାତ୍ମା ହୋଇଗଲେ ନା ଜନ୍ମ ହେବା ମାତ୍ରକେ ଲୋକେ ତାଙ୍କୁ ମହାତ୍ମା ବୋଲି କହିଥିଲେ ! ତୁ କାହିଁକି ଛାନିଆ ହେଉଛୁ ? ତୋ ସ୍ତ୍ରୀ ଯଦି ସ୍ନୋ–ସାବୁନ୍‌ ନ ଲଗାଉଛି, ସେଇଟା ସେ ତୋଠୁ ଶିଖିଯିବନି ?.ଏହା କହି ସେ ଠୋ–ଠୋ ହସିଲା ।

 

ନଟ ବୋକାଙ୍କ ପରି ବସି ରହିଲା ।

 

ତିନିମାସ ପରେ । ନଟ ଏହିକ୍ଷଣି ପି. ଡବଲିଉ. ଡି ଅଫିସରେ ପଞ୍ଚାବନ ଟଙ୍କାରେ କିରାନୀ । ଗୋଟିଏ ମେସ୍‌ରେ ରହେ । କାହାରି ସାଙ୍ଗରେ ମିଳାମିଶା କରେ ନାହିଁ । ଅନ୍ୟମନସ୍କ ଭାବରେ ଥାଏ–ହେଲେ ସ୍ନୋ ଏସେନ୍‌ସର ଗନ୍ଧରେ ତା’ ବଖରାଟି ଏକାବେଳକେ ଆମୋଦିତ ହୋଇଥାଏ । କିନ୍ତୁ ଭିତରେ ଗୋଟିଏ ଗନ୍ଧର ଅଭାବ ଥାଏ । ସେଇଟା ହେଲା–ଗୌରୀକି ସେ ଚିଠି ଲେଖେ, ଗୌରୀ ତାକୁ ଲେଖେ ନାହିଁ । ଏ ଦୁର୍ଗନ୍ଧରେ ତା’ର ନାକ ଫାଟିଗଲା । ସେ ଏକାବେଳକେ ହତଚେତନା । ସେ ଦିନ ନିତାନ୍ତ ବିରକ୍ତ ହୋଇ ଅଫିସକୁ ଗଲା । ଅଫିସ୍‌ରେ କୋଉ କାମ କରିବାରେ ତା’ର ପ୍ରବୃତ୍ତି, ନ ଥିଲା । ମନରେ ଏଣୁ ତେଣୁ ଅନା ବନା ଚିନ୍ତା । ବଡ଼ ସାହେବ ଗାଳିଦେବା ତ ଦୂରର କଥା, ହେଡ଼୍‌କିରାନୀ ନଟକୁ ଖୁବ୍ ତାନେ ଶୋଧିଗଲେ । ସେ ଏକାନ୍ତ ବିବ୍ରତ ହୋଇ ସେ ଦିନ ସ୍ଥିର କଲା–ଚାକିରିରୁ ଇସ୍ତଫା ଦେଇ ଚାଲିଯିବ କୁଆଡ଼େ । କୋଉ କଥା ଜୀବନରେ ହେଲା ଯେ....ଏ କଥା ସେ ଆପଣା ମନ ମଧ୍ୟରେ ନ ରଖି ତା’ର ସଙ୍ଗୀ ଜଣେ କିରାନୀ ପାଖରେ କହିଦେଲା । ହେଡ଼୍‌କିରାନୀ ବାବୁ ଯାହା କହିଥିଲେ ନା କାମ ପାଇଁ ଏଥର ବିଲ୍‌କୁଲ୍ ମୁରବି ହୋଇ ଶୋଧିଗଲେ । ନଟ କିଛି କହିଲା ନାହିଁ । ବସାକୁ ଆସିଲା । ମନେ ହେଲା, ଗୌରୀ ଥିଲେ ସେ କଅଣ ଏଥିରୁ ଭାଗ ନେଇ ନ ଥାନ୍ତା । ସେ ପରା ଅର୍ଦ୍ଧାଙ୍ଗିନୀ !!!

 

ଜୀବନଟା ବଡ଼ ଦୁର୍ବହ, ବଡ଼ ଦୁଃସହ । ରାତିଟା କୌଣସିମତେ କଟାଇ ଦେଲା । ସକାଳୁ ଉଠି ନିତ୍ୟକର୍ମ ଶେଷ କରି ନଟ ଚାଲିଲା ବସା ଖୋଜି । ଭଲ ବସାଟିଏ ମିଳିଲେ ସେ ଗୌରୀକୁ ଆଣି ଏକାଠି ରହିବ । ବସା ଖୋଜି ଖୋଜି ନିତାନ୍ତ ଅସ୍ଥିର ହୋଇ ଶେଷରେ ଗୋଟିଏ ଜାଗାରେ ସ୍ଥିର କରି ବସାକୁ ଫେରିଲା । ତରତରିଆରେ ଖାଇନେଇ ଚାଲିଲା ଅଫିସ୍‌କି–ସେରୀ ସାହେବଙ୍କ ଭୟରେ । ଡେରି ହେଲେ ପରା ସେ ଏକଗୋଡ଼ିକିଆ ଠିଆ ନ କରାଇ ତା’ଠୁ ଏମିତି କଡ଼ା ଶାସ୍ତି ଦିଅନ୍ତି ଯେ, ତା’ର ମନେହୁଏ ହେଲେ ଘଣ୍ଟାଏ ଏକଗୋଡ଼ିକିଆ ଠିଆ କରନ୍ତା ! ଛାଡ଼, ସେ କଲମ ଧରିଲା ଫାଇଲ୍‌ ମେଲେଇ । ମନ କୋଉଠି ଲାଗୁଛି ଫାଇଲରେ ! ଏଣୁ ତେଣୁ ଚିନ୍ତା–ବସାଟିରେ ନର୍ଦ୍ଦମାଟା ଭଲ ନୁହେଁ, ଗୌରୀ ଆସିଲେ ତାକୁ ଏମିତି କରିବାକୁ କହିବ, ବନ୍ଧୁଙ୍କୁ ଡାକିବ, ଚା’ ଖୋଇବ ଇତ୍ୟାଦି । ଏହି ସମୟରେ ସେରୀ ସାହେବ ରବର ଜୋତା ମାଡ଼ି ନିଃଶବ୍ଦରେ ତା’ ପଛଆଡ଼େ ଠିଆ ହୋଇଗଲେ । ସେ ମୁଚୁକି ହସା ଦେଇ କହିଲେ–‘‘ବାଃ ବାବୁ, ବେଶ୍‌ କାମ କରୁଛନ୍ତି ତ !’’ ନଟର ଦଶା ? ହଁସା ତ ଉଡ଼ିଗଲା !

 

ସାହେବ କହିଲେ–ତମକୁ ଚାକିରିରୁ ବରଖାସ୍ତ କରି ଦିଆଯିବ, ତମେ କିଛି କାମ କରୁ ନା । ଏତେ ଭାବୁଛ କ’ଣ ବସି ?

 

ନଟ ଠିଆ ହୋଇଛି–କାଠ ପରି ।

 

ସାହେବ ପୁଣି କହିଲେ–ଆଜି ତମେ କ’ଣ କାମ କରିଛ ? ସରକାରକୁ ଠକି ଦରମା ନେବ ?

 

‘‘ବାବୁ ମୋ ମୁଣ୍ଡ ବଥାଉଛି ।’’

 

ସେରୀ ସାହେବ ଭାରି ବୁଦ୍ଧିମାନ୍‌ ଓ ରସିକ ଲୋକ । ସେ ନଟକୁ ଧରି ପକେଇଛନ୍ତି ଠକ୍‌। କହିଲେ–ଅଫିସକୁ ଆସିଲ କାହିଁକି ତାହାହେଲେ ?

 

ନଟର ପାଟି ଆଫୁ ଆଫୁ ହୋଇଗଲା । ସେ ତରତରରେ କହିଲା ‘ସାର, ଆଉ ଦିନେ ବସିବି ନାହିଁ ।’

 

ସାହେବଙ୍କର ଦିଲ ଖୁସ୍‌ ଥିଲା, ନ ହେଲେ ସେ ନଟକୁ ଶାସ୍ତି ଦେଇଥାନ୍ତେ ବହୁତ ବେଶୀ । ନଟ ସତକୁ ସତ ପାଞ୍ଚ ଦିନର ଛୁଟି ଦରଖାସ୍ତ ଦେଇ ଗାଁକୁ ଗଲା, ସେହିଦିନ ରାତିରେ । ଗୌରୀ ତାଙ୍କ ଗାଁରେ ଥିଲା । ରାତି ବାରଟାରେ ଯେତେବେଳେ ନଟର ଗୌରୀ ସାଥିରେ ଭେଟ ହେଲା, ସେ କହିଲା–‘ଗୌରୀ, ତମେ ମୋ ସାଙ୍ଗରେ ଯିବ ତ କାଲି ?’

 

ଗୌରୀ କିଛି ବୁଝିଲା ନାହିଁ । ସେ କୁଆଡ଼େ ବୋଉକୁ ଛାଡ଼ି ଯିବ ?

 

ନଟ ବାବୁ ବୋକା ପାଲଟିଯିବାର ଦେଖି କହିଲା–‘ତମେ ମୋ ପାଖରେ ରହିବ ନାହିଁ-?’

 

ଗୌରୀ କ‘ଣ କହିବ ?

 

ତମେ ଯଦି ମୋ ସାଙ୍ଗରେ କଥା ନ କହ, ତାହାହେଲେ ତ ମହା ମୁସ୍କିଲ ।’’

 

ନିତାନ୍ତ ଭୀତା ଗୌରୀ କହିଲା–‘ତମେ କ’ଣ କହ ମ ? ତମ ପାଖରେ ରହିବାକୁ ପୁଣି ମତେ ଖରାପ କିମିତି ଲାଗିବ କହିଲ ? ବୋଉଙ୍କୁ ନବନି ? ବିଦେଶ ଜାଗା, ବୋଉ ଗଲେ ଭଲ ହେବ ।’

 

‘ନା ନା, ବୋଉ ଫୋଉ କେହି ଯିବେ ନାହିଁ । ଏକା ତମେ ଓ ମୁଁ–ବଡ଼ ଆରାମରେ ରହିବା । ଏମାନେ ବୁଝିଲ, ବଡ଼ ମରହଟ୍ଟିଆ ଲୋକ; କଦର୍ଯ୍ୟ ରୀତି ଏମାନଙ୍କର । ତମ ସାଙ୍ଗରେ ଦିନରେ କଥା କହିଲେ ପରା ଏମାନେ କହନ୍ତି ପାପ !

 

‘ଉଁ–ହୁଁ ବୋଉକୁ ନବ ନା !’

 

‘କଦାପି ନୁହେଁ । ତୁମେ ଏମିତି ଡରୁଛ କାହିଁକି ? ମୋ ପାଖରେ ରହିବ, ତମର କୋଉ କଥାକୁ ଡରିବା ଉଚିତ ନୁହେଁ ।’

 

ତହିଁ ଆରଦିନ ଗୌରୀ ନଟ ଗୋଟିଏ ଶଗଡ଼ରେ ବସି ମଟର ପାଖକୁ ଆସିଲେ । ନଟ ତାକୁ କହିଲା–‘ତମ ଓଢ଼ଣାଟା ଟିକେ ଉପରକୁ ନେଉ ନ ମୁହଁଟା ଖୋଲି ଚାଲ । ମୁଣ୍ଡରେ ଲୁଗା ନ ଦେଇ ବେଣୀ ଛାଡ଼ି ଦେଲେ ମନ୍ଦ ହବନି ତ !’

 

ଗୌରୀ ଶଙ୍କିତ ହୋଇ କହିଲା–ଏଁ ହେ, ମୁଁ କୁଳବଧୂ । ମୁଣ୍ଡରେ ଲୁଗା ନ ଦେଇ କିମିତି ଏତେ ଲୋକଙ୍କ ଆଗରେ ଚାଲିବି ? ମୁଁ କ’ଣ ମର୍ଦ୍ଦପିଲା ?ଲଜ୍ଜା ପରା ଆମ ନାରୀ ଜାତିର ଭୂଷଣ-। ପୁରୁଷ ସିନା ବୁକୁ ଫୁଲେଇ ଚାଲିବ, ନାରୀ......

 

‘ହେ ରାମ ! ଏବ ଯୁଗର ଗୋଟାଏ ନାରୀ କର୍ମୀକୁ ଡାକନ୍ତି ତମକୁ ନାକରେ ଦଉଡ଼ି ଲଗାଇ ଟାଣନ୍ତା । କି କଥା ତମେ କହ ହେ । ଭଲ କଥା କହିଲେ ତମେ ତ ମନ୍ଦ ବୁଝ, ଏହି ହେଲା ମୁସ୍କିଲ । ତମେ ତ ମଣିଷ, ଆମେ ତ ମଣିଷ, ତମେ କାହିଁକି ଲୁଚି ଲୁଚି ଚାଲିବ, ଆମେ କାହିଁକି ଦେଖେଇ ଦେଖେଇ ଚାଲିବୁ ? ଗୌରୀର ବୁଦ୍ଧି କେତେ ? ସେ ତଥାପି ଛାଡ଼ିଲା ନାହିଁ । କହିଲା–ଏହି ବାଁ ହାତ ବୁଢ଼ା ଆଙ୍ଗୁଠିରେ ମୁଦି ଲଗେଇଲେ କିମିତି ସୁନ୍ଦର ଦିଶିବ କୁହ ତ ?

 

ନଟ ତ ଥଣ୍ଡା ! ନଟ ମନେ ମନେ କହିଲା–ଟୋକୀ ବେଶ ଚାଲାକ ଅଛି ତ ! ଏକୁ ବାଟକୁ ଆଣିବାକୁ ବେଶୀ ବେଳ ଲାଗିବ ନାହିଁ ।

 

ସେମାନେ ମୋଟର ପାଖେ ପହଞ୍ଚିଲେ । ନଟର ଇଚ୍ଛା ସେ ପିରିଙ୍ଗି ପରି ହାତ ଧରି ସେଠି ବୁଲିବ । ଗୌରୀ କ’ଣ ରାଜି ହେବ ?

 

ମୋଟରର ଗୋଟିଏ କୋଣରେ ଗୌରୀ ବସିଲା ସଙ୍କୁଚିତ ହୋଇ । ଓଢ଼ଣାଟି ତା’ର ଲମ୍ବା ହୋଇ ସାମନାକୁ ପଡ଼ିଛି । କାର ସାଧ୍ୟ ତା’ର ଅଙ୍ଗର କୌଣସି ଅଂଶ ଦେଖି ପାରିବ ? ତା’ପାଖରେ ନଟ ବସିଥାଏ । ତାକୁ କେତେ କଥା କ’ଣ ସବୁ ପଚାରିଲା । ଗୌରୀ ନିରୁତ୍ତର । ବିରକ୍ତ ହୋଇ ନଟ କହିଲା–କିଛି କହୁନ କାହିଁକି ? ନଟ ଅତି ବିଦ୍ରୂପରେ ତାକୁ କହିଲା–କିଛି ବି ଦେଖି ନ, କୋଉଠୁ ଜାଣିବ ? କଲିକତା ଯାଇଥାନ୍ତ କି ଦେଖନ୍ତ, ସେଠି କିମିତି ଟୋକା ଟୋକୀ ଟ୍ରାମ୍‌ବସ୍‌ରେ ବସି ମଜାରେ ଗପ କରି ହସାହସି କରନ୍ତି । ଖାଲି ଏଙ୍କର ସବୁ ହୋଇଯାଉଛି–ଛି–ଛି-! କାର କୋଉ ଅପଦାର୍ଥର ହାତ......

 

ଗୌରୀ କ୍ଷୁର୍ଣ୍ଣ ମନରେ ବସି ରହିଲା ।

 

ମନର ଦୁଃଖ ମନରେ ମାରି ନଟ ସପତ୍ନୀକ କଟକରେ ପହଞ୍ଚିଲା । ପହଞ୍ଚୁ ପହଞ୍ଚୁ ଆଗ ଖୋଜା ପଡ଼ିଲା ପୂଜାରୀ । ନ ହେଲେ ରାନ୍ଧିବ କିଏ ? ଗୌରୀ ରୁଷିଲା, କାନ୍ଦିଲା । ସେ କହିଲା, ମୁଁ ତାହାହେଲେ କରିବି କ’ଣ ? ମୁଁ ତ କାର୍ଯ୍ୟ କରିବି, ବସିଲେ କିମିତି ହେବ ? ମୋର ତ ପୁଣି କିଛି କରିବା ଦରକାର ? ଏଇଟା ପରା ତମର ଆଧୁନିକତା ?

 

ଏଇ ତ ମୁଁ ସେଇଥି ପାଇଁ ଚିଡ଼େ । ତମେ ସବୁ ସ୍ୱାଧୀନତା ଲୋଡ଼ ନାହିଁ ?

 

‘ଇସ୍‌, ତମେ ଯୋଉ ସ୍ଵାଧୀନତା ଦେଉଛ ? କିଓ, ଆମେ ସ୍ୱାଧୀନ ପରାଧୀନ କ’ଣ ? ସ୍ୱାମୀ ପାଖରେ ସ୍ତ୍ରୀ ପୁଣି ପରାଧୀନ କ’ଣ ? ତମେ କ’ଣ ତାହାହେଲେ ସ୍ଵାଧୀନ ? କି ଅଘଟଣ କଥା ତୁମେ କହ ଯେ ! ମୁଁ ଘରକାମ କରି ପିଲା ପାଳିବି । ତୁମେ ମୁଲ ଲାଗି ଆଣିବ, ମୁଁ ରନ୍ଧାବାଢ଼ି ତମକୁ ଦେବି । ଏ ଭଲ ନା ଅଣ୍ଡିରା ଚଣ୍ଡିଙ୍କ ଭଳି ବୁଲିଲେ ଭଲ ? ଟଙ୍କା ଆଣୁଛନ୍ତି ପଚାଶ–ପୂଜାରୀ ରଖିବେ–ଚାକର ରଖିବେ ?

 

ଏହି ସମୟରେ ନଟର କିରାନୀ ବନ୍ଧୁ ବ୍ରଜବନ୍ଧୁ ଦାଣ୍ଡଦ୍ୱାରରେ ଡାକିଲା । ନଟ ଚଟ୍‌କରି ଦାଣ୍ଡକୁ ବାହାରିଗଲା । ବ୍ରଜବନ୍ଧୁ ମୁରୁକିହସା ଦେଇ କହିଲା–କିରେ, କ’ଣ ଜବର ପାଟି ଶୁଭୁଥିଲା । କଜିଆ ଲଗାଉଥିଲ କି ?

 

‘ନାରେ ଭାଇ ଏମିତି ଅପଦାର୍ଥ ଗୋଟାଏ କ’ଣ କହିବି ? ମୁଁ ପୂଜାରୀ ଚାକର ରଖିବାକୁ କହିଲେ ସେ ଲଗେଇବ କଜିଆ । କ’ଣ କହିବି ତାକୁ । ସେଥିପାଇଁ ପରା ଆଜି କଳି ଲାଗିଥିଲା–କି ମୁସ୍କିଲ ?

 

‘କ’ଣ କ’ଣ ?’

 

‘ବିଲ୍‌କୁଲ ଜୀବନଟା ମାଟି କରି ଦେଲା । ଗୋଟାଏ କୋଉଠୁ ମରହଟ୍ଟୀ ଯୁଟିଲା କପାଳକୁ, ସାରିଦେଲା ମତେ ।’

 

‘କ’ଣ କହୁନୁ ?’

 

‘କ’ଣ କହିବି ଭାଇ, ମୋର ଗୋଟାଏ କଥା ତ ତା’ର ଗୋଟାଏ କଥା । ଏଥିରେ ଜୀବନ ଦୁଃସହ ହୋଇ ଉଠୁଛି ।’

 

‘ଆମ ଦେଶର ବାଳିକା ବଧୂଙ୍କୁ ନେଇ କି ଗୋଳମାଳ ମ ! ସେମାନେ ବଡ଼ ସରଳ । ଟିକେ ବାଗେଇ ନେଲେ ସେମାନେ ବିଲ୍‌କୁଲ୍‌ ସୁନା ହୋଇଯିବେ । ବାସ୍ତବିକ ଭାରତରେ ଜନ୍ନିଛୁ ବୋଲି ଗର୍ବ କରିବାର ଅଛି ।

 

‘ଆହା......ତୁ ବି ସେମିତି କହୁ.....ଏ ଦେଶରେ ଜନ୍ନିଛି ମୁଁ ଖାଲି ଆର ଜନ୍ନରେ ମଣିଷ ଖୁଣ୍‌ କରିଥିଲି ବୋଲି । ଖୁଣି ନ ହୋଇଥିଲେ ମତେ ଖୁଣ୍‌ କରନ୍ତା ନା ଏଇଟା । ସେ ପୁଣି ଚାହେଁ ନା ସ୍ୱାଧିନତା, କହେ ସ୍ୱାଧିନତା ପୁରୁଷର ନାହିଁ କି ସ୍ତ୍ରୀର ନାହିଁ ;ପରାଧୀନତା ସ୍ତ୍ରୀର ନାହିଁ କି ପୁରୁଷର ନାହିଁ ।

 

‘ବାଃ, ବଡ଼ ସୁନ୍ଦର କଥା ତ ! ଠିକ ତ ସେ କହିଲେ, ମନ୍ଦ କ’ଣ ? ସ୍ୱାମୀ ପାଖରେ ସ୍ତ୍ରୀର, ଭାଇ ପାଖରେ ଭଉଣୀର, ପୁଅ ପାଖରେ ମା’ର ପରାଧୀନତା ଅଛି ନା ! ବଡ଼ ବୁଦ୍ଧିମତୀ ତ ସେ ।’ ବ୍ରଜ ଏତକ କହି ଦୁଇ ଚାରି କଥାରେ ଗୌରୀର ପ୍ରଶଂସା କଲା ।

 

ନଟ ଏଥିରେ ମଧ୍ୟ ଗର୍ବ ଅନୁଭବ କଲା ନାହିଁ । ଆହୁରି ରାଗିଯାଇ କହିଲା–‘ହଁ ରେ ମାଡ଼ଗାଳି ଖାଇ ପୁରୁଷର ବାର ଖିଦ୍‌ମତ୍‍ କରୁଥିବେ,ଆପେ କମେଇ ଖାଇବେ କାହିଁକି ?

 

ବ୍ରଜ ହସି ହସି–ଓହୋଃ–ଠିକ୍‌ ଠିକ୍‍, ତମେ ଯେତେବେଳେ ମାଈପଠୁ ବକାଖାଇ ମୁଁହ ଏଡ଼େ କରି ପଳେଇ ଆସ, ସେଇଟା ତମକୁ ଖୁସି ଲାଗେ । ଗଭୀର ପ୍ରେମର ଚିହ୍ନ ପରା ସେ !’ ସେ ଠୋ ଠୋ ହସିଲା ।

 

ନା ଏକାବେଳକେ ମୁହ୍ୟମାଣ ହୋଇପଡ଼ି କହିଲା–ଯାଃ–ଯାଃ–ବାଜେ କଥା କହନା । ଆମେ ପଇସା କମେଇବୁ, ସେମାନ ଆମରି ହାତଟେକା ଦୟା ଉପରେ ନିର୍ଭର କରି ରହିବେ, ଫୂର୍ତ୍ତି ଦେଖ ।

 

‘ଭାଇ, ଆଜି ତୋ ସ୍ତ୍ରୀକି କହିବୁ ତ ଧୀର ହୋଇ ଶୋଇ ପଡ଼ିବ, ତୋ ପେଟରେ କିମିତି ଦାନା ପଶିବ ଦେଖିବା । ପୂଝାରୀ ରଖିବୁ ତ ?ବେଶ୍ ବେଶ୍‌ ହୋଟେଲକୁ ଯାଉନୁ, ସେଠି ତ ଶସ୍ତା ହେବ । ନନ୍‌ସେନ୍‌ସ ତମମାନଙ୍କ ଭଳି ଏହି ଚପଳ ତରୁଣ କେତେଟା ବିଲ୍‌କୁଲ୍‌ ଆମ ଦେଶଟାକୁ ସାରିଲେ । କି ଯେ ନାରୀ-ସ୍ୱାଧିନତା, କି ଯେ ଫେସନ୍‌–ନମୁନା ପାହାରିଲା, ଆଉ ପାରି ହେଲା ନାହିଁ ।’

 

‘ହଁ ଯା, କଥାଟା କହୁଛୁ ସବୁ । ଦେଖିବୁ ଏବେ ଯାଇ କହିବି କିମିତି ସେ ଆସି ତୋ ସାଙ୍ଗରେ କଥା କହିବ ଦେଖିବୁ ।’

 

‘‘ଆରେ, କିମିତି କଥା । ସେ କାହିଁକି ମୋ ସାଙ୍ଗରେ କଥା କହିବ ?’’

 

‘‘କି ତୋ ସାଙ୍ଗରେ ମୁଁ କଥା କହୁଛି, ସେ କହିଲେ ତ୍ରୁଟି ?’’

 

ତ୍ରୁଟି ଅଛି, ଦୁର୍ବଳତା ସମସ୍ତଙ୍କର ଅଛି, ତୋର କ’ଣ ନାହିଁ ? ମୋ ସଙ୍ଗରେ ତା’ର କଥା ନ କହିଲେ ଚଳିଯାଉ ନାହିଁ କି ? ଅଧିକା ଆଉ କ’ଣ ତଦ୍ଦ୍ୱାରା ହେବ ?

 

‘‘ମନୁଷ୍ୟର ଦୁର୍ବଳତା ଅଛି ବୋଲି ନାରୀ–ପୁରୁଷର ମିଳନ–ଗୋଟିକ ସାଥିରେ ଆଉ ଗୋଟିକର । ଏକର ସାଥିରେ ବହୁର ନୁହେଁକି ବହୁର ସାଥିରେ ଏକର ନୁହେଁ । ନିର୍ଦ୍ଧୁମ ବାଜେ । ପୁରୁଷ ସାଙ୍ଗରେ ନାରୀ କଥା କହିଲେ ତା’ର ହୁଏ ପାପ.....ଷ୍ଟୁପିଡିଟି ନୁହେଁ ତ ଆଉ କଅଣ ? ଭାଇ, ତୋର ମସ୍ତିଷ୍କ ବିକୃତି ଘଟିଛି ନ ହେଲେ ଏମିତି କହନ୍ତୁ କି ? ଜାଣୁ କି ଗୋଟିଏ ବେଶ୍ୟା ଓ ତୋ ସ୍ତ୍ରୀ ଭିତରେ କେତେ ତଫାତ୍‌–ଏଇଟା ଯଦି ବୁଝିବୁ, ତାହାହେଲେ ସବୁ ବୁଝି ପାରିବୁ । ଦେଖ ତା’ର ପର୍ଦ୍ଦା ନାହିଁ; ଏହାର ପର୍ଦ୍ଦା ଅଛି । ଖାଲି ନାରୀ କର୍ମୀ ହୋଇ ବୁଲିଲେ ହେବ ନାହିଁ, କାମ କରିବା ପାଇଁ । କ’ଣ ହେଲା–ମନୁଷ୍ୟ ଜାତିର ସୁବିଧା ପାଇଁ କାର୍ଯ୍ୟ ବିଭାଗ ହୋଇଛି ନା ଆଉ କିଛି-? ଏବେ ତମେ ବାହାର କରୁନ–ମାଇକିନାମାନେ ହଳ ଲଙ୍ଗଳ ଧରି ବିଲକୁ ଯିବେ, ଆଉ ଅଣ୍ଡିରାମାନେ ପିଲା ପାଳିବେ, ରାନ୍ଧିବେ, ବାଢ଼ିବେ । କ’ଣ ସେଥିରେ ଅଛି ? ହେଲେ ପିଲା ଜନ୍ମଟା ତମେ ପୁରୁଷ.....ସେ ଠୋ....ଠୋ ହସିଲା ।

 

‘ଆଃ, ତମେ ଏମିତି ବାଜେ କଥା ତ କହ ?’

 

ମୋଟେ ବାଜେ ନୁହେଁ ଭାଇ, ତୁ ମୋଟେ ବୁଝି ପାରୁନୁ । ଜାଣୁ ଆଚାର ଯୋଉଟା ଆମ ଦେଶରେ ଥିଲା, ତା’ର ଏମିତି ସେମିତି ମହତ୍ତ୍ୱ ନ ଥିଲା । ଏ ଦେଶଟା ପରା ଆମର ଚରମ ସଭ୍ୟତା ପାଇଥିଲା । ଏବେ ଜାଣୁ ଏମିତି ସଭତା ନାଁ’ କହି, ସ୍ୱାଧୀନତା ନାଁ’ କହି ଯେତେ ବ୍ୟଭିଚାର, ଯେତେ ଅନାଚାର ସବୁ ବାହାରି ପଡ଼ିଛି । ଆଗେ ଆମ ଦେଶର ନାରୀ କେଡ଼େ କେଡ଼େ ବଳିଷ୍ଠ ଶିଶୁ ପ୍ରସବ କରୁଥିଲେ, କେଡ଼େ କେଡ଼େ ମେଧାବୀ ଶିଶୁ ପ୍ରସବ କରୁଥଲେ, ଏ ଅନୁକରଣ ସଭ୍ୟତା ଆସିଲା, ତମରି ଭଳି ଚପଳ ଟୋକାଏ ବାହାରି ବିଲକୁଲ ସତ୍ୟନାଶ କଲେ । କହୁଛୁ ପର୍ଦ୍ଦା ଉଠିବ, ସ୍ତ୍ରୀଲୋକେ ତାଙ୍କର ସ୍ୱାଧୀନତା ପାଇବେ । ମୁଁ ବୁଝିଲି ତୋ କଥା । ପଚାରେ, ସ୍ତ୍ରୀଲୋକ ଉଡ଼ାଜାହାଜ ବାହାର କରିବେ ତ ? ବେଶ୍ ପୁରୁଷ ତ କରି ଦେଲେ ଆଉ କ’ଣ ? ଯେ ହେଲେ ତ କରନ୍ତା ନ କ’ଣ ? ପର୍ଦ୍ଦା–ଆଚ୍ଛା କହେ, ସମାଜରେ ରହିଲେ ମନୁଷ୍ୟ ତ ଆଉ ସାଧୁ ସନ୍ନ୍ୟାସୀ ପାଲଟିଯିବ ନାହିଁ । ଏହି ପର୍ଦ୍ଦା ରଖିବାରେ ପୁରୁଷର ଯେତକି ଲାଭ, ସ୍ତ୍ରୀର ମଧ୍ୟ ସେତିକି ଲାଭ । ଦୁର୍ବଳତା ସମସ୍ତଙ୍କର ଅଛି । ଏମିତି ଗୋଟାଏ ସାମାଜିକ କଟକଣା ନ ରଖିଲେ ଏ ଦୁର୍ବଳତା ଯିବ ନା ? ଯୋଉଠି ପର୍ଦ୍ଦା ନାହିଁ, ସେଠି ଯେ ଆଇନକାନୁନ୍‌ ବ୍ୟବସ୍ଥା ଅଛି, ଆଉ ସେଇଟା ଅର୍ଥାତ୍‌ ଯୋଉ ଦେଶରେ ପର୍ଦ୍ଦା ନାହିଁ, ସେଇଟା କ’ଣ ଆଦର୍ଶଯୋଗ୍ୟ ? ଆମରି ଭାରତବର୍ଷ କେବଳ ଆଦର୍ଶ ଦେଶ; ଆମେ ଭାରତୀୟ ଆଦର୍ଶ ମାନବ–ଏ କଥା କିଏ ନ କହେ ? ଯେ ଆମକୁ ଥଟ୍ଟା କରେ ସେ ଈର୍ଷାରେ–ତା’ର କ’ଣ ନୈତିକତା ଅଛି !

 

‘ହଁ, ରଖିଦେ ତୋର ବାଜେ ଦେଶ–ପ୍ରୀତି । ଦେଶ–ପ୍ରୀତି ଦେଖାଉଛି ଅସଭ୍ୟ !’

 

‘ହଉ ବାବୁ, ମୁଁ ଯାଉଛି ।’

 

ଦୁଇଦିନ ହୋଇଗଲାଣି, ନଟ ଗୌରୀ ସାଥିରେ କଥା କହେ ନାହିଁ । ଗୌରୀ ବିଚାରୀ କରେ କ’ଣ–ଉପରେ ପଡ଼ି କଥା କହେ ତା’ ସାଥିରେ । ଘରର ଯାବତୀୟ କାମ କରେ ସେ, ସାଥିରେ ତା’ର ପରମ ଆନନ୍ଦ । ହେଲେ ମନରେ ତା’ର ଗୋଟିଏ କ୍ଷୋଭ ସ୍ୱାମୀ ତାକୁ ଭଲରକମ ଦେଖି ପାରେ ନାହିଁ । ଦୁହିଁଙ୍କର ଭିନ୍ନମୁଖୀ ଦୁଇଟି ଆଦର୍ଶ ଯୋଗୁଁ ।

 

ସେଦିନ ନଟ କଚେରୀରୁ ଆସିଲା ବେଳକୁ ଗୌରୀ ନାନାପ୍ରକାର ପିଠା ପଣା କରି ରଖିଛି, ତା’ର ସମସ୍ତ ସୁହାଗ ସେଥିରେ ଭରିଦେଇ । ନଟ ଗୋଡ଼ ହାତ ଧୋଇ ଆସନରେ ବସିଲାକ୍ଷଣି ଗୌରୀ ଗୃହଲକ୍ଷ୍ମୀର ସମସ୍ତ ଶ୍ରୀ ଘେନି ଅତି ଯତ୍ନସହକାରେ ସ୍ୱାମୀ ପାଇଁ ଆଣିଦେଲା ଖାଦ୍ୟ ସରଞ୍ଜାମ । ନଟ ଏ ସମସ୍ତ ପସନ୍ଦ ନ କରି ଏକାବେଳେକେ ନାକ ଟେକିଲା ଚାଖଣ୍ଡେ । ଗୌରୀ କାକୁସ୍ତ ହୋଇଗଲା । ଅପରାଧୀ ପରି ଗୌରୀ କହିଲା–ଖାଉନ, ଏସବୁ କ’ଣ ତମକୁ ଭଲ ଲାଗେନା ?

 

‘ହେତ୍, ଏଗୁଡାକ କ’ଣ ମଣିଷ ଖାଆନ୍ତି ? ତମେ ଏଥିରୁ ଗୁଡ଼ିଏ କଲ କିଆଁ ? ଦି’ଖଣ୍ଡ ଲୁଚି ଭାଜି ଦେଇ ଆଳୁ ଦି’ଖଣ୍ଡ ଭାଜି ଦିଅନ୍ତ ନା–ହେ ରାମ....ଚା’ କରିଛ ?

 

‘ନା, ଗରମ ଦୁଧ ରଖିଛି ।’

 

‘ନା, ନା ଚା’ କରି ଦେବାକୁ ହେବ ।’

 

‘ଆଚ୍ଛା ହଉ, ନିତାନ୍ତ ଯଦି ତମର ଚା’ ନ ହେଲେ ନ ହେବ, ତମେ ଖାଇବସ, ମୁଁ ଆଣୁଛି-।’

 

ଗୌରୀ ଚା’ କରିବାକୁ ଗଲା ଭିତର ଘରକୁ । କେଟିଲ୍‌ରୁ କପ୍‌କୁ ଚା’ ଢାଳିଲା ବେଳେ କେଟିଲ କପ ଖସିଯାଇ ଚା’ ତିଆରି କରିବାରେ ଅନଭ୍ୟସ୍ତ ହାତଟିରେ ଫୋଟକା ହୋଇଗଲା । ବିଚାରି କିଛି କହିଲା ନାହିଁ । ଚା’ ଆଣିଦେଲା ସ୍ୱାମୀଙ୍କୁ ।

 

ଚା’ ପାନ କରି ତା’ପରେ ଖଣ୍ଡିଏ ସିଗାରେଟ୍‌ ଟାଣିଲେ ପରା ଖୁବ୍‌ ଆରାମ୍‌ ଲାଗେ, ଏଥିପାଇଁ ନଟ ଖଣ୍ଡିଏ ସିଗାରେଟ୍‌ ମୁହଁରେ ଧରାଇ ଗୌରୀକି କହିଲା–ଶୁଣିଛ, ମହେନ୍ଦ୍ର ଏହି ଚାରିଦିନ ଭିତରେ ଆସୁଛି ।

 

ମତେ କାହିଁ କହି ନାହିଁ ତ ?’

 

‘ସତେ ଏକା ଆଗରୁ କହି ଦେଉଛି ଏ ଓଡ଼ିଆଣୀପଣିଆ ତା’ପାଖରେ ଦେଖାଇବ ନାହିଁ-।’ ହସି ହସି ଗୌରୀ କହିଲା–ତାହାହେଲେ ସାହେବାଣୀ ହେବି ।

 

ନଟର ଧୈର୍ଯ୍ୟ ନ ଥିଲା ପତ୍ନୀର ରସିକତା ବୁଝିବାକୁ । ସେ ବୁଲି ବାହାରିଗଲା ।

 

ମାସରେ ଦୁଇ ତିନିଥର ଗୌରୀ ହଳଦୀ ଲଗାଏ । ଏଥିପାଇଁ ସେ ଯେ କେତେ ବକା ଶୁଣିଛି, ତା’ର ସୀମା ନାହିଁ । ତଥାପି ତା’ର ସେ ଅଭ୍ୟାସ ଛାଡ଼ି ପାରିନାହିଁ । ନିତି ଲଗେଇବାରୁ ଏବେ ଥରକୁ ଆସିଛି । ସେଇଟା ସେ କେବେ ହେଲେ ଛାଡ଼ି ପାରୁନାହିଁ । ସେ ଦିନ ମଧ୍ୟ ସେ ହଳଦୀ ଲଗାଇ ସ୍ନାନ କରିଛି । ନଟ ସକାଳବୁଲା ବୁଲି ଘରକୁ ଫେରି ଦେଖେ ତ ପତ୍ନୀ କୁଙ୍କୁମସ୍ନାତା-। ଯାଏ କୁଆଡ଼େ ? ଏକାବେଳକେ ଅଗ୍ନିଶର୍ମା ! ରକ୍ତଚକ୍ଷୁ ନିର୍ଗତ କରି କହିଲା–କି ଆଶ୍ଚର୍ଯ୍ୟ କଥା, ତମକୁ ଗୋଟାଏ କଥା ମନାକଲେ ତମେ ଜିଦ୍ ଧରି ସେଇଟା କର । କି ବାସନା ସାବୁନ୍ କାହାପାଇଁ ଥୁଆ ହୋଇଛି ? ଏତଗୁଡ଼ାଏ ଏସେନ୍‌ସ ସ୍ନୋ....ଉଃ.....

 

ଅସହାୟାର ପ୍ରତିବାଦ କରିବାର କିଛି ନ ଥିଲା । ସବୁଦିନେ ତ କିଛି ସେ ଲଗାଉ ନାହିଁ-। ମାସରେ ଦିନୁଟେ ନ ଲଗେଇଲେ ତ ନ ଚଳେ । ସେ ଦିନୁଟା ତ ହଳଦୀ ଲଗାଇ ଗଧୋଇବା ବିଧି । ଏଡ଼େ ବଡ଼ ମହତ୍‌ ଉପଦେଶଟା ତା’ର ବୋଉର ସେ କେମିତି ନ ମାନିବ ? କିଛି କହିଲା ନାହିଁ ସ୍ୱାମୀକି । କ’ଣ ବା ମୁହଁ ଫିଟେଇ କହିବ ? ତାର ଦୁଇ ତିନି ଦିନ ଆଗରୁ ସେ ହାଣ୍ଡି ଛୁଇଁ ନାହିଁ; କିଛି ଜିନିଷ ଛୁଇଁ ନାହିଁ । ଆଜି ହଳଦୀ ନ ଲଗାଇ ଗାଧୋଇବ ବା କିମିତି ?

 

ସ୍ୱାମୀକୁ ସନ୍ତୁଷ୍ଟ କରି ରଖିବାର ସହସ୍ର କଳ୍ପନା ତା’ ମନକୁ ଆସିଲା । ହେଲେ ସେ କୋଉଟା କରିପାରୁ ନ ଥାଏ । ଏ ଯେ ଅଭ୍ୟାସଗତ କୁସଂସ୍କାର, ତାକୁ ଛାଡ଼ି ପାରୁଛି କିମିତି ? ମନ ଦୁଃଖରେ ଗୌରୀ ଘର କାମ କରି ରାନ୍ଧି ବାଢ଼ି ସ୍ୱାମୀକି ଖୁଆଇ ପିଆଇ କଚେରୀକି ପଠେଇଦେଲା-। ତା’ପରେ ନ ଖାଇ ନ ପିଇ ସେ ଶ୍ରୀକୃଷ୍ଣଙ୍କ ଫଟୋ ପାଖରେ ନମସ୍କାର କରି କହିଲା–‘ପ୍ରଭୁ, ମତେ ସୁମତି ଦିଅ, ମୁଁ ତାଙ୍କର ସୁଦୃଷ୍ଟିରେ ପଡ଼େ ।’

 

ନଟ କଚେରୀରୁ ଆସିଲାବେଳକୁ ତା ପାଇଁ ଗୌରୀ ଲୁଚି, ଆଳୁଭଜା, ଚା’ ତିଆରି କରି ରଖିଛି । ନଟର କିନ୍ତୁ ସେ ସବୁରେ ମନ ନ ଥିଲା । ସେ ଅନେଇଲା ଗୌରୀର ମୁହଁଆଡ଼େ । କାହିଁ, ସ୍ନୋ କାହିଁ ? ସେ ଅତ୍ୟନ୍ତ ବିରକ୍ତ ହୋଇ କହିଲା–କେତେଥର କହିବି ତମକୁ ? ସେ ସ୍ନୋ ଡବା କାହିଁକି କିଣା ହୋଇ ଥୁଆ ହେଲା ଆସି ! ବାସ୍ତବିକ୍‌ ବିରକ୍ତ କରି କରି ତମେ ମାରିଲ ମଣିଷକୁ ।

 

ଗୌରୀର ଅନଶନ ତା’ର ବିମର୍ଷତା ସ୍ୱାମୀର ଚକ୍ଷୁର ଅନ୍ତରାଳରେ ରହି ବିଦ୍ରୁପ କରୁଥିଲା–ଏ କ’ଣ ପାଷାଣ୍ଡସ୍ତୂପ ସାଥିରେ ମଳୟର ମଲ୍ଲଯୁଦ୍ଧ ?

 

ସେଦିନ ମହେନ୍ଦ୍ରର କଟକ ଆସିବାର କଥା । ସକାଳେ ନଟର ମନ ଛକପକ ହେଉଥାଏ । ସେ ଗୌରୀକି ସତର୍କ ବାଣୀ ଶୁଣାଇ ଦେଇ କହିଲା–ଦେଖ ଆଜି ଆଉ ସେ ସବୁ ମୁଁ କିଛି ଶୁଣିବି ନାହିଁ । କେଲୁଣୀଙ୍କ ପରି ନ ରହି ଭଲ କରି ସ୍ନୋ.....ଏତକ କହି ସେ କଚେରୀକୁ ବାହାରିଗଲା । ଅଫିସରୁ ସେଇଆଡ଼େ ନଟ ଷ୍ଟେସନକୁ ଗଲା । ମହେନ୍ଦ୍ରକୁ ଦେଖି ସେ ଖୁବ୍‌ ଖୁସି ହେଲା । ଦୁଇବନ୍ଧୁ ଘୋଡ଼ାଗାଡ଼ି ଚଢ଼ି ବସାରେ ପହଞ୍ଚିଗଲେ । ଗୌରୀ ସ୍ୱାମୀ–ବନ୍ଧୁଙ୍କୁ ବିଶେଷ ସମ୍ୱର୍ଦ୍ଧନା କରିବା ନିମିତ୍ତ ହରେକ୍‌ ରକମର ଖାଦ୍ୟସାମଗ୍ରୀ ତିଆରି କରିଥିଲା । ଅନେକ ମନାନ୍ତର, ମତାନ୍ତର, ବାଦାନୁବାଦ, ମାନଅଭିମାନ ପରେ କଥା ହୋଇଥିଲା, ମହେନ୍ଦ୍ର ଆସିଲେ ଗୌରୀ ତା’ ସାଙ୍ଗରେ କଥା ନ କହୁ ପଛକେ ଦେଖା ଦେବ ।

 

ଦୁଇ ବନ୍ଧୁ ଗୃହ ଭିତରକୁ ପ୍ରବେଶ କରନ୍ତେ ସୁଆଙ୍ଗ ନାଟର(...) ଦ୍ୱାରୀ ମୁହଁରେ ଚକ୍‌ଖଡ଼ି ବୋଳି ହୋଇ ବାହାରିଲା ଭଳି ଗୌରୀ ମୁହଁରେ ଗୁଡ଼ିଏ କୁଇଟ୍‌ ହ୍ୱାଇଟ୍‌ (ଧଳା କାନ୍‌ଭାସ ବୋଳା ରଙ୍ଗ) ବୋଳି ଅଧା ଓଢ଼ଣା ଟାଣି ବାହାରି ପଡ଼ିଲା । ନଟ ତା’ ମୁହଁ ଆଡ଼େ ଲକ୍ଷ୍ୟ କରି ଦେଇ ହାସ୍ୟ ସମ୍ୱରଣ କରି ନ ପାରି ବନ୍ଧୁକୁ କହିଲା–‘ଦେଖ ମହେନ୍ଦ୍ର, ମାଈପଟିଏ ତ କରି ଦେଇଥିଲୁ ଦେଖ, ସେ ତୋର ଆଧୁନିକା ।’

 

ମହେନ୍ଦ୍ର ବିଚରା ଲାଜରେ ମରିଗଲା । ନଟ ହସି ହସି କହିଲା–ମୁହଁଟା ଟିକେ ଅଇନାରେ ଦେଖ ଭଲା ଯାଇ । ଥାଉ ଥାଉ ଆଉ ଟ୍ରେନିଂ ଦରକାର ନାହିଁ । ଖୁବ୍‌ ହେଲା । ସ୍ନୋ କୁଇକ୍‌ ହ୍ୱାଇଟ୍‌ ଚିହ୍ନିଲ ନାହିଁ ?

☆☆☆

 

ପାଶଚ୍ଛିନ୍ନ

 

ସେଦିନ ନିହାତି ବିରକ୍ତ ହୋଇ ଅଭୀଷ୍ଟ ବସ୍ତୁଟି ନ ପାଇ ମୁଖ ବିକୃତ କରି ଆପଣା ମନକୁ କହିଲା–ଟଙ୍କା ! ଛି, ଟଙ୍କା ! ଏହି ସାମାନ୍ୟ ପାର୍ଥିବ ଚଞ୍ଚଳ ବସ୍ତୁର ସ୍ପର୍ଶ ଅନୁଭବ କରିବା ପାଇଁ ପୁଣି ମନୁଷ୍ୟର ପ୍ରାଣ ଏତେ ବ୍ୟାକୁଳ ହୋଇ ଉଠେ । ହାରେ ଭଗବାନ୍‌ । ତୁମେ ଆଉ କିଛି ସୃଷ୍ଟି କରିଥିଲେ କ’ଣ ତମର ନୀତିଶୃଙ୍ଖଳାରେ ଏତେ ବିଶୃଙ୍ଖଳା ଘଟିଥାନ୍ତା ? ଯଦିବା ଏଇ ତୁଚ୍ଛ ଶବ୍ଦାର୍ଥଟାକୁ ସୃଷ୍ଟି କଲ, ତାକୁ ପାଇବାର ପଥ ସୁଗମ ନ କଲ କାହିଁକି ? ଏ ବିଦ୍ରୁପ କ’ଣ ତମର ଅନ୍ୟ କୌଣସି ପ୍ରାଣୀ ଉପରେ କରିବାର ନ ଥିଲା ? ମନୁଷ୍ୟ ଉପରେ ତୁମେ ବାଦ ସାଧି କାହିଁକି ଓରିମାନ ନିଅ ? ମନୁଷ୍ୟ କ’ଣ ତମ ଚକ୍ଷୁରେ ଏଡ଼େ ହେୟ ! ତପସ୍ୟାମଗ୍ନ ଋଷି ପରି ସେ ମୁକ୍ତ ଗବାକ୍ଷ ନିକଟରେ ବସିଛି । ଚାହିଁ ଚାହିଁ ଚକ୍ଷୁ ଅବଶ ହୋଇ ପଡ଼ିଲା; ଚକ୍ଷୁରୁ ଟପ୍‌ ଟପ୍‌ ପାଣି ଗଡ଼ି ପଡ଼ିଲା । ସେ ଅଶ୍ରୁ ନୁହେ, ତେବେ କ’ଣ ? ହଠାତ୍‌ ତା’ ଚକ୍ଷୁ ସମକ୍ଷରେ କିଏ ମାୟାଜାଲ ରଚନା କରି ଦେଲା । ଆଜି ତା’ର ମନେ ହେଲା–ସଂସାରର ପ୍ରତ୍ୟେକ ଜୀବ, ପ୍ରତ୍ୟେକ ପଦାର୍ଥ ଯେମିତି ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପଛକୁ ପକାଇ ଦେଇ ତାକୁ କେବଳ ବିଦ୍ରୁପ କରିବା ପାଇଁ ଟାକି ବସିଛନ୍ତି । ବାସ୍ତବିକ ଠିକ୍‌ କଥା ! ସମସ୍ତେ ସବୁବେଳେ କହିଲେ–ଏଁ, ଏତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ିଲା କ’ଣ ଘରେ ବସିବାକୁ !

 

ଶରତର ଶୁଭ୍ର ଜ୍ୟୋସ୍ନା ଫୁଟିଲେ ତା’ ପ୍ରାଣ ଉଲ୍ଲସି ଉଠୁଥିଲା । ସନ୍ଧ୍ୟା ତାରାର ଆବିର୍ଭାବରେ ସେ ଏକଧ୍ୟାନରେ ତା’ ଆଡ଼େ ଚାହିଁ କେତେ ସୁଖ–ସ୍ୱପ୍ନ ଆପଣା ମନରେ ରଚନା କରୁଥିଲା । ଖେଳ, ନିଶା କଥା ଛାଡ଼ । ଗ୍ରାମର ସାଙ୍ଗସାଥୀମାନେ ନିତି ସଞ୍ଜବେଳେ ତାକୁ ପଶା ତାସ ଖେଳିବାକୁ ଡାକୁଥିଲେ । ତା’ର କିଛି କାମ ଥିଲେ ‘ସେ ସବୁ ପରେ କରିବି’ ରଖି ଦେଇ ଧାଇଁ ଯାଉଥିଲା । ଛୋଟ ଛୋଟ ଭାଇ, ଭଉଣୀ, ପୁତୁରା ଓ ଝିଆରୀମାନେ ଆସି ତା’ଠାରୁ ଗଳ୍ପ ଶୁଣିବାକୁ ତା’ ଚାରିପଟେ ଘେରି ବସୁଥିଲେ । ସେ ସୂର୍ଯ୍ୟ, ଚାରି ପାଖରେ ସେମାନେ ଗ୍ରହ, ଉପଗ୍ରହ । ସେମାନେ ଦସ୍ୟୁ ପରି ତା’ର ନିଃସ୍ୱାର୍ଥ ସ୍ନେହ ଲୁଣ୍ଠନ କରୁଥିଲେ । ସେଦିନ ଏସବୁ ଥିଲା; କିନ୍ତୁ ଉପଭୋଗ କରିବାକୁ ମନ ନ ଥିଲା । ସେଦିନ ସେ ବଡ଼ ଉଦାସୀନ, ବଡ଼ ଅନ୍ୟମନସ୍କ । ସେମାନେ ଆସି ଗଳ୍ପ ଶୁଣିବାକୁ ଜିଦ୍‌ ଲଗେଇବାରୁ ସେ ମନେ ମନେ କହିଲା–ହାରେ, ମୁଁ ବେକାର ବୋଲି ସିନା ଏମାନେ ମୋ ସାଙ୍ଗରେ ଏମିତି ଲଗାଇଛନ୍ତି । ପରିବାରରେ ତ ଏତେ ଲୋକ ଅଛନ୍ତି, ଆଉ କାହା ପାଖକୁ ଯାଉ ନାହାନ୍ତି କାହିଁକି ? ସଂସାରବିଦ୍ୱେଷୀ ପରି ସେ ସେଦିନ ଜଡ଼, ଜୀବନ୍ତ ପ୍ରତ୍ୟେକ ପଦାର୍ଥରେ କିଛି ନା କିଛି ଦୋଷ ଦେଖିଲା । ପ୍ରତ୍ୟେକ ବସ୍ତୁ ନୀରସ ବୋଧହେଲା । କୃଷ୍ଣାଷ୍ଟମୀର ନିର୍ବାଣୋନ୍ମୁଖ ଚନ୍ଦ୍ରର ମଳିନତା ଭଳି ତା’ର ମଳିନତା ସମସ୍ତ ମୁଖମଣ୍ଡଳରେ ଫୁଟି ଉଠିଥିଲା । ଛଳନା କରି ସେସବୁ ଗୋପନ ରଖିବାକୁ ଯାଇ ସେ ଅପଦସ୍ଥ ହୋଇଥିଲା ସିନା ନିଜକୁ ଠକାଇ ପାରି ନ ଥିଲା । ବାହାରେ ଅର୍ଥହୀନ ଦୃଷ୍ଟି, ଭିତରେ ଚାକିରି ନ ମିଳିବାର ନିଦାରୁଣ ଜ୍ୱାଳା ।

 

ତା’ର ଏହି ଅବସ୍ଥା ଲକ୍ଷ୍ୟ କରୁଥିଲା ଜଣେ ଅଷ୍ଟାଦଶୀ ତରୁଣୀ । କକ୍ଷ ମଧ୍ୟକୁ ପ୍ରବେଶ କରି ଗୁରୁଗମ୍ଭୀର ସ୍ୱରରେ କହିଲା–ଆଉ ତ କିଛି ନାହିଁ, ଘରେ ବସି ଏଣୁତେଣୁ ଭାବିଲେ ଚାକିରି ମିଳିଯାଏ ପରା ! କାହିଁକି ଏମିତି ବସିଛ ଶୁଣେଁ ? କେତେ ଦିନ ଏମିତି ବସିଥିବ ? ବସି ବସି ଚେହେରା ଖଣ୍ଡକ ତ ଯାହା କଲଣି । ନ ହେଲେ କୁଆଡ଼େ ଯାଇ କିଛି ଖୋଜୁ ନାହଁ ? ଗୋଡ଼ ପାଖକୁ ପରା ଚାକିରିଟା ଚାଲି ଆସିବ ! ଓଃ, ବିରକ୍ତ ହୋଇ ମଣିଷ ମରିଯିବ ! କାମ କରି କରି ପ୍ରାଣ ଗଲା, ତେଇଁରେ ପୁଣି ଏ ଏକ ଜ୍ୱାଳା । ସବୁବେଳେ ଘରେ ବସିଥିବେ ଚାକିରି–ଚାକିରି ଭଜନ-

 

ପତ୍ନୀର ଏ କଡ଼ା କଡ଼ା କଥା କେତେଟାରେ ଭାଗୀର ବୁକୁଟା ଏକାବେଳକେ ଭାଙ୍ଗି ପଡ଼ିଲା । ସେ ମୃଦୁ ଝଙ୍କାର ଦେଇ କହିଲା, ତାହାହେଲେ ତମେ କହୁଛ ମୁଁ ଘର ଛାଡ଼ିଲେ ତମର ମଙ୍ଗଳ । ଆଚ୍ଛା ଦେଖେଁ, ଚାକିରି ମିଳେ ନା କିମିତି ?’

 

ତିଳୋତ୍ତମା ପ୍ରତିବାଦ ନକରି ଶଙ୍କିତ ଚିତ୍ତରେ ସେ କକ୍ଷତ୍ୟାଗ କଲା । ଭାଗୀ ପ୍ରାଣରେ ଆଜି ଦାରୁଣ ଆଘାତ ଲାଗିଛି । କାରଣ ଆଜିପର୍ଯ୍ୟନ୍ତ ସେ ଗ୍ରାମବାସୀ ଶିକ୍ଷିତ, ଅଶିକ୍ଷିତ, ଛୋଟ ବଡ଼ଠାରୁ ଆରମ୍ଭ କରି ପରିବାରର ପ୍ରିୟଜନ ପର୍ଯ୍ୟନ୍ତ, ସମସ୍ତଙ୍କଠୁଁ ଏକ କଥା ଶୁଣୁଥିଲା–ଏତେ ପାଠ ପଢ଼ି ଘରେ ବସିଛି । ଜଣେ କିନ୍ତୁ କ୍ଷତ ସ୍ଥାନରେ ପୁରୁଣା ଘିଅ ପଟି ଦେଇ ଆଜିପର୍ଯ୍ୟନ୍ତ ରଖିଥିଲା, ସେ ମଧ୍ୟ ଆଜି ବିମୁଖ । ମନେ ମନେ କହିଲା, ‘‘ନା, ଶେଷ ସହାନୁଭୂତି ଟିକକ ହରେଇଲି; ଆଉ ବସି କାମ ନାହିଁ ।’’

 

ବି.ଏ.ପାସ୍‌ କରିବାର ଆଜିକି ଚାରିବର୍ଷ ହୋଇଗଲା । ଚାକିରି ଖୋଜି ଖୋଜି ପ୍ରାଣ ଗଲାଣି । ପଚିଶ ବର୍ଷ ବୟସରେ ମଧ୍ୟ ଅଶୀ ବର୍ଷ ବୃଦ୍ଧର ଖେଆଲ ହେଲାଣି, ତେବେ ବି ଅଦୃଷ୍ଟ ଦେବତା ସୁପ୍ରସନ୍ନ ହୋଇ ଚାକିରି ଦେଲେ ନାହିଁ । ମନଟା ଏକାବେଳକେ ଘାଣ୍ଟି ହୋଇଗଲା । ଏତିକି ନୁହେଁ, ଏହି ଚାରିବର୍ଷ ମଧ୍ୟରେ ସେ କେତେ ଲୋକଙ୍କର ହାଡ଼ଶୂଳା କଥା ଶୁଣିଛି–କେତେ ବେକାର ବନ୍ଧୁ ମଧ୍ୟ ତାକୁ ସମାଲୋଚନା ନ କରି ଛାଡ଼ି ନାହାନ୍ତି । କେତେ ଜଣ ମଧ୍ୟ ତୁଣ୍ଡ ସହାନୁଭୂତି ଦେଖାଇବାକୁ କୁଣ୍ଠିତ ହୋଇ ନାହାନ୍ତି । ପୁଣି କେତେ ଜଣ ଉପର ଦେଖା ଭଦ୍ର ହିତୈଷୀ ଆଦର୍ଶର ଆକାଶକୁସୁମ ଚୟନ ପାଇଁ (Economic Practical) ସମ୍ୱନ୍ଧରେ ଲମ୍ୱା ଲମ୍ୱା ବକ୍ତୃତା ଦେବାକୁ ପଶ୍ଚାତ୍‌ପଦ ହୋଇ ନାହାନ୍ତି । କୌଣସିମତେ ସେମାନଙ୍କ ସାମନାରେ ହୁଁ ହାଁ ମାରିଦେଇ ଚାଲି ଆସିଲେ ରକ୍ଷା । ଘରେ ଆସି କରେ କ’ଣ ? କେଉଁଠି ଚାକିରି ପାଇବ ? କି ପ୍ରକାର ଚାକିରି ପାଇବ ? ଏହି କଥା ଚିନ୍ତା କରିବାକୁ ଯାଇ ଶରୀରର ରକ୍ତ ଦିଏ, ମନଟା ତା’ର ରିକ୍ତ ହୋଇ ଉଠେ, ମୁଖଟା ତା’ର ବିଜ୍ଞାପନ ହୋଇ ତିଳୋତ୍ତମାର ଦୃଷ୍ଟି ଆକର୍ଷଣ କରେ । ସେ ଏକାନ୍ତ ଅସ୍ଥିର ହୋଇ ପୂର୍ଣ୍ଣ ସତ୍ୟ ସହାନୁଭୂତି ଛଳରେ କହେ–ଏଁ ଦୁଃଖ କଲେ ଚଳେ । ଛିଃ ମୁହଁଟା ଦିନକୁ ଦିନ କ’ଣ ହେଉଛି । ପଞ୍ଜରା ହାଡ଼ ଗଣି ହୋଇଗଲାଣି ଚାକିରି କ’ଣ ମିଳିବନି ? ଭଗବାନ୍‌ ଯେତେବେଳେ ଜନ୍ମ ଦେଇଛନ୍ତି ନିଶ୍ଚୟ ଖାଦ୍ୟର ବ୍ୟବସ୍ଥା କରିବେ । ଚିନ୍ତା କର ନା, ମୋ ସୁନାଟା ପରା !

 

ଆଜି, ଆଜି କୌଣସିମତେ ଚାରିବର୍ଷ କଟିଛି, ଆଉ ଏକ ମିନିଟ୍‌ କଟି ପାରିବ ନାହିଁ । ଶେଷରେ ସ୍ଥିର କଲା, ଯଦି ଚାକିରି ନ ମିଳିବ ତାହାହେଲେ ରିକ୍‌ସା ଟାଣିବାକୁ ମିଳିବ ତ !

 

ନିଜ ପ୍ରତି ଖୁବ୍‌ ଘୃଣା ଆସିଲା–ଶିକ୍ଷା ପ୍ରତି ମଧ୍ୟ ।

 

ସେ ଦିନ ରାତିରେ ତାକୁ ମୋଟେ ନିଦ ମାଡ଼ିଲା ନାହିଁ । ନୀରବରେ ଚକ୍ଷୁ ବୁଜି ପଡ଼ି ରହିଲା–ଯେମିତି ତିଳୋତ୍ତମାକୁ କହିବାକୁ ତା’ର କିଛି ନ ଥିଲା । ନିହାତି ବିରକ୍ତ ହୋଇ ଡିଆସିଲି ମାରି ଘଣ୍ଟା ଦେଖିଲା । ରାତି ଦି’ଟା । ଉଃ, ରାତିଟା କ’ଣ ସକାଳ ହେବାକୁ ଆଦୌ ଚାହେଁ ନା । ମନଟା ଶତଚାଞ୍ଚଲ୍ୟ ମଧ୍ୟରେ, ନିର୍ଦ୍ଦିଷ୍ଟ ଭବିଷ୍ୟତ୍‌ର ନିବିଡ଼ ଅନ୍ଧକାର ମଧ୍ୟରେ ସଙ୍କୁଚିତ ହୋଇଗଲା-। ବୁକୁ ଭିତରେ ଯେମିତି କିଏ କାହାକୁ କହୁଥିଲା–ହେ ଦରଦୀ ଦେଖୁଛ ପ୍ରାଣ କ’ଣ ହେଉଛି ? ଏ ଦରଦ କିଏ କାଢ଼ିନବ ?

 

ଠିକ୍‌ ସେତିକିବେଳେ ଆଉ ଗୋଟିଏ ବୁକୁ ଭିତରେ କିଏ କହୁଥିଲା–ହେ ପ୍ରିୟତମ, ଏ ପ୍ରାଣ କାହା ପାଇଁ ବହୁଛି ଜାଣ କି ? ତମେ କାଲି ଗଲେ ସେ କେମିତି ରହିବ ।

 

ସ୍ୱାଭାବିକ ଗତିରେ ରାତ୍ରିଟି ପ୍ରଭାତରେ ପରିଣତ ହେଲା । ଭାଗୀ ନିଜର ଜିନିଷପତ୍ର ଠିକ୍‌ କରିବାରେ ଲାଗିଲା । ତିଳୋତ୍ତମା ସ୍ୱାମୀର ପ୍ରୀତି–ଭୋଜନ ପାଇଁ ରନ୍ଧନଶାଳାରେ ତୁମୁଳ ଆୟୋଜନ କଲା । ପରିବାର ମଧ୍ୟରେ ଧୁମ୍‌ ଧାମ୍‌ ପଡ଼ିଗଲା–ଭାଗୀ ଆଜି ବିଦେଶ ଯାଉଛି ।

 

ସ୍ତ୍ରୀ ଓ ଜନନୀର ସମସ୍ତ ସ୍ନେହ–ସୁହାଗ ନେଇ ଭାଗୀ ଯାତ୍ରା ଆରମ୍ଭ କଲା–ଏକ ଅଜ୍ଞାତ ଅନିର୍ଦ୍ଦିଷ୍ଟ ପଥରେ ।

 

କୋଡ଼ିଏ ବର୍ଷ ତଳେ ଭାଗୀ ପଛିମା ନକଲ ଚଳଚ୍ଚିତ୍ର–ଦର୍ଶୀର ଆଇନା ଭିତରେ ବମ୍ୱେ ସହର, ‘‘ଆଗ୍ରାକା ତାଜ୍‌’’ ସାଥିରେ କେତେ ଛବି ଦେଖିଥିଲା ଓ ସେଥି ସଙ୍ଗେ ପଶ୍ଚିମାର ମୁଖ–ବିଜ୍ଞାପନ ଶୁଣିଥିଲା ‘‘ଆଗ୍ରାକା ତାଜମହଲ ଦେଖୋ, ବମ୍ୱେ ସହର ଦେଖୋ ।’’ ଆଜି ବମ୍ୱେ ଷ୍ଟେସନର ପ୍ଲାଟଫରମରେ ଅବତରଣ କରି ସେ ତାଜୁବ୍‌ ହୋଇଗଲା ଠିକ୍‌ ପଶ୍ଚିମାର ଛବି ଦେଖି କୋଡ଼ିଏ ବର୍ଷ ତଳେ ସେ ଯେମିତି ହୋଇଥିଲା । ଷ୍ଟେସନ ପ୍ଲାଟଫରମର ଅପର ପାରରେ ଅଗଣିତ ମୋଟରକାର, ମୋଟର ବସ୍‌, ଦୋମହଲା ବସ୍‌, ସାକ୍ଷାତ୍‌ କୋଠାଘର ଭଳି । ଲକ୍ଷ ଲକ୍ଷ ରିକ୍‌ସା ଓ ଘୋଡ଼ାଗାଡ଼ି ଏ ତ ସାଧାରଣ କଥା । ତାକୁ ଆଶ୍ଚର୍ଯ୍ୟ ଲାଗିଲା ଗୋଟିଏ ଦୃଶ୍ୟ–ସାଧାରଣ ଲୋକର ପରିପାଟୀ ସହକାରେ ବେଶବିନ୍ୟାସ । ସେ ମନେ ମନେ ଭାବିଲା–ହାରେ, ଏ ଦେଶ କ’ଣ ଦାରିଦ୍ର୍ୟ–ବଞ୍ଚିତ ? କୌଣସି ଯାନର ସାହାଯ୍ୟ ନ ନେଇ ମୋଟର, ଘୋଡ଼ା ଗାଡ଼ି ରିକ୍‌ସା ବାଲାର ଚିତ୍କାର ଉପେକ୍ଷା କରି ପୁଣି ନିଜର ଜିନିଷପତ୍ରଗୁଡ଼ିକ ନିଜ ସ୍କନ୍ଧରେ ବହି ନେଉଥିବାରୁ ସଙ୍କୁଚିତ ହୋଇ ନତଶିରରେ ନିଃସ୍ୱାର୍ଥ ଫକୀର ପରି ଯାତ୍ରା କଲା । ମନେ ମନେ କହିଲା–ହାରେ, କେଡ଼େ ମୁର୍ଖ ମୁଁ । ନିଜର ବିଛଣା, ସୁଟକେସ୍‌ ବହନ କରୁଛି ବୋଲି ମତେ ଏତେ ଅପମାନ ବୋଧ ହେଉଛି ? ଅନ୍ୟର ଜିନିଷ ବହିବି କିପରି ? କିଏ ବା ମତେ ଚାହୁଁଛି ? ଅନିର୍ଦ୍ଦିଷ୍ଟ ଭାବରେ ସେ ଚାଲିଛି । କୋଉଁଠି ଆଶ୍ରୟ ନବ, ସେ ଜାଣେ ନା । ହଠାତ୍‌ ସମୁଦ୍ର ଗର୍ଜ୍ଜନ, ଯାନବାହାନର କଳରୋଳ ସାଥିରେ ତାନ ଦେଇ ଶୁଣାଗଲା । ତାକୁ ଏସବୁ ନୂତନ ଆନନ୍ଦ ଦେଇଥିଲେ ସତ୍ୟ; କିନ୍ତୁ ମନର ତୀବ୍ରତା ଦାରିଦ୍ର୍ୟର ଆକ୍ରୋଶ ତା’ର ସମସ୍ତ ଭାବ ହରଣ କରିଥିଲା-

 

ତଥାକଥିତ ଉଚ୍ଚଶିକ୍ଷିତ ଉତ୍ସାହହୀନ ତରୁଣ ଭାଗୀ ଆଶ୍ରୟଭିକ୍ଷୁ ହେବା ପାଇଁ ସଙ୍କୋଚ ବୋଧ କରୁଥିଲା ସତ, କିନ୍ତୁ ଉପସ୍ଥିତ କ୍ଷେତ୍ରରେ ଆଶ୍ରୟ–ପ୍ରାର୍ଥୀ ହେବା ପାଇଁ ଏକାନ୍ତ ବ୍ୟାକୁଳ ହୋଇପଡ଼ିଲା । ଉପାୟ କ’ଣ ? ନିରାଶ୍ରୟର ଚକିତ ଚକ୍ଷୁ ପ୍ରତ୍ୟେକ ଯାତ୍ରୀକି କାତର–କରୁଣ ଭାବରେ କେତେ କ’ଣ କହୁଥିଲା; କିନ୍ତୁ ହାୟ, କେହି ତା’ର ଗୋପନ ବ୍ୟଥା ବୁଝିଲେ ନାହିଁ ! ଜନତା ମନ୍ଥର ଗତିରେ ଚାଲିଛି, ତା’ ଆଡ଼େ ନଜର ଦେବାକୁ ବେଳ କାହିଁ ? ଅତ୍ୟନ୍ତ ବିବ୍ରତ ହୋଇ ଜଣେ ଅର୍ଦ୍ଧଶିକ୍ଷିତଙ୍କୁ ଇଂରେଜୀରେ ପଚାରିଲା–ଏଠି ଧର୍ମଶାଳା ଅଛି ? ଅପରିଚିତ ବିଦ୍ରୁପ କରି ସ୍ମିତ ବଦନରେ କହିଲେ–ଏଡ଼େ ବଡ଼ ସହର ଧର୍ମଶାଳା ନାହିଁ ? ପ୍ରଶ୍ନ ପଚାରିବାରେ ଭୁଲ କଲା । ଧର୍ମଶାଳା କୋଉଠି, କେତେ ବାଟ ପଚରିଥିଲେ ଠିକ୍‌ ହୋଇଥାନ୍ତା । ଆଚ୍ଛା ଏହିବାଟେ ଯାଅ, ମାଇଲିଏ ବାଟ ଗଲେଁ ଗୁରୁକୁଳ ଆଶ୍ରମ ପଡ଼ିବ ।

 

ସେ ଚାଲିଲା । ଗତିଟା ମଝିରେ ମଝିରେ ଚଞ୍ଚଳ କରି ଦେଉଥାଏ; କିନ୍ତୁ ଗୁରୁକୁଳ ଆଶ୍ରମ କାହାଣୀ ପେଡ଼ିର ପଦ୍ମ ପରି ଦୂରକୁ ଘୁଞ୍ଚି ଯାଉଥାଏ । ଡାଳଭଙ୍ଗା ମାଇଲ କଥା ତା’ର ଖିଆଲ ନ ଥିଲା ।

 

ପୁଣି ଜଣେ ଅପରିଚିତଙ୍କୁ ଇଂରେଜୀରେ ପଚାରିଲା–‘ଗୁରୁକୁଳ ଆଶ୍ରମ କେତେ ଦୂର ?’

 

ଅପରିଚିତା ତାକୁ ଚାହିଁ ହସି ଦେଲେ । ତାଙ୍କ ହାସ୍ୟରେ ବିଦ୍ରୁପ ନ ଥିଲେ ସୁଦ୍ଧା ଭାଗୀର କ୍ଷୁଧିତ ପ୍ରାଣରେ ତାହା ଦାରୁଣ ଆଘାତ ଦେଇଥିଲା । ତା’ର ମୁହଁ ଶୁଖିଗଲା । ମନେ ହେଲା–ମତେ ହିଁ ବିଦ୍ରୁପ କରିବାକୁ ତା’ର ଏ ହାସ୍ୟ; କିନ୍ତୁ ଲୋକଟି ଯେ ଇଂରେଜୀ ଜାଣି ନ ଥିବାରୁ ନିଜକୁ ହେୟ ମନେକରି ହସିଥିଲେ, ଏ କଥା ଭାଗୀର ଚିନ୍ତା କିନାରାକୁ ଆସିଲା ନାହିଁ । କିଛି ନ ବିଚାରି ତାଙ୍କଠାରୁ ଆଉ କିଛି ଜାଣିବାକୁ ଅପେକ୍ଷା ନ କରି ସେ ଯାତ୍ରା ଆରମ୍ଭ କରିଦେଲା । ହାତ ଘୋଳେଇ ହୋଇ ପଡ଼ିଲାଣି, ଅନଶନରେ ଶରୀର ଓ ମନ ଏକାନ୍ତ ଅବସନ୍ନ ହୋଇ ପଡ଼ିଲାଣି । କ’ଣ କରିବ ? ସେହି ଅପରିଚିତ ତାକୁ ପଛରୁ ଡାକିଲେ, ପୂରା ଗୁଜୁରାଟୀ ଭାଷାରେ । କହିଲେ–ଶୁଣ ।

 

ଭାଗୀ ଫେରିଆସି ଦରୋଟି ହିନ୍ଦିରେ କହିଲା–କ’ଣ ? ତୁମେ କ’ଣ ପଚାରୁଛ ?

 

‘‘ଗୁରୁକୁଳ ଆଶ୍ରମ ଆଉ କେତେ ଦୂର ?’’

 

‘‘ଆଉ ମାଇଲିଏ ବାଟ ଅଛି ।’’

 

ଏଥର ଗତିଟାକୁ ଚଞ୍ଚଳ କରିବାକୁ ତା’ର ଶକ୍ତି ନ ଥିଲା । ମନେ ମନେ କହିଲା–ହାରେ, ଏ ଯୁଗରେ ମଧ୍ୟ ଲୋକେ ଦୂରତା ବିଷୟରେ କିଛି ଜାଣିଲେ ନାହିଁ !

 

ପରିଶେଷରେ ଚିର ଆକାଙ୍‌କ୍ଷିତ ଗୁରୁକୁଳ ଆଶ୍ରମ ଦେଖା ଦେଲା । ବିଛଣା ଓ ସୁଟ୍‌କେସ୍‌ଟି ବାରଣ୍ଡାରେ ରଖି ଦେଇ ଥକା ମାରି ବସିପଡ଼ିଲା । ଏଇକ୍ଷଣି ଖାଇବ କ’ଣ ?

 

ସମ୍ୱଳ ଗୋଟିଏ ମାତ୍ର ଟଙ୍କା । ସେ ଟଙ୍କାଟିକି ସେ କୃପଣର ଧନ ପରି ସାଇତି ରଖିଛି–ଏଇଟି ଆସିବା ସମୟରେ ପ୍ରିୟାର ଦାନ–ବହୁଦିନର ସଞ୍ଚିତ ଧନ । ଦେବା ସମୟରେ ସର୍ତ୍ତ ଥିଲା–ଅଭାବ ପଡ଼ିଲେ ଏଇଟି ଖର୍ଚ୍ଚ କରିବ, ଚିଠି ଲେଖିବାକୁ ମୋଟେ ତ୍ରୁଟି କରିବ ନାହିଁ । ତେବେ ଏ କ’ଣ ଅଭାବ ନୁହେଁ ? ନା, ପ୍ରିୟାକୁ ଚିଠି ଲେଖିବାକୁ ଭବିଷ୍ୟତରେ ପଇସା ମିଳିବ ବୋଲି କେଉଁ ବିଶ୍ୱାସ ।

 

ନାନା ଚିନ୍ତା ପରେ ନିତାନ୍ତ କ୍ଷୁର୍ଣ୍ଣ ମନରେ ଟଙ୍କାଟି ଭଙ୍ଗାଇ କିଛି ଖାଦ୍ୟ ସଂଗ୍ରହ କଲା । ଚାରି ପଇସା ବିସ୍‌କୁଟରେ କ’ଣ ଓଡ଼ିଆାର ପଖାଳଖିଆ ପେଟଟା ପୂରେ ? କ୍ଷୁଧାର ଦାଉ ବେଶୀ ବୃଦ୍ଧି ପାଇଲା । ଆଉ କିଛି କିଣି ଖାଇବାର ମନଃସ୍ଥ କରିଥିଲା ସତ; କିନ୍ତୁ ତାହା ଆଉ ହେଲା ନାହିଁ ।

 

ଆଶ୍ରମବାସୀଙ୍କ ସାଙ୍ଗରେ ଖଣ୍ଡଖଣ୍ଡିଆ ହିନ୍ଦୀରେ ନାନା କଥା ଆଲୋଚନା କଲା । ସେଥି ଭିତରେ ହିନ୍ଦୁ ମୁସଲମାନ ଗଣ୍ଡଗୋଳ, ମିଲସଂଖ୍ୟା, ବ୍ୟବସାୟ ହାଲ, ଚାକିରି ହାଲ ପ୍ରଧାନ-। କିନ୍ତୁ ହାୟ, ସେଠି ଯେ ତାରି ଭଳି ବେକାର ଅର୍ଦ୍ଧଶିକ୍ଷିତ ଉଚ୍ଚଶିକ୍ଷକ ଅନେକ ! ତଥାପି ସେମାନେ ତାକୁ ତୁଣ୍ଡ–ସହାନୁଭୂତି ଦେଖେଇବାକୁ ଆଦୌ କୁଣ୍ଠିତ ହେଲେ ନାହିଁ। ଅନେକ ମଧ୍ୟ ସେମାନଙ୍କ ଜୀବନୀ କହି ବସି ତା’ଠାରୁ ଅଧିକ ଅଭାବଗ୍ରସ୍ତ ବୋଲି ଜୋର କରି ଦାବି କଲେ । ସେମାନଙ୍କ ମଧ୍ୟରୁ ଜଣକୁ ସାଥିରେ ଧରି ସେ ପୋଷ୍ଟ ଅଫିସକୁ ଯାଇ ତିଳୋତ୍ତମା ପାଖକୁ ଖଣ୍ଡେ ମେଲା ପୋଷ୍ଟ କାର୍ଡ଼ରେ ଲେଖିଲା, ‘ବମ୍ୱେରେ ଅଛି, ଏହିକ୍ଷଣି ଭଲ ଅଛି । ତମର ଚିନ୍ତା କରିବା ନିଷ୍ପ୍ରୟୋଜନ । ଏହି ଠିକଣାରେ ଚିଠି ଦବ । ପରେ ଲେଖିବି ।’

ତିନିଦିନ କାଳ ବମ୍ୱେ ସହରର ଏ ମୁଣ୍ଡରୁ ଆରମ୍ଭ କରି ସେ ମୁଣ୍ଡ ପର୍ଯ୍ୟନ୍ତ ଗଲା । କାହିଁ, ଚାକିରି କାହିଁ ? କାହା ପାଖକୁ ଯିବ ? ଯଦିବା ଜଣକ ପାଖକୁ ଯିବ, ତାକୁ କ’ଣ କହିବ ? ଏହି କଥାଟା ଠିକ୍‌ କରି ନ ପାରି ଥକା ମାରି ବୋକାଙ୍କ ଭଳି ଠିଆ ହେଲା । ସେଦିନ ବଜାରର ଗୋଟିଏ କୋଣରେ ଠିଆ ହୋଇଛି, ମନେ ପଡ଼ିଲା, ଆଉ ତ ମୋଟେ ପାଣ୍ଠି ଦୁଇଅଣା ! ତା’ପରେ-? ତଥାପି କିଛି ସ୍ଥିର କରି ନ ପାରି ଅବସନ୍ନ ଚିତ୍ତରେ ଆଶ୍ରମକୁ ଫେରିଲା । ସାରା ରାତିଟା ଉନ୍ନିଦ୍ର ରହି ମୁଣ୍ଡ ଖରାପ କଲା । ନାନା ଦୁଶ୍ଚିନ୍ତାରେ ମସ୍ତକ କୁରାଳ ଚକ୍ର ପରି ଘୂରିବାକୁ ଲାଗିଲା । ମଣ୍ଡରେ ପାଣିହାତ ବୁଲାଇ ଅଞ୍ଚଳରେ ପୋଛିନେବ କିଏ ?

ରାତ୍ରଟି ପ୍ରଭାତରେ ପରିଣତ ହେଲା । ସବିତାର ହେମକିରଣରେ ସହରର ସମସ୍ତ ଅନ୍ଧକାର ଦୂରୀଭୂତ ହେଲା; କିନ୍ତୁ ବାଦ୍‌ ପଡ଼ିଗଲା କେବଳ ନିଃସ୍ୱ ଭାଗୀର ଭବିଷ୍ୟତ ଚାକିରି ଅନ୍ଧକାର । ଆଜି କ୍ଷୁଧାରେ ଅସ୍ଥିର ହୋଇ ମାର୍କେଟକୁ ଗଲା । କୁଲି ହବା ପାଇଁ ସବୁ ଠିକ୍‌; କିନ୍ତୁ କୁଲି ବୋଲି କିଏ ତାକୁ କାମରେ ଲଗେଇବ ? ସେଠି ମଧ୍ୟ ଦେବତାର ଅଭିଶାପ ତା’ ମୁଣ୍ଡରେ ବଜ୍ରସମ ପଡ଼ିଲା । ତା’ ଆଖି ଆଗରେ କୁଲିମାନେ ବୋଝ ମୁଣ୍ଡାଇ ମଜୁରୀ ଆଦାୟ କଲେ; କିନ୍ତୁ ତାକୁ ଗୋଟିଏ ବୋଲି ବୋଝ ମିଳୁନାହିଁ । ଲୋକେ ଯେ କ’ଣ ଭାବି ତାକୁ ବୋଝ ଦେବାକୁ ଅନିଚ୍ଛୁକ ଥିଲେ, ସେମାନେ କହିବେ; ଭାଗୀ କିଛି କହି ପାରିବ ନାହିଁ । ନିହାତି ରିକ୍ତମନରେ ସେ ମାର୍କେଟ ସେଡ଼୍‌ର ଲୌହ ସ୍ତମ୍ଭକୁ ଧରି ଠିଆ ହେଲା । ମନରେ ଦମ୍ଭ ନାହିଁ, ଶରୀରରେ ବଳ ନାହିଁ । ଏହି ସମୟରେ ଜଣେ କିରାନୀ ବାବୁଙ୍କର ଚାଉଳ ବୋହିନେବାକୁ କୁଲିଟିଏ ଦରକାର ପଡ଼ିଲା । ସେ ‘କୁଲି, କୁଲି’ ଚିତ୍କାର କଲେ । ଭାଗୀର ଭାଗ୍ୟ ଡୋର ବୋଧହୁଏ ଫିଟିଲା । କାରଣ ସେତେବେଳକୁ ଅନ୍ୟ କୁଲି ନ ଥିଲେ । ଭାଗୀ ନିଜକୁ ଅର୍ପଣ କଲା । କିରାନୀ ବାବୁଟି ପ୍ରଥମେ ଟିକେ ଅପ୍ରସନ୍ନ ହେଲେ । ତା’ପରେ ଅସ୍ୱାଭାବିକ ସ୍ୱରରେ କହିଲେ–‘‘କେତେ ନବ ?’’ (କେତେ ନେବୁ ପରିବର୍ତ୍ତରେ) ?

ଭାଗୀ କିଛି କହିଲା ନାହିଁ ।

ଏଥର ବାବୁ ଅଧିର ହୋଇ କହିଲେ...ମୋର କଚେରୀ ବେଳ ଉଛୁର ହେବ, ଶୀଘ୍ର କହ-

ଭାଗୀ ନୀରବ ରହିଲା ।

‘ଆରେ କହନା, କି ମୁସ୍କିଲ ?’

ଭାଗୀ ତୁଣ୍ଡରୁ ହଠାତ୍‌ ଅଧା ଇଂରେଜୀ ଅଧା ହିନ୍ଦୀରେ ବାହାରି ପଡ଼ିଲା, ତମର ଯାହା ଖୁସି ଦବ, ମୁଁ କିଛି ଜାଣେ ନାହିଁ । କିରାନୀ ବାବୁ ସ୍ତମ୍ଭିତ ହୋଇଗଲେ । କ’ଣ ଭାବିଲେ କେଜାଣେ, ତା’ ମୁଣ୍ଡ ଉପରକୁ ଚାଉଳ ବୋଝଟି ଟେକି ଦେଇ ତାକୁ ଆଗେ ଆଗେ ଯିବାକୁ କହି ତା’ର ଅନୁଗମନ କଲେ । ଭାଗୀ ତ ମହା ମୁସ୍କିଲରେ ପଡ଼ିଲା । କାରଣ ସେ ପଥ ଠିକ୍‌ କରି ପାରିଲା ନାହିଁ । ଶେଷରେ ସେକଥା କିରାନୀ ବାବୁଙ୍କୁ ଜଣାଇବାରୁ ଗୋଟିଏ ବିପଦରୁ ମୁକ୍ତି ପାଇଲା; କିନ୍ତୁ ତା’ର ଅନଭ୍ୟସ୍ତତା ତାକୁ ମହା ବିଦ୍ରୁପ କରି ପଥ ମଧ୍ୟରେ ଅପଦସ୍ଥ କଲା । କିଛି ବାଟ ଯିବା ପରେ ଚାଉଳ ବୋଝଟି ତା’ ମୁଣ୍ଡରୁ ଖସିପଡ଼ି ରାସ୍ତା ସଂଲଗ୍ନ ହେଲା । ବାବୁଟି ବିନା ବାକ୍ୟବ୍ୟୟରେ ତାକୁ ଏକ ଧକ୍‌କା ମାରି କହିଲେ–ହାରମ୍‌ଜାଦାକା ବେଟା ।

 

ଭାଗୀ ନିରୁତ୍ତର ।

 

ଚାଉଳ ବସ୍ତାଟି ଅତି କଷ୍ଟରେ ମୁଣ୍ଡେଇବାକୁ ଚେଷ୍ଟା କଲା । ବାବୁ ପୁଣି କହିଲେ–ହେ, ଏଡ଼େ ଅକର୍ମଣ୍ୟ ଲୋକଟା ! ଭାଗୀ ଆଖିରୁ ଲୁହ ଗଡ଼ି ପଡ଼ିଲା । ମନେ ମନେ କହିଲା–ହେ ନିଷ୍ଠୁର ଭଗବାନ, ଏହି ବିଦ୍ରୁପ ସହିବାକୁ ମତେ ସୃଷ୍ଟି କରିଥିଲ ?

 

ତା’ପରେ ନିଜକୁ ସଂଯତ କରି କହିଲା–ବାବୁ, ମୁଁ ବୋଝ ବହିବାରେ ସମ୍ପୂର୍ଣ୍ଣ ଅନଭ୍ୟସ୍ତ , କ’ଣ କରିବି କୁହ ?

 

କୁଲିର ପନ୍ଦର ସେରିଆ ଚାଉଳ ବୋଝଟି ବହିବାରେ ଅକ୍ଷମତା ବାବୁ ତାଙ୍କ ଜୀବନରେ କୌଣସି କୁଲିଠାରେ ଦେଖି ନ ଥିଲେ । ତେଣୁ ଏହି ନୂତନ ଅଭିଜ୍ଞତାର ଅତ୍ୟନ୍ତ କୌତୁହଳୀ ହୋଇ ଜିଜ୍ଞାସୁ ନେତ୍ରରେ ତା’ ଆଡ଼େ ଚାହିଁ ରହିଲେ । ଇଂରେଜୀରେ ପଚାରିଲେ–ଶିକ୍ଷିତ ବୋଲି ମନେ ହୁଏ । ତମ ଘର କେଉଁଠି ?

 

ଭାଗୀ ଶୁଦ୍ଧ ଇଂରେଜୀରେ କହିଲା–ମୁଁ ଉଚ୍ଚଇଂରାଜୀ ଶିକ୍ଷିତ, ଖାଦ୍ୟାଭାବରୁ କୁଲି ହେବାକୁ ପ୍ରସ୍ତୁତ ହୋଇଛି ।

 

ଆତ୍ମଗ୍ଳାନିର ତା’ର ସମସ୍ତ ଅନ୍ତର ଚ୍ଛିନ୍ନବିଚ୍ଛିନ୍ନ ହୋଇଗଲା ।

 

ବାବୁଟି ତା’ର ଇଂରେଜୀ ଜ୍ଞାନ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ତେଣୁ ତାକୁ ବା ତା’ର ଇଂରେଜୀ ଜ୍ଞାନକୁ ଅମର୍ଯ୍ୟାଦା ନ ଦେଖେଇ ସେ ତା’ ହାତରୁ ଜୋର କରି ଚାଉଳ ବସ୍ତାଟି ଆଣି ଦୁଇ ହାତରେ ଧରି କିଛି ଦୂର ଗଲେ; କିନ୍ତୁ ପାରିଲେ ନାହିଁ । ଯଦି ମୁଣ୍ଡରେ ବା କାନ୍ଧରେ ନେଇଥାନ୍ତେ, ତାହାହେଲେ ବୋଧହୁଏ ସୁବିଧାରେ ନେଇ ପାରିଥାନ୍ତେ; କିନ୍ତୁ ଆତ୍ମସମ୍ମାନ ବଜାୟ ରଖିବାକୁ ଯାଇ ଏ ଦୁଷ୍କର୍ମ କଲେ । ଫଳରେ ଚାରି ଖୋଜ ଯାଇ ବସ୍ତାଟିକୁ ଦୁମ୍‌ କରି କଚାଡ଼ି ଦେଲେ ।

 

ଭାଗୀ ତାଙ୍କର ଏ ଦୂରବସ୍ଥା ଦେଖି କହିଲା, ‘‘ନା ଆଜ୍ଞା, ଆପଣ ମତେ ଦିଅନ୍ତୁ, ମୁଁ ନିଶ୍ଚୟ ପାରିବି ।’’

 

ବାବୁ ଆପତ୍ତି କଲେ । ତା’ପରେ ଦୁହେଁ ମିଶି କୌଣସିମତେ ‘ବାପ ପୁଅ ଓ ଗଧ’ଙ୍କ ପରି ବଜାରରେ ଅପ୍ରସ୍ତୁତ ହୋଇ ବସାରେ ପହଞ୍ଚିଲେ ।

 

ଭାଗୀ ଦାଣ୍ଡ ପିଣ୍ଡାରେ ବସିଲା । ବାବୁଟି ଦୁଇଟି ଟଙ୍କା ଆଣି ତା’ ହାତକୁ ଦେଲେ–କ’ଣ ଭାବି, ସେ ଜାଣନ୍ତି ।

 

ସର୍ତ୍ତ ଅନୁସାରେ ସେ ଚିଠି ଦେଇ ପାରି ନାହିଁ । ସେ ଦିନ ତିଳୋତ୍ତମା ପାଖକୁ ଚିଠି ଲେଖିଲା–ପ୍ରିୟତମେ ! ଅଭାବଶତଃ ଚିଠି ଲେଖି ପାରି ନ ଥିଲି । ବଡ଼ ଦୁଃଖରେ ଅଛି । ମୋ ପାଇଁ ଦୁଃଖ କରି ନିଜ ଶରୀର ଖରାପ କରିବ ନାହିଁ । ଦେବତାର ଅଭିଶାପ ନିଶ୍ଚୟ ଭୋଗ କରିବାକୁ ହେବ ।

 

ଏକ ମାସ ଅତୀତ ହୋଇଗଲା । ସହରର କୌଣସି ଅଂଶ ଦେଖିବାରେ ବାକି ରହିଲା ନାହିଁ । ସହରଟା ଦେଖିବା ଯେ ଉଦ୍ଦେଶ୍ୟ ଥିଲା, ଏମନ୍ତ ନୁହେଁ । ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା–ଚାକିରି । ଯଦି ଦୈବାତ୍‌ କେଉଁଠି ଖଣ୍ଡେ ମିଳିଯାଏ । ବୁଲି ବୁଲି ମୁଣ୍ଡ ଖପୁରି ଉଠିବା ଉପରେ, ତେବେ ବି ଚାକିରି ମିଳିଲା ନାହିଁ । ସେଦିନ ନିହାତି ବିରକ୍ତ ହୋଇ ମନେ ମନେ କହିଲା–ଆଉ କ’ଣ ସିନେମା ବିଜ୍ଞାପନ ଭଳି ପିଠିରେ ଖଣ୍ଡେ ପେଷ୍ଟବୋର୍ଡ଼ରେ ବିଜ୍ଞାପନ ଲେଖିବି–ଚାକିରି ଦରକାର । ଅନର୍ସ ଥିଲା ବି.ଏ. ପାସ୍‌ । ସେଦିନ ସେ ପାଗଳ ଅନ୍ୟମନସ୍କ ଭାବରେ ଚାଲିଛି–ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଘେନି । ନାନା ଚିନ୍ତାରେ ମନ ଅବସନ୍ନ; ମସ୍ତିଷ୍କ ବିକୃତ । ବମ୍ୱେ ସହର ପାର ହୋଇ ସୁବାର୍ବ (ପଡ଼ା) ନିକଟସ୍ଥ ହୋଇଗଲାଣି–ଅଥଚ ଖେଆଲ୍‌ ନାହିଁ । ଅଦୂରସ୍ଥ ମିଲ୍‌ରୁ ଧୁମରାଶି ଉଦ୍‌ଗୀର୍ଣ୍ଣ ହୋଇ ଚତୁର୍ଦ୍ଦିଗରେ ମେଘର ଛଳନା କରିଛି । ସେହି ଧୂସର ଆକାଶ ଆଡ଼େ ସେ ଚାହିଁଲା । କ’ଣ ଦେଖିଲା, ସେ ଜାଣେ । ହଠାତ୍‌ ଖଣ୍ଡେ ମୋଟରକାର୍‌ ଭସ୍‌ କରି ତା’ ନିକଟରେ ଅଟକିଗଲା । ସେ କୌତୁହଳୀ ହୋଇ ମୋଟର ଆଡ଼େ ଚାହିଁଲା । ସେତେବେଳେ ସେ ତା’ର ଚେତନା ଫେରିଯାଇଥିଲା । ଆରୋହୀମାନେ ସନ୍ତ୍ରସ୍ତ ହୋଇ ଫଟ୍‌ଫାଟ୍‌ ମୋଟର ଭିତରୁ ପଦାକୁ ବାହାରି ପଡ଼ିଲେ । ସେମାନଙ୍କ ମଧ୍ୟରେ ଜଣେ ପ୍ରୌଢ଼, ଜଣେ ଅବିବାହିତା ଯୁବତୀ ଓ ଅନ୍ୟ ଜଣକ ମୋଟର ଡ୍ରାଇଭର । ଏକ ମିନିଟ୍‌ ପରେ ମୋଟର ଚାଳକ ଓ ପ୍ରୌଢ଼ ମୋଟର ଭିତରୁ ଜଣେ ମୁର୍ଚ୍ଛିତା ବୃଦ୍ଧାଙ୍କୁ ବାହାରକୁ ଆଣିଲେ । ଭାଗୀ ଆପଣା କୌତୁକ ଦମନ କରି ନ ପାରି ବୃଦ୍ଧାଙ୍କ ପାଖକୁ ଯାଇ ଇଂରେଜୀରେ ପଚାରିଲା କ’ଣ ହେଲା ?

 

ବୃଦ୍ଧ ଦୁଃଖରେ ଅଧୀର ହୋଇ ବଙ୍ଗଳାରେ କହିଲେ–ସର୍ବନାଶ !

 

ଭାଗୀ କିଛି ବୁଝିଲା ନାହିଁ । ଜିଜ୍ଞାସୁ ନେତ୍ରରେ ଚାହିଁ ରହିଲା । ପାଞ୍ଚ ମିନିଟ ନୀରବତା ପରେ ବୃଦ୍ଧ କହିଲେ–କ’ଣ କରାଯିବ ରଫିକ୍‌ ! ଆଚ୍ଛା, ତମେ ମଟର ସଜ କର । ପାରିବ ତ ? କି ଦୁର୍ଯୋଗ !

 

ଭାଗୀ ବୁଝିଲା–ମୋଟରଟି କୌଣସି କାରଣରୁ ଅସଜ ହୋଇଛି । ବୋଧହୁଏ ଆରୋହୀମାନଙ୍କ ମଧ୍ୟରୁ କାର ହଠାତ୍‌ ରୋଗ ବାହାରିଛି ।

 

ଭାଗୀ ବିନା ବାକ୍ୟବ୍ୟୟରେ ବୃଦ୍ଧଙ୍କୁ ପଙ୍ଖା କରିବାକୁ ବସି ପଡ଼ିଲା, ତା’ର ଲୁଗା କାନିରେ ।

 

ବୃଦ୍ଧ ନିତାନ୍ତ ଅସହାୟ ମନେକରି ଭାଗୀକି କହିଲେ–ବାବୁ, ତମେ ମୋର ଏକ କାମ କରିପାରିବ ?

 

ଭାଗୀ ନତଶିରରେ କହିଲା, ନିଶ୍ଚୟ ପାରିବି । ବିପନ୍ନ ମନୁଷ୍ୟର ସେବାଠାରୁ ଆଉ ଅଧିକ ମନୁଷ୍ୟ କ’ଣ କରିପାରେ !

 

ତାହାହେଲେ ତମେ ଏହି ଚିଠିଟି ନେଇ ଡାକ୍ତରଙ୍କୁ ଡାକିଆଣ । ଏ ମୋର ସ୍ତ୍ରୀ–ହୃଦରୋଗରେ ପୀଡ଼ିତ ।

 

‘‘ସେ ଦ୍ୱିଧା କଲା । କାରଣ ସେ ସେଠାରେ ସମ୍ପୂର୍ଣ୍ଣ ଅପରିଚିତ । ବୃଦ୍ଧ ତା’ର ମନୋଭାବ ବୁଝିପାରି କହିଲେ–ତମେ ବୋଧହୁଏ ଚିହ୍ନିନା । ଆଚ୍ଛା, ଏ ଚିଠି ଦେଖି ଠିକଣା ପାଇବ-। କିଛି ଦୂର ଗଲେ ତମେ ମୋଡ଼ ଉପରେ ଭଡ଼ା ମୋଟର ପାଇବ । ଅସୁବିଧା କ’ଣ ?

 

ନା, କିଛି ନାହିଁ ।

 

ଭାଗୀ ଚାଲି ଯାଉଥିଲା, ବୃଦ୍ଧ ପଛରୁ ଡାକିଲେ–‘ବାବୁ ଶୁଣ, ଶୁଣ ଏହି ପାଞ୍ଚ ଟଙ୍କିଆ ନୋଟଟି ନିଅ ।’

ବୃଦ୍ଧଙ୍କର ସେହି ଆଶୀଷ ଶିରରେ ବହନ କରି ସେ ଚାଲିଲା ନିଜର ସମସ୍ତ ଦୈନ୍ୟ ଭୁଲିଯାଇ ।

ଭଡ଼ା ମୋଟର ପ୍ୟାରୀମୋହନ ଘୋଷ ଏମ.ଡ଼ି. ଜେନେଭାଙ୍କ ଦାଣ୍ଡଦ୍ୱାରରେ ଅଟକିଲା-। ଡାକ୍ତରବାବୁ ଯଥାସମୟରେ ସମ୍ୱାଦ ପାଇ ବାହାରକୁ ଆସିଲେ । ଭାଗୀ କମ୍ପିତ ଚିତ୍ତରେ କହିଲା–ଅବସ୍ଥା ବଡ଼ ଶୋଚନୀୟ । ଚିଠିଟି ଦେବା ପରେ ଡାକ୍ତର ବାବୁ ନିଜ ମୋଟରରେ ବାହାରି ପଡ଼ିଲେ । ଭାଗୀ ଭଡ଼ା ମଟରରେ ତାଙ୍କର ଅନୁଗମନ କଲା ।

ଦଶ ମିନିଟ ପରେ ଭାଗୀ ଡାକ୍ତର ଘେନି ପହଞ୍ଚିଲା । ଓହ୍ଲେଇ ପଡ଼ି ଯାହା ଦେଖିଲା, ସେଥିରେ ତା’ର ଚକ୍ଷୁ ସ୍ଥିର ହୋଇଗଲା । ଯୁବତୀଟି ମା’ଙ୍କ ଆଡ଼େ ଚାହିଁ କାନ୍ଦୁଛି–ସ୍ୱର ନାହିଁ; ଅଥଚ ଲୁହରେ ଗଣ୍ଡଟା ସିକ୍ତ । ତା’ର ମନେ ହେଲା, ସତେ ଆଉ ବର୍ଷାଦିନର ସ୍ରୋତସ୍ୱିନୀ ବନ୍ୟାପ୍ଲୁତା ହୋଇ ଛୁଟିଛି କି ? ସେ ଦୃଶ୍ୟ ଭାଗୀ ପ୍ରାଣରେ ଦାରୁଣ ଆଘାତ ଦେଇଥିଲା । ଡାକ୍ତର କେତେଗୁଡ଼ିଏ ସାଧାରଣ ଅବୋଧ୍ୟ ଯନ୍ତ୍ର ସାହାଯ୍ୟରେ କ’ଣ ପରୀକ୍ଷା କଲେ । ତା’ପରେ ଯାଦୁକାଠି ପରି ତାଙ୍କ ହସ୍ତ କାର୍ଯ୍ୟ କଲା, ବୃଦ୍ଧ ଚେତନା ପାଇଲେ–ସ୍ୱାଭାବିକ ସହଜ ଭାବରେ ଚାହିଁଲେ ।

ଡାକ୍ତର ନିଜର ବିଦ୍ୟାବୁଦ୍ଧି ଚାଳନା କରି ସଫଳକାମ ହୋଇଥିବାର ଭାବଟା ତାଙ୍କର ଚିର କପଟ ଗାମ୍ଭୀର୍ଯ୍ୟ ବିସ୍ଫାରିତ ଆନନ୍ଦରେ ଫୁଟାଇ ସସ୍ମିତ ବଦନରେ କହିଲେ–‘ଆଶୁ ବାବୁ, ଏଥର ଚାଲନ୍ତୁ, ଆଉ କୌଣସି ଆଶଙ୍କା ନାହିଁ ।’

ବୃଦ୍ଧ ନିଜର କୃତଜ୍ଞତା ଜଣାଇ କହିଲେ–‘‘ଏ ଦୟା କ’ଣ କେବେ ଭୁଲିବି ?’’

ଆତ୍ମଗର୍ବରେ ମହୀୟାନ୍‌ ଡାକ୍ତର ବାବୁ ଆହୁରି ଗମ୍ଭୀର ହୋଇ ହସିଲେ । ତା’ପରେ ନିଜ ମୋଟର ମଧ୍ୟକୁ ପ୍ରବେଶ କଲେ ।

ଭାଗୀ ଅନ୍ୟତ୍ର ଯିବା ପାଇଁ ଉଦ୍‌ଯୋଗ କଲେ । କିନ୍ତୁ ବୃଦ୍ଧ ବାଧା ଦେଇ କହିଲେ, ‘‘ନା, ତମେ ଆଉ କୁଆଡ଼େ ଯିବ ଆଜି, ଆମ ଘରକୁ ଆସ । ଏହି ଭଡ଼ା ମୋଟରରେ ତମେ ବସ ।’’

ଦେବତାର ବରସ୍ୱରୂପ ସେ ତାଙ୍କ ବାଣୀ ଗ୍ରହଣ କଲା ।

ତିନୋଟି ମଟର ଆଗପଛ ହୋଇ ତୀର ବେଗରେ ଛୁଟିଲା । ଡାକ୍ତର ବାବୁ ତାଙ୍କ ଘର ସାମନାରେ ମୋଟରରୁ ଓହ୍ଲେଇ ଆଶୁ ବାବୁଙ୍କୁ କହିଲେ–‘‘ରୋଗିଣୀଙ୍କର ବୋଧହୁଏ’ ଆଉ କୌଣସି ଉପସର୍ଗ ନାହିଁ । ଦରକାର ହେଲେ ମତେ ଯଥାସମୟରେ ସମ୍ୱାଦ ଦେବେ ।’’

ମଟର ଦୁଇଟି ପୁଣି ଛୁଟିଲା–ଆକୁଳ କ୍ରନ୍ଦନ କରି ପାଞ୍ଚ ମିନିଟ ପରେ ସେ ଦୁଇଟି ଗୋଟିଏ ପ୍ରକାଣ୍ଡ ଅଟ୍ଟାଳିକା ସମ୍ମୁଖରେ ଠିଆ ହେଲା । ଆରୋହୀଗଣ ଓହ୍ଲେଇ ଘର ଭିତରକୁ ଅବାଧ ଗତିରେ ପ୍ରବେଶ କଲେ । କିନ୍ତୁ ଭାଗୀ ସାମନାରେ ସମୁଦ୍ର । ତା’ର ଜାହାଜ କାହିଁ ?

ବୃଦ୍ଧ କିଛି ସମୟ ପରେ ବାହାରକୁ ଆସି କହିଲେ–ବୈଠକଖାନାକୁ ଆସ । ହଁ, ତମ ଘର କୋଉଠି ? ଏଠି କ’ଣ କର । ଭାଗୀ ନିଜ ଇତିହାସଟା ସଂକ୍ଷେପରେ କହିଲା । କେବଳ ବାଦ ଦେଲା ଯେ, ସେ ନିଜର ସ୍ତ୍ରୀର ତାଡ଼ନା ଓ ବିଦ୍ରୁପ ସହି ନ ପାରି ସେଠାକୁ ଆସିଛି ।

ବୃଦ୍ଧ ତା’ର ଦାରିଦ୍ର୍ୟ ଓ ନିଃସହାୟତାରେ ଏକାନ୍ତ ସହାନୁଭୂତି ଦେଖାଇ କହିଲେ–ଆଚ୍ଛା, ତମକୁ ଅନ୍ୟଠି ଚାକିରି ଖୋଜିବାକୁ ହେବ ନାହିଁ । ଯଦି କିଛି ଜିନିଷ ଅନ୍ୟଠି ଥାଏ, ତାହାହେଲେ ଆମ ମୋଟରରେ ଯାଇ ଘେନି ଆସ ।

ଭାଗୀ ଅକୂଳ ସମୁଦ୍ରରେ କୂଳ ପାଇଲା । ଯେଉଁ ଭଗବାନଙ୍କୁ ସେ ବିଦ୍ରୁପ କରୁଥିଲା, ଆଜି ତାଙ୍କର ଅସ୍ତିତ୍ୱ ତା’ର ପ୍ରାଣ ଭିତରେ ପୁଣି ଜାଗି ଉଠିଲା । ତା’ର ବିଦ୍ରୋହୀ ପ୍ରାଣ ଶାନ୍ତ ହୋଇଗଲା । ତାଙ୍କୁ ଶାନ୍ତ ମନରେ ଥରେ ସ୍ମରଣ କଲା । ହାୟରେ, ସେଥିରେ ଯେ ଅଜ୍ଞତା ଭରି ରହିଛି । ମନେ ମନେ କହିଲା–ହେ ଭଗବାନ, ମନୁଷ୍ୟର କ’ଣ ଅଛି ! ତମେ ତାକୁ କ’ଣ ଦେଇଛ–ଯାହା ଘେନି ସେ ତମକୁ ଭଜିବ, ତମର କ୍ରିୟା ବୁଝିବ ?

 

X X X

 

ବମ୍ୱେରେ ପନ୍ଦର ଦିନ ରହିବା ପରେ ଆଶୁବାବୁ ସପରିବାରେ କଲିକତା ଯାତ୍ରା କଲେ । କଲିକତାରେ ରାଜଭବନତୁଲ୍ୟ ତାଙ୍କର ବାସଭବନଟି ଦେଖି ଭାଗୀ ତାଜୁବ ହୋଇଗଲା । ଏଠି ଯେତେ ସେ ତାଙ୍କ ସାଙ୍ଗରେ ଘନିଷ୍ଠ ଭାବରେ ମିଶୁଥାଏ ଓ ତାଙ୍କ ବିଭବ ଦେଖୁଥାଏ, ସେତେ ଚମକି ଉଠୁଥାଏ । ବମ୍ୱେ–ବାସ କାଳରେ ତା’ର ଧାରଣା ଥିଲା, ଏ ଜଣେ ସାମାନ୍ୟ ମଧ୍ୟବିତ୍ତ ଶ୍ରେଣୀୟ ଲୋକ; କିନ୍ତୁ ଏଠି ଯାହା ଦେଖିଲା, ସେଥିରେ ତା’ର ସେ ସଞ୍ଚିତ ଭ୍ରମ ସବୁ ଦୂର ହୋଇଗଲା ।

 

ଆଶୁବାବୁଙ୍କ ପରିବାର ମଧ୍ୟରେ ସେ ତାଙ୍କର ପତ୍ନୀ ଓ ଏକମାତ୍ର କନ୍ୟା ମଳିନା । ଏହି ଅଭିବାହିତା ସୁନ୍ଦରୀ ଦାୟଭାଗ ଆଇନ ଅନୁସାରେ ତାଙ୍କର ବିପୁଳ ସମ୍ପତ୍ତିର ଅଧିକାରିଣୀ ମଳିନାସୁନ୍ଦରୀ । ଗଳ୍ପ ଉପନ୍ୟାସର ନାୟିକା ହେଲେ ସୁନ୍ଦରୀ ହୁଅନ୍ତି ବାଲି ନୁହେଁ–ମଳିନାର ସୁଗଠିତ ମସ୍ତକର ଅର୍ଦ୍ଧ ଓ ଅବିନ୍ୟସ୍ତ ଭ୍ରମର କୃଷ୍ଣ ଚିକ୍‌କଣ ଚିକୁର, ପରିପୂର୍ଣ୍ଣ ନିଠୋଳ ଯୌବନ, ଶ୍ରୀମଣ୍ଡିତ ଅଙ୍ଗ ଉପରେ ନ୍ୟସ୍ତ ଈଷତ୍‌ ବଙ୍କିମ ଗ୍ରୀବା, ଗୋଲାପୀ–ବସନା ସୁନ୍ଦରୀର ରୂପୈଶ୍ୱର୍ଯ୍ୟ, ବଦନର ମୃଦୁ ଅଥଚ ମନୋହର ହାସ୍ୟ ଓ ସର୍ବୋପରି ତା’ର ଚଟୁଳ ଚପଳ ଚାହାଣୀ ଦେଖି ଭାଗୀ ଆତ୍ମ ବିସ୍ତୃତ ହୋଇଥିଲା । ଏହାପରେ ଆଉ ଗୋଟିଏ ମୋହ ଥିଲା–ସେ ମଳିନାର ଅତୁଳ ସମ୍ପତ୍ତି-। ଭାଗୀ ମନରେ ଯେ କାହିଁକି ମଳିନା ବିଷୟରେ ଏତେ କଥା ସ୍ୱପ୍ନ ପରି ଅସ୍ପଷ୍ଟ ହୋଇ ଉଠୁଥିଲା, ସେ ଜାଣେ । କିନ୍ତୁ ମଧ୍ୟେ ମଧ୍ୟେ ତିଳୋତ୍ତମାର ସ୍ନେହପ୍ରୀତିଭରା ପରମ ଆଦରର ମୁଖଟି ମଧ୍ୟ ସ୍ପଷ୍ଟତର ହୋଇ ଉଠୁଥିଲା । ସେତେବେଳେ ସେ ନିଜର ଅସଂଯମ ଓ ଦୁର୍ବଳତାଟାକୁ ଧିକ୍‌କାର ନ ଦେଇ ଛାଡ଼ୁ ନ ଥିଲା । ବଡ଼ ଦୁଃଖରେ ସେତେବେଳେ କହୁଥିଲା–ଛିଃ, ମୋର ରୂପପିପସା, ମୋର ଅର୍ଥ–ପିପାସା ! ପ୍ରିୟ, ମୁଁ ଦୁର୍ବଳ, ମତେ ପଥ ଦେଖାଅ । ମୁଁ ସର୍ବସ୍ୱ ହରାଇ ବସୁଛି ଯେ ।

 

ପଞ୍ଚଦଶୀ ମଳିନା ଯୋଉ ଦିନ ପ୍ରଥମେ ଉଦାସୀ ଭାଗୀର ବିଶାଳବପୁ, ସୁଗଠିତ ମୁଖ, ବାଥଗେଟ୍‌ କାଷ୍ଟର ଅଏଲ୍‌, ଲୋଲୁପ୍‌ ଅବିନ୍ୟସ୍ତ କୁଞ୍ଚିତ କେଶର ମୁକ୍ତ ଲାସ୍ୟ ଦେଖିଥିଲା, କାହିଁକି କେଜାଣି ତା’ର ପ୍ରାଣରେ ସୂକ୍ଷ୍ମତାରଟି ଅସଜ ହୋଇ ଯାଇଥିଲା, ବୁକୁ ଭିତରେ ଗୋଟାଏ ଅଜ୍ଞାତ ଭାବ ଅନୁସନ୍ଧିତ୍ସୁ ସ୍ୱଭାବରେ ଚାହିଁ ରହିଥିଲା–କାର ଅପେକ୍ଷାରେ । ଭାଗୀର ନିତାନ୍ତ ସ୍ୱାଭାବିକ ପୋଷାକ, ସ୍ୱାଭାବିକ ଗତି, ଏଥିରେ କ’ଣ ଛଳନା ଥିଲା ? ସେଦିନ ମାଆଙ୍କ ରୋଗ ପାଇଁ ସେ ଆକୁଳ ହୋଇ କାନ୍ଦିଥିଲା ସତ; କିନ୍ତୁ... ।

 

କଲିକତାରେ ରହିବାର ଏକମାସ ହେଲା । ଏ ଭିତରେ ବିଶେଷ କିଛି ଘଟିଲା ନାହିଁ । ଭାଗୀ ଆଶୁବାବୁଙ୍କ ପରିବାରଭୁକ୍ତ ହୋଇଛି–ନିହାତି ଆତ୍ମୀୟ ଭଳି । ଚାକିରି କରି ଟଙ୍କା କମେଇବାର ଅଦମ୍ୟ ଆକାଙ୍‌କ୍ଷା ତ ଆଉ ଦେଖା ଦେଇ ନାହିଁ ।

 

ସେ ଦିନ ଆଶୁବାବୁ ସ୍ୱତଃପ୍ରବୃତ୍ତ ହୋଇ ଭାଗୀକି କହିଲେ–ତାହା ହେଲେ ତୁମେ ଆଜିଠାରୁ ମୋର ମିଲ ପରିଚାଳନା ଭାର ନିଅ । ପାରିବ ତ ?

 

ନିଜର ଅସମର୍ଥତାଟାକୁ ପଦାରେ ପକାଇବାକୁ ସେ ଏକାନ୍ତ ନାରାଜ ହୋଇଥିବାରୁ ନୀରବ ରହିଲା । ପରେ କ’ଣ ଭାବିଲା କେଜାଣେ, ତାଙ୍କ ଉପରେ ଦାବି କରି ସ୍ମିତ ବଦନରେ କହିଲା–ନ ହେଲେ ଆପଣ ଅଛନ୍ତି ତ ?

 

ବୃଦ୍ଧ ଅତ୍ୟନ୍ତ ପ୍ରୀତ ହୋଇ ସସ୍ମିତ ବଦନରେ ସମ୍ମତି ପ୍ରଦାନ କରି କହିଲେ–ଆଚ୍ଛା, ତାହାହିଁ ହେବ ।

 

ତା’ପରେ ସେ ଟିକେ ଅନ୍ୟମନସ୍କ ହେଲେ । ପରେ କହିଲେ–ହଁ, ତମେ ଘରକୁ କିଛି କିଛି ଟଙ୍କା ପଠାଇବା ତ ଦରକାର ?

 

ଭାଗୀ ମହା ବିପଦରେ ପଡ଼ିଲା । ଏ ପ୍ରଶ୍ନର ଉତ୍ତର କ’ଣ ଦେବ ? ଶୂନ୍ୟ ମନରେ ଏଣେ ତେଣେ ଚାହିଁ ପରେ ଅଧୋବଦନ ହେଲା ।

 

ଆଶୁ ବାବୁ ବୋଧହୁଏ ନିଜର ଭ୍ରମ ବୁଝି ପାରିଲେ । ସେ କହିଲେ–ଆଚ୍ଛା, ଏଇକ୍ଷଣି ମାସିକ ୧୦୦ଟଙ୍କା ପଠାଅ । ପରେ ଦେଖାଯିବ ।

 

ସେ ନୀରବ ରହିଲେ, ଭାଗୀ ମଧ୍ୟ ।

 

ଆଶୁ ବାବୁ ନୀରବତା ଭଙ୍ଗ କରି କହିଲେ–ତମେ ବୋଧହୁଏ ଅବିବାହିତ ?

 

ଭାଗୀର ଅଜ୍ଞାତରେ ତା’ ତୁଣ୍ଡରୁ ହଠାତ୍‌ ବାହାରି ପଡ଼ିଲା । ହଁ ।

 

ଆଶୁ ବାବୁ ବିନା ବାକ୍ୟବ୍ୟୟରେ କହିଲେ–ତାହାହେଲେ ଆଜି ଯାଅ ମିଲ୍‌ ଆଡ଼େ ଟିକେ ବୁଲି ଆସ ।

 

ଭାଗୀର ମନ ବିଦ୍ରୋହୀ ହୋଇ ଉଠିଲା । କେଡ଼େ ବଡ଼ ମିଥ୍ୟା କଥାଟାଏ କହି ପକାଇଲା ! ‘ତାହା ହେଲେ ତିଳୋତ୍ତମା ମୋର ପତ୍ନୀ ନୁହେଁ, କଥାଟା ବୁକୁରେ ଦାରୁଣ ଆଘାତ ଦେଲା । ମନେ ମନେ କହିଲା–ଛି, କାର ମୋହ ମତେ ହୀନ କରେଇଲା ? ତା’ର ମସ୍ତିଷ୍କ ଉତ୍ତ୍ୟକ୍ତ ହୋଇ ଉଠିଲା । ଜୁଟ୍‌ ମିଲ ଦେଖା ବନ୍ଦ ରହିଲା । ସେ ନିଶବ୍ଦରେ ଶୟନକକ୍ଷ ମଧ୍ୟକୁ ପ୍ରବେଶ କରି ତକିଆରେ ମୁହଁ ପୋତି କାନ୍ଦିବାକୁ ଲାଗିଲା ।

 

ମଳିନା ତା’ର ଅନୁସରଣ କଲା । ଚୁପ୍‌ ଚୁପ୍‌ ଯାଇ ତା’ର ଭାବାନ୍ତର ଲକ୍ଷ୍ୟ କରି ସହାନୁଭୂତି ସ୍ୱରରେ କହିଲା–‘‘ଏଁ, କାନ୍ଦୁଛ କାହିଁକି ? କ’ଣ ହେଲା ?’’

 

ରକ୍ତ ଜବାର ରଙ୍ଗଚୋର ତା’ର ଚକ୍ଷୁଦୁଇଟି ତାକୁ ମଳିନା ପାଖରେ ଧରାଇ ଦେଲା । ନ ହେଲେ ସେ ଲୋତକ ପୋଛିଦେଇ ବେଶ୍‌ ଛଳନା କରି ପାରିଥାନ୍ତା; କିନ୍ତୁ ତା’ର ସ୍ପନ୍ଦନ ବୃଦ୍ଧି ପାଇଲା–ମେଲେରିଆ କମ୍ପ ଯେମିତି ଜ୍ୱରରୋଗୀକି ଅନାୟତ କରେ । ମଳିନା ବାରମ୍ୱାର ଜିଜ୍ଞାସା କରି ତାକୁ ବ୍ୟତିବ୍ୟସ୍ତ କରି ପକାଇଲା । ସେ ତା’ର ସମସ୍ତ ଦୁଃଖ ଭୁଲିଯାଇ କହିଲା, ମଳିନା, ମନଟା ଆଜି ଭାରି ଖରାପ, ଜଣେ ବନ୍ଧୁଙ୍କ କଥା ମନେ ପଡ଼ିଲା ।

 

ମଳିନା ନିରୁତ୍ତର । ତା’ର ସମସ୍ତ ରୂପରେ ଗର୍ବିଣୀ ପଞ୍ଚଦଶୀ (...) ଣୀର ମୂର୍ତ୍ତି ଦେଖି ସମସ୍ତ ଭୁଲିଗଲା–ଦେଖିଲା, ମଳିନା (...) ତାର ରୂପରାଶି ଏବଂ ତା’ର ଅତୁଳ ସମ୍ପତ୍ତି ।

 

ତିଳୋତ୍ତମା ଚିଠି ପାଇଁ ହାଟପାଳିକି ହାଟପାଳି ଲୋକ (...) ଏ । କାରଣ ଡାକବାଲା ହାଟକୁ ଆସେ । ପ୍ରତି ହାଟପାଳି ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଚଞ୍ଚଳ ଚିତ୍ତରେ ହାଟୁଆର ପଥ ଚାହିଁଥାଏ । ତା’ର କ୍ଷୀଣ ଶବ୍ଦ ଶୁଣିଲେ ସେ ତା’ର ସମସ୍ତ ଇନ୍ଦ୍ରିୟ ସଂଯତ କରି ତା’ଆଡ଼େ ଉତ୍କର୍ଣ୍ଣ ହୋଇ ରହେ । କେତେ ଥର ଯେ ଅପଦସ୍ଥ ହୋଇଛି ତା’ର ଇୟତ୍ତା ନାହିଁ । ତଥାପି ତା’ର ଆତ୍ମଗ୍ଳାନି ନାହିଁ । ସେଦିନକୁ ପନ୍ଦର ଦିନ ହୋଇଗଲାଣି; ତଥାପି ସ୍ୱାମୀଙ୍କଠାରୁ କୌଣସି ପତ୍ର ପାଇନାହିଁ । ସେଥର ଯେ ଭାଗୀ କାହିଁକି ଚିଠି ଦେବାରେ ଡେରି କରିଛି, ସେ ଜାଣେ । କେବେ ହେଲେ ଏତେ ଡେରି କରି ନାହିଁ–ବରାବର ଚାରିଦିନକୁ ଚାରିଦିନ ଚିଠି ଲେଖେ–ଏଥର ? ସରଳା ତିଳୋତ୍ତମା ଅନେକ ଚିନ୍ତା କଲା ପରେ କିଛି ସ୍ଥିର କରି ପାରିଲା ନାହିଁ ବରଂ ଧରି ନେଲା, ବୋଧହୁଏ ସେ ରୋଗାକ୍ରାନ୍ତ । ପୁଣି ଆଠଦିନ ଗଲା, ହାଟ ପାଳି ଆସିଲା । ଲୋକ ପଠାଇଲା । ଖଣ୍ଡେ ଚିଠି ଆସିଛି । ସନ୍ଧ୍ୟା ଆଗରୁ ଲଣ୍ଠନଟି ଅଧା ତେଜି ତା’ ଶୋଇବା ଘରେ ରଖିଥିଲା, ଖାଲି ଚିଠି ପଢ଼ିବ ବୋଲି । ହାଟପାଳି ବ୍ୟତୀତ କେବେ ହେଲେ ଲଣ୍ଠନର ପ୍ରୟୋଜନ ପଡ଼େ ନାହିଁ । ସେ ଯେତିକି ଚିଠିଟି ପଢ଼ିବ ବୋଲି ଚେଷ୍ଟା କରୁଥାଏ, ଚିଠିଟି ଲଫାପା ଭିତରୁ ବାହାରିବାକୁ ସେତିକି ଡେରି କରୁଥାଏ । ଲଫାପା ଅଠା ଚିଠି ସାଙ୍ଗରେ ଜଡ଼ିଯାଇଥିବାରୁ ତା’ର ଖୁବ୍‌ ଅସୁବିଧା ହେଲା । ଶେଷରେ ଚିଠିଟି ଖୋଲି ପଢ଼ିଲା–ଅନେକ ଦିନୁ ଚିଠି ଲେଖି ନ ଥିବାରୁ ଏକାନ୍ତ ଦୁଃଖିତ । ଆଶାକରେଁ, ନିଜ ଗୁଣରେ ମତେ କ୍ଷମା ଦେବ । ଶୁଣି ସୁଖୀ ହେବ, ମୁଁ ଏଇକ୍ଷଣି ଦୁଇଶ ଟଙ୍କାରେ ଖଣ୍ଡେ ଚାକିରି ପାଇଛି । ଏହିକ୍ଷଣି ତାରି ପରିବାରରେ ଆଶ୍ରୟ ନେଇଥିବାରୁ ତମକୁ ଆଣି ପାରୁନାହିଁ-। ସୁବିଧାରେ ଘର ପାଇଲେ ତମକୁ ଯଥାସମୟରେ ଆଣିବି, ଅଭିମାନ କରିବ ନାହିଁ । ତା’ ତଳକୁ ଠିକଣା ଲେଖା ।

 

ତିଳୋତ୍ତମାର ସମସ୍ତ ଦୁଃଖ, ସମସ୍ତ ନୀରସତା କୁଆଡ଼େ ଛପିଗଲା । ବିଦେଶରେ ଗୃହିଣୀ ହେବା ଆନନ୍ଦରେ ଅଧୀର ହୋଇ ପଡ଼ିଲା । ସତେ କ’ଣ ସେ ସେ ସ୍ୱାମୀଙ୍କ ସଙ୍ଗରେ ରହି ପରମ ସୁଖ ପାଇବ ? ଚିଠିଟି ବାରମ୍ୱାର ପଢ଼ି ସୁଦ୍ଧା ତା’ର ତୃପ୍ତି ଆସିଲା ନାହିଁ । ଶେଷରେ କାର୍ଯ୍ୟବଶତଃ ଅନିଚ୍ଛାରେ ସେଇଟିକି ଟ୍ରଙ୍କ ଭିତରେ ସାଇତି ରଖିଲା ।

 

ତା’ ଆରଦିନ ଚିଠି ଲେଖିଲା–ଅଚିରେ ସ୍ୱାମୀ–ସଙ୍ଗ–ସୁଖ ଲାଭର ମଧୁର କଳ୍ପନାରେ ଚିଠିଟି ପୂରିଯାଇଥିଲା । ଠିକ୍‌ ପର ହାଟ ପାଳିରେ ତା’ର ଉତ୍ତର ପାଇଲା–ଏହିକ୍ଷଣି କାର୍ଯ୍ୟବ୍ୟସ୍ତ ଥିବାରୁ କିଛି ଲେଖି ପାରୁ ନାହିଁ । ଘରଟା ସୁବିଧାରେ ମିଳୁ ନାହିଁ, ଖୁବ୍‌ ଚେଷ୍ଟାରେ ଅଛି । ଶଏ ଟଙ୍କା ପଠାଇଲି ।

 

ଚିଠିଟି ପଢ଼ି ତିଳୋତ୍ତମାର ଆନନ୍ଦ କହିଲେ ନ ସରେ । ଚିଠି, ଟଙ୍କା–ସ୍ୱାମୀଙ୍କର ସ୍ୱ–ଅର୍ଜିତ ଟଙ୍କା । ଏହି ଟଙ୍କା ପାଇଁ ତ ସେ ସ୍ୱାମୀକି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲା । ସେ ଯେ ତା’ ସ୍ୱାମୀର ନିନ୍ଦା ଲୋକମୁଖରୁ ଶୁଣୁଥିଲା । କାହିଁକି ? ଏହି ଯୋଗୁ ତ ? ଯଥାସମୟରେ ଚିଠି ଲେଖିଲା । କିନ୍ତୁ ଉତ୍ତର ନାହିଁ । ମାସେ ଗଲା ତେବେ ମଧ୍ୟ ଉତ୍ତର ନାହିଁ । ସେ ପୁଣି ଲେଖିଲା । ଉତ୍ତର ଆସିଲା–ମୁଁ ଆସନ୍ତା ବୁଧବାର ତା ୨୪ ରିଖରେ ଘରେ ପହଞ୍ଚିବି, ତମକୁ ସେଥର ନିଶ୍ଚୟ ଆଣିବି । ଯଦି ସାଇକେଲ୍‌ଟି ଭଲ ଥିବ, ତାହାହେଲେ ମୋଟର ଷ୍ଟେସନକୁ ପଠାଇଦେବ । ଚିଠିଟି ପାଇ ତିଳୋତ୍ତମା ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ଗଭୀର ତୃପ୍ତି–ଆବେଗରେ ତା’ର ସମସ୍ତ ଶରୀର ତୁଳା ସମ ଲଘୁ ହୋଇଗଲା । ତା’ର ମନେ ହେଲା, ସେ କ’ଣ ଏହିକ୍ଷଣି ଆକାଶରେ ଭାସିଯିବ କି ? ତା’ ମନରେ ଅନ୍ୟ କିଛି ନାହିଁ–କେବଳ ଅଛି ସ୍ୱାମୀ ଆସିଲେ–ସେ କିପରି ତାଙ୍କୁ ପୂଜା କରିବ, କିମିତି କେତେ ଦିନର ସଞ୍ଚିତ ସ୍ନେହ ତାଙ୍କୁ ଦବ । ଦିନଟା ଯେତିକି ନିକଟ ହୋଇ ଆସୁଥାଏ, ତା’ର ଉତ୍ତେଜନା ସେତିକି ବୃଦ୍ଧି ପାଉଥାଏ । ସେହି ଦିନଟାକୁ ଅପେକ୍ଷା କରି କରି ସେ ଅତ୍ୟନ୍ତ ଆକୁଳ ହୋଇପଡ଼ିଲା । ତା’ର ମନେ ହେଲା, ଯେମିତି ସେ ତା’ର ସମସ୍ତ ଧୈର୍ଯ୍ୟ ନେଇଯାଇଛନ୍ତି ।

 

ତା’ଆଖିରେ ସମୟ ଅତି ଧୀରେ ଧୀରେ ଶେଷ ହୋଇ ଅବଶେଷରେ ସେହି ନିର୍ଦ୍ଦିଷ୍ଟ ଦିନ, ନିର୍ଦ୍ଦିଷ୍ଟ ତା ୨୪ ରିଖ ଆସିଲା । ତା’ ଆରଦିନ ସେ ଲୋକ ଓ ସାଇକେଲ ଷ୍ଟେସନକୁ ପଠାଇ ଦେଇଛି । ଘର ଦ୍ୱାର ପରିଷ୍କାର କରି ସେଦିନ ଦ୍ୱିଗୁଣ ଉତ୍ସାହରେ ସେ ସ୍ୱାମୀଙ୍କ ପାଇଁ ଖାଦ୍ୟ–ପେୟର ବିରାଟ ଆୟୋଜନ କରିଛି । କିନ୍ତୁ ହାୟରେ, ସେଦିନ ଦିନ ଦଶଟା ଗଡ଼ିଯାଇ ରାତି ଦଶଟା ହେଲା, ତେବେ ମଧ୍ୟ ସ୍ୱାମୀଙ୍କର ଦେଖା ନାହିଁ । ତା’ର ବୁକୁ ନାନା ଆଶା ଆଶଙ୍କା ଭିତରେ ଦୂର ସମୁଦ୍ରର ତୋଫାନଘାତ କ୍ଷୁଦ୍ର ଜାହାଜର ବୁକୁ ଭଳି ବାରମ୍ୱାର ଦୋହଲିବାକୁ ଲାଗିଲା । ନିତାନ୍ତ ଅବସନ୍ନ ହୋଇପଡ଼ିଲା କ’ଣ ଭାବିବ ? ବାହାରର ସାମାନ୍ୟ ଶବ୍ଦରେ ସେ ଚଞ୍ଚଳ ହୋଇ ଉଠିଥିଲା–ସେ ତା’ର ସମସ୍ତ ଇନ୍ଦ୍ରିୟ ସାହାଯ୍ୟରେ ସେ ଶବ୍ଦ ଶୁଣୁଥିଲା–ଏହି ସାଇକେଲ ଘଣ୍ଟି ବାଜିଲା । ଏହି ସେ ଆସିଲେ; କିନ୍ତୁ....ଶେଷରେ ଖାଲି ସାଇକେଲ୍‌ ବିନା ଘଣ୍ଟିରେ ପହଞ୍ଚିଲା । ପରିବାରର ସମସ୍ତେ ଚାକରକୁ ଘେରିଗଲେ; ସେ ମଧ୍ୟ । କିନ୍ତୁ ଭାଗୀ କାହିଁ ? ଏ ବିପୁଳ ଆନନ୍ଦର ଯୋଗ୍ୟ କ’ଣ ସେ ନୁହେଁ ? ତା’ର କିଛି କଥା ନ ଥିଲା ପଚାରିବକୁ–ଅନ୍ତର ଶୂନ୍ୟ–ବିଶ୍ୱ ଶୂନ୍ୟ ।

 

ଭାଗୀର ଜନନୀ ଚାକରକୁ କାତର କଣ୍ଠରେ ପଚାରିଲେ–କିରେ, ପୁଅ କ’ଣ ଆସିଲା ନାହିଁ ?

 

କ୍ଲାନ୍ତ ଅବସନ୍ନ ଚାକରଟି ଉତ୍ତର ଦେଲା–ନା ମା, ସବୁ ମୋଟର ତ ଖୋଜିଲି । ସକାଳୁ ଆସିବା କଥା, ଉପର ବେଳା ମୋଟର ପର୍ଯ୍ୟନ୍ତ ରହିଲି, କାହିଁ ?

 

ଭାଗୀ–ଜନନୀ ଗଭୀର ଦୁଃଖ ଅନୁଭବ କଲେ; ମୁହଁଟା କଳାକାଠ ହୋଇଗଲା । ତିଳ ନିଜର ଆଶ୍ରୟ ଖୋଜିବା ପାଇଁ ଚଞ୍ଚଳ ତା’ କକ୍ଷକୁ ଆସି ତକିଆରେ ମୁହଁ ମାଡ଼ି ପଡ଼ିଲା । ଏ ଆକୁଳ କ୍ରନ୍ଦନ ଦେଖିବାକୁ କ’ଣ ଜଗତରେ କେହି ନାହିଁ ? କିଛି ସମୟ ପରେ ମନକୁ ସାନ୍ତ୍ୱନା ଦେଇ ଭାଗୀ–ଜନନୀଙ୍କ ପାଖକୁ ଯାଇ କହିଲା–ବୋଉ, ସେ ବୋଧହୁଏ ଗାଡ଼ି ଫେଲ୍‌ ହେଲେ । ମନେ ମନେ ଏହିପରି ଗୋଟାଏ ସାମୟିକ ସାନ୍ତ୍ୱନା ଆଣି ସେ ରାତିଟା ସେ କୌଣସିମତେ କଟାଇଲା; କିନ୍ତୁ ତା’ ପରଦିନ କ’ଣ କଟିବ ?

 

ଦିନଟା ଗଲା, ସେ ଦିନ ମଧ୍ୟ ହାଟପାଳି । ଲୋକ ପଠାଇଛି, ଚିଠି ନାହିଁ । ଏହିକ୍ଷଣି ଉପାୟ ? ନିଜକୁ କେତେ ଠକାଇବ ? ଅଜ୍ଞାତ ବିପଦର ଅସୀମ ଆଶଙ୍କାରେ ତା’ର ଦଦରା ବୁକୁଟା ଏକାବେଳକେ ଭାଙ୍ଗିପଡ଼ିଲା । ସେ ମନେ କଲା–ସତେ କ’ଣ ଆଉ ରେଳ ଗାଡ଼ିଟା ଓଲଟି ପଡ଼ିଲା ? ତାଙ୍କ ମଟର କ’ଣ ଅନ୍ୟ ମଟର ସଂଘର୍ଷରେ ଆସି ଭାଙ୍ଗିଗଲା ? ନା, ନା,–ସେ ନିଶ୍ଚୟ ଅସୁସ୍ଥ । ଏହିପରି କେତେ କ’ଣ ଯେ ସେ ଭାବିଲା, ସେ ଜାଣେ । ନାନା ଚିନ୍ତା ପରେ କିଛି ଠିକ୍‌ କରି ପାରିଲା ନାହିଁ । ସମସ୍ତେ ବଳବତ୍ତର ହୋଇ ଉଠିଲେ, କାହାକୁ ଫିଙ୍ଗି କାହାକୁ ରଖିବ ?

 

ପ୍ରଭାତ ହେବା ପୂର୍ବରୁ ସେ ଶାଶୁଙ୍କ ପାଖକୁ ଯାଇ କହିଲା–ବୋଉ, ତାଙ୍କର ଦେହ ବୋଧହୁଏ ଖରାପ ହେଲା, ନ ହେଲେ ସେ କ’ଣ ଆସି ନ ଥାନ୍ତେ ?

 

ଭାଗୀ–ଜନନୀ ସହାନୁଭୂତି ସ୍ୱରରେ କହିଲେ–ସତେ ମା, ମୁଁ ଏହି ରାତିରେ ସ୍ୱପ୍ନ ଦେଖିଲି–ପୁଅକୁ ମୋର କେତେ ଗୁଡ଼ାଏ କଳା କଳା ଭୂତ ଭଳିଆ ଲୋକ ଘେରିଯାଇ ନିସ୍ତୁକ ପିଟୁଛନ୍ତି । ସେତିକିବେଳୁ ମୋ ଆଖିରେ ଆଉ ନିଦ ନାହିଁ । ଧନ ମୋର କ’ଣ କରୁଥିବଟି !

 

ତିଳର ସରଳ ହୃଦୟ ଆହୁରି ବିଚଳିତ ହୋଇଗଲା; ଆଖିରୁ ଲୁହ ଗଡ଼ି ତା’ର ଗଣ୍ଡ ତିନ୍ତାଇ ଦେଲା । ସେ ଲୁହ ଛପାଇ କାତର କଣ୍ଠରେ କହିଲା–ବୋଉ, ତାହାହେଲେ କ’ଣ କରାଯିବ-?

 

ମା’, ଆମେ ମାଇପି ଲୋକ ଆଉ କ’ଣ କରିବା ? କିଏ ହେଲେ ପାଖରେ ଥାନ୍ତା, ତାକୁ କହି ବୋଲି ପଠାନ୍ତି । ଏ ହାଟପାଳିକି ଅନେଇବା, ତା’ପରେ ସୁକକୁ ଲେଖିବା । ‘‘ନ ହେଲେ.....’’ ସେ କ’ଣ କହିବାକୁ ଯାଉଥିଲା, ହଠାତ୍‌ ତା’ର କଣ୍ଠରୋଧ ହୋଇଗଲା ।

 

ଶାଶୁ ମୁହୂର୍ତ୍ତେ ଚିନ୍ତା କରି କହିଲେ–ତୁ ଆଜି ସୁକ ପାଖକୁ ଓ ପୁଅ ପାଖକୁ ଚିଠି ଲେଖ । ଦେଖାଯାଉ, କିଛି ଉତ୍ତର ଆସୁଛି କି ନା ।

 

ଉତ୍ତର ଆସିବା ଦିନ ଗଲା, ଏଥର କ’ଣ କରାଯିବ ? ଶାଶୁ କହିଲେ–ତୁ ଆଜି ସୁକକୁ ଚିଠି ଲେଖ । ସେ ଆସୁ, ଯାହା ହବ କରାଯିବ ।

 

କଳ ଭଳି ତିଳ ଚିଠି ଲେଖିଲା । ଏହିକ୍ଷଣି ତା’ର ମସ୍ତିଷ୍କବିକାର ଘଟିଛି–ସଂସାର ବିଷମୟ ।

 

ଯଥା ସମୟରେ ଚିଠି ପାଇ ସୁକ ଆସିଲା । ତାକୁ ସମସ୍ତ କଥା କହିଲା ପରେ ସୁକ କହିଲା–ତାହାହେଲେ ମୁଁ ଯାଏଁ ।

 

ତିଳ ନୀରବ ରହିଲା । ତା’ପରେ କହିଲା–ମୋର ତମ ସାଙ୍ଗରେ ଯିବାକୁ ଭାରି ଇଚ୍ଛା, ତମେ ବୋଉଙ୍କୁ କହିଲେ ମୁ ଯାନ୍ତି ।

 

ସୁକ ସ୍ତମ୍ଭିତ ହୋଇଗଲା । ଏ ପ୍ରସ୍ତାବ ସେ କେବେ ଖୁଡ଼ୀଙ୍କଠାରୁ ଶୁଣିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଶେଷରେ ସ୍ଥିର ହେଲା–ସୁକ ଖୁଡ଼ୀକି ସାଙ୍ଗରେ ନେଇ ତହିଁ ଆରଦିନ କଲିକତା ଯିବ ।

 

ହାବୁଡ଼ା ଷ୍ଟେସନରେ ଓହ୍ଳାଇ ସୁକ ପୁରା ହିନ୍ଦୀରେ କୁଲିକି ଡାକି ନିଜର ସାମାନ୍ୟ ସାମାନ୍‌ ତାକୁ ଦେଇ ଟ୍ୟାକ୍‌ସିବାଲା ପାଖକୁ ଗଲା । ସେଠି ମଧ୍ୟ ଦରଦସ୍ତୁର ନ କରି ପୁରା ଖୋଲଟିରେ କହିଲା–ନ୫ମ୍ୱର ଶ୍ୟାମ ବଜାର ଷ୍ଟ୍ରିଟ୍‌ରେ ହଲ୍‌ଟ କର । ରାଶି ରାଶି ଘୋଡ଼ା ଗାଡ଼ି, ମଇଁଷିଟଣା ଶଗଡ଼, ବଳଦଟଣା ଶଗଡ଼, ମୋଟର କାର୍‌ , ଟ୍ରାମ, ରିକ୍‌ସା ଓ ଅସୀମ ଜନତା ମଧ୍ୟରେ ବିଦ୍ୟତ୍‌ ପରି ତାଙ୍କ ଟ୍ୟାକ୍‌ସଟି ଆକୁଳ ହୋଇ ସଁ ସଁ ଚାଲିଛି । ମଟର ଯେତିକି ଆଗଉଥାଏ, ତିଳର ବୁକୁ ସେତିକି ବଥଉଥାଏ । ସେ ଏହିକ୍ଷଣି କ’ଣ ଦେଖିବ ? କଲିକତା ସହରର ବଜାର, ନାନା କିସମର ଜିନିଷ, ବିଭିନ୍ନ ପ୍ରକାର ଘର, ପୃଥିବୀର ସବୁ ଜାତିର ସମାଗମ, ତା’ର ଚକ୍ଷୁର ଅନ୍ତରାଳରେ ଥିଲା–ବାହ୍ୟ ଜଗତର ବିଚିତ୍ରତା ଓ ବିଭିନ୍ନତା ତା’ ମନରେ ଆଦୌ ରେଖାପାତ କରି ନ ଥିଲା । ମନ ମଧ୍ୟରେ କେତେ ଗୁଡ଼ିଏ ଅସ୍ପଷ୍ଟ ଚବି ବାଇସ୍କୋପର ଛବି ଭଳି ଯିବା ଆସିବା କରୁଥିଲେ–ଶୀର୍ଣ୍ଣ, ବିବର୍ଣ୍ଣ ମୁଖଟି ଧରି ତା’ର ସ୍ୱାମୀ ଖଣ୍ଡିଏ ଖଟ ଉପରେ ନିଃସ୍ୱ ଅସହାୟ ଅବସ୍ଥାରେ ପଡ଼ିଥିବେ । ମନରେ ନାନା ଦୁଶ୍ଚିନ୍ତା ଥିବ । ସକାଳ ହେଲାଣି; ତେବେ ମଧ୍ୟ ବିଛଣା ଛାଡ଼ି ନ ଥିବେ, କେହି ହେଲେ ତାଙ୍କ ଖବର ବୁଝୁନଥିବେ । ଆହା, ସେ ନିତାନ୍ତ ବ୍ୟସ୍ତ ହୋଇ ମତେ ତ ଆକୁଳ ହୋଇ ଖୋଜୁଥିବେ । ଡାକ୍ତର ଡାକିବାକୁ କିଏ ଯାଉଥିବ ? ତାଙ୍କୁ କିଏ ପଥି ରାନ୍ଧି ଦେଉଥିବ ? ସକାଳୁ ମିଶ୍ରି ପଣା କିଏ ଦେଉଥିବ ? ଜର ବେଳେ ମୁଣ୍ଡରେ କିଏ ପାଣି ପଟି ପକାଉଥିବ ? କିଏ ମୁଣ୍ଡ ଟିପି ଦେଉଥିବ ? ବେଳେ ବେଳେ ସେ ଥରି ଉଠୁଥିଲା–ଯେତେବେଳେ ସେ ତା’ର ସ୍ୱାମୀଙ୍କର ରୁଗ୍‌ଣ ଅସ୍ଥିବିଶିଷ୍ଟ ଚେହେରା ଖଣ୍ଡ ଦେଖି ପକାଉଥିଲା । ଏହିପରି କେତେ ଭାବ–ଲହରୀ ତା’ ମନ–ସମୁଦ୍ରରେ ଢେଉ ଉଠି ନିମିଷକେ ଉଭେଇ ଯାଉଥିଲା ।

 

ମଟରଟି ରକ୍ତ–ପିପାସୁ ଦାନବ ପରି ପାଞ୍ଚ ନମ୍ୱର ଘର ସାମନାରେ ଠିଆ ହୋଇଗଲା–ମୁଖଟା ଯେମିତି ତା’ର ଉଷ୍ଣତାରେ ଥରି ଉଠୁଥିଲା । ସମ୍ମୁଖରେ ପ୍ରାସାଦୋପମ ବିରାଟ ଅଟ୍ଟାଳିକା । ମୋଟରବାଲାକୁ ବିଦାୟ ଦେଇ ମୁକ୍ତ ଦ୍ୱାର ନିକଟରେ ସୁକ ଅପେକ୍ଷା କଲା–ତିଳ ଶଙ୍କିତ ଚତ୍ତରେ ଭିତରକୁ ପ୍ରବେଶ କଲା ।

 

ସୁକ ପ୍ରଥମେ ଜଣେ ଓଡ଼ିଆ ପୂଝାରୀକି ଦେଖି ପଚାରିଲା–‘‘ଏଠି ଭାଗୀରଥି ଦାସ ଅଛନ୍ତି ?’’

 

ଉତ୍ତରରେ ପୁଝାରୀ କହିଲା–‘‘ବାବୁ ତ ଏହିକ୍ଷଣି ମିଲ୍‌ ଦେଖିବାକୁ ବାହାରିଗଲେ । ଆପଣ କ’ଣ ତାଙ୍କ ଘର ପାଖରୁ ଆସିଛନ୍ତି ?’’ ସୁକ ଧୀର ଅଥଚ ଅନ୍ୟମନସ୍କ ଭାବରେ କହିଲା–ହ । ପୁଝାରୀ ତାକୁ ବୈଠକଖାନାରେ ବସାଇ ଦେଇ ଭିତରକୁ ଗଲା ।

 

ତିଳୋତ୍ତମା ଅନ୍ତଃପୁର ମଧ୍ୟକୁ ନିର୍ବିଘ୍ନରେ ପ୍ରବେଶ କରି ପ୍ରଥମେ ଦେଖିଲା–ଅନନ୍ତଯୌବନା, ସଦ୍ୟସାତା, ରୂପସୀ, ପଞ୍ଚଦଶୀ ମିଳିନାର ଅପରୂପ ଛବି । ସେ ଇତସ୍ତତଃ କରିବାକୁ ସମୟ ପାଇ ନାହିଁ, ହଠାତ୍‌ ତା’ ମୁହଁରୁ ବାହାରି ପଡ଼ିଲା–‘ସେ ଭଲ ଅଛନ୍ତି ତ ?’

 

ମଳିନା ସ୍ମିତ ବଦନରେ ବଙ୍ଗଳାରେ କହିଲା, କିଏ ?

 

ବାଳିକା ସମ୍ମୁଖରେ ସେ ଅତ୍ୟନ୍ତ ଅପଦସ୍ଥ ହେଲା ସତ୍ୟ; କିନ୍ତୁ ସମସ୍ତ ବହିଷ୍କାର କରି କହିଲା, ଏଠି ସେ ଅଛନ୍ତି ବୋଲି ଲେଖିଥିଲେ ।

 

ମଳିନା କୌଣସିମତେ ତା’ଠାରୁ ନାମଟା ଅସୁଲ କରି ନ ପାରି କହିଲା, ‘‘ଓଃ, ଭାଗୀ ବାବୁ ତ ?’’

 

ହଁ ତାଙ୍କ ଦେହ ଭଲ ହୋଇଗଲାଣି ?

 

ତାଙ୍କର ତ କିଛି ହୋଇ ନାହିଁ । ସେ ଖୁବ୍‌ ଭଲ ଅଛନ୍ତି । ଏହିକ୍ଷଣି ମିଲ୍‍ ଆଡ଼େ ଗଲେ । ଆସିବେ ଯେ, ତୁମେ ତାଙ୍କର କ’ଣ ?

 

ତିଳୋତ୍ତମାର ନୀରବତାରୁ ସେ ସମସ୍ତ ବୁଝିନେଲା–କଲିକତାର ବାଳିକା ତ ! କିନ୍ତୁ ତିଳୋତ୍ତମା କହିଲା–‘‘ମୁଁ ତାଙ୍କର ଜଣେ ନିକଟ ସମ୍ପର୍କୀୟା ଆତ୍ମୀୟା ! ହଁ, ମୋ ସାଥିରେ ତାଙ୍କର ପୁତୁରା ମଧ୍ୟ ଆସିଛନ୍ତି ।’’

 

‘‘ସେ କାହାନ୍ତି ?’’

 

‘‘ବୋଧ ହୁଏ ଦାଣ୍ଡରେ ।’’

 

ବାଳିକା କାଳ ବିଳମ୍ୱ ନ କରି ଅତିଥି–ସେବାରେ ଲାଗିପଡ଼ିଲା । ସେ ତତ୍‌କ୍ଷଣାତ୍‌ ସୁକର ପ୍ରାତଃକୃତ୍ୟ ପାଇଁ ସମସ୍ତ ଉପକରଣ ଆୟୋଜନ କରିଦେଲା ।

 

ତିଳୋତ୍ତମାକୁ ସମସ୍ତ ଗୋଟାଏ ରହସ୍ୟ ପରି ବୋଧ ହେଲା; ଏହିକ୍ଷଣି ତା’ର ମନେ ହେଲା–ତାହାହେଲେ ସେ ନ ଗଲେ କାହିଁକି ?

 

ବାଳିକାର ଅସୀମ ପ୍ରୀତିରେ ତିଳୋତ୍ତମା ସମସ୍ତ ଭୁଲିଗଲା । ତାକୁ ସେ ସ୍ଥାନ ସ୍ୱପ୍ନପୁରୀ ପରି ବୋଧହେଲା ।

 

ଦଶଟା ବେଳକୁ ଭାଗୀ ମିଲରୁ ଫେରିଲା । ବୈଠକଖାନା ଭିତରକୁ ପ୍ରବେଶ କରି ଦେଖିଲା–ଅମୃତବଜାର ପତ୍ରିକା–ଅଧ୍ୟୟନରତ ତା’ର ପୁତୁରା ସୁକ ଚୌକି ଉପରେ ଆସୀନ । ତାକୁ ଦେଖି ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପ୍ରଥମେ ତା’ର ଚକ୍ଷୁର ଭ୍ରମ ବୋଲି ଭାବିଲା । ତା’ପରେ ଆପଣାକୁ ସଂଯତ କରି ଦୃଢ଼ଭାବରେ ଠିଆ ହେଲା । ସୁକ ନମସ୍କାର କଲା । ଭାଗୀର ମନ ମଧ୍ୟରେ ଗୋଟାଏ ଅଜ୍ଞାତ ଯନ୍ତ୍ରଣା ଜନ୍ମି ତାକୁ ଅସ୍ଥିର କଲା; ବୁକୁ ଭିତରେ ମୁହୁର୍ମୁହୁ ସ୍ପନ୍ଦନ ଆରମ୍ଭ ହେଲା । ଏ ଦୁର୍ବଳତା କାହିଁକି ? ତା’ର କଥା କହିବାକୁ ଅନେକ ଅଛି, କିନ୍ତୁ କିଛି କହିପାରୁ ନାହିଁ କାହିଁକି ? ପାଞ୍ଚ ମିନିଟ ପରେ ନିତାନ୍ତ ଅସ୍ୱାଭାବିକ ସ୍ୱରରେ କହିଲା–‘‘ତୋର ପରା ପରୀକ୍ଷା, ତୁ ଆସିଲୁ କାହିଁକି ? କ’ଣ ଯଦି ଘରେ ଦରକାର ଥିଲା, ମତେ ଲେଖିଥିଲେ ତ ମୁଁ ଚାଲିଯାଇଥାନ୍ତି-। ତୁ ପରୀକ୍ଷା ସମୟରେ ଆସିଲୁ ବାହାରି ନା !’’

 

ଏ ପ୍ରଶ୍ନରେ, ଏ ଆକ୍ଷେପରେ ସୁକର ଚପଳ ମନଟା ସେତେବେଳେ ଖୁଡ଼ୀ ଉପରେ ଯେ କେତେ ବିରକ୍ତି–ଶର ନିକ୍ଷେପ କରିଛି, ସେ ଜାଣେ ।

 

ଭାଗୀ ପଚାରିଲା–‘‘ତୁ ଖାଇଛୁ ?’’

 

‘‘ହଁ ।’’

 

‘‘ଘର ଖବର କ’ଣ ?’’

 

‘‘ସବୁ ଭଲ । ତମେ ଚିଠି ଦେଲ ନାହିଁ ବୋଲି ମା’ ମତେ କଟକରୁ ଡକେଇ ନେଲା । ତା’ପରେ ମୋ ସାଙ୍ଗରେ ଖୁଡ଼ୀ ଆସିଛନ୍ତି ।’’

 

ଭାଗୀ ମସ୍ତକରେ ଚାରିମହଲା କୋଠା ଘରଟି ଭାଙ୍ଗିପଡ଼ିଲା, ପଦତଳେ ଭୂମିକମ୍ପ ହେଲା । ସେ ସ୍ତବ୍‌ଧ ହୋଇ ଠିଆହେଲା । ତା’ପରେ ଚୌକିର ଆଶ୍ରୟ ନେଲା । କ’ଣ ସେ ଆସିଛି–ସର୍ବନାଶ–(ସୁକ ଶୁଣି ନାହିଁ)

ମନରେ ତୀବ୍ରତା ବୃଦ୍ଧି ପାଇଲା । ବୁକୁ ଭିତରେ ଘୋଡ଼ା ଦୌଡ଼ ଆରମ୍ଭ ହେଲା । ତା’ର ମନେ ହେଲା–ସେ ସେଠି କିଛି ସମୟ ଚିନ୍ତା କରିବ, ଭବିଷ୍ୟତ ସମ୍ୱନ୍ଧରେ; କିନ୍ତୁ ସୁକ ସାମନାରେ ଆପଣାକୁ ଧରା ପକାଇବାକୁ ଇଚ୍ଛା କଲା ନାହିଁ । ଏହିକ୍ଷଣି ତା’ର ମନେ ହେଲା, ସେ କିମିତି ମଳିନା ଓ ତିଳୋତ୍ତମା ପାଖରେ ମୁଖ ଦେଖାଇବ । ଜଣକୁ ପ୍ରତାରଣା କରି ତା’ର ସମସ୍ତ ଲୁଣ୍ଠନ କରିବାକୁ ପ୍ରତିଶ୍ରୁତି ହୋଇଛି, ଅନ୍ୟ ଜଣକୁ ନ୍ୟାଯ୍ୟ ସ୍ନେହ–ସୁଖରୁ ବଞ୍ଚିତ କରିଛି । ଦୁହିଁଙ୍କ ପାଖରେ ସେ ସମ ପରିମାଣରେ ଅପରାଧୀ । ବୁକୁ ଭିତରେ ଥରେ ଭଗବତ୍‌ ନାମର କ୍ଷୀଣ ପ୍ରତିଧ୍ୱନି ହୋଇଥିଲା ମାତ୍ର । ଅନ୍ତର ଶୂନ୍ୟ, ଶରୀର ଶୂନ୍ୟ, ବିଶ୍ୱ ଶୂନ୍ୟ, ସମସ୍ତ ଶୂନ୍ୟ ।

ଭାଗୀ–ପ୍ରତୀକ୍ଷମାଣା । ମଳିନା–ସୁନ୍ଦରୀ ଏପଟ ସେପଟ ହେଉଥିଲେ । ତାକୁ ବାରଣ୍ଡାରେ ଦେଖିଲାମାତ୍ରକେ ତା’ ମୁହଁଟା କାହିଁକି ଆମ୍ୱିଳା ହୋଇଗଲା । ଏଥିପୂର୍ବରୁ ସେ କେତେଥର ଦେଖିଛି–ଭାଗୀ ତୁଚ୍ଛାଟାକୁ ଦିନେ ଦିନେ ମୁହଁ ଭାରୀ ଶୂନ୍ୟ ମନରେ ବସିଥାଏ, ଆଜି ଯଦି ସେମିତି ହୋଇଥିବ ? ତେବେ ଆଜି ବିଷାଦର ଶତଚିହ୍ନ ଅମାବାସ୍ୟା ରାତ୍ରିର ନିବିଡ଼ ଅନ୍ଧକାର ଭଳି ତା’ର ଶରୀର ଓ ମନରେ ସ୍ୱତଃ ଫୁଟି ଉଠିଥିଲା । ମଳିନା କେବେ ସାହସ କରି ତା’ର ବିମର୍ଷତାର କାରଣ ପଚାରି ନାହିଁ । ଆଜି ମଧ୍ୟ ପଚାରିଲା ନାହିଁ ।

ମଳିନା କହିଲା–ଆଜି ତମର ଜଣେ ସମ୍ପର୍କୀୟା ଆତ୍ମୀୟା ଓ ତମ ପୁତୁରା ଆସିଛନ୍ତି । ମୁଁ ସେମାନଙ୍କର ସମସ୍ତ ସୁବିଧା କରି ଦେଇଛି । ତୁମେ ସ୍ନାନ କରି ସୁସ୍ଥ ହୁଅ । ଉଛୁର ହେଲାଣି, ଯାଅ ।

ହଁ, ଯାଉଛି କହି ଭାଗୀ ଲୁଗା ପାଲଟିବାକୁ ତା’ କକ୍ଷ ମଧ୍ୟକୁ ପ୍ରବେଶ କଲା । ସେହି କକ୍ଷରେ ତାରି ବିଛଣାରେ ତିଳୋତ୍ତମା ଶୋଇଥିଲା । ଭାଗୀକୁ ଦେଖି ହଠାତ୍‌ ସଂତ୍ରସ୍ତ ହୋଇ ଉଠି କାହାକୁ ଦେଖିଲା ! ସୁସ୍ଥ ଶରୀର, ବିଶାଳବସୁ, ଅର୍ଥ–ଚିନ୍ତାଶୂନ୍ୟ ତା’ର ସର୍ବସ୍ୱ, ତା’ର ସ୍ୱାମୀ–ବହୁ ଦିନର ହୃତଧନ ।

ତିଳୋତ୍ତମା କହିଲା–ଭୁଲି ଯାଇଥିଲ କି ?

ତା’ର ଉତ୍ତର ସେ କ’ଣ ଦବ ?

ତିଳୋତ୍ତମାର ମିଳନ–ଲୋଲୁପ, ରଙ୍ଗ–ଅଧର ଥରି ଉଠୁଥିଲା–ତା’ର କମ୍ପିତ ଅଧର ଚାହୁଁଥିଲା, ତା’ର ବିରହ–ବିମଧୁର, କାତର ପ୍ରାଣର ସମସ୍ତ ସଞ୍ଚିତ ସ୍ନେହ–ପ୍ରୀତି, କାର ଈପସିତ ଅଧର ସାଥିରେ ମିଶାଇ ଦେବାକୁ; କିନ୍ତୁ–କିନ୍ତୁ–ପୂର୍ଣ୍ଣଛେଦ ଯେ !

ଭାଗୀ ତା’ ଆଡ଼କୁ ଚାହିଁ ପାରିଲା ନାହିଁ । ଛଳନା କରି ବାରମ୍ୱାର ଲୁଗାଟିକି ସଜାଡ଼ି ରଖିବାର ଚେଷ୍ଟା କରୁଥିଲା । ଅନେକ କ୍ଷଣ ପରେ ନତମସ୍ତକରେ ତା’ ସମ୍ମୁଖରେ ଠିଆହେଲା–ମୁଖରେ ଛଳନାଶୂନ୍ୟ ମଧୁର ହାସ୍ୟ–କିନ୍ତୁ ହାୟ, ମୁହୂର୍ତ୍ତରେ ସେ ପାଣ୍ଡୁର–ବିବର୍ଣ୍ଣ ହୋଇଗଲା କାହିଁକି !

ଆଉ ରୋଗହୀନ ଶରୀରରେ ଭାଗୀର ଯୌବନଭରା, ମଦନଦତ୍ତ ରୂପୈଶ୍ୱର୍ଯ୍ୟ ଦେଖି ତିଳୋତ୍ତମା ଉନ୍ମତ୍ତ ହୋଇ ପଡ଼ିଲା । ସେହିକ୍ଷଣି ତା’ର ମନେହେଲା–କେତେ ଦିନର ସେହି ହୃତ ରୂପ, ଚାକିରି ଚିନ୍ତାକ୍ଳିଷ୍ଟ ରୋଗହୀନ ଅଥଚ ଚିନ୍ତାରୋଗ ଶୁଷ୍କ ଶରୀର ଓ ଆଜିର ଏହି ସରସ, ନିଠୋଳ, ବିଶାଳ–ବପୁ । ମନେ ମନେ କହିଲା–ଦେବତା, ଏତେ ରୂପ ରଖିଥିଲ କାହା ପାଇଁ ? ଦିନେ ତ ମୁଁ ଉପଭୋଗ କରି ନାହିଁ ? ଟଙ୍କା କ’ଣ ତମର ସମସ୍ତ ହରଣ କରିଥିଲା ?

 

ସ୍ମିତ ବଦନରେ ଭାଗୀ କହିଲା–‘‘ତମେ କାହିଁକି ଆସିଲ ? ସାହସ ତ କମ୍‌ ନୁହେଁ !’’

 

ସେ ଈଷତ୍‌ ଅଭିମାନ ଓ ପୂର୍ଣ୍ଣ ସୁହାଗଭରା ସ୍ୱରରେ କହିଲା–‘‘ଚିଠି ଦବାକୁ ଭୁଲିଗଲ କାହିଁକି ? ପରୀ ଗାଁ’କୁ ଯାଇ ମତେ ଘେନି ଆସୁଥିଲ ? ବାସ୍ତବିକ ତମେ ଏମିତି ବୋଲି ମୋର ଧାରଣା ନ ଥିଲା ! ତମେ ଏତେ ଯାତନା ଦିଅ ! ଚିଠି ନ ପାଇ ମୁଁ କିମିତି ବଞ୍ଚେ ? ତମେ କ’ଣ ମତେ ଏକାବେଳକେ ଭୁଲିଥିଲ ? ସତ କହ ।’’

 

ଆଉ କିଛି କହି ନାହିଁ, ତା’ର ଚକ୍ଷୁ ସଜଳ ହେଇ ଉଠିଲା ।

 

ଭାଗୀର ପ୍ରାଣ କାନ୍ଦିଲା । ନିଜ ପ୍ରତି ତା’ର ଘୋର ଅବଜ୍ଞା ଆସିଲା–ଆତ୍ମଗ୍ଲାନିରେ ଶିରାପ୍ରଶିରା ଫୁଲି ଉଠିଲା । ସେ ଏପର୍ଯ୍ୟନ୍ତ ଠିଆ ହୋଇଥିଲା, ଏହିକ୍ଷଣି ତା’ ପାଖରେ ବସିଲା । ମୂଖ ପାଣ୍ଡୁର । ଯେପରି ଜୋକ ଲାଗି ସମସ୍ତ ରକ୍ତ ଶୋଷିନେଇଛି । ସେ ବିକଳ କରୁଣ କଣ୍ଠରେ କହିଲା–‘ପ୍ରିୟେ ବୋଲି ସମ୍ୱୋଧନ କରିବା ଅଧିକାର ମୋର ନାହିଁ । ତେବେ ଏତିକି କହୁଛି–ଅପରାଧ କଲେ ଶାସ୍ତି ପାନ୍ତି, ସେ ହେଲା ପାପର ପ୍ରାୟଶ୍ଚିତ । ମୋର ଅପରାଧର ଶାସ୍ତି କୌଣସି ଆଇନରେ ନାହିଁ; ତେଣୁ ମୋର ପ୍ରାୟଶ୍ଚିତ ନାହିଁ; ତଥାପି ଭରସା–’

 

ଆଉ କିଛି କହି ପାରିଲା ନାହିଁ । ତିଳୋତ୍ତମା ଏଥିରୁ କିଛି ବୁଝିଲା ନାହିଁ, କୋଉଥି ପାଇଁ ତା’ର ସ୍ୱାମୀ ଅପରାଧୀ, ତା’ର ପୁଣି ପ୍ରାୟଶ୍ଚିତ ନାହିଁ କ’ଣ–ଏ ଅର୍ଥହୀନ, ଅବୋଧ୍ୟ କଥାରେ ସେ କ’ଣ ପ୍ରତିକାର କରିବ ? ତା’ ମୁହଁରୁ କିଛି ବାହାରିଲା ନାହିଁ । ପାଷାଣ–ମୂର୍ତ୍ତି ପରି ସେ ବସିରହିଲା ; ଶିଶୁ ପରି ଜିଜ୍ଞାସୁ ନେତ୍ରେ ସ୍ୱାମୀ ଆଡ଼େ ଚାହିଁ ରହିଲା । ସବୁ ସ୍ୱପ୍ନ, ସବୁ ମାୟା ।

 

ଭାଗୀ ସେତେବେଳକୁ ପତ୍ନୀର ଜଙ୍ଘ ଉପରେ ମୁଖ ରଖି କାନ୍ଦିବାକୁ ଆରମ୍ଭ କରିଦେଲାଣି । ଅସହାୟା ସ୍ତ୍ରୀର ଧୈର୍ଯ୍ୟ କେତେ ? ସେ ମଧ୍ୟ କାନ୍ଦିବାକୁ ଲାଗିଲା ।

 

ମଳିନା ସବୁ ଶୁଣିଲା, ସବୁ ଦେଖିଲା, କ’ଣ କରିବ ? ବୃନ୍ତଚ୍ୟତ ପୁଷ୍ପ ସମତାର ମୁଖ ପାଣ୍ଡୁର ଓ ମନ ତିକ୍ତ । ମନୁଷ୍ୟ କ’ଣ ସତେ ଏପରି ଶଠତା କରେ ।

 

ଆଉ କିଛି ବିଚାରି ପାରିଲା ନାହିଁ । ତଥାପି ଅସ୍ୱାଭାବିକ ଭଙ୍ଗୀରେ ସେ କକ୍ଷ ତ୍ୟାଗ କରି ଭାଗୀ କକ୍ଷକୁ ଆସି କହିଲା–‘‘ଭଉଣୀ, ମୁଁ ତମ ପାଖରେ ଅପରାଧ କରିଛି, ମତେ କ୍ଷମା ଦିଅ-।’’ ତା’ର ଚକ୍ଷୁ ସଜଳ ହୋଇଉଠିଲା ।

 

ସେଦିନ ରାତିରେ ଭାଗୀ ଆଶୁବାବୁଙ୍କୁ କହିଲା, ‘‘ମୁଁ ଘରକୁ ଯିବି, ମତେ କିଛିଦିନ ଛୁଟି ଦିଅନ୍ତୁ ।’’

 

ଆଶୁ ବାବୁ ଅସମ୍ମତ ହେଲେ ନାହିଁ ।

 

ସେମାନଙ୍କ ପ୍ରସ୍ଥାନ ସମୟରେ ମଳିନା ଭାଗୀକି କହିଲା–‘‘ମୁଁ କ’ଣ ଏକ ମହାନ୍‌ ଦେଶର ବାଳିକା ନୁହେଁ । ତମେ ମତେ କ୍ଷମା ଦେଲେ ମୁଁ ବଞ୍ଚିବି ।’’

 

ଭାଗୀ କିଛି କହି ନାହିଁ । କହିବାର ତା’ର କିଛି ଥିଲା କି ?

☆☆☆

 

କୁ-ସଂସ୍କାର

 

ବଂଶୀର ସରଳ କଥା ସମସ୍ତଙ୍କର ସ୍ନେହ ଆଣିଥିଲା ତା’ ପାଇଁ । ବନ୍ଧୁ ଥିଲା ତିମିର । ତିମିର ସାଥିରେ ବନ୍ଧୁତା କରିଥିଲା ଖାଲି ମନକଥା ତା’ ଆଗରେ କହିବ ବୋଲି–ଟଙ୍କାପଇସା ଜିନିଷପତ୍ର ନେବ ବା ଦେବ ବୋଲି ନୁହେଁ । କିନ୍ତୁ ଏହି ଅବସ୍ଥାର, ଏହି ମନୋଭାବର ପରିବର୍ତ୍ତନ ଘଟିଲା, ଯୋଉଦିନ ଚନ୍ଦ୍ରମଣି ସାଥିରେ ତା’ର ବିବାହ ହୋଇଗଲା ଏକ ଅଶୁଭ ମୁହୂର୍ତ୍ତରେ । ବଂଶୀ ତା’ର ଏହି ଅଶୁଭ ମୁହୂର୍ତ୍ତରେ ଘଟିଥିବା ବିବାହ ବିଷୟରେ ଏଇଆ କହୁଥିଲା–ପତ୍ନୀ ଅସୁନ୍ଦରୀ, ମନ ଭଲ ମିଳୁ ନାହିଁ । କିନ୍ତୁ ପରକ୍ଷଣରେ ତା’ର ହେଜ ହୋଇଯାଉଥିଲା–ଏହି ଶୁଭ ଅଶୁଭ ଦୁଇଟି ମନୁଷ୍ୟର ଚିତ୍ତବିକାର ମାତ୍ର । ଅବସ୍ଥାର ତାଡ଼ନାରେ ସୁଖଦୁଃଖ ଆସିଲେ ମନୁଷ୍ୟର ସାମୟିକ ପରିସ୍ଥିତିଟା ବଜାୟ ରଖିବା ପାଇଁ ଏପରି ଏକ ଶବ୍ଦକୋଷ ତିଆରି କରେ ।

 

ଚନ୍ଦ୍ରମଣି ଅସୁନ୍ଦରୀ ବୋଲି ବଂଶୀ ପର୍ଦ୍ଦା ଉଠାଇଦେଲା । ଏ ପର୍ଦ୍ଦା ଉଠାଇବାଟା ଲୋକଦେଖାକୁ ନା ପ୍ରକୃତରେ ଏଥିରେ କିଛି ସତ୍ୟ ଥିଲା, ଏ କଥା କିଛି ଠିକ୍‌ କରି କହିହେବ ନାହିଁ-। ଯାହାହେଉ, ବଂଶୀର ସାମୟିକ ସୁଖଦୁଃଖରେ ବନ୍ଧୁ ତିମିର ଓ ପତ୍ନୀ ଚନ୍ଦ୍ରମଣି ଯଥେଷ୍ଟ ଆନନ୍ଦ ଓ ସହାନୁଭୂତି ଦେଉଥିଲେ । ବଂଶୀର ଖିଆଲ ଥିଲା ଅନେକ, ପୁଣି ଏହି ଖିଆଲ୍‌ ମଧ୍ୟରୁ ଗୁଡ଼ିଏ ଥିଲେ ନିତାନ୍ତ କଳ୍ପନା–ପ୍ରସୂତ । ତା’ର ପରିପୂରଣ କେବେ ହେଲେ ସଂସାରର ନିର୍ମମ ବାସ୍ତବତା ସାଥିରେ ତାଳ ଦେଇ ପାରିବ ନାହିଁ ।

 

ସଂସାରରେ ସମସ୍ତେ ଯେମିତି ଅର୍ଥ ଓ ନାମ ପାଇଁ ସଜାଗ । ବଂଶୀ ମଧ୍ୟ ସେଥିରୁ ବାଦ୍‌ ପଡ଼ି ନ ଥିଲା । ଦାରିଦ୍ର୍ୟ ସାଥିରେ ସଂଗ୍ରାମ ଚଳାଇ ଚାଲିଥିଲା ସେ । ହେଲେ ସୈନିକ ପରି ସେ ନିର୍ଭୀକ ନୁହେଁ । ତାହା ହୋଇଥିଲେ ଜୀବନ ସାଙ୍ଗରେ ତା’ର ଆଉ ଏ ସଂଗ୍ରାମ ଲାଗରହି ନ ଥାନ୍ତା; ଅନେକ ଦିନୁଁ ସେ ଜୟୀ ହୋଇ ଥାନ୍ତା, ନ ହେଲେ ଜୀବନର ସମସ୍ତ ହରାଇ ଦେଇ ନିଶ୍ଚିନ୍ତ ଥାନ୍ତା । ବିବାହିତ ଜୀବନରେ ଏ ଦୁଃଖ ଦୀନତା ବରାବର ଲାଗିରହିଲା ଦୁରାରୋଗ୍ୟ ରୋଗ ପରି । ତିନିଟା ବର୍ଷ ଭିତରେ ପରିବାରର ଜନସଂଖ୍ୟା ବୃଦ୍ଧି ପାଇଲେ–ଦୁଇରୁ ଚାରି । ଏଥିରେ ପଚାଶଟଙ୍କିଆ ଚାକିରିରେ ଗୁଜୁରାଣ ମେଣ୍ଟେ ନା !

 

ସ୍ଥଳ ଓ କାଳ ବିଶେଷରେ ନୀତି ଅନୀତିର ପ୍ରଭେଦ, ରଖି ନ ଥାଏ, ଏହି ନାମ ଓ ଅର୍ଥ । ଅନେକ ଲୋକ ବାହୁ ପିଟି ଏହା ବିରୁଦ୍ଧରେ ଯୁଦ୍ଧ କରିଥାନ୍ତି । ହେଲେ ନିଜ ପାଖରେ ପରାଜୟ ସ୍ୱୀକାର କରିଥାନ୍ତି । ହେଲେ ନିଜ ପାଖରେ ପରାଜୟ ସ୍ୱୀକାର କରିଥାନ୍ତି । ବଂଶୀ ମଧ୍ୟ ପର ପାଖରେ କହିଛି–ଟଙ୍କା ପଇସା ନାମ ଇତ୍ୟାଦି କ’ଣ ଲୋଡ଼ା, ମରିଗଲେ କିଏ ଦେଖିବ, କିଏ ଭୋଗ କରିବ ? ଏଥିପାଇଁ ଅନୀତିର ଦରକାର କ’ଣ, ଯାହା ଯେତେବେଳେ ଆସୁଛି କରିଯିବା, ସତ୍‌ ଉପାୟରେ । ଅନୀତି କଲେ ଶାନ୍ତି ମିଳେ ନା, ମନଟା ସବୁବେଳେ ଛଟପଟ ହୁଏ, ତେବେ ? ଏହିପରି ବାହାର ଦେଖା ଏକ ଫମ୍ପା ଆଦର୍ଶ ରଖି ସେ ଜୀବନ–ଗତିଟା ଚଳେଇଥିଲା ଭିନ୍ନମୁଖୀ ହୋଇ । ଅର୍ଥ ଓ ନାମ କମାଇବାର ଦୁର୍ବାର ଲାଳସା ହୃଦୟର କୋଉ ନିଭୃତତମ କୋଣରେ ଉଙ୍କି ମାରୁଥିଲେ, ସେ ନିଜେ ମଧ୍ୟ ବେଳେ ବେଳେ ତାଜୁବ୍‌ ହୋଇଯାଇଥିଲା । ତଥାପି ସେ ଦିଗରେ ସେ ପ୍ରାଣାନ୍ତ ଚେଷ୍ଟା ନେଇଥିଲା । ନିତାନ୍ତ କିଛି ଉପାୟ ନ ଦେଖି ସେ ଦିନେ ଗୋପନରେ ପତ୍ନୀକି କହିଲା–‘‘ହେ, ଶୁଣିଲଣିନା, ଏହି ତିମିର ଯୋଗୁଁ ବୋଧହୁଏ ମୋର ଅର୍ଥର ଅନାଟନ ଘଟୁଛି । ଏହାଠାରୁ ସେମିତି ପୃଥକ୍‌ ହୋଇଯାନ୍ତେ ?’’ ପତ୍ନୀର ସେ ବୁଦ୍ଧି କୋଉଠି ଥିଲା କେଜାଣେ, ସେ ଝଟ୍‌କରି କହି ପକାଇଲା–‘‘ଛିଃ, ଛିଃ, ଏଭଳି କଥା କହନ୍ତି ! ବନ୍ଧୁ ସାଥିରେ ଏଭଳି କପଟ ଆଚରଣ ବଡ଼ (...), ବୁଝୁନା.......

 

ବଂଶୀର ମନଟା ଆଦୌ ମାନିଲା ନାହିଁ । କିନ୍ତୁ ପ୍ରକାଶ୍ୟରେ ତା’ ବିରୁଦ୍ଧରେ କିଛି କହିଲା ନାହିଁ । ମନେ ମନେ ଚିନ୍ତା କଲା ତେବେ ଅର୍ଥମନୁଷ୍ୟକୁ ଶାନ୍ତି ଦିଏ, ସୁଖ ଦିଏ ? ନିଜ କଥାରେ ବିଶ୍ୱାସ କରି ପାରିଲା ନାହିଁ । ପରଠାରୁ ଧାର ଅଣା ବୁଦ୍ଧିରେ କେତେ ଦିନ ଚଳିବ ?

 

ନାମ ପାଇଁ ଅଜସ୍ର ଚେଷ୍ଟା କଲା, ସଫଳ ହୋଇ ପାରିଲା ନାହିଁ । ଦେଶସେବା, ସାହିତ୍ୟ–ସେବା ଇତ୍ୟାଦି ହଜାରେ ସେବାରେ ସେ ମନ ଲଗାଇ ଗୋଟିକରେ ହେଲେ ସଫଳକାମୀ ହୋଇ ପାରିଲା ନାହିଁ । ତେଣୁ ଅର୍ଥ ପାଇଁ ବିପୁଳ ଚେଷ୍ଟା କଲା । ଦିନେ ଧନୀ ହେବାର ସହସ୍ର କଳ୍ପନା ଭିତରେ ହେମରଶ୍ମି ଫୁଟିଉଠିଲା, ଏକ ଲଟରୀ ଟିକଟରେ । ଏହି ଟିକଟ ନିଶ୍ଚୟ ଧନ ଆଣିଦେବ । ଭାଇସ୍‌ରାୟ କପ୍‌–ସୁଇପ୍‌ ଟିକଟ ଦାମ୍‌ ଦୁଇଟଙ୍କା । ବଂଶୀ ଟିକଟ କିଣିଲା । ଟିକଟ ଆଣି ପତ୍ନୀ ହାତକୁ ଦେଇ ଗୋପନରେ କହିଲା–‘‘ଦେଖ, ତିମିର କାନକୁ ଯେମିତି ଏ, କଥାଟା ନ ଯାଏ ! ନ ହେଲେ ସବୁ ମାଟି ହୋଇଯିବଟି ! ସେ ଗୋଟାଏ ମସ୍ତ ଅଶୁଭ, ବୁଝିଲ-? ଆମର ଦୁଃଖଦୁର୍ଗତି ସବୁ ତା’ରି ଯୋଗୁଁ । ସୁଖ ସମ୍ଭୋଗ ଚାହିଁ ତ କିଛି ତାକୁ କହିବ ନାହିଁ-। ଟିକଟଟି ହାତ କରି ରଖିଦିଅ ।’’

 

ଚନ୍ଦ୍ରମଣି ପତିର କୌଣସି କଥାରେ କେବେ ହେଲେ ଜବାବ୍ ଦେଇ ନାହିଁ । ସେ ଦିନ ମଧ୍ୟ ଆଉ ପ୍ରତିବାଦ କଲା ନାହିଁ । ସେ ଜାଣିଥିଲା ତା’ର ପତିର କେତେଗୁଡ଼ିଏ ଅଯଥା ଜିଦ୍ ତାରି ଉପରେ ତତଲା ପଲମରେ ପାଣିଟୋପା ପରି ପଡ଼ିଥାଏ ।

 

ବଂଶୀ କାମରେ ଯାଏ ନିତି ଯୋଉ କାମ ଅଫିସରେ ଥାଏ, କରିଦିଏ; କିନ୍ତୁ ସେଥିରେ ତା’ର ଆଦୌ ମନ ନ ଥାଏ । ହେଲେ ଏତିକି ଖିଆଲ ଥାଏ ଯେ–ଯାର ଟଙ୍କା ଖାଉଛୁ କିଛି କରିବା ଚାଇ ତ ? ଅନ୍ତତଃ ନିମକସଚ୍ଚା ହେବା ଦରକାର ତ ? ନ ହେଲେ କାର୍ଯ୍ୟରେ ସ୍ପୃହା ନ ଥାଏ କି ପ୍ରଶଂସାରେ ଧକକା ନ ଥାଏ । ଆଜିକାଲି ଅଫିସରେ କାମ କଲାବେଳେ ମନେପଡ଼େ–ଟିକଟରେ ଦି’ଲକ୍ଷ ଟଙ୍କା ଜିତ୍ ହେବ । ତାହାହେଲେ ସେ ଟଙ୍କାଟା ଭାଗ ହେବ କିପରି ? ତିମିର କ’ଣ ସେଥିରୁ ଭାଗ ନେବ, ଆଉ କିଏ କେତେ ସେଥିରୁ ଭାଗନେବେ, ଶିଶୁମାନେ କିମିତି ପାଠ ପଢ଼ିବେ, ମଟର କିଣା ହେବ କି ନା–ଇତ୍ୟାଦି । ପୁଣି କେତେବେଳେ ମନେପଡ଼େ, ବ୍ୟବସ୍ଥା ସଭାରେ ମେମ୍ବର ହେବା, ଦୋତାଲା କୋଠା କରିବା, ମସ୍ତବଡ଼ ଲୋକ ହେବା, ପୋଷାକ ପରିଚ୍ଛଦ ଜାକ୍ ଜମକ୍ ରେ ପିନ୍ଧିବା–ଏହିପରି ଲକ୍ଷେକୋଟି ଅସଂଯତ ଚିନ୍ତା । ପୁଣି ମନେପଡ଼େ–ହେତ୍, ନିତାନ୍ତ ସରଳ ଜୀବନ ଏହିପରି ଗୋଟିଏ ଚାଳଘରେ କଟାଇ ଦେବି, ପିଲାମାନେ ନିତାନ୍ତ ସରଳ ଜୀବନ ଯାପିବେ । ଜିନଭାଲ୍‍ଜିନ୍‍ର ମହତ୍ୱ ଥିଲା ତା’ର ଛିଣ୍ଡାକମ୍ବଳ ଓ ମଳିଆ କୋଟ୍ ରଖିବାରେ ତ ? ତେବେ....ଏହି ଭାବ–ଅନୁଭାବଗୁଡ଼ିକ ଆସୁଥାଏ ମୁହୂର୍ତ୍ତର ତାଡ଼ନାରେ । ତା’ର ସାମୟିକ ମୀମାଂସା ମଧ୍ୟ ବଡ଼ ଝଟ୍ ହୋଇଯାଏ । ମନର ସଂଯମ ସେଠି ପରାସ୍ତ ହୁଏ ।

 

ତିମିର ତାଙ୍କ ଘରକୁ ନିତି ଆସେ । ନିତି କଥା ହୁଅନ୍ତି । ହେଲେ ଭୁଲ୍ ରେ ବି ବଂଶୀ ବା ମନକଥା ତା’ ବନ୍ଧୁ ପାଖରେ କେବେ କହି ପାରିନାହିଁ । ତିମିର କିଛି କଥା ପକାଇଲେ ସେ ଅନ୍ୟମନସ୍କ ହୋଇ ଆଉ କୋଉଠି ମନ ରଖିଥାଏ । ସେଦିନ ତିମିର ଆସିଲା । ସବୁଦିନ ପରି ବଂଶୀ ଓ ଚନ୍ଦ୍ରମଣି ପିଣ୍ଡାରେ ବସି କଥାବାର୍ତ୍ତା ହେଲେ । ଏହି କ୍ଷୁଦ୍ର ସମିତିଟିରେ ତିମିର ଓ ଚନ୍ଦ୍ରମଣି ବେଶୀ ଯୋଗ ଦିଅନ୍ତି । ବଂଶୀ ବେଳେ ବେଳେ ହୁଁ ହାଁ ମାରୁଥାଏ; ମାତ୍ର ସେଦିନ ହଠାତ୍ ତିମିର କହିଲା–‘‘ଚନ୍ଦ୍ରମଣି, ଯାଉଛି, ଆଉ ତମ ଘରକୁ ଆସିବି ନାହିଁ । ଏଠିକି ଆସିଲେ ଲୋକେ କଥା କହନ୍ତି ନାହିଁ । ଏତେ ଉପରେ ପଡ଼ି କିଏ କଥା କହିବ, କା’ର ଏମିତି ଗରଜ ପଡ଼ିଛି ? ଆଉ ଏବେ କୋଉ ସଇତାନ ଚାପିଲା କେଜାଣେ–ସବୁବେଳେ ଭୁରୁଙ୍ଗା ମୁହଁ କରି ବସିଥିବ...’’

 

‘ତମେ ଜାଣିନ କି ତିମିର, ତମ ବନ୍ଧୁ ପରା ଏବେ କିମିତି–ସେ ଯୋଉ ଧନୀ ମ, ତା ନାଁ ମୋତେ ପଇଟୁ ନାହିଁ, ତମେ କହୁ ନଥିଲ ସେଦିନ.....’

 

ବଂଶୀ ସେତେବେଳେ ଅଗ୍ନିଶର୍ମା ହୋଇ ଦାନ୍ତ କଡ଼ କଡ଼ କରି ରକ୍ତଚାଉଳ ଚୋବାଉଥାଏ । ଚନ୍ଦ୍ରମଣି କିମିତି କେଜାଣେ ତିମିରର ଅଲକ୍ଷ୍ୟରେ ପତି ଆଡ଼େ ଚାହିଁଥିଲା । ସେ ନୀରବ ରହିଗଲା, ନ ହେଲେ ତା’ର ପରା ମାନମହତ୍ତ୍ୱ ସବୁ ସେ ଦିନ ପଦାରେ ପଡ଼ିଯାଇଥାନ୍ତା ।

 

ତିମିର ଚନ୍ଦ୍ରମଣିକି ନୀରବ ଦେଖି କହିଲା–‘‘ସତେ ନା ବଂଶୀ, ଏମିତି କଳ୍ପନା କରି ବସିଛୁ ? ଆରେ, ଠକ୍ ତ ! କୋଉଠି ବାବୁ ଲଟେରୀ ଟିକେଟ କିଣିଲେ କି ?’’

 

ଚନ୍ଦ୍ରମଣି ଚଟକିନା କହିପକାଇଲା–ହେଃ, ସେ କ’ଣ ସେଥିରେ ପଶନ୍ତି କି ? ଶୁଣିନା କି ତିମିର, ସେ ପରା କହନ୍ତି–ଲଟରୀ ଟିକେଟ କିଣି ନିଜ ଭାଗ୍ୟକୁ ଅପଦସ୍ଥ କରିବା ଠିକ୍ ନୁହେ । ଲଟରୀ ଜିତା ଟଙ୍କା କ’ଣ ଟଙ୍କାରେ ଲେଖା ? ନିଜ ଶରୀରର ରକ୍ତ ଦେଇ ଯୋଉ ଟଙ୍କା ନ କମେଇବ, ସେ କି ଟଙ୍କା ? ଲଟେରୀ ଟଙ୍କାରେ କୋଉ ବାହାଦୂରୀ ?

 

ତାହାହେଲେ ଏହି, ପଚାଶ ଟଙ୍କାରେ ଏତେ ପରିକଳ୍ପନା ! ହସେଇଲେ ବନ୍ଧୁ ହସେଇଲ....’ ଏହା କହି ସେ ଠୋ–ଠୋ ହସିଲା ।

 

ବହୁତ ବେଳେ ବଂଶୀ କହିଲା–ତିମିର ତୁ ଲଟରୀ କିଣିବୁ ?

 

ମାଫ୍ କରିବ ବନ୍ଧୁ, ବହୁତ ପଇସା ଖର୍ଚ୍ଚ କରିଛି, ଆଉ ବାପର ଟଙ୍କା ନାହିଁ, ଲଟରୀ ଟିକଟ କିଣିବାକୁ । ତେବେ ବି କେତେବେଳେ କିମିତି ଲୋଭରେ ଆଠଣା ଟଙ୍କାଏ ପକାଇଦିଏ–କାଳେ ବାଜିଯିବ । ଯାଉଛି, ବସ ତମେ...’’

 

‘ବସ ମ, ତୁ ଆସିଲେ ତ ଘୋଡ଼ା ଚଢ଼ି ଆସୁ !’

 

‘ଏମିତି ସେମିତି ଘୋଡ଼ା କି, ଜକିର ଘୋଡ଼ା ନା.....’

 

ବଂଶୀ ଦବିଗଲା ଚନ୍ଦ୍ରମଣି ଆଡ଼େ କଟାକ୍ଷପାତ କଲା ।

 

ତିମିର ଆଉ କିଛି ନ କହି ଚାଲିଗଲା ।

 

X X X

 

‘ଆଜି ଖରା ଖରା କିମିତି ବାବୁ ଚାଲିଆସିଲେ ?’

 

‘ସତେ ହୋ, ମେସ୍ ରେ ମୋଟେ ମନ ଲାଗିଲା ନାହିଁ । ସଞ୍ଜଯାକେ ଯାଉଛି ସେଆଡ଼େ କଟେଇ ଦେଇ ଆସିବି । ପରେ ଟିଉସନକୁ ଯିବି । ବଂଶୀ କେତେବେଳେ ଆସିବ ଅଫିସରୁ ?’

 

‘କି ତାଙ୍କର କ’ଣ ଆଉ ନୂଆ ହେଲା କି ! ସେହି ପାଞ୍ଚୁଟା, ସେଥିରୁ ଅଧିକ ହୋଇଯିବ ସିନା ଊଣା ନାହିଁ ।

ତିମିର ଟିକେ ଅନ୍ୟମନସ୍କ ହୋଇ କହିଲା–‘ସେଇଟା ଏବେ ଏମିତି କ’ଣ ହୋଇଗଲା କିଓ ?’’

 

‘କ’ଣ କହିବି, ତମେ ଶୁଣିଲେ ତାଜୁବ୍ ହୋଇଯିବ, ଏବେ କୋଉ ଭୂତ ଲାଗିଲା କେଜାଣେ ଖାଲି ଟଙ୍କା ରଖିବା । ସେଥିପାଇଁ ଏବେ ନୀତି ଅନୀତିର ବାଛ ବିଚାର ନାହିଁ । ମତେ ତ ଏବେ କିଛି କହୁ ନାହାନ୍ତି ।’

 

ତିମିର ଟିକେ ଚିନ୍ତା କରି–ତା’ପରେ ସଂସାରର ଖର୍ଚ୍ଚ ମଧ୍ୟ ତମର ଏବେ ଟିକେ ବଢ଼ିଯାଇଛି । ହଁ, ତିନିଟା ପଇସା ଦେଲ ଖଣ୍ଡେ ପୋଷ୍ଟକାର୍ଡ଼ ଆଣେ ବାପାଙ୍କୁ ଲେଖିବି ।

 

ଚନ୍ଦ୍ରମଣି ପାନ ଖାଉ ଖାଉ କହିଲା, ‘ହଁ ରହିଯାଅ, ପାନ ଭାଙ୍ଗିସାରେ । ତମେ ଯାଉନା ସେହି ମେଲା ଟ୍ରଙ୍କରେ ରୁମାଲରେ ବନ୍ଧା ହୋଇଛି ପଇସା...’

 

ତିମିର ଟ୍ରଙ୍କରୁ ପଇସା ଆଣୁ ଆଣୁ ଖଣ୍ଡେ କାଗଜ ଦେଖିଲା । କୌତୁହଳୀ ହୋଇ ମେ କରି ଦେଖେ ତ ଖଣ୍ଡେ ଲଟରୀ ଟିକଟ । ସେ ଠୋ ଠୋ ହସି କହିଲା–‘‘କି ଚନ୍ଦ୍ରମଣି, ଏ କଅଣ !’’

 

ଚନ୍ଦ୍ରମଣି ହସି ହସି–‘‘ହେ, ତମ ଗୋଡ଼ ଧରୁଛି, ଚୂପ୍ କର, ଚୂପ୍ କର, ମୋ ବାସ ରହିବ ନାହିଁ, ଜାଣିଛ–ସେ ଦିନ ତମେ ଠାସୁକୁ ମାରି କ’ଣ ଘୋଡ଼ା କଥା କହିଲ ଯେ, ମୋ ସାଙ୍ଗରେ ନିର୍ଦ୍ଧୁମ କଜିଆ ପରା ! ଦୁଇ ଦିନ କାଳ କଥା ହେଲେ ନାହିଁ । ତମେ ଯିମିତି ନ ଜାଣିବ, ଏଥିପାଇଁ ପରା ମତେ ଏବେ କଡ଼ା ତାଗଡ଼ା ଯେ, ତମ କାନକୁ ଯେମିତି ଏହାର ବିନ୍ଦୁ ବିସର୍ଗ ନ ଯାଏ । ତିମିର ତୁମକୁ ମୋ ରାଣ, ତୁମେ ଏହାର ସୂଚନା ଭୁଲରେ ମଧ୍ୟ ତାଙ୍କୁ ଦେବ ନାହିଁ ।’’

 

‘ଆଚ୍ଛା–ଏହି ୨୨ ତାରିଖରେ ଏହାର ଫଳାଫଳ ଖବରକାଗଜରେ ବାହାରିବନା ! ହେଲ, ବଡ଼ଲୋକ ଏଥର ଚନ୍ଦ୍ରମଣି !’’

 

‘‘ଧେତ୍, କିଛି ଭଲା ଆଉ କହନା, କାଳେ ଆସୁଥିବେ ସେ ।’’

 

‘‘ତାହାହେଲେ ମୁଁ ଯାଉଛି ।’’

 

‘‘କି ବସୁ ନା, ସେ ଆସନ୍ତୁ ଜଳଖିଆ ଖାଇ ଯିବ ।’’

 

‘‘ନା, ମୁଁ ଯାଉଛି, ଚିଠି ଲେଖିବାକୁ ଅଛି ।’’

 

ତିମିର ରାସ୍ତା ଉପରେ ହୋଇଛି, ବଂଶୀ ସାଇଁକିନା ସାଇକେଲରୁ ତା’ ଆଗରେ ଓହ୍ଲେଇ ପଡ଼ିଲା । ତିମିରକୁ ଦେଖି କାହିଁକି କେଜାଣେ ତା’ ଛାତି ଦବିଗଲା । ସେ ଟିକେ ସଙ୍କୁଚିତ ହୋଇ କହିଲା, ‘‘କିରେ, ପଳେଇଯାଉଛୁ କାହିଁକି, ଆସୁନୁ ?

 

‘ନା, କେତେବେଳୁ ଆସିଲିଣି, ଚିଠିଖଣ୍ଡକ ଡାକରେ ଦେବି ପରା ! ବାବୁ ଆଜି କିମିତି ବଡ଼ ଝଟ୍, ଚାଲି ଆସିଲେ ? ସାହେବ ନାହିଁ କି ?

 

ସାହେବ ଟର୍ ରେ ବାହାରିଲାରୁ ବାହାରି ଆସିଲି । କାମ କରିବାକୁ ଅଫିସରେ ମନ ଲାଗିଲା ନାହିଁ । ଆମ ଘରକୁ, ସବୁଦିନେ ତୋର ସେହି କଥା–ଆସିଲେ ଯାଉଛି–କିଏ ଯେମିତି–’

 

‘ମତେ ବାନ୍ଧୁଛି ନା, ପରା ଚିଠିଖଣ୍ଡ ଦବାକୁ ଅଛି ।’ କାଲି ଆସିବାକୁ କହି ତିମିର ଚାଲିଗଲା ।

 

ଆଜିକାଲି ତିମିରକୁ ଦେଖିଲେ ବଂଶୀର ଛାତି ଥରେ, ମନ (...)କୁ ରିକ୍ତ ହୋଇ ଉଠେ । କେଜାଣେ ବା ସବୁ ଅମଙ୍ଗଳର, ସବୁ ଦୁର୍ଗତିର ମୂର୍ତ୍ତିମାନ କାଳପୁରୁଷ ସେ । ବେଳେ ବେଳେ (...)ର ମନେହୁଏ–କିମିତି ଏ ତିମିର ମରିଯାନ୍ତା କି ! ଅଥଚ ପବନର ସରସତା ଟିକକ ଏହି ତିମିର ଯୋଗୁ ବୋଲି ସେ ପ୍ରାଣେ ପ୍ରାଣେ ଅନୁଭବ କରିଛି । ଏବେ ମଧ୍ୟ ପତ୍ନୀ ପାଖରେ ସେଇଆ କହେ-। ତେବେ- । ଦାରିଦ୍ର୍ୟ ଓ ଅଭାବ ତା’ର ମନୋଭାବକୁ ଏକାବେଳକେ ଚୂରମାର୍ କରି ଛିନ୍‍ଛତର କରି ଦେଇଛି ।

 

ଗୋଡ଼ହାତ ଧୋଇ ଖଟ ଉପରେ ବସି ଚନ୍ଦ୍ରମଣିକି କହିଲେ–ହେ, ଶୁଣିଲଣି ନା, ଆଉ ତ ମୋଟେ ତିନିଟା ଦିନ ! ଦେଖ ନିଶ୍ଚୟ ଲଟରୀ ଜିତିବ । ତମେ କ’ଣ ନବ କହିଲ ? ତମକୁ ଏଥର ନିଶ୍ଚୟ ସୁନାକାଚ କିଣିଦେବି । ଜାଣିଲନା ! ହଁ, କ’ଣ କହୁଥିଲି କି–ସେ କମିସନର ଅଫିସ୍ କିରାନୀ ମ, ହେତ୍ ତା ନାଁ ମୋତେ ଆସୁନାହିଁ, ଦଶହଜାର ଟଙ୍କା ମୋଫତରେ ମାରିନେଲା ଲଟରୀରୁ । ଆମର କ’ଣ ହଜାରରେ ଅଛି, ଏକାବେଳକେ ଲକ୍ଷ, ଦୁଇଲକ୍ଷ । ଆଃ, ମସ୍ତବଡ଼ ଲୋକ ହେବା, ଶାନ୍ତି–ନିକେତନ ଭଳି ଗୋଟାଏ ଅନୁଷ୍ଠାନ କରିବା–କ’ଣ କହୁଛ–ମହା ଆରାମରେ ରହିବା, ତିମିରର ମଧ୍ୟ ଦୁର୍ଦ୍ଦଶା ଘୁଞ୍ଚିଯିବ, ଆଇନ୍ ପାସ୍ କରି ସେ କ’ଣ କରିବ–ମାସକୁ ପନ୍ଦରଟି ଟଙ୍କା ବିଚାରାକୁ ମିଳିବ କି ନା ସନ୍ଦେହ । ତାକୁ କିଛି ଟଙ୍କା ଦବା ବିଦେଶ ବୁଲି ଆସିବ–କ’ଣ କହୁଛ-?

 

ଚନ୍ଦ୍ରମଣି ସେତେବେଳକୁ ହସଗୁଡ଼ାକ ଚାପି ରଖିଥିଲା । ଯେମିତି କ’ଣ ଶୁଣିଛି ! ସେ ଏମିତି ଜୋର୍ ରେ ହସିଲା ଯେ, ବଂଶୀ ସଙ୍କୁଚିତ ହୋଇ ସେଠି ଉଭେଇଗଲା ।

 

ସେ ନିତାନ୍ତ ଅସହିଷ୍ଣୁ ହୋଇ କହିଲା–‘କ’ଣ ତମେ ତିମିରକୁ କହି ଦେଇଛ କି ? କାହିଁକି ହସୁଛ ?’

 

ଚନ୍ଦ୍ରମଣି ସ୍ୱାମୀ ପାଖରେ ମିଛ କହେ ନାହିଁ । ହେଲେ ଗେଲରେ କିଏ ମିଛ ନ କହେ । ସେ ହସି ହସି କହିଲା–‘‘କି ମୁଁ କାହିଁକି କହିବାକୁ ଯିବି ? ତମେ କେଜାଣି କେତେବେଳେ କହିଥିବ ହେରିକା ।’’

 

‘ହଁ, ମୁଁ ତ ଗୁଡ଼ାଏ କହୁଥିଲି, ସେଇଟା ହେଲା, ଅମଙ୍ଗଳ ବାନା, ଏଡ଼େ ବଡ଼ ଅମଙ୍ଗଳର କାଳପୁରୁଷ ବୋଲି ମୁଁ ଜାଣିଥିଲେ ତା’ ସାଙ୍ଗରେ ସାଥି ହୋଇଥାନ୍ତି ନା ! .....ଛାଡ଼.....

 

X X X

 

ଆଜି ଡିସେମ୍ବର ତା ୨୨ ରିଖ, ଆଜି ଲଟରୀ ଫଳ ବାହାରିଥିବ କଲିକତାରେ । କାଲି ଖବର କାଗଜରେ ନିଶ୍ଚୟ ବାହାରିବ । ବଂଶୀର କୋଉଠି ମନ ଲାଗିଲା ନାହିଁ । ବାତୁଳ ପରି ସେ ସେଦିନ ଅଫିସରେ କାମ କଲା । ମନ ସବୁବେଳେ ଛନ ଛନ ହେଉଥାଏ; କାହାକୁ ପ୍ରକାଶ୍ୟରେ କିଛି କହୁ ନ ଥାଏ । ସେହି ଏକ ଭାବ ମନ ମଧ୍ୟରେ ଗୋପନ ରଖି ସେ ଘରକୁ ଫେରିଲା । ଚନ୍ଦ୍ରମଣିକି ମଧ୍ୟ କିଛି କହିଲାନି । ରାତିରେ ବିଲକୁଲ୍ ଶୋଇ ପାରିଲା ନାହିଁ । ତନ୍ଦ୍ରାରେ ସ୍ୱପ୍ନ ଦେଖୁଥାଏ–ଖବର କାଗଜବାଲା ଆସି ଦାଣ୍ଡରେ ଡାକିଲା । ସେ ଖବର କାଗଜରେ ଦେଖିଲା, ତାରି ନାଁରେ ଟିକଟ ଉଠିଛି । ସେ ଧଡ଼କିନା ଘର ଭିତରୁ ପଦାକୁ ବାହାରି ପଡ଼ି ଚନ୍ଦ୍ରମଣିକି ଖବର ଦିଅନ୍ତା କ’ଣ, ଧାଡ଼ୁକିନା ଦ୍ୱାର ବନ୍ଧରେ ମୁଣ୍ଡ ବାଜିଲା । ସେ ଏହି ସମୟରେ ଚିତ୍କାର କଲା, ଉଃ ଉଃ ହୁଃ–ଚନ୍ଦ୍ରମଣିର ନିଦ ଭାଙ୍ଗିଗଲା–ସେ ଡାକିଲା–ହେ, ଏମିତି କ’ଣ ହଉଛ ମ ? ସ୍ୱପ୍ନ ଦେଖୁଥିଲ କି-? ବଂଶୀ ଉଠି ପଡ଼ିଲା–ତନ୍ଦ୍ରାଳସ ଚକ୍ଷୁ ମକଚି ମକଚି କହିଲା, ହଁ, କ’ଣ ଗୁଡ଼ାଏ ସ୍ୱପ୍ନ ଦେଖୁଥିଲି.....

 

ତା’ ଆର ଦିନ ସକାଳୁ ସକାଳୁ ସେ କାମ ଶେଷ କରି ଦେଇ ସଜ ହୋଇ ପଡ଼ିଲା, ଖବରକାଗଜ ଦେଖିବ ବୋଲି । ସବୁଦିନ ପରି ଆଜି ତ କାହିଁକି ସେ ଡାକି ଡାକି ଯାଉ ନାହିଁ । ସେ ବାଟେ ପରା ସେ ନିତି ଡାକଦିଏ–ଇଟାଲୀ ଆବିସିନିଆ ଦଖଲ କରି ନେଲା–କଳା ଲୋକଙ୍କର ମୁଣ୍ଡମାଳ ଗଡ଼ୁଛି । କେଉଁ ଦିନ ଡାକିଯାଏ, ଘୋର ବର୍ଷା ହେତୁ ଇଟାଲୀ ସୈନ୍ୟ ପାଦେ ବୋଲି ଅଗ୍ରସର ହୋଇ ପାରିଲେ ନାହିଁ–ମୁସୋଲିନୀଙ୍କ ମସ୍ତକରେ ଭଗବାନଙ୍କର ବଜ୍ର ପଡ଼ିଲା । –ଇତ୍ୟାଦି ।

 

ବଂଶୀ ଅସ୍ଥିର ହୋଇ ଖବର କାଗଜବାଲାକୁ ଗାଳିଦେଲା–ହେତ୍, କେଡ଼େ ବଜ୍ଜାତ୍ ସେ ଖବର କାଗଜବାଲା । ଏତେ ଦିନ ହେଲାଣି ଏତେ ବେଳଯାଏ କ’ଣ କରୁଛି ? ଉଃ, ଆସୁନି ସେଇଟା, ଚାରି ପଇସା କାହିଁକି ଚାରିଟା ଟଙ୍କା ତାକୁ ଦିଅନ୍ତୁ ।

 

ଚନ୍ଦ୍ରମଣି ସ୍ୱାମୀକି ଏଡ଼େ ଛାନିଆ ଦେଖି କହିଲା–କୁଆଡ଼େ ଯିବ କି ? ଆଜି ଏମିତି ତରବର କାହିଁକି ?

 

ବଂଶୀ ମୁରୁକି ହସି କହିଲା–ମଲା ଯାଃ, ଆଜି ପରା ଲଟରୀ ଫଳ ବାହାରିବ !

 

‘ଓହେ...’ ଚନ୍ଦ୍ରମଣି ଠୋ ଠୋ ହସିଲା । ତା’ପରେ କହିଲା–ତାହା ହେଲେ ତ ତମ ନାଁରେ ନିଶ୍ଚୟ ଉଠିବ । ପିଲାଙ୍କ ଦୁଃଖ ଏଥର ଘୁଞ୍ଚିଲା । ରହ ଲୋ, ଶାନ୍ତି, ତୋର ଆଜି ବିସକିଟ ଟିଣ ଆସିବ ।

 

ଚନ୍ଦ୍ରମଣି ଆଉ କିଛି ଶୁଣିବାକୁ ପ୍ରତୀକ୍ଷା ନ କରି କାର୍ଯ୍ୟନ୍ତରରେ ବାହାରି ପଡ଼ିଲା ।

 

ବଂଶୀ ଏ ବିଦ୍ରୂପରେ ଅଧୀର ହୋଇନାହିଁ । ତା’ର ଧୈର୍ଯ୍ୟ ଅସୀମ । ଗଭୀର ବିଶ୍ୱାସ ସାମନାରେ ଏ ବିଦ୍ରୂପ ଠିଆ ହୋଇପାରେ ?

 

ବଂଶୀ ଦାଣ୍ଡଦୁଆରରେ ଠିଆ ହୋଇଛି, କାର ପ୍ରତୀକ୍ଷାରେ । ଏହି ସମୟରେ ଷ୍ଟେସନମାନ ଖବରକାଗଜବାଲା ରଡ଼ି ଛାଡ଼ିଲା–ମୁସୋଲିନୀଙ୍କ ପୁଅ ନିରୁଦ୍ଦିଷ୍ଟ । ଷ୍ଟେସନମାନ ଖବରକାଗଜ । ବଂଶୀ ତରତରିଆ ହୋଇ ଡାକିଲା–ଏ, ଖବରକାଗଜବାଲା ! ପୁଣି ସେ ଡାକିଲା–ଆଜି ଭାଇସରଏ କପ୍ ସୁଇପ୍ ଲଟରୀ ଫଳ ବାହାରିଛି । ଚୌଦ ହଜାର ପାଞ୍ଚଶ ପଞ୍ଚାଳିଶ ନମ୍ବର ଜିତ୍ । ଖବରକାଗଜ, ନଗଦ ଦୁଇଲକ୍ଷ ଟଙ୍କା ମିଳିବ ।

 

ବଂଶୀ ଏତକ ଶୁଣି ଉତଫୁଲ୍ଲ ହୋଇ ସମସ୍ତ ସଂଜ୍ଞା ଯେମିତି ହରାଇଲା ! ସେ ଚଟ୍ କରି ତା’ ପାଖରେ ଗୋଟାଏ ଟଙ୍କା ପକେଟରୁ କାଢ଼ି ପକେଇ ଦେଇ ଚାଲିଗଲା । ଖବରକାଗଜବାଲା କହିଲା–ବାବୁ, ପଇସା ନାହିଁ ।

 

ଭିତରୁ ଶୁଣାଗଲା–ଆରେ ତୁ ଟଙ୍କାଟା ନେଇ ଯା, ପଇସା ଦରକାର ନାହିଁ । ସେ କିଛି ବୁଝିଲା ନାହିଁ, ଠିଆ ହୋଇ ରହିଲା । ପୁଣି କହିଲା–ପଇସା ନାହିଁ । ଭିତରୁ ପୁଣି ଶୁଣାଗଲା–ହେତ୍, ତୁ ଟଙ୍କାଟା ନେଇ ଯା ନା, ପଇସା ଦରକାର ନାହିଁ । କି ମୁସ୍କିଲ...ସେ ଚାଲିଗଲା–ଅସ୍ପଷ୍ଟ ଭାବରେ ଶୁଣାଗଲା, ପଇସା ଦେଇ ଯାଉଛି ।

 

ବଂଶୀ କାଗଜର ଆଠ ପୃଷ୍ଠା ମେଲେଇ ଦେଖିଲା–ବଡ଼ ବଡ଼ ଅକ୍ଷରରେ ଶୀର୍ଷରେ ଲେଖା–୧୪୫୪୫ ନମ୍ବର ଟିକଟ ଜିତ୍ । ଦୁଇଲକ୍ଷ ଟଙ୍କା ନଗଦ ମିଳିବ । ଚନ୍ଦ୍ରମଣି ରୋଷେଇଘରେ କୁନୀକି ଖୋଇ ଦେଉଥିଲେ, ବଂଶୀ ଅସମ୍ଭାଳ ହୋଇ ଖବରକାଗଜ ହାତରେ ଧରି ତା’ ଚିବୁକ ଧରି କହିଲା–‘ଦେଖ, ନଗଦ ଦୁଇଲକ୍ଷ ଟଙ୍କା ମିଳିଲା କି ନାହିଁ ? ମୁଁ କ’ଣ କହୁଥିଲି.....ସେଇଟା ପରା ମସ୍ତ ଅଶୁଭ, ମସ୍ତ ଅମଙ୍ଗଳ !’

 

ଚନ୍ଦ୍ରମଣି ମହା ଖୁସି ! ସେ ଘଡ଼ିକ ପରେ କହିଲା–‘‘ହଁ ତିମିର ନ ଜାଣିଥିଲେ ଏକା ତମେ ଗୁରାଏ ଜିତିଥାନ୍ତ !’’

 

‘ତିମିର କ’ଣ ଜାଣିଛି !’

 

‘ନିଶ୍ଚୟ । ସେଦିନ ପରା ସେ ଟ୍ରଙ୍କ ଭିତରେ ଦେଖିଥିଲେ, ମୁଁ ତାଙ୍କୁ ନେହୁରା ହେବାରୁ ସେ ସିନା କିଛି କହି ନଥିଲେ !’

 

ବଂଶୀ ଈଷତ୍ ଲଜ୍ଜିତ ହୋଇ କହିଲା–ତାହାହେଲେ ତିମିର ତ ଅମଙ୍ଗଳ ନୁହେଁ ।

 

‘ବାପରେ ବାପ୍–ତମର ଯୋଉ କୁସଂସ୍କାର–ଦେଖନା, ତୁଚ୍ଛା ଲୋକକୁ ଏମିତି କହ ତମେ, ଏଥିରେ କି ସମ୍ପର୍କ ଅଛି କହିଲ ? ସେ ଦେଖିଦେଲେ ସବୁ ମାରା, ସେ କ’ଣ ସଂକ୍ରାମକ ରୋଗ !

 

‘ହଁ ସତ ଏକା ! କି ଦୁର୍ବଳତା ! ତମେ ହି ମଙ୍ଗଳ, କ’ଣ କହୁଛ ?’

 

ଚନ୍ଦ୍ରମଣି ଲଜ୍ଜାରେ ରଙ୍ଗା ପଡ଼ିଗଲା ।

 

ଦାଣ୍ଡଦ୍ୱାରରେ ସାଇକେଲ ଘଣ୍ଟି ଶୁଭିଲା । ବଂଶୀ ଖବରକାଗଜ ହାତରେ ଧରି ଚାଲିଗଲା । ଦାଣ୍ଡରେ ଦେଖିଲା, ତିମିର ଠିଆହୋଇଚି ।

 

ବଂଶୀ ଅସୀମ ଆନନ୍ଦରେ ମାତାଲ ହୋଇ କହିଲା–ଦେଖିଲୁ ତିମିର, କିମିତି ଲଟରୀ ଜିତିଲି ! ନଗଦ ଦୁଇ ଲକ୍ଷ ଟଙ୍କା ।

 

ଦେଖି ଦେଖି–ବାଃ–ବାଃ, ମୁଁ ଖଣ୍ଡେ କିଣନ୍ତି, କି ଭାଗ୍ୟ ! .....ଓ.....’ ଆରେ ଆଉ କାହିଁକି-? ଏଥିରେ କେତେ ଗ୍ରାଜୁଏଟ୍ ଚଳିବେ ଜାଣୁ...’

 

‘ଆଚ୍ଛା, ସତ କହିବୁ ବଂଶୀ ! ତୋର ଏତେ କପଟତା କାହିଁକି ଶୁଣେ ? ଯଦି ମତେ ଏତେ ଅମଙ୍ଗଳ ବୋଲି ବିଚାରୁ, ମତେ କହି ଦେଇଥିଲେ କ’ଣ ହୁଅନ୍ତା ନାହିଁ ? ମୋର ପ୍ରୀତି ମତେ ତୋର ମଙ୍ଗଳ ପାଇଁ ନିଶ୍ଚୟ ଅଲଗା କରି ରଖିଥାନ୍ତା–ଅବଶ୍ୟ ଏହି ବାହ୍ୟିକ ଦେଖାରୁ । ତୋ ଭଳି ଲୋକ ଏମିତି’–‘ଏମିତି ଦୁର୍ବଳତାର ବଶବର୍ତ୍ତୀ ହେବା ସ୍ୱାଭାବିକ ନୁହେଁ...ନା...ଆଚ୍ଛା...କିଛି ପରୁଆ କରନା ଭାଇ, କ୍ଷମା ଦବୁ, ତୋ ହାତ ଧରୁଛୁ ।’ ବଂଶୀର ବୁକୁ ଫୁଲିଗଲାଣି ସେତେବେଳକୁ, ଏହି ଯଶସ୍କରୀ ଅର୍ଥ–ଲାଳସାରେ ।

 

ତିମିର ଘରକୁ ଆସିଲା । ବନ୍ଧୁ–ବନ୍ଧୁ–ପତ୍ନୀକ ନେଇ ତିମିର ନାନା ଗଳ୍ପ ଏହି ଟିକଟ ସମ୍ବନ୍ଧରେ ବାଢ଼ିଲା–ବାବୁ !

 

ବଂଶୀ ତିମିର ଦୁହେଁ ଉଠିଗଲେ ଦେଖିବାକୁ । ଦାଣ୍ଡରେ ଟେଲିଗ୍ରାଫ ପିଅନ–ଠିଆ ହୋଇଛି ଖଣ୍ଡିଏ ଟେଲିଗ୍ରାଫ୍ ଧରି ।

 

‘ଏ ଟଙ୍କା ଆଣିବା ଓ ଅଭିବାଦନର ତାର ପରା ତିମିର !

 

‘ହଁ ପରା !’

 

ଲଫାପା ଖୋଲି ବଂଶୀ ଦେଖିଲା–ଟିକଟ ନମ୍ବର ଭୁଲରେ ଉଠିଛି–ନମ୍ବରଟି ୧୪୫୫୪-

 

ତା’ ମୁଣ୍ଡରେ ଘରର ଛାତଟି ଭାଙ୍ଗି ପଡ଼ିଲା ପରା !

 

ତିମିର ହସି ହସି ଚନ୍ଦ୍ରମଣିକି କହିଲା–ତମର ଟଙ୍କା ଆସିଛି ଚନ୍ଦ୍ରମଣି ! ଟ୍ରଙ୍କ ଖୋଲ ମ ରଖିବ !

 

ବଂଶୀ ଖବରକାଗଜ ଫିଙ୍ଗିଦେଲା । ମହାରୋଷରେ ପତ୍ନୀକି କହିଲା–ଅମଙ୍ଗଳ । ତୋରି ଯୋଗୁ ମୋର ଏ ଦୁର୍ଦ୍ଦଶା ।

 

ତିମିର ହସି ହସି କହିଲା–କିଛି ପରୁଆ କରନା ବଂଶୀ ! ଆଉ ଖଣ୍ଡିଏ ଗୋପନରେ କିଣି ଟ୍ରେଜେରୀରେ ସିଲ୍ ପକାଇ ରଖିଦେ, ନିଶ୍ଚୟ ମିଳିବ ।

☆☆☆

 

Unknown

ସ୍ୱାର୍ଥପର

 

କାଫଲାଫାଣ୍ଡି ପାଖରେ ତା’ର ଘର । କାହା ଅମଳରୁ ସେଠି ତା’ ବାପ ଅଜା ଘର କରିଥିଲେ କେହି ଖବର ନେଇ ନାହିଁ । ହେଲେ ଏହିକ୍ଷଣି ଘରଟି ଜଟିଆ ମା’ର ଘର ନାମରେ ପରିଚିତ । ଜଟିଆ ମା’ର ଜଟିଆ ବୋଲି କୌଣସି ସନ୍ତାନ ଥିଲା କି ନା କେହି କହି ପାରନ୍ତି ନାହିଁ, ତଥାପି ସେ ଜଟିଆ ମା’ । ତା’ ଘରଟି ଜଟିଆ ମା’ ଘର । ଜଟିଆ ମା’ର ସ୍ୱାମୀ ଥିଲା । ସ୍ୱାମୀ ଅନୁସାରେ ଯେ ଘରର ନାମ କାହିଁକି ହୋଇ ନ ଥିଲା, ସେ ହିସାବ ମଧ୍ୟ କେହି କେବେ ନେବାକୁ ଯାଇ ନାହିଁ । କାର ମଧ୍ୟ ଦରକାର ନ ଥିଲା । ଯାହାହେଉ, ଜଟିଆ ମା’ର ସ୍ୱାମୀ ଅଗଣି ବେହେରା ଓ ଝୁମ୍ପା ବୋଲି ଗୋଟିଏ ଝିଅ । ଏହି ତିନୋଟି ପ୍ରାଣୀ ପରିବାର ଭିତରେ; କିନ୍ତୁ ବଡ଼ ଦୁଃଖରେ ଥାନ୍ତି, ସେ ପଡ଼ାଟିରେ । ତା’ର କାରଣ ଥିଲା ଅନେକ–ଅଗଣି ବେହେରାର ଯେତେବେଳେ ଶରୀର ସୁସ୍ଥ ଥିଲା, ସେତେବେଳେ ସେ ରୋଜଗାର କରୁଥିଲା ବିସ୍ତର । ଏବେ ତିନିଟା ବର୍ଷ ହେବ, ତା ‘ଶରୀସୁକ’ ହେଲା ନାହିଁ, ତା’ର ଦୁଇ ଗୋଡ଼ଯାକ ବାତ ଜରରେ ଫୁଲିଯାଇଛି । ବାଁ ଗୋଡ଼ଟି ଅତି ଅଧିକ ଭାବରେ ଫୁଲିଛି–ତଳିପା ଉପରେ ରିବି ରିବି ହୋଇ କେଜାଣେ କେତେ ଫଳିଯାଇ ବିଣ୍ଡି ଧରିଯାଇଛି । ତା’ ଗୋଡ଼ ଦେଖିଲେ ଲୋକଙ୍କର ପରା ଅରୁଚି ହୁଏ ! ସେ ବାଡ଼ି ଖଣ୍ଡିକର ଆଶ୍ରା ନ ଧରିଲେ ଚଳବିଚଳ ହୋଇପାରେ ନାହିଁ । ଜଟିଆ ମା’ ତା’ ହାତ ଧରି ବାହା ହୋଇଥିଲା, ହେଲେ ତା’ର ସେବା କରି ପାରେ ନାହିଁ–ତା’ର ଇଚ୍ଛାରେ ନୁହେଁ ଏକା; କାରଣ ଦେଖିଲେ ବହୁତ । ରାତି ଦି’ଘଡ଼ି ଥାଉଁ ସେ ଉଠେ, ଘରେ ଛୁଞ୍ଚ ଦିଏ, ବାସନ ମାଜେ, ଭୁଜା ଚାଉଳ ଉବୁଜି ଭାଜେ, ଚୂଡ଼ା ଭାଜେ, ବୁଟ ଭାଜେ, ଚିନା ବାଦାମ ଭାଜି ଉଖୁଡ଼ା କରେ, ଖାଲି ଚିନାବାଦାମ ଅଲଗା ରଖେ । ସବୁ ଜିନିଷ ବାବତ ବାବତ କରି ଟୋକେଇରେ ପୂରେଇ ଘର ଘର, ବଜାର ବଜାର ବୁଲି ବିକ୍ରି କରି ପୁଣି ଫେରିଲା ବେଳକୁ ଦିନ ଦି’ପହର । ଚଞ୍ଚଳ ଟିକେ ସନ୍ତୁଳା, କୋଉ ଦିନ ସଜନାପତ୍ର ପାଣି, କୋଉ ଦିନ ବଡ଼ି ଦି’ଟା ପୋଡ଼ି ଚଟଣି କରି ବୁଢ଼ାକୁ ଓ ଝୁମ୍ପାକୁ ଖାଇବାକୁ ଦିଏ । ତା’ପରେ ସେହି କଂସାରେ ନିଜେ କୋଉ ଦିନ ଥିଲେ ଗଣ୍ଡାଏ ନ ହେଲେ ମୁନ୍ଦାଏ ତୋରାଣୀ ପିଇଦେଇ ପୁଣି ହାଣ୍ଡି କୁଣ୍ଢାଇ ମାଜିମୁଜି ପାଣି ଆଣି ଥୋଇ ଦେଇ ଟୋକେଇ ମୁଣ୍ଡେଇ ବିକିବାକୁ ବାହାରିପଡ଼େ । ଫେର୍ ସେ ଫେରୁ ଫେରୁ ରାତି ଦି ଘଡ଼ି । ଆସି ଗଣ୍ଡାଏ ଫୁଟେଇ ଦେଇ ବୁଢ଼ାକୁ ଓ ଝୁମ୍ପାକୁ ଖାଇବାକୁ ଦେଇ ନିଜେ ଖାଇନିଏ । ସେହି ରାତିରେ ଦ୍ୱାର ମୁହଁରେ ବସି ଚିନାବାଦାମ ଛଡ଼ାଏ । ଛଡ଼ାଉ ଛଡ଼ାଉ କେତେବେଳେ ନିଦ ଲାଗିଯାଏ, ସେଇଠି ସେ ଭୂଇଁ ଉପରେ ଶୋଇପଡ଼େ–ରାତି ପାହାନ୍ତା ପୁଣି ଚାଲିଲା ସେହି କାମ–ବିଶ୍ରାମ କାହିଁ ?

 

ଅଗଣି ବେହେରାର ନିହତ ବେଶୀ ଝୁମ୍ପା ଉପରେ । ଝୁମ୍ପାର ବୟସ ମୋଟେ ଆଠ । ଆଜିକି ତିନି ବର୍ଷ ହେଲା ବୁଢ଼ା ଆଉ ଦାଣ୍ଡକୁ ଘାଟକୁ ବାହାରି ପାରେନାହିଁ । ଝୁମ୍ପା ସେହି ସାନ ପିଲାଟି ବେଳୁ ବୁଢ଼ାର ହାତ ଧରି ପୋଖରୀ ପାଣି ବସାଇ ଆଣେ, ବୋଉ ଯୋଉ ପାଣି ରଖିଦେଇ ଯାଇଥାଏ ବୁଢ଼ାମୁଣ୍ଡରେ ତାଟିଏ ତାଟିଏ କରି ଅଜାଡ଼େ । ବୁଢ଼ା ଯେତେ ମନାକଲେ ବି ସେ ଛାଡ଼େ ନାହିଁ । ବୁଢ଼ାକୁ ଗାଧୋଇ ଦେଇ ଲକ୍ଷ୍ମୀପରି ଗଣ୍ଡିଏ ଭୁଜା ହଉ ଚୂଡ଼ା ହଉ ଖାଇବାକୁ ଦେଇ ଦାଣ୍ଡ ପିଣ୍ଡାରେ ପଡ଼ିଥିବା ଦୋକାନ ଖଟୁଲି ଉପରେ ବସାଇଦିଏ । ଅନେକ ଲୋକ ବୁଢ଼ାର ଗୋଦର ଗୋଡ଼ ପୁଣି ସେ ରିବି ରିବି ଫଳିଯାଇଥିବାର ଦେଖି ଘୃଣା କରି ଦୋକାନକୁ ସଉଦା ନେବାକୁ ଆସିବା ବନ୍ଦ କରିଦେଲେ–ନିହାତି ଚିହ୍ନା ଗହକି କେତେ ଜଣକୁ ଛାଡ଼ି । ଝୁମ୍ପାର ଏ କଥା ବୁଝିବାକୁ ଆଉ ବାକି ନ ଥିଲା । ଲୋକେ ଯେତେବେଳେ ଦୋକାନ ଦ୍ୱାରକୁ ଫେରି ପଡ଼ିଶା ଦୋକାନରୁ ନିଅନ୍ତୁ, ସେତେବେଳେ ଝୁମ୍ପା ଏଥିରେ ନ ଜାଣିବ କିମିତି ? ଲୋକେ କହନ୍ତି, ଜଟିଆ ମା’ର ବୁଟ ଭଜା ଭାରି ସୁଆଦ ଲାଗେ, ତେବେ ? ଝୁମ୍ପା ଏହି ଗହକିଙ୍କ ଉପରେ ଭାରି ରାଗେ, ମନେ ମନେ ତାଙ୍କୁ ଶମ୍ପେ । ସେ ମନେ ମନେ କହେ–ଆହା, ମୋ ବାପା ଭଳି ସୁନ୍ଦର ଦୁନିଆ ରାଇଜରେ କିଏ ଅଛି ଲୋ ! ତା’ର ବିକାର ନ ଥିଲା ଆଦୌ, ନ ହେଲେ କ’ଣ ସେ ବୁଝି ନ ଥିଲା ଯେ ବାପକୁ ଘରେ ବସାଇ ଦେଲେ ବିକ୍ରି ଚାରି ପଇସା ବେଶୀ ହେବ ବୋଲି । ଶେଷରେ ଦୋକାନର ବିକ୍ରି ଦିନକୁ ଦିନ କମ୍ ହେବାରୁ ଜଟିଆ ମା’ କାରଣ ଅନୁସନ୍ଧାନ କରିବାକୁ ଯାଇ ଶୁଣିଲା, ଘଟଣା ଏଇଆ । ସେ ଦିନ ସେ ଅତି ଦୁଃଖରେ ରାଗିଯାଇ କହିଲା–ଯୋଗିନୀଖିଆର ଝିଅ ବସି ବିକି ପାରୁନୁ ଯେ ସେ ପାପୀଟାକୁ ବସିବାକୁ ଦେଉ କାହିଁକି ଲୋ ? ମଲା ପାପୀଟା କୋଉ ଜନ୍ମରେ କି ପାପ କରିଥିଲା କେଜାଣେ, ନିଜେ ମରୁନି କି ଆମକୁ ମରିବାକୁ ଦେଉନି । ସବୁ କଥା ବୁଢ଼ା ଶୁଣିଲା-। ଅଭିମାନ କରିବାକୁ ତା’ର ସାହସ ନ ଥିଲା । କିଛି ତ କରୁନି । ସେ ପୁରୁଷ ପୁଅ, ଓଲଟି ମାଈପିଟା ତାକୁ ଗତର ଖଟେଇ ପୋଷୁଛି । କ’ଣ କହିବ ? ଏ ଗାଳି ଆଜି ଯେ ପ୍ରଥମ, ସେ କଥା ନୁହେଁ । ଜଟିଆ ମା’ ଅନେକ ଥର ଏମିତି କେତେ କଥା ତାକୁ କହିଛି–ତାର ଦେହସୁଆ ହୋଇଗଲାଣି ।

 

କିନ୍ତୁ ଝୁମ୍ପାର ଦୁର୍ଜୟ ଅଭିମାନ ପଥ ଆଜି ବାହାରି ପଡ଼ିଲା ତା’ର ଦୁଇ ଆଖି ଭିତର ଦେଇ । ସେ କହିଲା–ବୋଉ ବାପା କ’ଣ ରୋଗ ଡାକି ଆଣିବାକୁ ଯାଇଥିଲା କି ? କିଏ ଜାଣିଛି କାର କ’ଣ ହେବ ? ଏତକ କଥା ସେ ତାଙ୍କ ସାହୀ ସାଉଟିଆ ମା’ ବୁଢ଼ୀଠାରୁ ଶୁଣି ମନେ ରଖିଥିଲା-। ସେ ଦିନ କଥାଟା ତା’ର ମନେ ପଡ଼ିଗଲା ।

 

ଜଟିଆ ମା’ କିଛି କହିଲା ନାହିଁ–ଯେମିତି ଏହି ପିଲାଟି ପାଖରେ ସେ ହାର ମାନିଗଲା । ଝୁମ୍ପା ତଥାପି ବୋଉକୁ ଭାରି ଡରେ । ବୋଉ ଯେ ତାକୁ ଆଦର ଯତ୍ନରେ ଅବହେଳା କରେ, ସେ କଥା ନୁହେଁ–ବୋଉର ଚିଡ଼ା ଢଙ୍ଗଟା ଥିଲା ଖୁବ୍ ବେଶୀ; ସେଥିପାଇଁ ଝୁମ୍ପା ଓ ତା’ ବାପା ଦୁହେଁ ତାକୁ ପ୍ରାଣରେ ଡରନ୍ତି ।

 

ତା’ ବୋଉ ବିକିବାକୁ ବାହାରିଯିବା ପରେ ଝୁମ୍ପା ବସି କାନ୍ଦିଲା, ବୁଢ଼ାର ଆଖିର ଅନ୍ତରାଳରେ ।

 

ସେ ବର୍ଷ ଡଗରପଡ଼ା ଲଗାଏତ କାଫଲା ଫାଣ୍ଡି ଶେଷଯାକେ ଖୁବ୍ ଝାଡ଼ାବାନ୍ତି ଲାଗିଲା-। ଏମିତି ଝାଡ଼ାବାନ୍ତି ଯେ, କେହି କେବେ ଶୁଣି ନ ଥିଲେ । ଦିନ ଦି’ଘଡ଼ିକରୁ କବାଟ ପଡ଼ିଯାଏ, କେହି ପଦାକୁ ବାହାରନ୍ତି ନାହିଁ । ଏପରି ହେଲା ଯେ, ଡାକ୍ତର କବିରାଜଙ୍କୁ ଟଙ୍କା ଯାଚିଲେ ବି ଆସିଲେ ନାହିଁ । କୋଉ ଘର ପରା ଠାକୁରାଣୀ ବାଦ୍ ରଖି ନ ଥିଲେ । ଜଟିଆ ମା’ର ପଡ଼ିଶା ଘର ସପନ ହେଲା–ଜଟିଆ ମା’ର ଯୋଉ କାଳୀ କୋତରୀ ଅସନୀ ଝୁମ୍ପା ଅଛି, ତାକୁ ନହେଲେ ଠାକୁରାଣୀ ଜମା ସନ୍ତୁଷ୍ଟ ହେବେ ନାହିଁ–ସେହି ମୁଣ୍ଡକଠି ତାଙ୍କର ଆଶା । ତାକୁ ନେଲେ ସେ ସନ୍ତୁଷ୍ଟ ହୋଇ ଆମ ପଡ଼ାରୁ ଚାଲିଯିବେ । ସେ ପରା ସାତ ଭଉଣୀ ବାହାରିଥିଲେ ଏକା ସାଙ୍ଗରେ, ସମସ୍ତେ ଫେରିଗଲେଣି, ଏହି ସବା ସାନମଝିଆଁ ଭଉଣୀ ଯାଇ ନାହାନ୍ତି–ଏହି ମୁଣ୍ଡକ ନେଇ ଚାଲିଯିବେ ।

 

ସକାଳୁ ଉଠି ଗୋପୀଆ ମା’, ନରୁଆ ମା’ ସମସ୍ତେ ଶୁଣି ଆସି ଜଟିଆ ମା’କୁ ଯେତେବେଳେ କହିଲେ, ସେ ଛାନିଆ ହୋଇଯାଇ ଦୁଇ ହାତ ମୁଣ୍ଡରେ ଦେଇ ବସି ପଡ଼ିଲା । ଗୋପୀଆ ମା’ ସହାନୁଭୂତି ଦେଖାଇ କହିଲା–ଆଉ ଭାବନା କଲେ କ’ଣ ହେବ, ତାଙ୍କୁ ଶାନ୍ତ କରିଦେ ।

 

ଜଟିଆ ମା’ ପଇଡ଼ କିଣିଲା, ଛେନା କିଣିଲା, ଦୁଧ ଦହି ମଧ ସବୁ କିଣି ପଣା ତିଆରି କଲା, ଆଚ୍ଛା କରି କନ୍ଦଘିଅ ଦେଇ । ଛାତି ଦମ୍ଭିଲା ଲୋକ ନ ହେଲେ ପଣା ହାଣ୍ଡି ପରା କେହି ନେଇ ପାରନ୍ତି ନାହିଁ । ଶୁଣାଅଛି ପରା କିଏ ଥରେ ପଣା ହାଣ୍ଡି ନେଇ ଯାଇଥିଲା ବେଳେ କିଏ ସେ ଜଣେ କଳା ଶାଢ଼ୀ ପିନ୍ଧି ତାକୁ ମାଡ଼ି ବସିଲା । ଲୋକଟି ସେହକ୍ଷଣି ରକ୍ତବାନ୍ତି କରି ସେଇଠି ମରିଗଲା । ଜଟିଆ ମା’ର କେହି ନାହିଁ, ସେ ମାଈପି ଲୋକ କିମିତି ବା ନବ ? ହାଣ୍ଡିରେ ସିନ୍ଦୂର, କଳା, ଚନ୍ଦନ, ଚୂଆ ଲଗାଇ ଥୋଇଲା । ହେଲେ ନବ କିଏ ଚିନ୍ତା ପଡ଼ିଲା । କେହି ତ ପଣା ହାଣ୍ଡି ନେବାକୁ ରାଜି ହେଲେ ନାହିଁ–ଖାଲି ସେହି ସପନ କଥା ଯୋଗେ । ପଡ଼ାପଡ଼ୋଶୀଙ୍କର ଗଭୀର ବିଶ୍ୱାସ ହେଲା–ଜଟିଆ ମା’ ର ପଣା ହାଣ୍ଡି ଯେ ନେବ, ସେ ନିଶ୍ଚୟ ରକ୍ତବାନ୍ତି କରି ମରିବ । ଶେଷରେ ପରାସ୍ତ ହୋଇ ଜଟିଆ ମା’ ଅଣ୍ଟାରେ ଲୁଗା ଭିଡ଼ି ଶୌଚ ହୋଇ ପଣା ହାଣ୍ଡି ଧରି ବାହାରିପଡ଼ିଲା, ରାସ୍ତା ଉପରକୁ । ସେତେବେଳେ ବେଳ ମୋଟେ ପହରେ । ମଝି ରାସ୍ତାରେ ଲିପାପୋଛା କରି ପଣାହାଣ୍ଡି ନେଇ ଜଟିଆ ମା’ ସାତଥର ଲମ୍ବ ହୋଇ ଠାକୁରାଣୀଙ୍କ ଗୋଡ଼ତଳେ ପଡ଼ି କହିଲା–ମା’ ମଙ୍ଗଳା, ମୋ ବାୟାଣୀକି ଘଣ୍ଟ ଘୋଡ଼େଇ ଦେଇ ଯା । ମତେ ପଛକେ ନେ–ମୋ ବାୟାଣୀକି ରଖି ଯା ।

 

ଘରକୁ ଆସିଲା ଜଟିଆ ମା’ । ବୁଢ଼ା ବସି କାନ୍ଦୁଛି । ଜଟିଆ ମା’ ମଝିଖୂମ୍ବ ମୂଳ ଲିପି ସେଠି ପଣା ଅଜାଡ଼ି ଦେଲା । ବେକରେ ସାତ ପରସ୍ତ ପାଳଦଉଡ଼ି ଗୁଡ଼େଇ ଲମ୍ବ ହୋଇ ପଡ଼ିଗଲା-। ଠାକୁରାଣୀଙ୍କ ରୂପା ଆଖି ମାନସିକ କଲା । ବୁଢ଼ା ମଧ୍ୟ ସେହିପରି ଲୁଗା ସାତ ପରସ୍ତ ବେକରେ ଗୁଡ଼େଇ ଠାକୁରାଣୀଙ୍କି ଦଣ୍ଡବତ ହେଲା; କିନ୍ତୁ ଝୁମ୍ପା ତାଙ୍କ ଦେଖା ଦେଖି କଲା । ତା’ର ଡାକୁରାଣୀକି ଭାରି ପଡ଼ିଲା–ହେଲେ ସେହି ଘୁଷ୍ ଖୋର୍ କଳ୍ପିତ ଦେବତାର ରୂପ ଦେଖି କାହିଁ ବୋଲି ତାର କରାମତିକି ବିଶ୍ୱାସ କଲା ନାହିଁ ।

 

ସଞ୍ଜବେଳକୁ ଜଟିଆ ମା’ ପେଟ କ’ଣ ହେଲା । ସେ ଗୋଟିଏ ପୋଖରୀ ଯାଇଛି, ଆର ଥରକୁ ଆଉ ପଡ଼ିଆକୁ ଯାଇ ପାରିଲା ନାହିଁ । ସେହି ଅଣଓସାରିଆ ଗୁମ୍ପା ପରି କୋଠରୀଟିରେ, ଠିକ୍ ସେହି ମଝିଖୁମ୍ବ ମୂଳେ ଯୋଉଠି ପଣା ଦେଇ ଠାକୁରାଣୀକି ଆବାହନ କରି ବିସର୍ଜ୍ଜନ ଦେଇଥିଲା, ସେହିଠାରେ ସଢ଼ା କଖାରୁ ଫାଟି ବୋହିଗଲା ତାର ପୋଖରୀ ପାଣି ପରି ବୋହିଗଲା-। ଘର ଦ୍ୱାର ଆଉ ପଶି ହେଲା ନାହିଁ–ଦୁର୍ଗନ୍ଧରେ ନାକ ଫାଟିଗଲା । କିନ୍ତୁ ମୁମୁର୍ଷୂ ଅଗଣି ବେହେରା ଓ ଅଶିକ୍ଷିତା ସରଳା ଝମ୍ପାର ନାକରେ କିଏ ଆଗରୁ ସୁଗନ୍ଧ ଲିପି ଦେଇଥିଲା । ଦୁହିଁଙ୍କର ବିକାର ନ ଥିଲା । ସେହି ଘୁଅ ମୃତରେ ଦୁହେଁ ଘାଣ୍ଟି ଚକଟି ହୋଇ ଜଟିଆ ମା’ର ହାତ ଗୋଡ଼ ମୁଣ୍ଡ ଚିପି ଦେଉଥାନ୍ତି । ଦୁହେଁ ରଡ଼ି ଛାଡ଼ିଥାନ୍ତି । ଅଗଣି ବେହେରାର କର୍ତ୍ତବ୍ୟ ନାହିଁ, ସେ ଦୌଡ଼ିଯାଇ ଡାକ୍ତର କବିରାଜଙ୍କୁ ଡାକି ଆଣିବ, ପଡ଼ାପଡ଼ୋଶୀ ଯେ ଯାହା ଘରେ କବାଟ କିଳି ପଶିଥାନ୍ତି । କେହି ହେଲେ ଏହି ଦୁଇଟି ନିଃସହାୟ ଦରିଦ୍ର ପ୍ରାଣୀଙ୍କର କାତର କ୍ରନ୍ଦନ ଶୁଣିଲେ ନାହିଁ–ଘୁଷ୍‍ ଖୋର ଡାକୁରାଣୀ ମଧ୍ୟ । ବାପ ଝିଅ ଦୁହିଁଙ୍କର ଏ ଦୂରାବସ୍ଥା ଦେଖି ଜଟିଆ ମା’ ଅତି ଦୁଃଖରେ କହିଲା–ଆଉ କାହିଁକି ଛାନିଆ ହଉଛୁ ବୁଢ଼ା, ମୋ ଝୁମ୍ପା ତତେ ଲାଗିଲା, ମୁଁ ଆଉ ବଞ୍ଚିବି ନାହିଁ । ମୋର ଗୋଡ଼ରୁ ଗୋଛି ଉଠିଲାଣି–ମୋ ଝୁମ୍ପା ଲୋ, ମୋ ଝୁମ୍ପା, ମୋ ଗୋଡ଼ ଗଲା ଲୋ ମୋ ଝୁ.....

 

ଜଟିଆ ମା’ର ପାଟି ପଡ଼ିଗଲା । ଝୁମ୍ପା ଓ ବୁଢ଼ା ଦୁହେଁ କାନ୍ଦି ବୋବେଇ ତା’ ପାଟି ଫିଟେଇବା ପାଇଁ ଗୁଆକାତି, ଲୁହା ଖରିକା ଆଦି ଅସ୍ତ୍ର ପ୍ରୟୋଗ କଲେ । ହେଲେ କିଛି ଫଳ ଫଳିଲା ନାହିଁ । ଝୁମ୍ପାର ହୋସ୍ ହେଲା–ସେ କଞ୍ଚି ଗଳେଇ ପାଣି ଟୋପେ ପାଟିରେ ଦେବାପାଇଁ ବିପୁଳ ଚେଷ୍ଟା କଲା–ହେଲା ନାହିଁ । ବୁଢ଼ା ପୀରଙ୍କ ପାଖରେ ଶିରିଣୀ ଦେବ ବୋଲି ମାନସିକ କଲା, ତ୍ରିନାଥମେଳା ପାଞ୍ଚଥର କରିବ ବୋଲି ଶପଥ କଲା–କିଛି ହେଲା ନାହିଁ । ଦୁଇଟି ନିଃସହାୟ ପ୍ରାଣୀଙ୍କି ଚିରଦିନ ପାଇଁ କାଙ୍ଗାଳ କରି ଦେଇ ଜଟିଆ ମା’ ଚାଲିଗଲା ତା’ ପୂର୍ବଜନ୍ମର ସୁକୃତ ଥିବାରୁ-

ତହିଁ ଆରଦିନ ସକାଳୁ ଅଗଣି ବେହେରା ସାହୀବାଲାଙ୍କୁ ଡାକି ଜଟିଆ ମା’ର ଶବସଂସ୍କାର କଲା । ସେହିଦିନୁ ସେ ସାହୀରେ ଝାଡ଼ା ବାନ୍ତିରେ କେହି ମଲେ ନାହିଁ । ପଡ଼ିଶା ଘର ସେ ମାଈପିଟା ପରା ମୁହଁ ହଲେଇ କହିଲା–ଦେଖିଲ, ସପନ କଥା କ’ଣ ମିଛ ହବ ? ଏ ମାଈପେ ପରା ମତେ ହସରେ ଉଡ଼େଇ ଦେଉଥିଲେ । ହଉ, ଏବେ ହେଲା ତ ! ଏହା କହି ସେ ଲମ୍ବ ହୋଇ କୋଉ ଦେବତାର ଗୋଡ଼ତଳେ ପଡ଼ିଗଲା, ସେ ଜାଣେ । ତା’ପରେ ପୁଣି ଉଠି କହିଲା–କ’ଣ କହିବି ଲୋ ଗୁରୁବାରୀ ! ଯୋଉ କଳା ମଚମଚ ରୂପ ଲୋ ତା’ର ! ସାକ୍ଷାତ ଦେବୀ ତ ! ପରା ଜୀଅନ୍ତା ଖାଇଯିବ ! ମାଲୋ, ମୋ ଦିହ ଉଲସି ପଡ଼ୁଛି ! ଏତିକି ରୂପା ଗହଣା ତା’ କଳା ଦେହଟାରେ ?

ଝୁମ୍ପା ସବୁ ଶୁଣିଲା, ବିଶ୍ୱାସ ନ କରି ଯିବ କୁଆଡ଼େ ?

ଭଗବାନ ସୃଷ୍ଟି କରିଛନ୍ତି ଯେତେବେଳେ, ମଣିଷ ନିଶ୍ଚୟ ଗଣ୍ଡାଏ ଖାଇ ଦଣ୍ଡେ ବଞ୍ଚିବ । ବଞ୍ଚିବାରେ ଯେ କୋଉ ଲାଭ, ଅରକ୍ଷିତ ଜୀବନ ବୁଝେ ନା; ତଥାପି ବଞ୍ଚିବାର ଦୁର୍ବାର ଲାଳସା; ଅଦମ୍ୟ ଲୋଭ ସବୁବେଳେ ସଜାଗ ହୋଇ ଉଠେ । ଝୁମ୍ପା ଓ ଅଗଣି ବେହେରା ବଞ୍ଚିଲେ–ସୃଷ୍ଟିର ଦୁଇଟି ଅଭିଶପ୍ତ ଜୀବ ! ସେମାନଙ୍କ ମଧ୍ୟରୁ କେହି ଜାଣନ୍ତି ନାହିଁ–ବଞ୍ଚିବାର ଲାଭ କ୍ଷତି, ଜୀବନ ମରଣର ରହସ୍ୟ । ଚେଷ୍ଟା ବି କେବେ କରି ନ ଥିଲେ । ଝୁମ୍ପା ଚୂଡ଼ା କି ଭୁଜା କିଛି ଭାଜିପାରେ ନାହିଁ-। ବୁଢ଼ା ଚୂଡ଼ା ଭାଜେ, ଭୁଜା ଚାଉଳ ଉବୁଜି ଭାଜେ, ଚିନାବାଦାମ ଭାଜେ । ଝୁମ୍ପା ଘର ଘର ବୁଲି ବିକିବାକୁ ଘେନିଯାଏ । ଜଟିଆ ମା’ ମରିଗଲା ଦିନୁ ପାଣ୍ଠି କମିଯାଇଛି, ବହୁତ ବେଶୀ । ଯାହାହଉ, ମୂଳ ପାଣ୍ଠି ଟଙ୍କାଟିଏ । ସେଥିରୁ ଦିନକୁ ଯାହା ଚାରି ଛଅ ପଇସା ବାହାରେ, ବାପ ଝିଅ ଦୁହେଁ ବାଣ୍ଟି ବୁଣ୍ଟି ଖା’ନ୍ତି । କାହାରି ବେଶୀ କମ୍ ରେ ଓଜର ଆପତ୍ତି ନ ଥିଲା । ଏବେ ବୁଢ଼ା ଘୁଷୁରି ରନ୍ଧା ବଢ଼ା କରେ । ଝୁମ୍ପା ବିକି ସାରି ଆସିଲେ ବାପ ଝିଅ ଦୁହେଁ ଏକା ଥାଳିରେ ଏକା କଂସାରେ ବସି ଖା’ନ୍ତି-। ବୁଢ଼ା ଅଳ୍ପ ଖାଏ । ଝୁମ୍ପା ଯେତେ ଲଗେଇଲେ ବୁଢ଼ା ନିତି ଆପଣା ପେଟ ଅଧା କରି ଝୁମ୍ପାର ପେଟ ପୂରାଇଦିଏ । ଝିଅର ମୁଣ୍ଡ ବାନ୍ଧିଦିଏ । ବୁଢ଼ା ତା’ର ଲୁଗା ତୋଳିଆଣେ । ଝୁମ୍ପା ସଞ୍ଜକୁ ଆସିଲା ବେଳକୁ ବୁଢ଼ା ଭାତ ବସେଇ ଦେଇଥାଏ । ଝୁମ୍ପା ଯାହା ଅଧଲା ପଇସାକର ତୁଣ ଶାଗ ଆଣିଥାଏ, ସେଥିରେ ସେ ଯୋଗାଡ଼ କରି ଠାଏ କରିଦିଏ । ଏବେ ବର୍ଷେ ହେଲା ଆଉ ବୁଢ଼ାକୁ ଦିଶେ ନାହିଁ । ତଥାପି ବୁଢ଼ା ଠଉରେଇ ଠଉରେଇ ଆଗଭଳି ମାମୁଲି କାମତକ କରିନିଏ । ତାର ଯେ ଜୋର ଥାଏ, ତାହା ନୁହେଁ–ଖାଲି ଝିଅ ପ୍ରତି ତା’ର ଯୋଉ ଅକୃତ୍ରିମ ଗଭୀର ସ୍ନେହ, ସେହି ଜୋରରେ ବୁଢ଼ା ସବୁ କରି ପକାଏ । ବୁଢ଼ା ବାପକୁ ଝୁମ୍ପା ପ୍ରାଣଠୁଁ ବଳି ଭଲ ପାଏ । ସେଦିନ ସଞ୍ଜରେ କହିଲା–ବାପା, ତୁ କାହିଁକି ଏତେ କଷ୍ଟ କରି କାମ କରୁଛୁ, ମୁଁ ଆସିଲେ ତ ସବୁ କରି ପକାନ୍ତି । ଆହା, ବୋଉ ଥିଲାବେଳେ... । ଏତିକି କହିଛି, ଭୋ ଭୋ କାନ୍ଦି ପକେଇଲା । ବୁଢ଼ା କାନ୍ଦିଲା । ସେଦିନ ଦୁହେଁଯାକ କିଛି ଖାଇ ପାରିଲେ ନାହି, ଦୁହିଁଙ୍କର କୋହ ଉଠିଲା । ବୁଢ଼ା କହେ–ମା’, ତୁ ଆଉ କେତେ ଖଟିବୁ, ପିଲାଟି ମୋର–ଆହା, ଦିନ ତମାମ ଖରାରେ ବୁଲି ବୁଲି ଆସିଛି ! ମା’ ଥିଲେ କ’ଣ... । ବୁଢ଼ା ନିଃସହାୟ ହୋଇ କାନ୍ଦେ ।

ଝୁମ୍ପାର ବୟସ ପନ୍ଦର । ତା’ର ପ୍ରଥମ ଯୌବନ ପହିଲି ଆଷାଢ଼ ପରି ଜୀବନ୍ତ ଓ ହର୍ଷୋତ୍‍ ଫୁଲ୍ଲ । ସେହି ବାଉଳା ଯୌବନର ଗତି ବର୍ଷା ଦିନରେ ଖର ସ୍ରୋତର ଗତି ପରି ଚଞ୍ଚଳ, ଉଦ୍ଦାମ–ସାଗର କୋଳରେ ଲୁଚିଯିବା ପାଇଁ ତରତର । ଝୁମ୍ପା କାହାକୁ ଦେଖି ନାହିଁ ବୋଲି କିମିତି କହିବ ? ନିତି ସକାଳୁ ଉଠିଲେ ଶଏ ଦି’ଶ ଲୋକଙ୍କ ମୁହଁ ଦେଖେ, ସମସ୍ତେ ଚିହ୍ନା । ବଜାର ଘାଟରେ ବୁଲି ବୁଲି ଚୂଡ଼ାଭଜା, ଭୁଜା, ଉଖୁଡ଼ା, ବୁଟଭଜା, ମଟରଭଜା ବିକେ । ତାକୁ ଏବେ କେତେ ଦୁଷ୍ଟ ଲୋକ ଦେଖି ଥଟ୍ଟା କରନ୍ତି; ସେ କାହାକୁ କିଛି କହେ ନାହିଁ, ବିରକ୍ତ ହୁଏ ନାହିଁ । ଲାଜରେ ତା’ର ମୁହଁ ରଙ୍ଗା ପଡ଼ିଯାଏ, ଦୁଃଖରେ ମୁହଁ କଳା ପଡ଼ିଯାଏ । ଘରକୁ ଫେରିଆସେ, ବାପ ପାଖରେ କିଛି କହେ ନାହିଁ । କ’ଣ କହିବ ? ବୁକୁ ଭିତରେ କେଜାଣେ କାହିଁକି ଗୁରୁ ବେଦନା ବତାସ ଦିନର ଜୁଆରିଆ ନଈରେ ବୋଝେଇ ଡଙ୍ଗା ହାବୁଡୁବୁ ଖାଇଲା ଭଳି ଉଠ୍‍ ପଡ଼୍‍ ହୁଏ । ତା’ର ଦୁଃଖ ଅନେକ ବୋଲି ସେ ଜାଣିଛି ହେଲେ କୌଣସି ନିର୍ଦ୍ଦିଷ୍ଟ ଦୁଃଖ ନେଇ ତା’ର ଚିନ୍ତା ନ ଥିଲା । ସେଦିନ ବାପାକୁ ଖାଇବାକୁ ଦେଲା । ବୁଢ଼ା ସବୁଦିନ ପରି ସେ ଦିନ ଡାକିଲା–ମା’, ତୁ ଆସୁନୁ । ଝୁମ୍ପା ଆଖିରୁ ଲୁହ ପଡ଼ିଲା । କହିଲା–ବାପା, ତୁ ଖାଇଦେ, ମୋ ଦେହ ଆଜି ଭଲ ନାହିଁ, ମୁଁ ଖାଇବି ନାହିଁ-

ଅଗଣି ବେହେରାର ହଲକ ଶୁଖିଗଲା । ସେ ତ କିଛି ଦେଖି ପାରୁ ନାହି । ତଥାପି ଦରାଣ୍ଡି ଦରାଣ୍ଡି ତା’ ମା’ଟିକି କୋଳକୁ ଆଣିଲା ଟାଣି । ଅନୁଭବ କଲା–ତା’ ମା’ଟି କାନ୍ଦୁଛି । ତା’ ଆଖିର ଲୁହ ପୋଛି ଦେଇ କାତର କଣ୍ଠରେ ସେ କହିଲା–ମା, କାନ୍ଦୁଛୁ କାହିଁକି ? ଦେହ କ’ଣ ହେଲା ଲୋ ମା ମା’ର ! ଆହାଃ ମୋ ମା ସାରା ଦିନଟା ଖରାରେ ବୁଲୁଛି । ଉଃ ଯେଉଁ ଖରା ! ବୁଢ଼ା ବିକଳ ହୋଇ କାନ୍ଦିଲା, ତା’ ମା’ ପାଇଁ । ଆହାଃ ଏହି ଅପାର୍ଥିବ ବସ୍ତୁଟି ପାଇଁ ସିନା ମଣିଷ କାଙ୍ଗାଳ ହୋଇଥାଏ ।

ଝୁମ୍ପା କିଛି କହିଲା ନାହିଁ । କେତେ କଥା ତଣ୍ଟି ପାଖରୁ ଲେଉଟି ଗଲା–କ’ଣ କହିବ ? ଆଜି ସକାଳେ ଧରମା ତାକୁ ଯାହା କହିଛି... ।

ପଡ଼ିଶା ଘରର ନୁରିଆ ମା’ ବୁଢ଼ୀ ଆସି ପହଞ୍ଚିଗଲା ଦିନ ଦିପହରେ । ଝୁମ୍ପା ଗାଧୋଇ ଆସି ଲୁଗା ପାଲଟିଛି । ସେ କହିଲା–ଆଗୋ ଝୁମ୍ପା ବାପ, ତମେ ଭୁଆଷୁଣୀ ଝିଅଟାକୁ ଆଉ କେତେ ଦିନ ଘରେ ରଖିଥିବ ? ତୁମେ ଅଚଳ ବୋଲି କ’ଣ ବଢ଼ିଲା ଝିଅ ଘରେ ରହିବ ? ଚୌଦ ପୁରୁଷ ପାଣି ପାଇବେ ନା ? ଏ ତ ଆମ ଜାତିରେ ନାହିଁ । କ’ଣ କହୁଛ, ଯେମନ୍ତ କହିବ, ଠାଏ ବୁଝିବି । ଧରମା ମା’ କହୁଥିଲା ଧରମା କଥା ବୁଝିବାକୁ । ଟୋକାଟି ଭଲ; ଦି’ପଇସା ରୋଜଗାର କରିବ । ହେଲେ ମା’ଟା କଳିହୁଡ଼ୀ, ତୁଣ୍ଡେଇ । ସେଥିରେ ଏବେ ଆମର ଅଛି କ’ଣ ? ବୁଢ଼ୀଟା ପାକଲା ଆମ୍ୱ, ଆଜି ଅଛି କାଲିକି ନାହିଁ ।

ଅଗଣି ବେହେରା ଯେମିତି କ’ଣ ସ୍ୱପ୍ନ ଦେଖୁଥିଲା, ହଠାତ୍‍ ନିଦରୁ ଉଠିଲା ପରି କହିଲା, ଆଜି କାହା ସାଥିରେ କଳି ଲଗେଇଛି ପରା ! ଓହୋଃ, ଯେଉଁ ତୁଣ୍ଡେଇ କହନା ତା’ କଥା !

‘ଏ ନାଁ ମ, ମୁଁ କହୁଛି ଧରମା କଥା ନା, ସେ କଳି ଲଗାଏ, ହେଲେ ସବୁ ଦିନେ କ’ଣ ସେଇଆ ଥିବ ?’

ବୁଢ଼ା ଏଥର କଥାଟା ଧରି ନେଲା । ସଙ୍ଗେ ସଙ୍ଗେ ଜବାବ ଦେଲା–ହଉ ନରୁଆ ମା’, ତମେ ବୁଝି କହିବ ।

‘କାହିଁକି ଆଜି ବାପଝିଅ ଖାଇନା, ଭାତ ବଢ଼ା ହୋଇଛି, ତୁଣ ଶାଗ କିଛି ନାହିଁ କି ? ଆଲୋ ଝୁମ୍ପା, ଆମ ବାଡ଼ିରୁ କେରାଏ ଶଜନା ଶାଗ ଆଣିଲୁ ନାହିଁ ?’

‘ନାହିଁ, ତା’ର ବେଳ କାହିଁ ? ଏହି ତ ମା’ ମୋର ଆସିଛି କେତେ ଆଡ଼େ ବୁଲି ବୁଲି ।’

 

‘ଆଚ୍ଛା ହେଉ, ତମେ ଯାଅ, ମୁଁ ଯାଉଛି ବୁଝି ଆସି କହିବି ।’

 

ଝୁମ୍ପା ପୁଣି ବିକିବାକୁ ବାହାରି ପଡ଼ିଲା । ସେ ଦିନ କାହିଁକି କେଜାଣେ ବିକ୍ରି ବଟା କିଛି ଭଲ ହେଲା ନାହିଁ । ସକାଳୁ ବେଳ ଦ୍ୱି ପ୍ରହର ଯାକେ ମୋଟେ ବିକିଛି ଅଢ଼େଇ ପଇସା । ବିହାରୀ ପଣ୍ଡିତଙ୍କ ଛକରୁ ଝୁମ୍ପା ଅଧଲା କର ଖଡ଼ା ନେଇ ଘରକୁ ଗଲା । ସବୁଦିନ ପରି ସେଦିନ ମଧ୍ୟ ବୁଢ଼ା ପଚାରିଲା–ମା’, ଆଜି କେତେ ବିକିଲୁ ?

 

‘ଆଜି ଭଲ ବିକ୍ରି ହେଲା ନାହିଁ । ମୋଟେ ଅଢ଼େଇଟା ପଇସା ।’

 

ବୁଢ଼ା କିଛି କହିଲା ନାହିଁ । ମନେ ମନେ ବିରକ୍ତ ହେଲା କି ନା କହି ହେବ ନାହିଁ । ସେ ଦିନଟା କଟିଗଲା ।

 

ତା’ ଆରଦିନ ସକାଳୁ ଝୁମ୍ପା ବାହାରିଲା କଟକଚଣ୍ଡୀ ଆଡ଼େ । ସେ ଆଡ଼େ ସେ କେବେ ଯାଏ ନାହିଁ, ସେ ଦିନ ଯେ କାହିଁକି ଗଲା ସେ ଜାଣେ । ସେଠି ଧରମା ସାଥିରେ ତା’ର ଦେଖା ହୋଇଥିଲା । ସେ ତାକୁ କ’ଣ କହିଲା କେହି ଶୁଣି ପାରିଲେ ନାହିଁ, ଏକା ଝୁମ୍ପା ଛଡ଼ା । ବୁଲିବୁଲି ଝୁମ୍ପା କିଛି ବିକ୍ରି ନ କରି ଘରକୁ ଫେରିଲା ବହୁତ ଡେରିରେ–ବେଳ ଦଶଘଡ଼ି ତିନି ପହରକୁ । ବୁଢ଼ା ଉପାସରେ ବିସିଛି । ଝୁମ୍ପା ରୋଷେଇବାସ ସବୁ କରି ବୁଢ଼ାକୁ ଖାଇବାକୁ ଦେଇ ନିଜେ ଅଲଗା ଖଣ୍ଡେ ପତରରେ ଖାଇଲା । ବୁଢ଼ା କିଛି ବୁଝିଲା ନାହି, କାହିଁକି ଏ ବ୍ୟତିକ୍ରମ । ଝୁମ୍ପା ସବୁ ଜିନିଷ କଚଡ଼ା ବାଡ଼ିଆ କରୁଥାଏ, ମନଟା ଯେମିତି ତା’ର ଅନ୍ୟ କୋଉଠି ବୁଲୁଛି । ବୁଢ଼ା ଅତି ସଙ୍କୋଚରେ କହିଲା–ଝୁମ୍ପା ଜିନିଷପତ୍ରଗୁଡିକ ଯତନରେ ସିନା ରଖିବୁ, ଏମିତି କଚଡ଼ା ବାଡ଼ିଆ କଲେ ଚଳେ ନା ! ମାଆଟି ପରା କହିଲୁ, ଆମର ଆଉ କିଏ ଅଛି ?

 

ଝୁମ୍ପା ଚଟ୍‍ କରି କହି ପକାଇଲା–ହଁ, ତୁ ଖାଲି ବସି ଖାଇବୁ, ଆଉ ଖଟି ଖଟି ମୁଁ ମରିବି, ମୁଁ ଆଉ ତତେ... ।

 

ବୁଢ଼ାର ଉତ୍ତର ଦେବାକୁ ଯେମିତି କିଛି ନ ଥିଲା । ଝୁମ୍ପା ପସରା ନ ନେଇ ସେମିତି ସେ ଦିନ ଚାଲିଗଲା । ବୁଢ଼ା ଜାଣେ ନା, ସେ ପସରା ନ ନେଇ ଯାଇଛି ବୋଲି । ସେ ବସି କାନ୍ଦିଲା–ସୃଷ୍ଟିର ନିନ୍ଦା କରି, ସୃଷ୍ଟିକର୍ତ୍ତାଙ୍କୁ ଅଭିଶାପ ଦେଇ । ଉଃ, କିମିତି ମରିଯାନ୍ତି ! ବଡ଼ କରୁଣ, ଅତି ସତ ତା’ର ଅନୁଭବ, ତା’ର ଉକ୍ତି ! ! ପ୍ରାଣରେ ଦାରୁଣ ଆଘାତ ଲାଗିଲା–ବୁକୁ ଭାଙ୍ଗି ପଡ଼ିଲା । ସେ କିଛି ବିଚାରି ପାରିଲା ନାହିଁ ।

 

ରାତି ହେଲେ ଝୁମ୍ପା ଫେରେ ଘରକୁ । ସେଦିନ ରାତି ଦି’ଘଡି ଯାଇ ପହରେ ଗଲା, ତେବେ ବି ସେ ଫେରିଲା ନାହିଁ । ବୁଢ଼ା ଦୋକାନକୁ ଯେ ଆସେ ତାକୁ ପଚାରେ, ଝୁମ୍ପା ମୋର କୁଆଡ଼େ ଗଲା ? କେହି କହେ, ଅମୁକଠି, କେହି କହେ, ମୁଁ ତ ଏହି ଦେଖି ଆସିଛି, କେହି କହେ, ମୁଁ ଦଶଘଡ଼ି ବେଳେ ଦେଖିଥଲି–ଏହିପରି ସେ କେତେ ଖବର । ବୁଢ଼ା କାହା କଥା ଫଙ୍ଗିଦେଇ କାହାକୁ ବିଶ୍ୱାସ କରିବ ? ସେ ମହା ମୁସ୍କିଲରେ ପଡ଼ିଲା । ରାତି ପାହି ସକାଳ ହେଲା, ତେବେ ବି ଝୁମ୍ପାର ଦେଖା ନାହିଁ ।

 

ଦିନେ ଦିନେ ଯାଇ ମାସେ ମାସେ ଗଲା, ଝୁମ୍ପା ଫେରିଲା ନାହିଁ କି ତା’ର ଖବର ମିଳିଲା ନାହିଁ । ବୁଢ଼ା କାନ୍ଦି କାନ୍ଦି ଉପାସ ଭୋକରେ ପଡ଼ି ପଡ଼ି ବର୍ଷକ ପରେ ମରିଗଲା । ଆଉ କେହି ତାଙ୍କ କଥା ଏବେ ସୁଦ୍ଧା ପଚାରନ୍ତି ନାହିଁ ।

☆☆☆

 

ବର–ଓସ୍ତ

 

ଅଗଣା ଚାହାଳୀକି ଯାଏ ସଭିଙ୍କ ଆଗରୁ । ଶୂନ ପାଏ ସବୁଦିନେ । ଏଥିପାଇଁ କେହି ତା’ଠି ଈର୍ଷା କରନ୍ତି ନାହିଁ । ଅପରନ୍ତୁ ତାକୁ ସମସ୍ତେ ଭଲ ପାନ୍ତି । ତା’କୁ ସବୁଠୁ ବେଶୀ ଭଲ ପାଉଥିଲା ଅମରା । ଅମରା ଚଗଲା ନୁହେଁ । ହେଲେ ତା’ର ପାଠ ହୁଏ ନାହିଁ ମୋଟେ ! ଖୁବ୍‍ ମୋଟା ବୁଦ୍ଧିଆ ସେ । ସେ ନିତି ଆପଣଙ୍କଠାରୁ ମାଡ଼ ଖାଏ, ଗାଳି ଖାଏ, ଏକ ଗୋଡ଼ିକିଆ ଠିଆ ହୁଏ, ନାକ ବାଳ ଧରାହୁଏ । ସେ ଗଭୀର ଦୁଃଖ କରେ, ଭଗବାନଙ୍କୁ ଗାଳିଦିଏ କି ନା କହିହେବ ନାହିଁ; କିନ୍ତୁ ତା’ ବୋଉ ପରା ସୃଷ୍ଟିକର୍ତ୍ତାଙ୍କୁ ଗାଳି ଦେଇ କହୁଥିବାର ଶୁଣାଯାଇଛି–ଷଟିଦୁଚ୍ଛେଇ ମୋ ପିଲାକୁ ଏତେ ନାରଖାର କରାଇ ମାଡ଼ ଖୁଆଉଛି ? ଆଉ ସବୁ ପିଲାଙ୍କର ପାଠ ହେଲା, ମୋ ପିଲାର ନାହିଁ । ଏହିପରି ଆହୁରି ପଦେ ଦି’ ପଦ କହି ବାହୁନି ପକେଇଛି କେଜାଣେ କେତେ ଥର । ଅଗଣାର ସ୍ମରଣ ଶକ୍ତି ତ ଖୁବ୍‍ ବେଶୀ, ବୁଦ୍ଧିଆ ମଧ୍ୟ ସେ ଖୁବ୍‍ । ଅମରାର ଶାସ୍ତି ଥିଲା ଦିନରେ ନିତି; କିନ୍ତୁ ରାତିରେ କୋଉ ଦିନ କିମିତି ଊଣା ପଡ଼ିଯାଇଥିଲା । ତା’ର କାରଣ ଥିଲା, ଅଗଣାର ସାହାଯ୍ୟ । ତମେ ସେ ପ୍ରକାର ସାହାଯ୍ୟକୁ ଅନ୍ୟାୟ କହି କି ଆଉ ଯାହା କହ, ଅଗଣା କିଛି ନ ବିଚାରି ତା’ ବନ୍ଧୁଟିକି ମାଡ଼ ଖୁଆଇବାରୁ ବଞ୍ଚାଇବା ପାଇଁ ସବୁବେଳେ ସଚେଷ୍ଟ ଥିଲା । ଆପଣେ ରାତିରେ ସବୁ ପିଲାଙ୍କୁ ଗୋଟିଏ ଗୋଟିଏ ପଣିକିଆ କିମ୍ୱା ହିସାବ ପଚାରି ଦିଅନ୍ତି । ଅମରାକୁ ଯାହା ପଚରା ହୋଇଥିବ, ଅଗଣା ତାକୁ ଚୁପ୍‍ ଚୁପ୍‍ କାନରେ କହିଦିଏ, ସିଲଟ ଥିଲେ ସେଥିରେ ଲେଖି ତାକୁ ଦେଖାଇଦିଏ । ଏଥିପାଇଁ ଅଗଣା ଘୁଷ୍‍ ମଧ୍ୟ ଖାଏ ଅନେକ । ଯଥା–ଆଚାର, ଚାଉଳଭଜା, ଉଖୁଡ଼ା, ପିଠା, ମୁଗଭଜା ଇତ୍ୟାଦି । ନିତି କିଛି ନା କିଛି ଅମରା ଲୁଚେଇ ତା’ର ଏହି ପ୍ରକାର ଉତ୍କୃଷ୍ଟ ବନ୍ଧୁଟି ପାଇଁ ଆଣିଥାଏ । ବାଟରେ ଗଲାବେଳେ ଦୁହେଁଯାକ ଖାଇ ଖାଇ ଚାହାଳୀକି ଯା’ନ୍ତି । ଏଥିପାଇଁ ଅମରା ତା’ ବୋଉଠାରୁ ଦୁଇ ତିନି ଦଫେ ଶାରୀରିକ ଲାଞ୍ଛନା ସହିଛି । ହେଲେ ସେ ଚୋରୀ ପ୍ରବୃତ୍ତିଟି ଛାଡ଼ି ପାରି ନାହିଁ, ଛାଡ଼ିଦେବ ବୋଲି ମଧ୍ୟ ବିଚାରି ପାରି ନାହିଁ ।

 

ଏହି ସମବୟସୀ ଅସମଗୁଣବିଶିଷ୍ଟ ଦୁଇଟି କ୍ଷୁଦ୍ର ମାନବ ଶିଶୁଙ୍କର ଆକସ୍ମିକ ବହୁ ଘଟନା–ସମ୍ୱଳିତ ପରିଚୟଟା ସହାନୁଭୂତି ସ୍ତରଟି ପାର ହୋଇ ଆଉ ଗୋଟିଏ ଦୃଢ଼ତର ସୋପାନକୁ ଆରୋହଣ କରିଥିଲା । ନିତି ଦେଖା, ଖିଆପିଆଟା ନେଇ ଯାଇଥିଲା ସେମାନଙ୍କୁ ଅନେକ ଦୂର–ଯୋଉଠୁ ଫେରି ଆସିବା ଟିକିଏ କ୍ଳେଶପ୍ରଦ–ସ୍ଥଳ–ବିଶେଷରେ ଅସମ୍ଭବ ମଧ୍ୟ । ଶିଶୁପ୍ରାଣର ସରଳତା ବୁଝେନା ବିଜ୍ଞ ପ୍ରୌଢ଼ର ସଂସାର–ଜଟିଳତା, ନୀତି–ଅନୀତିର ବାଛ–ବିଚାର, ବୈଜ୍ଞାନିକର ଉଡ଼ାଜାହାଜ ଉଦ୍ଭାବନର ଅକ୍ଷୟ କୀର୍ତ୍ତି, କୋଣାର୍କ ଶିଳ୍ପୀର ଅଦୃତ ଗୌରବ । ଅବଶ୍ୟ ଏ ସବୁ ମୂଳରେ ଥିଲା, ଅଛି ଓ ଥିବ । ସେଇ ପେଟ ଚାଖଣ୍ଡକ ପାଇଁ ତୁମୁଳ ସଂଗ୍ରାମ, ନୀତି ଅନୀତିର ବିଚାର, ଉଡ଼ାଜାହାଜର ପରିକଳ୍ପନା, କୋଣାର୍କ ଶିଳ୍ପର ଗୌରବ । ସମସ୍ତ ତାରି ପାଖରେ ହାର ମାନିଯାଏ ମୌନୀ ଋଷି ପରି । ଏହି ଅତି ମୌଳିକ ଅତି ସତ୍ୟର କଳ୍ପନାର ସୂକ୍ଷ୍ମରେଖା ଦେଖା ଦେଇଥିଲା ଶିଶୁପ୍ରାଣର କଠୋର ଦାବୀରେ–ଯୋଉଥି ପାଇଁ ପାଟି ସ୍ୱାଦୁ ପାଇବ, ପ୍ରାଣ ଦଣ୍ଡେ ବିଞ୍ଚି ପାରିବ ।

 

ସେଦିନ ଥିଲା ଛୁଟି । କାରଣ ଆପଣ ଯାଇଥିଲେ ଗାଁକୁ । ଯେ ଯୁଆଡ଼େ ପିଲାଏ ଗଲେ ବାହାରି ଖେଳିବୁଲି–କୁଣିଆ ଘର । ଅଗଣା ଅମରା ଦୁହେଁ ବାହାରି ପଡ଼ିଲେ ଦେବୀ ନଦୀର ବିସ୍ତୃତ ବାଲୁକା–ଶେଯକୁ । ସୌନ୍ଦର୍ଯ୍ୟ–ପିପାସୁ ଭାବୁକ ନ ଥିଲେ ସେ ଦୁହେଁ, କର୍ମକ୍ଳାନ୍ତ ପ୍ରୌଢ଼ ନ ଥିଲେ ସେ ଦୁହେଁ, ସେମାନଙ୍କର ମନ ଫୁଲ ପରି ହାଲୁକା । ଦେବୀ ନଦୀର ନୀଳ ଦର୍ପଣ ସଦୃଶ ଜଳ ପରି ସ୍ୱଚ୍ଛ ବାଳ ଅରୁଣିମା ପରି ସେମାନଙ୍କର ମୁଖମଣ୍ଡଳ ହର୍ଷୋତ୍‍ଫୁଲ୍ଲ ।

 

ବାଲୁକା ଶେଯରେ ଦୁହେଁ ବସି ପଡ଼ିଲେ–ନଈଆଡ଼କୁ ମୁହଁ କରି । ଅମରା କହିଲା–‘ହେ, ଗୋଟାଏ କଥା କହିବି, ତୁ ରଖିବୁ ନା ?’

 

‘ମଲା, କହୁନୁ ।’

 

‘କ’ଣ କି–ଆମେ ଦୁହେଁ ସମୁଧୀ ହେବା ।’

 

ଅଗଣା ହସି ହସି କହିଲା–କିମିତି ରେ ଆମେ କ’ଣ ବାହା ହେଲୁଣି କି ! ପୁଅ ଝିଅ ବାହାକଲେ ପରା ସମୁଧୀ......’

 

‘ମ–ତୁ ଜାଣିନୁ ପରା–ବର ଓସ୍ତ ବାହା କଲେ କ’ଣ ସମୁଧୀ ହୁଅନ୍ତି ନାହିଁ ପରା.....’

 

‘ହଉ ସେଥିରେ କ’ଣ ଅଛି ?’

 

‘ତାହାହେଲେ ସମୁଧୀ ଚାଲ ଯିବା, ମୁଁ ଠାକରେ ବରଗଛ ଓସ୍ତଗଛ ଦେଖି ଆସିଛି, ତାକୁ ଆଣି ଆଜି ଆମର ଏହି ଡିଆଁ ଚକ ଜମିରେ ଲଗେଇଦେବା । ବଡ଼ ହେଲେ ସେ ଦୁହିଁକି ବାହା କରାଇଦେବା–ହେଲା ?’

 

‘ଚାଲ ।’

 

ଦୁହେ ଗଲେ ଗଛ ଆଣି । ସେହି ଡିଆଁ ଚକ ଜମିରେ ଅମରା ଓସ୍ତଗଛଟିଏ ଓ ଅଗଣା ବରଗଛଟିଏ ଲଗେଇଦେଲା–କାହାକୁ ଡାକି କହିବାକୁ ହେବ ନାହିଁ । ଗଛ ଲଗେଇ ସାରି ଦୁହେଁ ଫେରିଲେ କର୍ମକ୍ଳାନ୍ତ ରାଜନୀତିକ ପରି ।

 

ସେହିଦିନୁ ଦୁହେଁ ସମୁଧୀ ।

 

ସେହି ମାମୁଲି ଜୀବନ–ଆପଣେ ଆସିଲେ, ଚାଲିଲା ପାଠପଢ଼ା । ସେ ପାଠପଢ଼ାରେ ଭୟ ଛଡ଼ା କୌତୁକ ଆଦୌ ନ ଥିଲା ଅମରାର । ଚାହାଳୀ ନାଁ ଶୁଣିଲେ ତା’ର ପିଳେହି ଚମକୁଥିଲା-। ସେଠିକି ନ ଯାଏ ବା କିମିତି ? ତା’ ବାପ ତାଳୁ ଝାଳ ତଳିପାରେ ମାରି କୋଡ଼ି କାଙ୍କ ହାଣି ପଇସା ଦିଏ ଆପଣଙ୍କୁ ଗଣି–ଖାଲି ପୁଅ ତା’ର ଦି’ଅଧ୍ୟା ଭାଗବତ ବୋଲିବ ବୋଲି । ଘରେ ତ୍ରିନାଥ–ମେଳା ହେଲେ ବହି ବୋଲିବ, କୃଷ୍ଣ ଜନ୍ମଦିନ ବୋଲିବ ଦାର୍ଢ଼୍ୟତାଭକ୍ତି । ଗୁମାସ୍ତା ଖଜଣା ନେଇ ପାଉତି ଦେଲେ ବୁଝି ସମୁଝିବା ଚାଇ ତ ! ଏଗୁଡ଼ାକ ନିତି ଦରକାରୀ । ଏଥିପାଇଁ ସେ କେତେ ପର ପୁଅକୁ ଲୋଡ଼ି ବସିବ ? ନ ହେଲେ ତା’ ବୋଉ କହୁଥିଲା–ପିଲାଟା ଶୁଖିଯାଉଛି ଚାହାଳୀ ନାଁରେ–ତାକୁ ସେଠିକି କାହିଁକି ତଡ଼ି ପଠାଇଦଉଛ, ଏଆଡ଼େ ବିଲକୁ ଗଲେ ଘସି ଟୋକେଇଏ ଆଣନ୍ତା ନାହିଁ ? ପୁଣି ଭିନ୍ନମୁଖୀ ଅମରାର ପ୍ରାଣ ଏକାନ୍ତ ଅସ୍ଥିର ହୋଇ ପଡ଼ୁଥିଲା–ଚାହାଳୀ ନାଁରେ । ଯାହାହେଉ ତାକୁ ଭରସା ଦେଇଥିଲା ଅଗଣା–ତା’ର ପ୍ରିୟ ସୁହୃତ୍‍, ଦିନେ ଦିନେ ସେ ବିଲକୁଲ୍‍ ମାଡ଼ ନ ଖାଇ ଚାହାଳୀରୁ ଫେରିଛି; କେବଳ ତା’ର ବନ୍ଧୁର ସାହାଯ୍ୟରୁ । ଏବେ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଯଥେଷ୍ଟ ବଢ଼ିଯାଇଛି । ପୁଣି ସେ ସୌହାର୍ଦ୍ଦ୍ୟ ଖାଲି ସେ ଦୁହିଁଙ୍କ ମଧ୍ୟରେ ଆବଦ୍ଧ ନରହି ଉଭୟଙ୍କ ପରିବାର ମଧ୍ୟକୁ ପ୍ରସାରିତ ହୋଇଛି । କାହାର ବାହାପୁଆଣି ନିମିନ୍ତ–ପର୍ବ ହେଲେ ଗୁଆ ଚଳାଚଳି ହୁଏ । ଭାର ବେଭାର ଚାଲେ । ଦୁହେଁ ଦୁହିଁଙ୍କର ପରମ ଆତ୍ମୀୟ ।

 

ସଂସାରର ପ୍ରତ୍ୟେକ ପଦାର୍ଥ ବଢ଼େ ଛିଡ଼େ । ଚାରାଟି ବଡ଼ ହୁଏ । ଗଛରେ ଫୁଲ, ଫୁଲରୁ ଫଳ ଧରେ, ପାଚେ ଝଡ଼େ । ଗଛ ମରେ । ପୁଣି ନୁଆ ଗଛ ହୁଏ । ଆମର ଅତି ପୁରାତନ ଏହି ପୃଥିବୀଟି ନାନା ପରିବର୍ତ୍ତନ ମଧ୍ୟ ଦେଇ ଚାଲଛି । ପରିଣତଟିକି କିଏ କଳ୍ପନା କରିଛି କିଏ ନାହିଁ-। ଯିଏ କରିଛି ସେ ହୁଏତ ସାମୟିକ ତାହା କରିଛି, ପରକ୍ଷଣରେ ଭୁଲି ବି ଯାଇଛି । ସେଥିରେ ଯାଏ କେତେ ଆସେ କେତେ ? ଏବେ ଅଗଣା ଓ ଅମରା କେହି ଚାହାଳୀକି ଯାଆନ୍ତି ନାହିଁ, ଯାଆନ୍ତି ହଳ ଲଙ୍ଗଳ ଧରି ବିଲକୁ । ଦୁହିଁଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି । ବିଲରୁ ଆସି ସନ୍ଧ୍ୟାବେଳେ ବଟୁଆରୁ ପାନ ଖାଇ ସୁଖ ଦୁଃଖ ହୁଅନ୍ତି । ପିଲା ଦିନର ସ୍ମୃତି ମନେ ପଡ଼େ । ଦୁହେଁ କୁହାକୁହି ହୋଇ ହସନ୍ତି-। ଗାଁର ହାନିଲାଭ କଥା ବି ବାଦ୍‍ ଯାଏନା । ହେଲେ କାହାରି ବିରୁଦ୍ଧରେ ସେମାନେ କଥା ହୁଅନ୍ତି ନାହିଁ-

 

ଦିନଯାଏ । ଅମରାର ବୁଢ଼ା ବାପ ମରିଗଲାଣି, ତା’ ଘରକୁ ସେ ଏବେ ମୁରବୀ । ତାରି ମୁଣ୍ଡରେ ଭଉଣୀର ବାହାଘର । ବିଲର ଖଜଣା, ବର୍ଷକ ଭାତ କିମିତି ଯିବ, ତା’ର ବରାଦ, ସବୁ । ହେଲେ ଅଗଣାର ସେ ସବୁ ଚିନ୍ତା କରିବାକୁ ନଥାଏ । ପିଲାଦିନୁ ତା’ ବାପ ମରିଯାଇ ଥିଲେହେଁ ବଡ଼ ଭାଇ ଦି’ଜଣ ସେ କଥା ବୁଝନ୍ତି, ହାନିଲାଭ ତୁଲାନ୍ତି, ଗଲା–ଅଇଲା କଥା ସମ୍ଭାଳନ୍ତି । ସେ ଫୁଲା ଫାଙ୍ଗୁଳିଆ ହୋଇ ବୁଲୁଥାଏ । କାଳେ ବିକାଳେ ଅମରା କେତେବେଳେ ତା’ର ସାହାଯ୍ୟ ଲୋଡ଼ିଲେ ସେ ତାକୁ ସାହାଯ୍ୟ କରେ । ନିଜର କାମ ମନେ କରି ସେ ସମୁଦିର କାମ କରିଯାଏ ।

 

ତାଙ୍କ ଗାଁରେ ଦୁଇଫାଙ୍କ୍ । ଗାଁର ଜମିଦାର ଏଟାକୁ ସୃଷ୍ଟି କରିଛନ୍ତି । କାରଣ ଦୁଇଜଣ ସେ ଗାଁରେ । ଜଣେ ବଡ଼ ହେବାକୁ ଚାହିଁଲେ ଅପରକୁ ଛୋଟ କରାଇବାକୁ ପଡ଼ିବ । ତାହା ସଂସାରର ନିୟମ । ଏଇ ଦୁହିଁଙ୍କ ମଧ୍ୟରୁ ସଂଖାଳି ବାବୁଙ୍କର ପ୍ରତିପତ୍ତ ଟିକେ ବେଶୀ । କାଙ୍ଗାଳୀ ବାବୁଙ୍କଠାରୁ ତାଙ୍କର ସମ୍ପତ୍ତି ମଦ୍ୟ କିଛି ବେଶୀ ହେବ । ଦୁହେଁ ଗୋଟିଏ ବଂଶର, ହେଲେ ଦି’ପୁରୁଷ ଛାଡ଼ି ଗଲେଣି । ସମବୟସୀ । ପିଲାଦିନେ ଦୁହିଁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଥିଲା । ବୟସର ଆଧିକ୍ୟ ସଙ୍ଗେ ସଙ୍ଗେ ତାହା ଈର୍ଷାରେ ରୂପାନ୍ତରିତ ହେଲା । ବନ୍ଧୁତା ଲୋପ ପାଇଲା ଯେମିତି କ୍ଷୟକାରୀ ତରଙ୍ଗ ପାଷାଣର ଅଙ୍ଗ କ୍ରମଶଃ କ୍ଷୟ କରେ ।

 

ଗ୍ରାମରେ ଗୁପ୍ତଚର ଖୁବ୍‍ ବେଶୀ । ତାହା ଋଷର ଗୋଇନ୍ଦା ବିଭାଗକୁ ଟପିଯିବ । କାହାଘରେ ଜିରା ଫୁଟିଲେ ଅପର ଘରକୁ ବାସନା ଯାଏ । ତେଣୁ ଗାଁଆରେ କାହାରି ସ୍ୱତନ୍ତ୍ରତା ନଥାଏ, ସମସ୍ତେ ଶଙ୍କି ଶଙ୍କି ଚଳୁଥାନ୍ତି । କଥା କହିଲା ବେଳେ ଏଣେତେଣେ ଅନାନ୍ତି । କିଏ ଶୁଣିଲା କି ? ଫୋଡ଼ିଦବ ସାଙ୍ଗେ ସାଙ୍ଗେ ଯାଇ ତା’ ତରଫ ବାବୁ ଆଗରେ ! ଦୋଫାଙ୍କିଆ ଗାଁରେ କିଏ ଚାହିଁଲେ ବି ନିରପେକ୍ଷ ଭାବରେ ରହି ପାରିବ ନାହିଁ । ଗୋଟିଏ ନା ଗୋଟିଏ ତରଫକୁ ସେ ଆଉଜିବ ହିଁ ଆଉଜିବ । ଏହି ଫଟା ରାଜନୀତିର ପ୍ରଭାବ ଓ ପ୍ରକୋପ ପଡ଼ିଲା ଦୁଇଟି ପରିବାର ଉପରେ । ସେମାନେ ହେଲେ ଶିକାର, ନିରୀହ ଶିକାର । କେବେ ହେଲେ ସେମାନେ ଏଥିରେ ପଶିବାକୁ ରାଜି ହେଇ ନାହାନ୍ତି । ସତତ ଶାନ୍ତିରେ ରହିବାକୁ ଚାହିଁଛନ୍ତି । ଦୈବ ଯୋଗ, ତାକୁ ଫେର୍‍ ଏଡ଼ିବ ଏଇ ମଣିଷ !

 

ସେ ବର୍ଷ କାଠଯୋଡ଼ୀ ବନ୍ଧ ଭାଙ୍ଗିଯାଇ ବୀରଭଦ୍ରପୁର ଗାଁଟି ପୁରାପୂରି ଧୋଇ ଗଲା । ମଣିଷ ଗାଈଗୋରୁ ସବୁ ନଈସୁଅ ମୁହଁରେ ଗଲେ । ବିଲଗୁଡ଼ାକ ହେଲା ସିମେଣ୍ଟ ଚଟାଣ, କେଉଁଠି ବାଲି ଚରି ଯାଇଛି କେଜାଣି କେତେ; ଶଅ ଶଅ ଏକର । ସରକାରୀ ସାହାଯ୍ୟ କେତେକଙ୍କର ଏକମାତ୍ର ଭରସା ଓ ସମ୍ୱଳ । ଯେଉଁମାନେ ଏପ୍ରକାର ସାହାଯ୍ୟ ନେବାକୁ କୁଣ୍ଠିତ ହେଲେ, ଲାଜ ଅପବାଦକୁ ଡରି, ସେମାନଙ୍କ କପାଳରେ ଘଟିଲା–ଅନଶନ ମୃତ୍ୟୁ ।

କିଏ ଜମିଦାରଙ୍କ ପାଖକୁ ଗଲେ ସେମାନେ ଚଢ଼ା ଦର ହାଙ୍କି ଦିଅନ୍ତି । ଭଲ ଜମି ଏକରେ ରହଣ ବନ୍ଧିକି ହେଲେ ଭରଣେ କି ଅତି ଜୋର ଦେଢ଼ ଭରଣ ଧାନ ମିଳେ । ଅଗଣାଙ୍କର ତ ବିରାଟ ପରିବାର । ଭୋକ ଉପାସରେ ପିଲାଗୁଡ଼ାକ କାହାଁତକ ଆଟୁପାଟୁ ହେବେ । ମୁରବୀ କ’ଣ ତାହା କରଦାସ୍ତ କରିପାରିବ, ତେଣୁ ତା’ ଭାଇ ପରଶୁଆ କାଙ୍ଗାଳି ବାବୁଙ୍କ ପାଖରୁ ଦି’ମାଣ ଅଉଲ ଜମି ଦେଇ ଧାନ ଆଣିଲା ଅଢ଼େଇ ଭରଣ । ଅମରା ଆଉ କ’ଣ କରିବ ? ସେ ସଙ୍ଖାଳି ବାବୁଙ୍କ ପାଖରୁ ଆଣିଲା ଭରଣେ–ମାଣେ ଜମି ଦେଇ । ଏମାନେ ସରକାରୀ ସାହାଯ୍ୟ ଗ୍ରହଣ କଲେ ନାହିଁ । ସମ୍ମାନ ଉପରେ ବାଧା ଆସିଯିବ ! ବୁନିଆଦିରେ ଆଞ୍ଚ ଲାଗିବ । ମାଡ଼ ଖାଇ ଯିବ ଅହକାଂର । ତେଣୁ ନିମ୍ନ ମଧ୍ୟବିତ୍‍ ଶ୍ରେଣୀର ଲୋକଙ୍କୁ ଏ ଧୋଇ କାବୁ କରିଦେଇଥିଲା ।

ତା’ ପରବର୍ଷ ଫସଲ ହେଲା ବିସ୍ତର । ଲୋକ ଗଲା ବର୍ଷର ଏ ଦୁର୍ଭିକ୍ଷ ବିଲକୁଲ ଭୁଲିଗଲେ । ହେଲେ ଫସଲ ଓ ଦାରିଦ୍ର୍ୟ ଦୁହିଁଙ୍କର ମୁହଁ ଫୁଲା ଫୁଲି ସବୁଦିନେ । ଧାନ ସିନା ଖଳାରେ ଅମଳ କଲେ ଅନେକ । ଘରକୁ ଆସିଲା କେତେ ? କରଜ ସୁଝି, ଖଜଣା ପାଇଁ ଧାନ ବିକି ଘରକୁ ଆଣିଲା ବେଳକୁ ଆଉ କେତେ କି ? ଜମା ମାସେ ଭାତ ଯିବ ନା ! ଅମରା ବୋଝ ଭାରରେ ଧାନ ନେଇ ଗଲା ସଙ୍ଖାଳି ବାବୁଙ୍କ ଘରକୁ ! ଧାନ ପୈଠ କରି ସିଟାମ ଖଣ୍ଡିକ ତାଙ୍କଠୁ ଫେରାଇ ଆଣିବ । ତା’ ଜମି ତାର ହେବ । ଫେର୍‍ ସେ ସେଥିରେ ଫସଲ କରିବ । ଖାତା କଢ଼ା ଗଲା । ଅସଲ କଳନ୍ତର ସବୁ ହିସାବ ହେଲା । ସେ ସୁଧର ହିସାବ ନାହିଁ । ବାବୁ ଯାହା ହାଙ୍କିଲେ ସେଥିରେ ସେ ରାଜିହେଲା । ମାତ୍ର ବାବୁ ତା’ର ସିଟାମଖଣ୍ଡିକ ଫେରାଇଲେ ନାହିଁ । ‘ହଁ ଦବା’ କହି ମଟାଳନ୍ତି । ରୋଜିନା ପାଞ୍ଚଥର ସାତଥର ପିଣ୍ଡାରେ ବସି ଆସେ । ଘରେ ମା’ ଓ ଭାର୍ଯ୍ୟା ପଚାରନ୍ତି–ଆଣିଲ ? ସେ ମୁହଁ ଶୁଖେଇ ବସେ । ବେଳେ ବେଳେ ବିରକ୍ତ ହୋଇ କହି ପକାଏ–ସିଏ ଦେଲେ ସିନା !

ବୁଢ଼ି କହେ ଧାନ ତ ନେଲେ । କିଏ କହିଲା ପରି, ପାଞ୍ଚ ଦେଇ ପଚିଶ ନେଲେ ଫେର କାଗଜ ଖଣ୍ଡକ ଓ୍ୟାପସ ଦେବାକୁ କାହିଁକି ହାତ ଛିଣ୍ଡି ପଡ଼ୁଛି । ଏ କାଳରେ ଏଇ ଲୋକଙ୍କର ତ ବଡ଼ତି ହେଉଛି । ପିଲାଟାର ମୋର କଣ୍ଟା ରହିଲାଣି ।

ଅମରା ଦୀର୍ଘ ନିଶ୍ୱାସ ପକାଇ ବସି ପଡ଼େ ।

ସକାଳେ ସଞ୍ଜେ ଲୋକେ ଧାଡ଼ି ଛୁଟନ୍ତି । କିଏ ଆସେ କାମରେ, କିଏ ଆସେ ତୁଚ୍ଛାକୁ, କିଏ ହାଜିରା ପକାଇବ, କେବେ ଭବିଷ୍ୟତରେ ତା’ର ଥେଲା ନଥିଲାକୁ ସାହାଯ୍ୟ ମାଗିବ । ଆଉ ଅମରା ଆସେ ତା’ର ସିଟାମ ଖଣ୍ଡିକ ଓ୍ୟାପସ ନେବା ପାଇଁ । ସେଦିନ ସନ୍ଧ୍ୟାରେ ଯେ ଯୁଆଡ଼େ ଗଲେ । ଏକା ଅମରା ବସି ରହିଲା । ମନେମନେ ଠାକୁରଙ୍କୁ ଡାକୁଥାଏ, କେମିତି ଠାକୁରେ ତାଠି ଦୟାବହି ତା’ ସିଟାମ ଖଣ୍ଡିକ ଦିଅନ୍ତେ କି ? ସେଟା ଯଦି ସେ ନ ନେବ, ତାହାହେଲେ ଖାତାରେ ତା’ ନାଁ ବକେୟାରେ ଗଡ଼ୁଥିବ । ମୂଳସୁଧ ଦେଇ ବି ଫେର କେତେ ଗୁଣ ଦେବାକୁ ପଡ଼ିବ । କିଏ ଜାଣିଛି ? ଜାଲ ଦୁଆଚୋରୀ କି ପାରିବ କିଏ ?

ସଙ୍ଖାଳି ବାବୁ ସେଦିନ ତାକୁ କହିଲେ–ଆରେ ଅମରଶର, ତୁ ଏତେ ବ୍ୟସ୍ତ କିଆଁ ! ତୋ ସିଟାମ କାଗଜ କ’ଣ ମୁଁ ଧୋଇ ଶୁଖେଇ ପୂଜା କରିବି ? ଅଣବିଶ୍ୱାସୀ ତୁ ! ରାତି ହେଲାଣି ଆଜି । ଗୁମାସ୍ତା ଘରକୁ ଗଲେଣି । କାଲିକି ଆସିଲେ ହବନି ?

 

‘ନାଇଁ ବାବୁ ତମକୁ ମୁଁ ଅଣବିଶ୍ୱାସ କରିବି ? ହେଲେ ବାବୁ, ବୋଉ ହେରିକା ଜମା ରଖେଇ ଥୋଇ ଦେଉ ନାହାନ୍ତି ପରା । ଗାଳିଦେଇ କହନ୍ତି–ଇଏ କୁଆଡ଼େ ବାଁ ଖାଡ଼ିଆ ଦେଇ ବୁଲିବ ବାବୁଘର ପିଣ୍ଡାକୁ ଯିବନି ! ବାବୁ କ’ଣ ଏମିତି ହୋଇଛନ୍ତି–ଧାନ ନେଲେ–କାଗଜଖଣ୍ଡକ ଦିଅନ୍ତେ ନି ? ମୁଁ ଯେତେ କହିଲେ ସିଏ ମାନୁଛି କେଉଁଠି । ମାଈପିଲୋକ କିଛି ବୁଝନ୍ତିନି । ଆଉ କ’ଣ କରିବ ? ତମେ ଖୋଜିକରି ଦିଅ ବାବୁ ।’

 

‘କିଛି ପରୁଆ କର ନା ! ମୁଁ କାଲି ଦେଇଦେବି । ହେଲେ ଗୋଟେ କଥା–ତୁ ରଖିବୁ ତ-!’ କେଡ଼େ କଥା ନ କହିଲ, ବାବୁ । ତମେ କହିବ ମୁଁ ଫେର ନ ରଖିବି ?’

 

‘ଆରେ କ’ଣ କହୁଥିଲି କି–ହଁ ସେ ଅଗଣାଙ୍କର ବା–ସେଇ ଯଉଁ ଜମିଖଣ୍ଡିକ, ତେନ୍ତୁଳି ଗଛ ମୂଳରେ, ଜାଣିନୁ ? ଆରେ ସେଇଟା ପରା ତୋର, ତୋ ଅଜାର ଅଜା ଦଖଲ କରୁଥିଲା–ତୁ ସିହା, ପାଉତି ସବୁ ଦେଖନୁ । ତମର ଆଗ ସେଠି ଗୁହାଳ ଥିଲା । ତୋ ବାପ ତ ଟିକେ ମାଇଚିଆ, ତାକୁ ଉକେଇ ପରା ଅଗଣା ବୋପା କହିଲା–ସେ ଢିଅ ଖଣ୍ଡକ ଦିଅ, ଗୋରୁ ଦି’ଟା ରଖିବି । ଜାଗା ହଉନି, କୁଟୁମ୍ୱ ମାଡ଼ି ଯାଉଛନ୍ତି । ତମର ତ ସେଠି ଗୁହାଳ ନ ଥିଲା । ତୁ ମୋ ମା’କୁ ପଚାରନୁ–ଏଟା ସତ କି ମିଛ । ଆଉ ଏ ଅଗଣା, ତା’ ଭାଇ ପରଶୁଆ ପରା ଜବରଦସ୍ତି ତୋ ଢିଅକୁ ଦଖଲ କରୁଛନ୍ତି । ୟାଙ୍କ ନାଁରେ କ’ଣ ପଟ୍ଟା ନା ପାଉତି । ଆଗ ସେଟା ଅନାବାଦୀ ଥିଲା । ମୂଲକର ଜମି ପଡ଼ିଛି । କେହି କିଛି କହିଲେନି । ଆଉ ଦେଖ୍‍ । ଆମ ବାପାଙ୍କୁ କ’ଣ ଖୋସାମତିଆ କରି କିଏ କହିଥିବ, ଆଉ ଇଏ ତୁନି ପଡ଼ିଥିବେ । ଆଉ ଦେଖ୍‍–ସେଇଦିନୁ ଯେ ନେଇଛି ନା ନେଇଛି....’

 

ଅମରାର କୌଣସି ଭାବାନ୍ତର ନ ଥିଲା । ସେ ଉଦାସ ଭାବରେ କହିଲା–ହଁ ବାବୁ, ସେ ଯେତେବେଳେ ନେଇଛି, ମୋ ବାପା ତାକୁ ଦେଇଛି, ମୁଁ କ’ଣ କରି ପାରିବି ? କଳିତକରାଳକୁ ମୋର କିଏ ପାରିବ ? ବନ୍ଧୁଲୋକ ଯେତେହେଲେ ।

 

–ଏଇ ପରା ମୁଁ ଜାଣିଛି ତୋ କଥା । ଏବ କାଳ ଯାହା ହେଲାଣି ସେଥିରେ କିଏ ଗୁଣ୍ଠେ ବିଶ୍ୱାସ କିଣିବ ନା, ଥିବାଟାକୁ ହରେଇ ବସିବ ! ତୋର କଉଁ କଥାକୁ ପରୁଆ କରିବା ଦରକାର ନାହିଁ । ମୁଁ ସବୁଥିକି ମୁଝାମି । ତୁ କାହିକି ସେମିତି କହୁଛୁ । ମୁଁ ଯାହା କହିବି, ଖାଲି ତୁ ତାହି କରିବୁ–ହେଲାଟି !

 

‘ନାହିଁ ବାବୁ, ମୋର ସେ କଚିରୀବାଚିରୀକି କିଏ ଯିବ । ମୋ ବୋଉ ଗାଳିଦବ । ମୁଁ କିଛି କରିବି ନାହିଁ ।’

 

‘ଏଁ ହେଁ, ସେ କଥା ଶୁଣୁଛି କିଏ ? ଆମ ତରଫର ଲୋକ ତୁ । ତତେ ଆମେ ଛାଡ଼ିଦବୁ ହେଁ–ଏଁ’...

 

ଅମରାର ବୁଦ୍ଧି କେତେ ? ସିଟାମ ତ ନେଇନି, ପଡ଼ିଛି ଅକଳରେ–ଗୁମ୍‍ମାରି ବସିଲା । ସଙ୍ଖାଳିବାବୁ କହିଲେ–ବୁଝିଲୁ ଅମରଶର କିଛି ଚିନ୍ତା କରନା, ତୋର ସେ ଜମି, ତୁ ତାକୁ ଅଲବତ୍‍ ପାଇବୁ । ଯାହାର ହକ୍‍ ସେ ତାହା ପାଇବନି ? ଦାଣ୍ଡରେ କଥା ପଡ଼ୁ । ଅନ୍ୟାୟ ନ୍ୟାୟ ହେବ ? ନ୍ୟାୟ ଅନ୍ୟାୟ ହବ–ହେଁ–ଏଁ...ଦେଖ, ଅମରଶର ସେ ହୁଣ୍ଡା ବୁଦ୍ଧି ଛାଡ଼୍‍ । କାଲି ସକାଳୁ ଆସିଲେ ସିଟାମ ଦିଆଯିବ, ଗୁମାସ୍ତା ଆସି ଯାଇଥିବେ ।

 

ରାତିରେ ତାକୁ ନିଦ ନାହିଁ । ଭାରୀଯା କେତେ କରି ପଚାରେ–କ’ଣ ହେଲା ? ସେ କାନ୍ଦ କାନ୍ଦ ହୋଇଯାଏ । ଛେପ ଢୋକି ନିଏ, କିଛି କହିପାରେ ନା । ମନ କଥା ବୁଝିବ କିଏ ? ବନ ପୋଡ଼ିଗଲେ ଜନେ ଜାଣନ୍ତି । ମନ ପୋଡ଼ିଗଲେ କିଏ ଜାଣିବ ?

ରାତିଟା କଟିଲା ଆଖି କଷା କରିନି । ବନ୍ଧ ଆଡ଼ୁ ଆସି ଜମିଦାରଙ୍କ ପିଣ୍ଡାକୁ ଗଲା । ସଙ୍ଖାଳିବାବୁ ଦାନ୍ତ ଘଷୁଥାନ୍ତି । ବାଇଗବା ଦାନ୍ତକାଠିଟାକୁ ଚୋବଉଥାନ୍ତି, ଛେପ କାଢ଼ୁଥାନ୍ତି, ପିଣ୍ଡାରେ କେହି ନ ଥାନ୍ତି । ଅମରା ଦଣ୍ଡବତ କଲା । ସଙ୍ଖାଳି ବାବୁ କହିଲେ–ଦାନ୍ତ ଘଷୁ ଘଷୁ–ବସ ବସ ଅମରଶର । କ’ଣ ଭାବିଲ ? କ’ଣ ଆଉ ଭାବିବ–ମୁଁ କ’ଣ ତମର କ୍ଷତି କରିବି ? ଯେମିତି ତମେ ଭଲରେ ରହିବ ତାହା ଦେଖିବି ମୁଁ । ପଗଳା ଏଇଟା, ଭଲ କଥାକୁ ବୋରା ବୁଝିବ । ଆରେ ଏତେ ପରିଶ୍ରମ କରିବ, ଧାନ କେନ୍ଦିଆ ଫଳିବ, ତାକୁ ବିକି ଭାଙ୍ଗି ଟଙ୍କା କରିବ, ଆଉ ଅନା–ଇଏ ଥିବା ଜମିଟାକୁ ହାତରୁ ଅନ୍ତର କରି ଦବ । ଭଲ ନ୍ୟାୟ ତୋଠି । ବାପ ଅଜା ଯାହା କମାଇ ଥିଲେ ୟା ଅପାରଗ ପଣିଆରୁ ତାହା ଯିବ । କିରେ, କାହିକି ? କି ଖର୍ଚ୍ଚ ସେଥିରେ ଯେ ତତେ ଡର ମାଡ଼ୁଛି-। ମୁଁ ସବୁଥିକି ଅଛି । ତୋର ହୋଇଯାଉଛି ? ଯା...ଯା...

ସଙ୍ଖାଳିବାବୁ ଯାହା ଉପରେ ବିଗଡ଼ନ୍ତି ତା’ର ଖପୁରି ନ ଉଡ଼ାଇ ଛାଡ଼ନ୍ତିନି । ସମସ୍ତଙ୍କର ହାଲ ଡର । ଅମରା ସେଠି ସମ୍ଭଳା ପଡ଼ିବ ! ଯଉଁଠି ସାପ ମୁଣ୍ଡ ଦିଖଣ୍ଡ ହଉଛି ସେଠି କୁଟା ଖିଅଟା–ବେସାଦ କେତେ ତା’ର !

ଏତିକିବେଳେ ଗୁମାସ୍ତାଙ୍କ ସଙ୍ଗରେ ବିଷୁନୁ ପରିଡ଼ା ଆସିଲେ । ସେ ସଙ୍ଖାଳିବାବୁଙ୍କ ଶେଷ କଥା ଶୁଣି ବୁଝିଲେ ଯେ ବାବୁ ଅମରା ଉପରେ ବଡ଼ ବିଗିଡ଼ା ବିଗିଡ଼ିଛନ୍ତି । ସେ ଆରମ୍ଭ କରିଦେଲେ–କ’ଣ ହେଲା ? ଅମରଶର କ’ଣ କହୁଛି ବାବୁ ? ଆମ ବାବୁ ସରିସା କିଏ ଅଛି ?

‘‘ତମେ ପରିଡ଼େ ଆଚ୍ଛା କଥା କହୁଛ–ଏବେ ଲୋକଙ୍କୁ ଭଲ କହିଲେ ଭେଲ ବୁଝନ୍ତି, ତମେ କ’ଣ ପରିଡ଼ା ସୁଦେଇ ଜାଣିନ–ସେ ତେନ୍ତୁଳି ମୂଳ ଅନାବାଦି ଜମି–ସେଇଠି, ପରଶୁଆର ବୋପା ଗୁହାଳ କରିଥିଲା ମନେ ପଡ଼ୁନି ?’

‘ମଲା ମୁଁ ଜାଣିନି ଫେର ଏଗାଁରେ କଉଁ କଥା–’ ପରିଡ଼ା ଏ ଭିତରେ କଥାର ଖିଅଟା ଧରି ନେଲେ । ବାଟରେ ଗୁମାସ୍ତାଙ୍କ ସହିତ କଥା ହୋଇ ସରିଥିଲା । ଏବର ନିଲାମ ଡାକ ଯେମିତି ହଉଛି ସହରରେ–ଲୋକଙ୍କୁ ଠକେଇବା ଆଉ କ’ଣ ? ସେ ନିଲାମ ଜିନିଷ ବାଲାଙ୍କର ଲୋକଥିବେ, ଗୋଟାଏ ଟର୍ଚ୍ଚ ବିକାଳିକୁ ଲଗେଇବେ–ଦେଢ଼ ରୁପିଆ–ତାଙ୍କର ଦଳର ଲୋକ ଡାକିବେ–ତିନି ରୁପିଆ ଫେର ଜଣେ ଡାକିବ ସାଢ଼େ ତିନ ରୁପିଆ...ଶସ୍ତାରେ ଚଲା ଯାତା ହୈ...ମଫସଲିଆ ଲୋକେ ତାକୁ କିଣି ନିଅନ୍ତି ଚାରିଟଙ୍କାରେ, ଖୁବ ଶସ୍ତା...ଦେଖ ଦେଖ ବଜାରରୁ କିଣିଥିଲେ ଅଢ଼େଇ ଟଙ୍କା ହୋଇଥାନ୍ତା । ପରିଡ଼ା ସେହି ନିଲାମ ଜିନିଷବାଲାର ଲୋକ ନୁହେଁ ତ ଆଉ କ’ଣ ? ସାଙ୍ଗେ ସାଙ୍ଗେ ପରିଡ଼ା କହିଲେ–କାହିଁକି, ଅମରଶର ନମ୍ୱରୀ ଦାଏର କରିଦେଉ ନାହାନ୍ତି । କାଗଜପତ୍ର ତ ସବୁ ବାବୁଙ୍କ ପାଖରେ ଅଛି । ମୋର ଏଭଳିଆ ବାବୁ ଯାହାର ସାହାପକ୍ଷ ତା’ର ପୁଣି ଭଗବାନ କ’ଣ କରିବେ ? ଜାଗା ଖଣ୍ଡିକ ଅସଲ ଛକ ଜାଗାରେ । କେତେ ଲୋକ ତାକୁ ଆଖି ପକେଇଥିଲେଟି ।

ତିନି ତୁଣ୍ଡରେ ଛେଳି କୁକୁର । ଅମରାର ପିତ୍ତ କେତେ ? ସେ ହଁ ନକହି ଯିବ କୁଆଡ଼େ-?

ଦିନ ଦି’ଟା ଭିତରେ ପରଶୁଆର ଗୁହାଳ ଖଣ୍ଡିକ ଭଙ୍ଗା ହୋଇଗଲା । ତା’ଉପରେ ଠିଆ ହେଲା, ଆମ୍ୱ–ଡିମ୍ୱିରୀର ଆଉ ଖଣ୍ଡିଏ ପଲା । କଥାଟା ଭୁଟ ଭାଟ ହୋଇ ଏହି ପ୍ରକାରରେ ଆତ୍ମପ୍ରକାଶ କଲା–ସଙ୍ଖାଳିବାବୁ ପରଶୁଆକୁ ଜବତ କରିବେ ବୋଲି ଅମରାକୁ ଶିଖେଇ ଏ ନାଟ ଲଗେଇଲେ । ୟାଙ୍କ ପାଖକୁ ସବୁ ଲୋକ ଯିବେ ବୋଲି କ’ଣ ଲେଖା ଅଛି ? କିଏ କ’ଣ ମାହାଳିଆ କାହାକୁ ଧାନ ଟଙ୍କା ଦଉଛି । ସୁଧ ତ ମନଇଚ୍ଛା କଷି ଦଉଛନ୍ତି । କୋଉ ଶଳାଟା ସେଥିରେ ଭଲ ? ହେଲେ ଏଇଟା କ’ଣ ଭଲ କଥା ! ପରଶୁଆର ଗାଈଦିଟା ଏବେ ରହିବେ କେଉଁଠି ? ଏଭଳି ସମାଲୋଚନା ସ୍ଥାନ ପାଇଥିଲା କେବଳ ଆପଣା ଆପଣା ଦଳ ମଧ୍ୟରେ । ବିପକ୍ଷ ଦଳ ଲୋକଙ୍କ ଆଗରେ ଏହା କିଏ କହିଦବ ? ହେଁ......

 

ଅମରା ସବୁ କହିଦେଲା ସତ, ହେଲେ ମନଟା ତା’ର ଜମା ସୁଖ ନଥାଏ । ତା’ର ସମୁଦି ଓ ତା’ର ଭାଇ ବିରାଦରଙ୍କ ସହିତ ସେ ମାଲିମକଦ୍ଦମା କରିବାକୁ ଯିବ, ଛିଃ ଛିଃ–ଧିକ୍‍ ତା’ ଜୀବନ ! ଆପଦ ବେଳେ ସେଇମାନେ ତାକୁ ସାହାଯ୍ୟ କରିଛନ୍ତି, କାହିଁ ସେଦିନ ତ ବଳଦ ପଟକ ବେଙ୍ଗାରେ ମରିଗଲା, କେତେ ଲୋକଙ୍କୁ ଦାନ୍ତ ନିକୁଟି ହେଲା, କେହି ତ ମୁହଁକୁ ଅନେଇଲେନି ? ଅଗଣା ଭାଇତ ଫେର୍‍ ଆପଣା କାମ ନିକିମା କରି ଦେଇଥିଲା । ସେଥର ବିହୁଡ଼ା ବେଳେ ସେ ନାଳରକତ ଝାଡ଼ାରେ ପଡ଼ିଲା, ତା’ର ବେଉଷଣ କରି ଦେଇଥିଲେ ଏଇ ପରଶୁଆ ଅଗଣା ହେରିକା ସିନା ! କାହିଁ, ତା’ ଦାଦି ତ ଅଜଣାର ଲୋକ, ବାପ ସମାନ । ମୁହଁକୁ ଅନେଇଲା ! ଆଉ ଆଜି ସେ କରିଛି କ’ଣ ? ଅଗଣାକୁ ସେ ମୁହଁଲୁଚା ଦେଇ ଆଡ଼େଇ ହୋଇ ଚାଲିଯାଏ । ଦୁଇ ଦଳଙ୍କ ଭିତରେ ଲାଗିଲା ଘମା ଘୋଟ ଲଢ଼େଇ, ଦୁଇ ଦଳରେ ଦି’ଜଣ ମୂହାଁମୁହିଁ ହୋଇ ଗଲେ–ଲାଗିଗଲା ଫଉଦାରି । ତୁଣ୍ଡରୁ ତାହା ହାତକୁ ଆସେ । ଠେଙ୍ଗା ବାଡ଼ି ଲାଗେ, ଗଲୁମରେ, ରାଗ ଆସେ ମନକୁ-। କଚିରୀ ଯାକେ କଥା ଯାଏ । ଏତେ କଥା ହେଲାଣି । ଅମରା ନାହିରେ ତେଲ ଦେଇ ଶୋଇଛି-

 

ଲୋକେ କହିଲେ–ଦେଖିଲ, ଏ ଶଳାପାଇଁ ଆମେ ମାଡ଼ଗାଳି ଅପମାନ ସହିବୁ, ଆଉ ଇଏ ଆମର ବୁଦ୍ଧଦେବ ଯେ ହିଂସା କରିବେନି । ଅମରା ଦିହରେ ଏ କଥା ଗୁଡ଼ାକ ଛୁଞ୍ଚି ପରି ଗଳିଯାଏ । କାହାଁ ତକ ଟାହି ଟାପରା ସେ ବା ବରଦାସ୍ତ କରିବ । ସେସବୁ ସଙ୍ଖାଳିବାବୁଙ୍କ କାରସାଦି, ତାକୁ ବୁଝିବ କିଏ ?

 

ପରବୁଦ୍ଧିରେ ପଡ଼ି ଅମରା ତ ସବୁ ହୁଙ୍କାପିଟା ନୀତିରେ କରିଗଲା । ଏବେ ଆଲୋ ମଉସା ଜଡ଼ ପଇସା, ପଇସା ଦବ କିଏ ?

 

ଅମରଶର ଆପଣା ମନକୁ ଦିନେ ସଂଙ୍ଖାଳିବାବୁଙ୍କ ପାଖକୁ ଯାଇ କହିଲା–ବାବୁ ଯାହା ତ ହେବାର ହେଲାଣି, ଜମି ଖଣ୍ଡିଏ କିଣିବି କ’ଣ, ଯଉଁଟା ଆମ ବାପେ କରିଥିଲେ ତାହା ଦବାକୁ ପଡ଼ିଛି । ଆପଣ ଯାହା ଖରଚ କରିବେ କରନ୍ତୁ । ଡିଆଁ ଚକ ଜମିଖଣ୍ଡକ ସିଟାମ କରିଦଉଛି । ଧାଇଁ ଧାଇଁ ସେଇ ଡିଆଁ ଚକ ଜମିଖଣ୍ଡକ ତ, ସେତକ ଗଲେ ତ ପାଇଟି ସଇଲା ।

 

ସଙ୍ଖାଳିବାବୁ ତା’ର ଆପଣାର ଲୋକ ଭଳି କହିଲେ–କାହିଁକି ସେମିତି ସନ୍ତାପି ହେଉଛୁ କିରେ ? ତୋ ଜମି କିଏ ନେଇ ଯାଉଛି । ପାଗଳ ! ସେ କଥାକୁ ପଡ଼ିଛି–ନାଇଁ । ସେଇ ପରଶୁଆ ଅଗଣା–ଶଳା, ଫେର୍‍ ଏମିତି ହୋଇଗଲେ ! ବୋପାକୁ ମଣିଷ କରିଥିଲା କିଏ ? ଏବେ ଦେଖ, ତମେ ସେ କଥାକୁ ଦେଖ.....ବଡ଼ବାବୁଙ୍କ ପାଖକୁ ଯାଉଛି । ଧାନ ଆଣିଲା, ଅଷ୍ଟପ୍ରହରୀ ଫୁସ୍‍ ଫାସ୍‍-। ସେ ଶଳା ମୋର କ’ଣ କରିବ ! ତେବେ ବି ଦିହ ସହିଲାନି । ଥରେ ଡାକିଦେଲି–ପରଶୁ ଶୁଣୁ, ପିଲାଏ ତ ହଇରାଣ ହେଉଥିବେ, ଅସମୟ ଏଟା । ଯାହା ଧାନ, ମାଣ୍ଡିଆ ଦରକାର ନେଇଯିବୁ, କଳନ୍ତର ମୁଁ ତୋଠୁଁ ନେବିନି । କାଙ୍ଗାଳିଆ ମାହାଳିଆରେ ଯାକୁ ଦେଇଥିବ, ଯା ମୁହଁକୁ ଦେଖି-। ତୁ ଅମରଶର ସେ କଥାକୁ ଦେଖ । ମୁଁ ଛାଡ଼ିଦେବି ଯେମିତି ! ଅମରଶର କ’ଣ ଭାବିଲା କେଜାଣି କହିପକାଇଲା ହୁ ଧାସ୍‍–ମୁଁ କ’ଣ ଅଳ୍ପ ତାକୁ କହିଛି ? ଆମ ବାବୁ ପରି ବାବୁ ଅଛି । ମାନିଲା-? ଏବେ ପାଉ କେଞ୍ଚେ ।

 

ସଙ୍ଖାଳି ବାବୁଙ୍କର ଅସୀମ ଆନନ୍ଦ । ବର୍ହିପ୍ରକାଶ ତା’ର, ଓଷ୍ଠାଧରର ମୃଦୁ କମ୍ପନରେ ।

 

ମକଦ୍ଦମା ଋଜୁ ହୋଇଗଲା । କଟକ ମୁନ୍‍ସିଫ୍‍ ଅଦାଲତରେ, କାଗଜପତ୍ର, ସାକ୍ଷୀଗୁହା ଯୋଗାଡ଼ ଚାଲିଲା ବିଜୁଳି ଗତିରେ । ଆରେ ବାପ୍‍ ରେ ବାପ୍‍–ଅମରା ଓ ପରଶୁଆ କ’ଣ ନିଶାଖୋର ମାତାଲ !

 

ସେଦିନ କାଙ୍ଗାଳିବାବୁ ପରଶୁଆକୁ ଡାକି କହିଲେ ଦେଖ ପରଶୁ, ଆମର ସବୁ ଲୋକ ଯାଇ ଆଜି ସେ ତେନ୍ତୁଳି ମୂଳ ଘରଟିକି ଭାଙ୍ଗି ଆଣ । ଦଖଲ ପ୍ରମାଣ କରିବାକୁ ହବ । ଘର ତିଆରି ହବ । ସେଠି ରହିବେ ଲୋକେ ଠେଙ୍ଗା ପକେଇ ହରଦମ୍‌ ।

 

ସତକୁ ସତ ଲୋକ ଦେଢ଼ଶ ସରିକି ଠେଙ୍ଗା କଟୁରି ଧରି ଚାଲିଲେ ତେନ୍ତୁଳି ମୂଳକୁ । ଘର ଭାଙ୍ଗି ଦେଲେ ।

 

ସଙ୍ଖାଳିବାବୁଙ୍କ ପିଣ୍ଡାରେ ଅମରା ଆଉ କେତେ ଲୋକ ଜମା ହୋଇ ଦେଖୁଥାନ୍ତି । ତାଙ୍କର ଦଳର କୌଣସି ଲୋକର ଏହା ବରଦାସ୍ତ ହେଉ ତ ଥାଏ । ମାତ୍ର ସଙ୍ଖାଳି ହିମନ୍ତ ଦେଲେ ସିନା । ଅମରାର ଖୁନ୍‌ ତାତି ଗଲାଣି । ସେ କ’ଣ ବା କରିବ । ଶେଷକୁ କହିଲା–ବାବୁ ଆମେ କ’ଣ ଏମିତି ଅନେଇଥିବା । ମହାପାତ୍ରେ ମାରୁଥିବେ...ସଙ୍ଖାଳିବାବୁଙ୍କ ଖୁନ୍‌ ଗରମ ହୋଇଗଲା ।

 

ସେ କହିଲେ–ପରିଡ଼େ, ଯାଅଦେଖି, ଦିଅ ଶଳାଙ୍କୁ ।

 

ଲୋକ ପଚାଶ ଷାଠିଏ ଠେଙ୍ଗା ବାଡ଼ିଧରି ବାହାରି ପଡ଼ିଲେ, ସେନାପତିଙ୍କ ହୁଙ୍କାରରେ ଆଉ ସୈନ୍ୟ ଫଉଜ ତୁନି ପଡ଼ିବେ ! ମାରନ୍ତୁ ବା ମରନ୍ତୁ ।

 

ଚାଲିଲା ସମ୍ମୁଖ ରଣ । ପିଟାପିଟି ମରାମରି ଗଡ଼ାଗଡ଼ି ଚାଲିଲା । ହାଲିଆ ହେଲେ କିଏ କୁଆଡ଼େ ଛୁ । ଦେଖିଲା ବେଳକୁ ଅମରାର ମୁଣ୍ଡ ଫାଟି ଝର ରକ୍ତ ବହିଯାଉଛି । କେତେ ଲୋକଙ୍କର କାହାର ଅଣ୍ଟା ଭାଙ୍ଗିଛି, କାହାର ତାଳୁରେ ବସିଛି ପାହାର, କାହାର ଖୁଆ ଫାଟି ଯାଇଛି । ଏମିତି ସମସ୍ତେ ଯାହାର ଦେହରେ ଯଦି, ସେମାନେ ଡାକ୍ତରଖାନାକୁ ଗଲେ । ସାର୍ଟିଫିକେଟ ଆଣିଲେ ।

 

କଟକ ସଦର ଏସ, ଡ଼ି, ଓଙ୍କ ମହକୁମାରେ ଋଜୁ ହେଲା ଉଭୟ ପକ୍ଷରୁ ମକଦ୍ଦମା । ପୋଲିସ୍‌ ଇନ୍‌କ୍ୱାରୀ ଚାଲିଲା । ଶେଷରେ ସମସ୍ତ କାଗଜପତ୍ର ମୁସିଫ୍‌ଙ୍କ ପାଖକୁ ପଠାଇ ଦିଆଗଲା-। ତା’ର ବିଚାର ବେଳେ ଏହା ବିଚାର୍ଯ୍ୟ ।

 

X X X

 

ଅମରା ଡାକ୍ତରଖାନାରେ ଥାଏ । ସାନଭାଇଟି କେବଳ ତାକୁ ଜଗିକରି ସେଠି ପଡ଼ିଥାଏ-। ଅଗଣା ଅମରାକୁ ତା’ର ପ୍ରିୟ ସମୁଦିକି ଜମାଭୁଲି ପାରିନାହିଁ । ଗାଁରେ କନ୍ଦଳ । ତାଙ୍କରି ଦୁଇଟି ପରିବାରକୁ କେନ୍ଦ୍ରକରି ବାଦ ବିସମ୍ବାଦ ସୃଷ୍ଟି ହୋଇଛି । ଅଗଣାର ମନ ଜମା ଥୟ ହୁଏନା । ସେ ଗୋପନରେ ଲୁଚି ଲୁଚି ଆସି ସବୁ ଗୁପ୍ତକଥା ତାଙ୍କ ଦଳର ଅମରାକୁ କହିଦେଇ ଯାଏ । ଅଗଣା ତାକୁ ବିଶ୍ୱାସ କରେ । ସେ କାହିଁକି ଆସି ସବୁ କଥା କହି ଦେଇଯାଏ ତାହା କିଏ କହିବ ?

 

ସେଦିନ ସନ୍ଧ୍ୟାରେ.....

 

ସନ୍ଧ୍ୟାରେ ସେ ପୁଣି ଥରେ ଘରୁ ପଳାଇଲା, ତା’ର ବନ୍ଧୁର ସେବା କରିବାକୁ । ସେ ଅମରାର ରୁଗ୍‌ଣ ଦେହ ଦେଖି କାନ୍ଦିଲା । ଅମରା ଆଖିରେ ଲୁହ ଛପି ରହି ପାରିଲା ନାହିଁ । ଏହି ସମବୟସୀ ତରୁଣ ପ୍ରାଣରେ ପୁଣି ଦେଖା ଦେଇଥିଲା ଆଉଥରେ ଶିଶୁପ୍ରାଣର ସରଳତା । ଯାହା ଦିନେ ସେମାନଙ୍କୁ ଅମୃତ ଦେଇ ବିଭୋର କରି ରଖିଥିଲା । ଅଗଣା ଏକାନ୍ତ ଅସ୍ଥିର ହୋଇ କରୁଣ କଣ୍ଠରେ କହିଲା, ସମୁଧୀ, ତୁଚ୍ଛାକୁ ସିନା ଏହି ଶାରୀରିକ ଓ ମାନସିକ ଲାଞ୍ଛନା ସହିଲୁ ? କୋଉ କଥାରେ ମାତିଗଲୁ ତୁ, ମୋ ଭାଇ ତୋର କିଛି ନଷ୍ଟ କରିଥିଲା ତ ମତେ କହିଥିଲେ କ’ଣ ମୁଁ ତା’ର କ୍ଷତି ପୂରଣ କରାଇ ପାରି ନ ଥାନ୍ତି ?

 

ଅମରା ଛଳଛଳ ଆଖିରେ ମୁହଁ ବୁଲାଇ ଆର କଡ଼ ମାଡି ଶୋଇଲା । ଅଗଣା ଆଉ କିଛି କହିଲା ନାହିଁ । ତା’ର ଯେମିତି ଅନେକ କଥା କହିବାକୁ ଥିଲା; କିନ୍ତୁ ବନ୍ଧୁଟିକି ସମାନାରେ ପାଇ ବାର ବାକ୍ୟସ୍ଫୁଟ ହେଲା ନାହିଁ । ସେ ତା’ର ବନ୍ଧୁ ପାଇଁ ଖାଦ୍ୟ ଆଣିବାକୁ ରନ୍ଧାଶାଳକୁ ଚାଲିଗଲା ।

 

ସେ ଦିନଟି ଅମରାର ଜୀବନରେ ପରମ ଆନନ୍ଦର ଦିନ ଥିଲା–ଖାଲି ତା’ର ବନ୍ଧୁର ସେବା ଯୋଗୁଁ ତା’ର ଆତ୍ମୀୟ ସ୍ୱଜନ ସମସ୍ତେ ତା’ଠାରୁ ଅଲଗା ହୋଇ ରହିଥିଲେ । ସେ ସମସ୍ତ ଭୁଲିଥିଲେ ଏହି ହଜିଲା ବନ୍ଧୁଟି ଯୋଗୁଁ ।

 

ତା’ ପରଦିନ ସନ୍ଧ୍ୟାରେ ସଙ୍ଖାଳି ବାବୁଙ୍କ ପାଖରେ ଖବର ହୋଇଗଲା, ପରଶୁଆର ସାନ ଭାଇ ଡାକ୍ତରଖାନାକୁ ଯାଇ ତାକୁ କ’ଣ ଶିଖେଇଛି । ସେ ପରା ମକଦ୍ଦମା ଉଠେଇ ଆଣିବାକୁ ତା’ ମାମୁକୁ ଖବର ଦେଇଛି–ଇତ୍ୟାଦି । ସଙ୍ଖାଳି ବାବୁ ପ୍ରଥମେ କଥାଟାକୁ ବିଶ୍ୱାସ କରି ପାରିଲେ ନାହିଁ । ପରେ ମନରେ ସନ୍ଦେହ ଭରିଗଲା । ସେଥିପାଇଁ ସେ ତାଙ୍କ ଗୁମାସ୍ତାକୁ ଡାକ୍ତରଖାନାକୁ ସେହି ଖର୍ଦ୍ଦମ ପଠାଇ ଦେଲେ ।

 

X X X

 

ଗୁମାସ୍ତା ମହାପ୍ରଭୁ କ’ଣ ଦେଖିଲେ କେଜାଣେ ତାଙ୍କର ଦେଖିବା ଓ ଶୁଣିବା ସମ୍ବାଦ ନିମ୍ନମତେ ଆତ୍ମପ୍ରକାଶ କରିଥିଲା ଅମରା ବା ମାମୁଁକୁ କଟକ ପଠାଇ ଦେଇ ସାରିଲାଣି କାଲି ରାତିରୁ । ସଙ୍ଖାଳି ବାବୁଙ୍କୁ ଦୁହେଁଯାକ ମିଶି ସେ ଡାକ୍ତରଖାନାରେ ବାର ବେଜିତ କରି ଶୋଧୁଛନ୍ତି ଯେ କହିବାର କଥା ନୁହେ । ଠାକୁରଙ୍କୁ ମୁଣ୍ଡିଆ ମାରି ପରା କହୁଛନ୍ତି–ହେ ମହାପ୍ରଭୁ ସଙ୍ଖାଳି ବାବୁଙ୍କ ଢିହରେ ବିଲୁଆ ଡେଉଁ ।

 

ଏହି ଅତି ସତ୍ୟ ବିରୁଦ୍ଧ ମତର ବଜ୍ରବାଣ ବାଜିଗଲା ସଙ୍ଖାଳି ବାବୁଙ୍କ ବୁକୁରେ–ସେ କ୍ଷୁବ୍‌ଧ ହୋଇ ପଡ଼ିଲେ । ସଙ୍ଗେ ସଙ୍ଗେ କହିଲେ–ଗୁମାସ୍ତା, ଦେଖି ଦେଖି, ଶଳାମାନେ ଏମିତି ନିମକହରାମ, ମୁହଁରେ ଗୋଟାଏ କଥା ତ ପଛରେ ଗୋଟାଏ କଥା । ତୁମେ ଆଣ ତ ବସ୍ତାନି, ଦେଖେ ମଗଜରେ କେତେ ପିତ୍ତ । ଆରେ କିଏ ବୋଲି ବାପାଙ୍କୁ ଚିହ୍ନି ନାହିଁ ପରା ! ଆଜି ଦେଖି ଦେଉଛି–କେଡ଼େ ମଗଜ ।

 

ଗୁମାସ୍ତା ସେତେବେଳକୁ ହଗି ମୁତି ଆଣ୍ଠିଏ । ତରତରିଆରେ ନୂଆ ବସ୍ତାନି ମନେକରି ପୁରୁଣା ବସ୍ତାନିଟି ବାବୁଙ୍କୁ ଦେଲେ । ବାବୁ ତ ମହା ବିଗିଡ଼ା ବିଗିଡ଼ିଥିଲେ । ଯେମିତି ପୁରୁଣାଟି ଦେଇଛନ୍ତି, ସେମିତି ଗୁମାସ୍ତାଙ୍କ ଉପରକୁ ବସ୍ତାନିଟି ଫୋପାଡ଼ିଦେଲେ । ବିଚରା ସାଙ୍ଗେ ସାଙ୍ଗେ ନୁସୁରୁ ପୁସୁରୁ ହୋଇ ନୂଆ ବସ୍ତାନିଟି ବାବୁଙ୍କୁ ଆଣିଦେଲେ । ବାବୁ ତମସୁକ ବାହାର କରି ହିସାବ ବିଭାଗରେ ଲାଗି ପଡ଼ିଲେ । ଅସଲ କଳନ୍ତର ମିଶି ଏକଶ ଏଗାର ଟଙ୍କା । ମକଦ୍ଦମା ଖର୍ଚ୍ଚ କୋଡ଼ିଏ ଟଙ୍କା–ଏହିପରି ଲମ୍ବା ଫର୍ଦ କରି ନାଲିସ କରିବା ପାଇଁ ସେହି ଦିନ କଟକ ମୁକାମକୁ ଗୁମାସ୍ତାକୁ ରମାନା ହୋଇଯିବାକୁ ଆଦେଶ ଦେଲେ ।

 

ଅମରା ଆରୋଗ୍ୟ ଲାଭ କରି ଗାଁକୁ ଆସିଲା, ତା’ର ସାଥି ଅଗଣା ସାଥିରେ । ଏ କେତେ ଦିନ ହେବ ଅଗଣା ତା’ ବନ୍ଧୁ ପାଖରେ ରହି ଲୋକଙ୍କ ମୁହଁରୁ ଭାଇ ଗାଳି ମନ୍ଦ ଦେଉଥିବାର ଶୁଣି ମଧ୍ୟ ତା’ର ସେବାରେ ସମସ୍ତ ମନ ଲଗାଇ ଦେଇଥିଲା । ବିବାଦୀ ଲୋକ ସାଥିରେ ପୁଣି ସାଙ୍ଗ ସୁଖ ? ନିତାନ୍ତ ଖାପ ଛଡ଼ା କଥା । କିନ୍ତୁ ସେ ସବୁଆଡ଼େ ମୋଟେ କାନ ଦେଇ ନ ଥିଲା । ଗାଁରେ ଆସି ସେ ଆଗ ତାଙ୍କ ଦଳର ଲୋକଙ୍କଠାରୁ ଶୁଣିଲା–ସଙ୍ଖାଳି ବାବୁ ତା’ର ସମୁଧୀର ଡିଆଁ ଚକ ଜମି ନିଲାମରେ ଉଠାଇଦେବା ପାଇଁ ତମସୁକ ଦେଇ ଗୁମାସ୍ତାକୁ କଟକ ପଠାଇ ଦେଇଛନ୍ତି । ସେ ଏକାବେଳକେ ହତୋତ୍ସାହ ହୋଇ ପଡ଼ିଲା । ତା’ ସମୁଧୀ ଏଡ଼େ ବିପନ୍ନ–ତା’ର ଆଉ କ’ଣ ଜମି ଅଛି ଯେ ସେ ତା’ର ପିଲାକୁଟୁମ୍ବ ଚଳେଇବ ? ଅମରା ଏ କଥା ଶୁଣି ମୁଣ୍ଡରେ ହାତ ଦେଇ ବସିଲା । ତା’ର ଅସଲି ଦୋଫସଲି ଜମି, ଧନ ଫଳୁଥିଲା ଦି’ଭରଣ, ମୁଗ ଫଳେ ପୌଟିଏ । ତା’ଘରେ ସମସ୍ତେ କାନ୍ଦିଲେ । କି ଦୁର୍ଯ୍ୟୋଗରେ ସେ ଯାଇଥିଲା ବାବୁଙ୍କ ପାଖକୁ କେଜାଣେ ?

 

ଅଗଣା ସଞ୍ଜବେଳେ ଆସିଲା, ସମୁଧୀକି ତାର କ’ଣ ଆଶ୍ୱାସନା ଦେବ । ଅତି ବିକଳ ହୋଇ କହିଲା–ସମୁଧୀ, କି ଅନୁକୂଳରେ ସେଦିନ ବର ଓସ୍ତୀ ସେଠି ଲଗେଇଥିଲେ ? କ’ଣ କରିବା-? ଟଙ୍କା ଗୋଟାଏ ନୁହେଁ ଦୁଇଟା ନୁହେଁ, ଶଏ କି ପାଞ୍ଚ ପା ଟଙ୍କା ! ଆମେ ଏଡ଼େ ଗରିବ, ସମୁଧୀ କ’ଣ କରିବା କହିଲ ?

 

ଅମରା ନିର୍ଜୀବ ହୋଇ ବସିରହିଥାଏ । ପିଲାଦିନର ସାଥିଟି ତାର ଅମରା । ଧର୍ମ ଦେବତାଙ୍କୁ ସାକ୍ଷୀ ରଖି ସେ ଗଛ ଲଗାଇଥିଲା ସମୁଧୀ ହେବା ପାଇଁ । ଆଜି ମଧ୍ୟ ସେହି ଧର୍ମଦେବତାଙ୍କୁ ଭୁଲି ନାହିଁ । ସେହି ନିବିଡ଼ ଅନ୍ଧକାର ମଧ୍ୟରେ ଦେଖିଲା ଧର୍ମଦେବତା ରକ୍ତରଞ୍ଜିତ ଶ୍ରୀ ଧରି ଡୁବିଯାଉଛନ୍ତି ରଙ୍ଗା ପଶ୍ଚିମ ଦିଗ୍‌ବଳୟ ଉପରେ । ଓଃ, ରାଗ ଅହଙ୍କାର ଆକ୍ରୋଶ ସବୁ ଭୁଲିଯାଇଥିଲା ସେ, ସେଦିନ ସେହି ଧର୍ମଦେବତାଙ୍କୁ ଦେଖି । ଆଜି ତାଙ୍କୁ ହିଁ ଡାକିଲା ଆକୁଳ ହୋଇ, କାତର ଚକ୍ଷୁର ତପ୍ତ ଅଶ୍ରୁ ବର୍ଷଣ କରି ।

 

ଗୁମ୍‌ ମାରି ବସିଲା ଅଗଣା । ତା’ର ନୀରବତା ନିତାନ୍ତ ଅସହ୍ୟ ହେବାରୁ ଅମରା କହିଲା–ସମୁଧୀ, ଧର୍ମଦେବତା ଅଛି, ଦୋଷୀକୁ ଦଣ୍ଡ ଦିଏ ସେ, ନିର୍ଦ୍ଦୋଷକୁ ଖଲାସ କରେ ସେ ।

 

ଉଃ କେଡ଼େ ବଡ଼ ନିରାଟ ସତ୍ୟ କଥାଟା ନ କହିଲ ସମୁଧୀ ? ସବୁ ମିଛି ସମୁଧୀ ସବୁ ମିଛ । ଭାଗବତ ବୋଲୁଥିଲେଇ ପରା ‘ଦୁଷ୍ଟ ନିବାର ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ ।’ ଏଇଆ କ’ଣ ହେଉଛି ? ମୋର ଜମା ବିଶ୍ୱାସ ନାହିଁ ଏ ଭଗବାନ ଉପରେ । ବହିରେ ସିନା ସୁନ୍ଦର ଭାବରେ ଲେଖା ହୋଇଛି; କିନ୍ତୁ ଆମେ ଯାହା ଦେଖୁଥାଇଁ, ସେକଥା ଜମା ସତ ନୁହେଁ–ନିସ୍ତୁକ ଫାଙ୍କି । ନ ହେଲେ କ’ଣ ଆମେ ଗରିବଗୁଡ଼ାକ ଏମିତି ଛଟପଟ ହେଉଥାନ୍ତେ !

 

ଅମରା କିଛି କହି ପାରିଲା ନାହିଁ । ନିର୍ଜୀବ ଶିଳାରେ ଚନ୍ଦନ ସିନ୍ଦୁର ଦେଖିଲେ ସେ ନତମସ୍ତକ ହୁଏ । ପୁଣି ସେହି ଶିଳାର ପୂଜା ନିଜର ଜନ୍ମଗତ ଅଧିକାର ଉପରେ ସନ୍ନିବେଶିତ । ଯେ ପରା ଉଚ୍ଚବଂଶରେ ଜାତ ନ ହୋଇ ହାଡ଼ି, ବାଉରୀ, କଣ୍ଡରା ହେବ, ସେ ତାକୁ ଦେଖିପାରିବ ନାହିଁ, ବାହାରୁ ମୁଣ୍ଡିଆ ମାରିବ, ଏଭଳି ସେ ଭଗବାନ । ଅମରା ଏ ସବୁ କିଛି ଆଲୋଚନା କରେ ନାହିଁ । ହେଲେ ଅଗଣା ତାକୁ ବରାବର ଏସବୁ କଥା କହେ । ପୁଣି ସେ ପରା କହେ–ସମୁଧୀ, ତମ ଭାଗବତରେ ଏତେ ବାଛବିଚାର କୋଉଠି ନାହିଁ । ଛାଡ଼–ଏବେ କ’ଣ କରିବା କହ ?

 

‘ମୁଁ ଆଉ କ’ଣ କହିବି ସମୁଧୀ, ଯାହା କପାଳରେ ଥିବ ହେବ ।’

 

ଅଗଣାର ଅନ୍ତର ପଦକ କଥାରେ କୋରି ହୋଇଗଲା । ବନ୍ଧୁଟି ତା’ର ସେହି ମାଣକ ଜମିରେ ସନ୍ତୁଷ୍ଟ ରହେ । ହେଲେ ଦାରୁଣ ଦେବତା ସେତକ ମଧ୍ୟ ତାଠୁ ଛଡ଼ାଇନେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ ।

 

ସେତେବେଳକୁ ରାତି ଦ୍ୱି’ପ୍ରହର । ଅଗଣା ପାଗଳ ପରି ଚାଲିଲା କୁଆଡ଼େ ଅନିର୍ଦ୍ଦିଷ୍ଟ ଭାବରେ । ଏମିତି ରାତିରେ ସେ ଆଗେ ବରାବର ଅମରାଙ୍କ ଘରୁ ଫେରୁଥିଲା, ତା’ର ଡର ଭୟ କିଛି ନାହିଁ । ସେ ପରା କହେ–ଏ ଡର ଭୀତ କିଛି ନୁହେ, ମନୁଷ୍ୟ ଚିତ୍ତର ଦୁର୍ବଳତା ମାତ୍ର । ତା’ ସାଙ୍ଗ ଟୋକାଏ କେହି ତା’ ସାଙ୍ଗରେ ଯୁକ୍ତିତକ କରନ୍ତି ନାହିଁ । ଅନେକ ତାକୁ ପାଗଳା ବୋଲି କହିଥାନ୍ତି । ସେ ପରା କେତେ ଥର ଏକା ହୋଇ ମଶାଣିରୁ ଫେରିଛି । ସେ ଚାଲିଲା ସଙ୍ଖାଳି ବାବୁଙ୍କ ଦାଣ୍ଡ ଦ୍ୱାରକୁ । କବାଟରେ ଆଘାତ କରିବା ମାତ୍ରକେ ଭିତରୁ ଶବ୍ଦ ହେଲା–କିଏ ଡାକୁଛି ?

 

‘ମୁଁ, ଟିକେ କବାଟଟା ଫିଟା ଗନ୍ଧିଆ ଭାଇ, ବାବୁଙ୍କ ପାଖକୁ ଆସିଛି । ବଡ଼ ଜରୁରୀ କାମ-!’

 

‘ବାବୁ ତ ଶୋଇବାକୁ ଗଲେଣି ନା କ’ଣ !’

 

‘ତୁ ମୋ ନାଁ କହିଲେ ସେ ଆସିବେ ଯେ !’

 

ଗନ୍ଧିଆ କବାଟ ମେଲା କରିଦେବାରୁ ସେ ଦାଣ୍ଡମେଲାରେ ବସିଲା । ସଙ୍ଖାଳି ବାବୁ ଖବର ଦେଲେ–ତାକୁ ଏଠାକୁ ଡାକିଦେ ।

 

ଅଗଣା ଗଲା–ତା’ର ଭୟ ନାହିଁ, ଲାଜ ନାହିଁ, ଅଭିମାନ ନାହିଁ ।

 

‘କିରେ, ଏତେ ରାତିରେ କୁଆଡ଼େ ଅଗଣା ?’

 

‘ବାବୁ, ରକ୍ଷା ନ କଲେ ଚଳିବ ନାହିଁ । ତମେ ବଡ଼ଲୋକ, ତମ ସାଙ୍ଗରେ ଆମେ ପାରିବୁ-? ବଡ଼ ଗରିବ ପରା ଆମେ ବାବୁ ।’

 

‘କ’ଣ କଥା–’

 

‘ବାବୁ, ତମେ ସମୁଧୀର ଡିଆଁ ଚକ ଜମିଖଣ୍ଡକ ନେଇ ଯାଉଛ, ସେ ଆଉ ବଞ୍ଚିବ ନା ବାବୁ ! ତମର ନାହିଁ କ’ଣ ବାବୁ ? ଜନ୍ମଦୁଃଖୀ ଯେ, ତା’ର ଏହି ଶେଷ ସମ୍ବଳତକ ନେଇଗଲେ ହବନା ବାବୁ ! ତା’ ଘରେ ବାବୁ ଦି’ଦିନ ହେଲା ଖିଆପିଆ ନାହିଁ ।’

 

‘ବାହାର, ବାହାର୍‍, ହାମଜାଦା ନିକଲ୍‌ । ଓକିଲାତି କରିବାକୁ ଆସିଛି !’

 

‘ବାବୁ ଗରିବ ଆମେ, ତମେ ବଡ଼ଲୋକ ହୋଇ ଜନ୍ମିଛ, ଆମ କଥା ଶୁଣିବନି ତ ଆମେ ରାଜ୍ୟରେ ରହିବୁ କିମିତି ?’

 

‘ଯାଉଛୁ ଏଠୁ ନା ଏବେ ଦେଖିବୁ, ସଇତାନ !’

 

‘ବାବୁ, ଭଗବାନ ତମକୁ କରିଛି ଆମକୁ ଗାଳି ମାଡ଼ ଦେବାକୁ । ହେଲେ ବାବୁ, ମୁଁ ତୁମକୁ କିଛି ହୁଡ଼ି ନାହିଁ, ଖାଲି ଏତିକି କାକୁତି ହୋଇ କହୁଛି, ସମୁଧୀର ଡିଆଁ ଚକ ଜମିଖଣ୍ଡକ ନିଆ ନାହିଁ ।’ ଏହା କହି ସେ ତଳେ ଲମ୍ବ ହୋଇ ପଡ଼ିଗଲା ।

 

‘ଉଠି ଯାଉଛୁ ନା, ଏବେ ଜୋତାମାଡ଼ ବସିବ ପିଠିରେ । ସଇତାନ, ଏଠିକି ଆସିଛି, ଭଲଲୋକିପଣିଆ ଦେଖେଇବାକୁ ? କିଏ କହିଲା ତାକୁ ମକଦ୍ଦମା ଉଠେଇ ଆଣିବାକୁ ?’

 

‘ବାବୁ, ମୁଁ କହିଲି ତୁଚ୍ଛାକୁ କାହିଁକି ଆମେ ପର ପାଖରେ କାକୁତି ହୋଇ ଟଙ୍କା କରଜ କରି ଖର୍ଚ୍ଚ କରିବୁ ? ତା’ର ଯଦି ଦରକାର ଜମିଖଣ୍ଡକ ଆମେ ସେମିତି ଛାଡ଼ିଦେବୁ । ବାବୁ, ତମେ ପାଠ ପଢ଼ି ଏମିତି କଥା କହୁଛ ?’’

 

‘‘ଯା–ସଇତାନ୍‌–’’

 

‘‘ବାବୁ ଯିବ, ତାକୁ ଜମିଖଣ୍ଡକ ଦିଅ ।’’

 

‘‘ଯିବୁ ନା, ଜୋତା ବସିବ ପିଠିରେ ।’’

 

‘‘ତୁମକୁ ପରା ଭଗବାନ ଜୋତା ଦେବାକୁ କରିଛି, ଇଚ୍ଛା ହେଲେ ଦବ, ସେଥିରେ ମୋର ଆଉ ଆପତ୍ତି ନାହିଁ । ହେଲେ ସମୁଧୀକି ମୋର ତା’ର ଜମି ଦିଅ । ବାବୁ ସେ ଅତି ଗରିବ, ତା’ର ଖାଇବାକୁ ଦାନା ନାହି, ସେ ଟଙ୍କା ଦେଇ ପାରିବ ନାହିଁ ।’’

 

ସଙ୍ଖାଳି ବାବୁ ଅସହିଷ୍ଣୁ ହୋଇ ବିଛଣାରୁ ଉଠି ଆସି ଅଗଣା ପିଠିରେ ବିଧା ଗୋଇଠା କେଜାଣେ କେତେ ଦେଲେ ସେ ବି ଜାଣନ୍ତି ନାହିଁ । ଅଗଣା ପଡ଼ିଥିଲା ସ୍ଥାଣୁ ପରି । ତା’ ଆଖିରେ ଲୁହ ନ ଥିଲା, କା’ ବିରୁଦ୍ଧରେ ମଧ୍ୟ ଅଭିଯୋଗ କରିବାକୁ କିଛି ନ ଥିଲା ।

 

ଏହି ଶାରୀରିକ ଲାଞ୍ଛନା ସହିବାକୁ ସେ କାତର ନ ଥିଲା, କାତର ଥିଲା ତା’ର ବନ୍ଧୁର ଦୁର୍ଦ୍ଦଶା ମୋଚନ ନ କରି ପାରିବାରୁ ସେ ଫେରିଲା । ରାତିରେ ଖାଇ ନାହିଁ, ଶୋଇ ପାରିଲା ନାହିଁ । ଶତ ଆଶଙ୍କା ଭିତରେ ତା’ର ବୁକୁ ଉଠ୍‌ ପଡ଼୍‌ ହେବାକୁ ଲାଗିଲା, ହୃଦୟ ଭାଙ୍ଗି ପଡ଼ିଲା ।

 

X X X

 

ଦୁଇଦିନ ପରେ ଡିଗ୍ରୀଜାରି ବାହାରିଲା ଅମରା ନାଁରେ । ଏକଶହ ତେୟାଳିଶ ଟଙ୍କାର ଡିଗ୍ରୀ । ଅମରା ଘରେ ମଣିଷ ମରିଗଲା ପରି କାନ୍ଦବୋବାଳି ପଡ଼ିଗଲା । ପିଆଦା ବସିଛି ଜମି କ୍ରୋକ କରି ଘେନିଯିବ । ଅମରାର ପଇସା ନାହିଁ, ସାହାଯ୍ୟ କରିବାକୁ କେହି ନାହିଁ । ଘରେ ଫଟା ପାହୁଲାଟିଏ ନାହିଁ ।

 

ଅମଲା କଳାକାଠ ପଡ଼ିଯାଇଥିଲା । ସେ ଅଭିମାନରେ କହିଲା–‘ନେବ ବାବୁ, ଜମିଖଣ୍ଡକ ନେଇଯାଅ । ସେ ଖଣ୍ଡକ ନେବ ବୋଲି ତ ଏତେ କୃତ୍ରିମ କରୁଥିଲା, ଏବେ ଶାନ୍ତି ପାଅ-।’

 

ତା’ର ସମସ୍ତ ଅସ୍ଥାବର ସମ୍ପତ୍ତି ନିଲାମ ହୋଇଗଲା–ପନ୍ଦର ଟଙ୍କା ନଅଅଣା ତିନିପଇସାରେ, ବାକି ରହିଲେ ଜମିଖଣ୍ଡକ ।

 

ଗାଁଟାଯାକର ଲୋକ ଜମା ହୋଇ ଦେଖୁଥାନ୍ତି–ଅମରାର ଦୂରବସ୍ଥା । ଅଗଣା ମଧ୍ୟ ସବୁ ଶୁଣିଲା । ହେଲେ ସେ ଘଟଣାସ୍ଥଳକୁ ଆସିଲା ନାହିଁ । ତା’ର ଚୌଦପୁରୁଷ ଧନୀ ନ ଥିଲେ, ସେ କେବେ ଟଙ୍କାର କାରବାର ଦେଖି ନାହିଁ । ତାକୁ ସବୁ ଟଙ୍କା ସ୍ୱପ୍ନ ପରି ଲାଗିଲା ।

 

ସେ ଚାଲିଲା ସିଧା କାଙ୍ଗାଳୀ ବାବୁଙ୍କ ଘରକୁ । ତାକୁ ଅତି ନମ୍ର ସ୍ୱରରେ କହିଲା–ବାବୁ, ମତେ ଦେଢ଼ଶ ଟଙ୍କା ଦିଅ, ମୁଁ କଲିକତା ଯାଇ, ରଙ୍ଗଣୀ ଯାଇ ତାକୁ ଶୁଝିବି । ବାବୁ, ବିଶ୍ୱାସ କର, ମୋର ସମୁଧୀକି ବଞ୍ଚାଇଦିଅ ।

 

କ’ଣ ଭାବି କେଜାଣେ କାଙ୍ଗାଳୀ ବାବୁ ତାକୁ ଟଙ୍କା ଗଣି ଦେଲେ–ବିନା ତମସୁକରେ । ସେ ମହା ଆନନ୍ଦରେ ଧାଇଁଲା ଟଙ୍କା ଘେନି ତା’ର ସମୁଧୀ ଦ୍ୱାରକୁ । ମନ କୋହଳାରେ ଝଣାତ୍‌ କରି ଟଙ୍କା ବୁଜୁଳାଟି ପକାଇ ଦେଲା ପିଅନ ଗୋଡ଼ତଳେ । କହିଲା–ଦିଅ ଫେରାଇ ମୋ ସମୁଧୀର ଡିଆଁ ଚକ ଜମି ।

☆☆☆

 

ବଞ୍ଚିତ ସ୍ନେହର ସଞ୍ଚିତ ହାହାକାର

 

ତରଙ୍ଗଶୂନ୍ୟ ସମୁଦ୍ର ବୁକୁରେ ହଠାତ୍‌ ଭୂମିକମ୍ପ ହୋଇ ହିମାଳୟ ତା’ର ଶୃଙ୍ଗ ଉତ୍ତୋଳନ କଲା ଭଳି ମନୁଷ୍ୟର ଜୀବନ-ସମୁଦ୍ରରେ ଅଚଞ୍ଚଳ ବିପଦ–ଅଚଳ ଲଙ୍ଘନ କରିବାର ଶକ୍ତି ମନୁଷ୍ୟର ନାହିଁ ।

 

ମୋର ବୈଚିତ୍ର୍ୟଶୂନ୍ୟ ଜୀବନ–ରେଖା ସଂସାରର ଛଳନାଶୂନ୍ୟ ଗତି ସାଥିରେ ଠିକ୍‌ ସମାନ୍ତର ହୋଇ ଚାଲିଥିଲା । ମୁଁ ଥିଲି ମାନସୀ–ଦେବୀର ପରମ ପୂଜାରୀ । ଏହି ଦେବୀର ଉପାସକ ହୋଇ ମୁଁ ମୋର ପରିଧି ମଧ୍ୟରୁ ସଂସାରର ଦୁଃଖ ଦୀନତାତଡ଼ି ଦେଇଥିଲି ।

 

କିନ୍ତୁ ହଠାତ୍‌ ମାନସୀ କୁଆଡ଼େ ଉଭେଇଗଲା–ମୁଁ ଜାଣେ ନାହିଁ ।

 

ଅନେକ ଦିନ ତଳର କଥା । ସେ ଦିନ ରାତିରେ ମୋର ପତ୍ନୀ ପ୍ରିୟମ୍ବଦା ପଞ୍ଚଦଶୀ ତରୁଣୀର ସମସ୍ତ ରୁପୈଶ୍ୱର୍ଯ୍ୟ ଘେନି ମୋ ପାଖରେ ଶୋଇଥିଲେ । ତାଙ୍କୁ ଜାଗ୍ରତ କରିବା ପାଇଁ ମୁଁ ନାନାପ୍ରକାର ଅର୍ଥହୀନ ଚେଷ୍ଟା କାରୁଥିଲି । କାରଣ ମୁଁ ମୋର ଶତ ଚେଷ୍ଟାସତ୍ତ୍ୱେ ନିଦ୍ରାଦେବୀଙ୍କୁ ସ୍ପର୍ଶ କରି ପାରୁ ନଥିଲି । ତାଙ୍କୁ ଜାଗ୍ରତ କରିବା ପାଇଁ ମୁଁ ଯେତିକି ତାଙ୍କ ପାଖକୁ ପାଖକୁ ଘୁଞ୍ଚି ଘୁଞ୍ଚି ଯାଇ ନୈରାଶ୍ୟରେ ଆକୁଳ ହୋଇ ପଡ଼ୁଥିଲି, ସେତିକି ମୁଁ ନିଦ୍ରାଦେବୀଙ୍କୁ ଅବମାନନା କରୁଥିଲି–ମୋର ମୁଣ୍ଡ ଗରମ ହୋଇଯାଉଥିଲା । ମୁଁ ମୋର ନିଦ୍ର-ବିହୀନ ରଜନୀର ଉପାଦାନ ଯୋଗାଉଥିଲି-। ମୋର ଖିଆଲ ନ ଥିଲା ଯେ, ମୁଁ ନିଜେ ମୋର ଆକୁଳତା ବୃଦ୍ଧି କରୁଛି । କମ୍ପିତ କଣ୍ଠରେ ଡାକିଲି–‘‘ପ୍ରିୟ !’’

 

ଉତ୍ତର କିଛି ନାହିଁ ।

 

ପୁଣି ଥରେ ଡାକିଲି–‘‘ଶୁଭୁଛି, ଉଠ ମ ।’’

 

ସେ ଥର ମଧ୍ୟ କୌଣସି ଉତ୍ତର ପାଇଲି ନାହିଁ । ଫଳହୀନ ଚେଷ୍ଟାରେ ତ୍ରୁଟି କରି ନ ଥିଲି । ନାନା ପ୍ରକାର ଛଳନା କରି ପାର୍ଶ୍ୱସ୍ଥ ଟେବୁଲଟାକୁ ବାରମ୍ବାର ଆଘାତ କରିବା ଫଳରେ ପ୍ରିୟଙ୍କର ନିଦ୍ରାଭଙ୍ଗ ହେଲା । ସେ ରୁକ୍ଷ ସ୍ୱରରେ କହିଲେ–‘‘ହେତ୍‌ ବିରକ୍ତ କରି ମାରିବ । ନିଜେ ବସି ଦିନ ରାତି ଏଣୁ ତେଣୁ ଭାବ ବୋଲି ସମସ୍ତେ ସେଇଆ କରିବେ ନା କ’ଣ ?’’

 

ଏ ରୁକ୍ଷତାରେ ମୁଁ ଏକାନ୍ତ ମର୍ମାହତ ହେଲି । ମୋର ସମସ୍ତ ସୋହାଗ ମରୁଦେଶର ବର୍ଷାଜଳ ପରି ସେହି ନିମିଷକେ ଶୁଖିଗଲା । ବୁକୁରେ ତୀବ୍ର ଯାତନା ଅନୁଭବ କଲି; କ୍ଷୋଭରେ ଆତ୍ମହରା ହୋଇ ପଡ଼ିଲି । ବ୍ୟାକୁଳ ଭାବରେ ନିଦ୍ରା–ଦେବୀଙ୍କର ଉପାସନା କଲି; କିନ୍ତୁ ଫଳଟା ବିପରୀତ ହେଲା । ସେ କଡ଼ ପରିବର୍ତ୍ତନ କରି ଶୋଇଲେ, ମୁଁ ସେହି ନିବିଡ଼ ଅନ୍ଧକାର ମଧ୍ୟରେ ମୋର ପଥ ଖୋଜି ପାଇଲି ନାହିଁ ।

 

ତା’ ପରଦିନ ସକାଳ ହେବା ପୂର୍ବରୁ ପ୍ରିୟ ଶଯ୍ୟା ତ୍ୟାଗକରି ଚାଲିଗଲେ, ଗୃହକାର୍ଯ୍ୟରେ । ଚୌଦ ପନ୍ଦର ଘଣ୍ଟା ତାଙ୍କ ସାଙ୍ଗରେ ମୋର ଦେଖା ହେବ ନାହିଁ, ଏ କଥା ସେ ଜାଣନ୍ତି । ମୁଁ ମଧ୍ୟ ଜାଣେ, କାରଣ ଆମ ସମାଜରେ ଦିନରେ ନବ–ବିବାହିତ ପ୍ରିୟ–ପ୍ରିୟାଙ୍କର ଦେଖା ହୋଇ ନ ଥାଏ । ଏଇଟା ଅଡ଼ିନାନ୍‌ସ ନୁହେଁ, ପୂରା କୋଡ଼ି–ଫାଏଡ଼୍ ନିୟମ । ଯାହାହେଉ, ପ୍ରିୟ ଯଦି ମୋଠୁ ବିଦାୟ ନେଇ ଯାଇଥାନ୍ତେ, ତାହାହେଲେ କ’ଣ ତାଙ୍କ ସମ୍ମାନରେ ଏତେ ବାଧା ପଡ଼ିଥାନ୍ତା ! ମୁଁ ଚାହିଁଥାଏ–ସେ ଗଲାବେଳେ ମତେ ଡାକିବେ କି ନାହିଁ । ନିରାଶ ହେଲି–ସେ ଶିଥିଳ ଗତିରେ ଚାଲିଗଲେ । ମନରେ ଝଞ୍ଜା ବହିଲା । କ’ଣ କରିବି ? ଏମିତି ଗୋଟାଏ ନୀରସ ପ୍ରାଣୀ ସାଥିରେ କିମିତ ଜୀବନ କାଟିବି ? ହାରେ, ଏତେ ଅପରାଧ କ’ଣ ମୋରି ଏକା ! ତଥାପି ବିଛଣାରେ ବସି ଗତ ରାତ୍ରିର ଘଟଣା ସବୁ ଭାବିଲି । ବାଇସ୍କୋପ୍‌ ଛବି ଯେପରି ଥରି ଥରି ପର୍ଦ୍ଦର ଆଲୋକ ଉପରେ କ୍ରମେ କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଉଠେ, ଠିକ୍‌ ସେମିତି ମୋର ଉଦ୍‌ଭ୍ରାନ୍ତ ଅନ୍ୟମନସ୍କ ଦୃଷ୍ଟିପଥରେ ପ୍ରିୟଙ୍କର ଛବିଟି ଫୁଟି ଉଠିଲା । ମୋର ମନର ସମସ୍ତ ଗ୍ଳାନି, ସମସ୍ତ ବିଦ୍ୱେଷ ଦୂର କରି ସାମୟିକ ଶାନ୍ତି ପାଇଁ ନିଜକୁ ଠକାଇ ଧରିନେଲି–ନା, ପ୍ରିୟ ବୋଧହୁଏ କାଲି ନିଦ୍ରା–ଭ୍ରମରେ ମତେ ଏମିତି ରୁକ୍ଷ ଭାଷାରେ କହିଲେ । ଆଜି ବୋଧହୁଏ ସେ ଭାବିଲେ, ଶୋଇଛନ୍ତି ତ ଶୋଇଥାନ୍ତୁ, କାହିଁକି ଡାକିବି ? ଏହିପରି ଆତ୍ମପ୍ରତାରଣା କରି ମୋର ଦୈନନ୍ଦିନ କର୍ତ୍ତବ୍ୟ କରିବା ପାଇଁ ଅଗ୍ରସର ହେଲି ।

 

ସକାଳୁ ନଈକୂଳେ ଯାଇ ବୁଲିବାର ନିଶା ମୋର ଥିଲା । ସେଠି ସେ ଦିନ ଆଉ କିଛି ଭାବି ପାରିଲି ନାହିଁ । ମନେ ହେଲା–ଦିନରେ ସେ ଦିନ ଆଉ କିଛି ଭାବି ପାରିଲି ନାହିଁ । ଓଃ, କେତେ ବାଧା ! ଆଛା, ଏ ବାଧା କ’ଣ ଏଡ଼ି ଦେଇ ହେବ ନାହିଁ ? ମୁଁ ନିଶ୍ଚୟ ପାରିବି, କିନ୍ତୁ ସେ କ’ଣ ପାରିବେ ? ନାନା ସନ୍ଦେହରେ ମନଟା ରିକ୍ତ ହୋଇ ଉଠିଲା । ଘରକୁ ଫେରିଲି ।

 

ପରିବାର ମଧ୍ୟରେ ମୁଁ ଥିଲି ସମସ୍ତଙ୍କଠାରୁ ସାନ; ମୋର ଶିକ୍ଷା ଅନୁସାରେ ମୁଁ ଥିଲି କିନ୍ତୁ ସମସ୍ତଙ୍କଠାରୁ ଉଚ୍ଚରେ । ମତେ ସମସ୍ତେ ସ୍ନେହ କରୁଥିଲେ–ସେ ମୋର ଶିକ୍ଷା ଯୋଗୁଁ କି ମୋର ଅନ୍ୟ କୌଣସି ସଦ୍‌ଗୁଣ ଯୋଗୁଁ, ମୁଁ କହି ପାରିବି ନାହିଁ । ଯାହା ହେଉ, ମୋର ଟିକକ ଅଭାବ ସାଙ୍ଗେ ସାଙ୍ଗେ ପୂରଣ ହୋଇ ଯାଉଥିଲା । ମୁଁ ବାହ୍ୟ ସୁଖସ୍ୱାଚ୍ଛନ୍ଦ୍ୟରୁ ବଞ୍ଚିତ ନ ଥିଲି ।

 

ପ୍ରିୟ ଥିଲେ ପରିବାରରେ ସମସ୍ତଙ୍କ ଆଦରଣୀୟା–ଏକା ମୋର ବଡ଼ ଭାଉଜଙ୍କର ନୁହେଁ । କାରଣ କ’ଣ, ମୁଁ କେବେ ଅନୁସନ୍ଧାନ କରିବାକୁ ଯାଇ ନାହିଁ; ମୋର ପ୍ରୟୋଜନ ମଧ୍ୟ ପଡ଼ି ନଥିଲା । ବୋଉକୁ ପ୍ରତିବେଶିନୀମାନେ କହନ୍ତି–ଆଃ, ତମେ ଏକା ବୋହୁଟିଏ ପାଇଛ, ଆଉ ଦୁନିଆରାଇଜରେ କିଏ ହେଲେ ଏମିତି ବୋହୁ କରି ନାହାନ୍ତି ! ଏ ପ୍ରଶଂସାରେ ବୋଉର ଆନନ୍ଦ କହିଲେ ନ ସରେ–ପ୍ରିୟଙ୍କର ଆନନ୍ଦ ଥିଲା କି ନା, ମୁଁ ଜାଣେ ନାହିଁ । କାରଣ ଆମ ଦୁହିଁଙ୍କ ମଧ୍ୟରେ ସବୁବେଳେ ଗୋଟାଏ ବିଯୁକ୍ତଚିହ୍ନ ରହୁଥିଲା ।

 

ସେଦିନ ଦିନଟାଯାକ ମତେ ଆଦୌ ଭଲ ଲାଗିଲା ନାହିଁ । ଯୋଉ ଆଡ଼କୁ ଚାହିଁଲି, ସେ ଆଡ଼ ମତେ ଯେମିତି ବିଦ୍ରୂପ କରୁଛି । ସମସ୍ତେ ଯେମିତି ସେମାନଙ୍କର ସମସ୍ତ କାମ ପଛକୁ ରଖି ମତେ ଥଟ୍ଟା କରିବାକୁ ଚାହିଁ ବସିଛନ୍ତି । ମୋର ନିଜର ଦୁର୍ବଳତା ପ୍ରତି ମଧ୍ୟ ମୋର ଘୃଣା ଆସିଲା । କିମିତି ଯେ ନିଜକୁ ସଞ୍ଜତ କରି ଗୋଟାଏ ପାଖରେ ଜୀବନଟାକୁ ପକାଇବି, ସ୍ଥିର କରି ପାରିଲି ନାହିଁ । ସେ ଦିନ ଜଳଖିଆ ଖାଇସାରି ବାଡ଼ି ବଗିଚାକୁ ବୁଲିଗଲି–ଖାଲି ସମୟ କଟାଇବା ପାଇଁ । ମନେ ହେଲା–ପ୍ରିୟଙ୍କ ସାଥିରେ ଦିନରେ କଥା କହିଲେ କ’ଣ ମୋର ପାପ ହେବ ଆଉ ତାଙ୍କର ପାପ ହେବ ? ନିଶ୍ଚୟ ଆଜି ଚେଷ୍ଟା କରିବି; କିନ୍ତୁ ସେ ଯଦି ନ ଆସନ୍ତି ! ମୋର ବୋଉ ଜୀବିତ ଥିଲେ ସୁଦ୍ଧା ତା’ର ଗୃହର ଶୃଙ୍ଖଳା ଆଣିବାରେ ଅଧିକାର ନ ଥିଲା । ବୋଉ କେଜାଣେ ଯଦି ଗୃହିଣୀ ଆସନରେ ଥାନ୍ତା, ତା’ ହେଲେ ନାନା ଛଳନା କରି ତାଠୁ ସେ ଅନୁମତିଟା ପାଇ ପାରିଥାନ୍ତି; କିନ୍ତୁ ମୋର ବଡ଼ଭାଇ ରୋଜଗାରିଆ ଥିବାରୁ ଭାଉଜ ଜୋର କରି ଗୃହିଣୀ ପଦଟା ବୋଉଠାରୁ ଛଡ଼ାଇ ନେଇଥିଲେ । ବୁକୁରେ ନାନା ଭୟ ଆଶଙ୍କା ଅପବାଦର ଝଞ୍ଜା ବହିଲା, ବେଳକୁ ବେଳ ପ୍ରାଣଟା ଆକୁଳ ହୋଇ ପଡ଼ିଲା । ସେହି ସମୟରେ ମନରେ ପୁଣି ଗୋଟାଏ ଉଦାସୀନ ଭାବ ଉଠିଲା–ଆଛା, ଏସବୁ କିଛି କରିବି ନାହିଁ । ଯଦି ପ୍ରିୟଙ୍କୁ ଦିନରେ ନ ଦେଖିଲେ ଭାଉଜଙ୍କର ଆନନ୍ଦ, ତାହାହିଁ ହଉ ! ତା’ପରେ, ତା’ପରେ...ଏଇଟା ସିନା ସାମୟିକ ଉଦାରତାର ଛଳନା, ନିଜକୁ ଆଉ କେତେ ଠକେଇବି ? ବୁକୁ ଭିତରେ ଗୋଟାଏ ଅଦମ୍ୟ ଅପୂର୍ଣ୍ଣ ଆକାଙ୍‌କ୍ଷା ଛପେଇ ରଖି ମୁଁ ଉପର ଦେଖାକୁ ମହାକାଳ ଫଳ ହେଲି । ବୁକୁ ଭିତରଟା ଛଟପଟ ହେଉଥିଲା; ଯେମିତି ସେ ଚାହୁଁଥିଲା–କିମିତି ହେଲେ ପ୍ରିୟଙ୍କ ସାଥିରେ ଦଣ୍ଡକ ପାଇଁ ଦେଖା ହୁଅନ୍ତା । ଉଃ, ବୁକୁର କେତେ ବାକିଆ କଥା କହିପକାନ୍ତି ! ମୋର ନୂତନ କବିତାଟି ତାଙ୍କୁ ପଢ଼ି ଶୁଣାଇ ଦିଅନ୍ତୁ । କିନ୍ତୁ ମନର ଭାବ ମନରେ ରହିଲା ।

 

ଚାରିଟାବେଳେ ଜଳଖିଆ ଖାଇସାରି ନଈ ବନ୍ଧେ ବନ୍ଧେ ମାଇଲିଏ ବାଟ ଗଲି । ଅନତିଦୂରରେ ଦେଖିଲି–ଗୋଟିଏ ଅସୀମ ଫୁଲ–ଭରା ବଉଳ ଗଛ । ମୋର ଭାରି ଇଚ୍ଛା ହେଲା–ମାଳାଟିଏ ଗୁନ୍ଥି ନେଇ ପ୍ରିୟଙ୍କ କବଚୀରେ ପିନ୍ଧାଇ ଦିଅନ୍ତି । ମୋର ବାସନା ପୁରଣପାଇଁ ମୁଁ ମାଳାଟିଏ ଗୁନ୍ଥିଲି । ସନ୍ଧ୍ୟା ବେଳକୁ ସେଠୁଁ ଫେରିଲି । ପଥରେ ନାନା ନାମହୀନ, ଗନ୍ଧହୀନ ଫୁଲ ଦେଖିଲି । ସେ ଦିନ ପୂର୍ଣ୍ଣିମା ଥିଲା । ସେଥିପାଇଁ ଚନ୍ଦ୍ର ତା’ର ସମସ୍ତ କାନ୍ତି ଘେନି ଦିଗ୍‌ବଳୟର ମସ୍ତକ ଉପରେ ଉଠିଲା । ଆକାଶଟା ବେଶ୍‌ ପରିଷ୍କାର ଥିଲା । ଉପଭୋଗ ସାମଗ୍ରୀର ଅଭାବ ନ ଥିଲା; କିନ୍ତୁ ବାହ୍ୟ ସୌନ୍ଦର୍ଯ୍ୟ ମୋ ମନରେ ସେ ଦିନ କାହିଁକି ଆଦୌ ରେଖାପାତ କରିନଥିଲା । ମିଳନ–ପିପାସୁ ମୋର ମନଟା ପ୍ରିୟଙ୍କ ମିଳନ ପାଇଁ ଅସ୍ଥିର ହୋଇ ଉଠୁଥିଲା । କେତେବେଳେ ଆସି ଆମ ଦାଣ୍ଡଦ୍ୱାରେ ପହଞ୍ଚିଗଲିଣି–ମୋର ଖିଆଲ ନାହିଁ; ଅଥଚ ମାଳାଟି ଖୁବ୍‌ ସାବଧାନରେ ହାତରେ ଧରା ହୋଇଛି । ଯେମିତି ଦାଣ୍ଡଦ୍ୱାରେ ହେଲି ସେମିତି ମନେ ହେଲା–ଆହାଃ, କ’ଣ କରୁଛି ! ଭାଉଜ ଯଦି ମାଳାଟି ଦେଖିବେ ତାହାହେଲେ ଏହିକ୍ଷଣି ମୋର ଇଜତ୍‌ ନେବେ । ଭୟରେ କାକୁସ୍ତ ହୋଇ ତରବରରେ ଲୁଗାତଳେ ମାଳାଟି ଧରି ମୋର ଶୟନମନ୍ଦିରରେ ପ୍ରବେଶ କଲି । ମୋ ଆସିବା ପୂର୍ବରୁ ମୋ ଘରଟି ଆଲୋକିତ ହୋଇଥିଲା–ବିଛଣା ମଧ୍ୟ କରା ହୋଇଥିଲା । ଆଲୋକରେ ମାଳାଟି ମନ ପୂରେଇ ଦେଖିଲି, ସୁଗନ୍ଧ ମଧ୍ୟ ସେବନ କରିବାକୁ ଭୁଲି ପାରି ନ ଥିଲି । ମନଟା କିନ୍ତୁ କା’ର ମିଳନ ପାଇଁ ଆକୁଳ ହୋଇ ଉଠୁଥିଲା ।

 

ଯଥାସମୟରେ ଭୋଜନର ବ୍ୟବସ୍ଥା ହେଲା । ଖାଇସାରି ଅଭିସାରିକାର ପ୍ରତୀକ୍ଷାରେ ଚାହିଁ ରହିଲି । ସେ ଆସିଲେ; କିନ୍ତୁ ମୁଖମଣ୍ଡଳରେ ଯେ ବିଷାଦର କେତେ ଚିହ୍ନି ଦେଖା ଦେଇଥିଲା, ମୁଁ କହି ପାରିବି ନାହିଁ । ଥରେ ଯେମିତି ତାଙ୍କ ଆଡ଼କୁ ଚାହିଁ ଦେଇଛି, ସେମିତି ମୋର ମନର ରିକ୍ତତା ବୃଦ୍ଧି ପାଇଲା–ବଡ଼ ନୀରସ ବୋଧ ହେଲା । କାହିଁକି ଯେ ତାଙ୍କର ଭାବାନ୍ତର ହେଉଥାଏ, ମୁଁ କିଛି ବୁଝି ପାରୁ ନ ଥାଏ । ମୋର ସମସ୍ତ ମନସ୍ତତ୍ତ୍ୱ ସେଠି ପରାସ୍ତ ହେଲା । ତଥାପି ନିଜକୁ ସଂଯତ କରିନେଇ ମାଳାଟି ଦେଖାଇ କହିଲି–ଜାଣିଛ, ଏ ମାଳାଟି ମୁଁ ଗୁନ୍ଥୁଛି, ତମର ପସନ୍ଦ ହେଉନି । ତମ କବରୀ ଦେଖାଅ, ମୁଁ ପିନ୍ଧାଇଦିଏ ।

 

ମୋତେ ଜଣାଗଲା–ସେ ଯେମିତି ମୋ କଥାଗୁଡ଼ାକ ଶୁଣିବାକୁ ନିହାତି ଅନିଚ୍ଛୁକ ଥିଲେ-। ମୋ ଆଡ଼କୁ ନ ଚାହିଁ ସେ ମୋ ପାଖରେ ବସିଲେ । ମୋ ବୁକୁ ଆନନ୍ଦରେ ଭରିଗଲା, ମୁଁ ମାଳାଟି ତାଙ୍କ ହାତକୁ ଦେଲି ।

 

କିନ୍ତୁ, କିନ୍ତୁ, ସେ କ’ଣ କଲେ ? ....ମାଳାଟି ମୋ ହାତରୁ ନେଇ ଟିକି ଟିକି କରି ଛିଣ୍ଡାଇ ପକେଇଲେ । ମତେ ଅପମାନ ଦେଇଥିଲେ ବାଧି ନ ଥାନ୍ତା; କିନ୍ତୁ ମୋର ପ୍ରିୟ ଉପହାର ପ୍ରତି ଏ ଅବଜ୍ଞା, ଏ ତାଚ୍ଛିଲ୍ୟ ମୋର ଏକାନ୍ତ ଅସହ୍ୟ ହେଲା । ମୋର ମସ୍କିଷ୍କ କୁରାଳ–ଚକ୍ର ପରି ଘୁରିବାକୁ ଲାଗିଲା । କିଛି ବିଚାରି ପାରିଲି ନାହିଁ । ବୁକୁ ଭିତରେ କିଏ ଯେମିତି ତପ୍ତ ଶୈଳ ବିଦ୍ଧ କରିଦେଲା । ସେ ମୋ ପାଖରେ ଶୋଇଲେ କ’ଣ ଭାବି, ମୁଁ ଜାଣେ ନାହିଁ । ମୁଁ କିନ୍ତୁ ରାତିଟାଯାକ ଶୋଇପାରିଲି ନାହିଁ । ମନେ ହେଲା–ବିବାହ ନ କରିଥିଲେ କ’ଣ ହୋଇ ନ ଥାନ୍ତା ? ଛିଃ, କାହିଁକି ବିବାହ କଲି ? ବିବାହର ପ୍ରସଙ୍ଗ ଯେତେବେଳେ ଉଠିଲା, ବନ୍ଧୁ ମହଲରେ କହୁଥିଲି–‘ନା, ମୁଁ ବିବାହ କରିବି ନାହିଁ । ମୋର କବି–ପ୍ରେୟସୀ ଲୋଡ଼ା । ଯାହାକୁ ଇଚ୍ଛା ତାକୁ ବିବାହ କଲେ ସଂସାର–କାର୍ଯ୍ୟ ଚଳିବ ସିନା, ମୋର ରସ–କ୍ଷୁଧା ମେଣ୍ଟିବ ନାହିଁ ।’ ବନ୍ଧୁମାନେ ମୋ କଥା ଶୁଣି ମୋତେ ବିଦ୍ରୁପ କରି ହସି ଉଡ଼ାଇ ଦେଇଥିଲେ । ଭାଇ ମଧ୍ୟ ନାନାଭାବରେ ନାନା କଡ଼ା କଥା କହି ମତେ ଜବତ କରିଦେଲେ । ବୋଉ କଥା ଛାଡ଼, ସେ ପରା କହିଥିଲା–‘ତୁ ଯଦି ବିବାହ ନ କରିବୁ, ମୁଁ ଗଳାରେ ଛୁରୀ ମାରିବି ।’ମୋର ଚାରା କ’ଣ ? ଆଉ, ଆଉ, ଆଜି–ଆଜି କ’ଣ ହେଉଛି ? ସେମାନେ ସିନା ବାହ୍ୟ ଜଗତ୍‌ କଥା କହିବେ, ମୋର ଅନ୍ତର୍ଜଗତ୍‌ କଥା କିଏ କହିବ ?

 

ତଥାପି ସବୁ ସହିଲି–ବୃକ୍ଷ ପରି । ଆମ ଝରକା ଦେଇ ଯେତେବେଳେ ପୂର୍ଣ୍ଣମୀ ଚାନ୍ଦର ଝଲକାଏ ଅମଳ କିରଣ ପଡ଼ିଯାଏ, ମୋର ମନେ ହୁଏ, ପ୍ରିୟ, ଏହି ଜ୍ୟୋତ୍ସ୍ନାରେ ତାଙ୍କର ଗଣ୍ଡଟି ସ୍ନାତ କରନ୍ତେ କି, ମୁଁ ମହା ଆନନ୍ଦରେ ମୋର ଇପ୍‌ସିତ, ଲୁବ୍‌ଧ, ଶାଣିତ ଅଧର–ଛୁରିକା ସେହି ସ୍ନାତ କର୍ଣ୍ଣମୂଳରେ ବିଦ୍ଧ କରିଦିଅନ୍ତି । କିନ୍ତୁ ବୁକୁର ଏହି ପ୍ରୟାସ ମୁଁ ମେଣ୍ଟାଇପାରେ ନାହିଁ; ସେ ବାଧା ଦିଅନ୍ତି, ମୁଖ ଫେରାଇ ନିଅନ୍ତି । ମଳୟର ଯାଦୁ ସ୍ପର୍ଶରେ ମୋ ତନୁ ଚଞ୍ଚଳ ହୋଇ ଉଠୁଥିଲେ ମୁଁ ପ୍ରିୟଙ୍କ ସାଥି ଲୋଡ଼ୁଥିଲି । ଶରତ୍‌ ଜ୍ୟୋତ୍ସ୍ନା ଦେଖୁଥିଲେ ମୋ ପ୍ରାଣ ଚାହୁଁଥିଲା–ପ୍ରିୟର ନିବିଡ଼ ଭୁଜ–ବନ୍ଧନ, ଏ ସବୁ ମୁଁ ପାଉ ନ ଥିଲି । ଖାଲି ଅତୃପ୍ତ ବାସନାର ହାହାକାର ସୀମା ଲଙ୍ଘି ଚାଲିଥିଲି-। ଯେତେ ଚେଷ୍ଟା କଲି ତାଙ୍କ ସାଙ୍ଗରେ ସନ୍ଧି କରି ଚଳିବି, ସେ ସେତିକି ବିଦ୍ରୋହୀ ହୋଇ ଉଠୁଥିଲେ । ଉପାୟ–ଉପାୟ ମୁଁ ସୌନ୍ଦର୍ଯ୍ୟ–ବୈରାଗୀ ହେଲେ ଦିନଟା ତାଙ୍କ ସାଥିରେ ସୁରୁଖୁରୁରେ କଟିବ ।

 

ଗ୍ରୀଷ୍ମର ଉଷ୍ଣତା, ବର୍ଷାର ସଜୀବତା, ଶରତ୍‌ର ସ୍ୱଚ୍ଛତା, ଶୀତର କର୍କଶତା ଓ ବସନ୍ତର ମଧୁରତା ଘେନି ବର୍ଷ ଚାଲିଛି । ଆମର ଖାପ୍‌–ଛଡ଼ା, ବିଯୁକ୍ତ ଚିହ୍ନ ଘଟିତ ଦୁଇଟି ଅମେଳ ପ୍ରାଣ ଚାଲିଛନ୍ତି । ଆସି ଦୁଇ ବର୍ଷ ହୋଇଗଲା । ମୁଁ ଛୁଟିରେ ଘରେ ଅଛି, ଦିନେ ହଠାତ୍‌ ପ୍ରିୟଙ୍କ ବାପା ଆମ ଘରେ ପହଞ୍ଚି ବୋଉକୁ କହିଲେ–‘ମୁଁ ମୋ ଝିଅକୁ ନେବି ।’ ସେତେବେଳେ ବୋଉ ଉପରେ ଗୃହଭାର ନ୍ୟସ୍ତ କରି ଭାଉଜ ପତିଙ୍କ ସହ ବିଦେଶରେ ଥିଲେ । ବୋଉ ତାଙ୍କୁ କହିଲା–‘ମୋ ହାତରେ ତ ପଠେଇବା କଥା ନାହିଁ, ବଡ଼ ବୋହୂର ଅନୁମତି ଲୋଡ଼ା । ତା’ପରେ ଏ ସମୟରେ କିମିତି ତାକୁ ନବ, ଏହିକ୍ଷଣି ତା’ର ଗର୍ଭର ଆଠ ମାସ ।’

 

ତାଙ୍କ ବାପା ଉତ୍ତ୍ୟକ୍ତ ହୋଇ କହିଲେ–‘ମୁଁ ନିଶ୍ଚୟ ନେବି, ତୁମେ କାହିଁକି ମନା କରୁଛ ? ତମ ଘରେ ତ ତାକୁ ଏ ସମୟରେ ଦେଖିବାକୁ କେହି ନାହିଁ । ତା’ପରେ ଏ ହେଲା ମଫସଲ ଜାଗା, ଏଠି ଭଲ ମନ୍ଦକୁ କିଏ ଅଛି ? କୋଉ ଡାକ୍ତର ତମେ ଡାକିବ ?’’

 

ବୋଉ କିଛି ଉତ୍ତର ଦେଇ ପାରିଲା ନାହିଁ । ତା’ର କେଜାଣେ ଶିକ୍ଷା ଥିଲେ ସେ ଯୁକ୍ତି ଦେଖାଇ ବା ଅନ୍ୟ ଅସ୍ତ୍ର ପ୍ରୟୋଗ କରି ପ୍ରିୟଙ୍କ ବାପାଙ୍କୁ କହିଥାନ୍ତା–‘‘ତାହାହେଲେ ମଫସଲରେ କିମିତି ଗର୍ଭବତୀ ସ୍ତ୍ରୀ ଅଛନ୍ତି ? ସେମାନେ କ’ଣ ଏଡ଼େ ଅବହେଳାର ପାତ୍ର ? ଯାହାହେଉ, ସେ ସବୁ କିଛି ଉଠି ନ ଥିଲା ।’’

 

ଏଣେ ପ୍ରିୟ ପିତ୍ରାଳୟକୁ ଯିବାକୁ ଅସ୍ଥିର । ତାଙ୍କର କ୍ରନ୍ଦନର ସୀମା ନ ଥିଲା । ବାରମ୍ବାର ଉଚ୍ଛ୍ୱସିତ କ୍ରନ୍ଦନ ଫଳରେ ପେଟରେ ବେଦନା ମଧ୍ୟ ପାଇଲେ । ମୁଁ ଥରେ ତାଙ୍କୁ କହିଲି–ତମେ ନ ଗଲେ ଭଲ ହେବ ! ମତେ କ’ଣ ତମେ ଏତେ ଅବହେଳା କର ?’

 

ସେ ଉତ୍ତ୍ୟକ୍ତ ହୋଇ ଉତ୍ତର ଦେଲେ–‘ମୁଁ ନିଶ୍ଚୟ ଯିବି । ସେ ସବୁ ବାଜେ କଥା ମୁଁ ଶୁଣିବାକୁ ଚାହେଁ ନାହିଁ ।’

 

ମୁଁ ନୀରବ ରହିଲି ।

 

ମୁଁ ବୋଉକୁ କହିଲି–ବୋଉ, ତୁ ତାକୁ ପଠାଇବାକୁ ଆଦୌ ରାତି ହେବନାହିଁ ।’ ତା’ ପାଖରେ ଯୁକ୍ତି ତର୍କର ନମୁନା ମଧ୍ୟ ଦୁଇ ତିନିଟା ଦେବାକୁ ଛାଡ଼ିଲି ନାହିଁ ।

 

କିନ୍ତୁ ଶେଷରେ ମୋର ଅନିଚ୍ଛାସତ୍ତ୍ୟେ ପ୍ରିୟ ମତେ ଅବହେଳା କରି ମୋର ସ୍ନେହ–ସୋହାଗକୁ ବିଦ୍ରୂପ କରି ପିତ୍ରାଳୟକୁ ଗଲେ ।

 

ମୋର ଭାରି ଦୁଃଖ ହେଲା, କ୍ରୋଧରେ ମଧ୍ୟ ଉନ୍ମତ୍ତ ହେଲି । ପ୍ରତିଶୋଧଲିପ୍‌ସୁ ମୋର ବିଦ୍ରୋହୀ ମନ କ୍ଷୁବଧ୍‌ ହୋଇଉଠିଲା ।

 

ଆସନ୍ନ ସନ୍ଧ୍ୟାର କମନୀୟତାରେ ମୋର କବିତାମୟ ପ୍ରାଣ ପୁଲକିତ ହୋଇଉଠିଲା । ଦେଖିଲି ଆକାଶଟା ବେଶ୍‌ ପରିଷ୍କାର ଅଛି । ବର୍ଷା ଦିନରେ ଏପରି ସନ୍ଧ୍ୟା ବିଶେଷତଃ ମୋ ମନରେ ନାନାଭାବ ଆଣି ଦେଇଥିଲା । କିନ୍ତୁ ହଠାତ୍‌ ଦେଖିଲି–ଆକାଶ ଅନ୍ଧକାରରେ ଆଚ୍ଛନ୍ନ ହୋଇଗଲା–କୃଷ୍ଣପକ୍ଷର ପରିପୂର୍ଣ୍ଣତା ବୋଧହୁଏ ତା’ର କାରଣ ଥିଲା । ମୋର ମନଟା ବଡ଼ କ୍ଷୁବ୍‌ଧ ହୋଇଉଠିଲା–ଏଁ, କୋଉଠି ହେଲେ ମତେ ସ୍ଥାନ ମିଳୁନାହିଁ ! ଏଡ଼େ ସୁନ୍ଦର ସନ୍ଧ୍ୟାଟା କୁଆଡ଼େ ଛପିଗଲା ! କାହା ଉପରେ ଯେ ବିରକ୍ତ ହେଲି, ନିଜେ ଭାବି ଦେଖିବାକୁ ସମୟ ପାଇଲି ନାହିଁ । ଦେଖିଲି–ତାରଗୁଡ଼ିକ ଧରଣୀର ବିମର୍ଷତା ଯୋଗେ ଆଗୁଲ ହୋଇ ଥରି ଥରି ଛପିଯିବାକୁ ବସିଛନ୍ତି-। ମୋର ମନେ ହେଲା, ସତେ ଆଉ ମୋ ଦୁଃଖରେ ସହାନୁଭୂତି ଦେଖାଇବା ପାଇଁ ଏମାନେ ଥରୁଛନ୍ତି କି ? ମୁଁ ବସାକୁ ଫେରିଲି । ସେତେବେଳେ ମୁଁ କାର୍ଯ୍ୟବଶତଃ ଭାଇଙ୍କ ପାଖରେ ବିଦେଶରେ ଥିଲି । ସେ ଦିନ ସଞ୍ଜବେଳେ କ୍ଷୁର୍ଣ୍ଣ ମନରେ ମୋ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରୁଛି, ଭାଉଜ ଖଣ୍ଡେ ଚିଠି ଆଣି ମୋ ହାତକୁ ଦେଲେ । ଚିଠି ବିଷୟରେ ସେ ପୂର୍ବରୁ କିଛି ମୁଖବନ୍ଧ ଦେଲେ ନାହିଁ । ମୁଁ ଚିଠିଟି ପଢ଼ିଲି–‘ଶୁଣି ଖୁସି ହେବେ, ମହେଶ୍ୱରଙ୍କର ଗୋଟିଏ କନ୍ୟା କାଲି ହୋଇଛି ।’ ମନରେ ହର୍ଷ ନ ଥିଲା, ବିଷାଦ ମଧ୍ୟ ନ ଥିଲା; ଶୂନ୍ୟ ମନରେ ଦଣ୍ଡେ କ’ଣ ଭାବି ଠିଆହେଲି । ତା’ପରେ ଲୁଗା ପାଲଟି ଖଟ ଉପରେ ବସିଲି । ଚିଠିଟି ଆଉ ଥରେ ପଢ଼ିବାକୁ ଇଚ୍ଛା ହେଲା । ତା’ପରେ କାହିଁକି କେଜାଣେ ବଡ଼ ଘୃଣା ହେଲା, କାହାପ୍ରତି ଘୃଣା ଆସିଲା ମୁଁ କହିପାରିବି ନାହି । ସେତେବେଳେ କାରଣଟା ଅନ୍ୱେଷଣ କରିବାର ଧୈର୍ଯ୍ୟ ମୋର ନ ଥିଲା ।

 

ସେଠି ପ୍ରିୟଙ୍କ କଥା କିଏ କହିଲେ ମୋର ମନ ଘୃଣା ଓ ବିରକ୍ତିରେ ଥରିଉଠେ । ମୋର ଏ ଭାବ ଅନେକଙ୍କ ମନରେ ନାନା ସନ୍ଦେହ ଆଣିଥିଲା । ଏ କଥା ମୁଁ ବୁଝି ପାରିଥିଲି; କିନ୍ତୁ ସୁଖର କଥା ମତେ କେହି ଭୁଲରେ ସୁଦ୍ଧା ଦିନେ ଏ ବିଷୟରେ ପଚାରି ନ ଥିଲେ । ପଚାରିଥିଲେ ଯେ ମୁଁ କ’ଣ କହିଥାନ୍ତି, ଏ କଥା ଏହିକ୍ଷଣି ମଧ୍ୟ କହିପାରୁ ନାହିଁ । ରାତିରେ ମୋର ନିଦ ହେଲା ନାହିଁ; ମନେ ‘ମନେ ଭାବିଲି–ବାସ୍ତବିକ ମାନସୀ ପ୍ରିୟାଟି ଖୁବ୍‌ ଭଲ; ତାକୁ ନେଇ ଯେତେବେଳେ ଯାହା ଖୁସି କରିବ, ଆଉ ସେ ମଧ୍ୟ ବୁକୁର ଦରଜ ଖୁବ୍‌ ବୁଝେ ! ହା ରେ, ଅକାରଣ ତାକୁ ଛାଡ଼ିଲି । ତାକୁ ଛାଡ଼ିଲି ବୋଲି ସିନା ଆଜି ଏ ଦୁର୍ଦ୍ଦଶା !’

 

ତହିଁ ଆରଦିନ ସକାଳୁ ମୋର ଜଣେ ବନ୍ଧୁ ଆସି ମତେ କହିଲେ–‘ମହେଶ୍ୱର, କନ୍ୟା ଦେଖି କେବେ ଯାଉଛ ?’

 

ଅଭିମାନରେ ମୋର ମୁଖମଣ୍ଡଳ ଫୁଲିଉଠିଲା । କାହାପ୍ରତି ଯେ ମୋର ଅଭିମାନ ହେଉଥିଲା, ମୁଁ ନିଜେ ବୁଝିପାରୁ ନଥିଲି । ମୁଁ ନୀରବରେ ବସି ରହିଲି–ତାଙ୍କ ଆଡ଼େ ନ ଚାହିଁ । ଶୁଣିଲି ସେହିକ୍ଷଣି ବନ୍ଧୁ ଯାଇ ଭାଉଜଙ୍କୁ କହିଲେ–‘ମହେଶ୍ୱରଙ୍କୁ କହ, ସେ ତାଙ୍କ ଝିଅକୁ ଦେଖି ଆସନ୍ତୁ ।’

 

ଭାଉଜ ପରା ଉତ୍ତରରେ କହିଲେ–‘ସେ ଜାଣନ୍ତି ନା, ଆମକୁ କିଆ ସେ କଥା.....’

 

ତା’ପରେ ମାସେ ଚାଲିଗଲା, କେବେ ହେଲେ ମୁଁ ପ୍ରିୟଙ୍କ କଥା ଭାବି ନାହିଁ, କେବେ ମଧ୍ୟ ତାଙ୍କୁ ଚିଠି ଲେଖି ନାହିଁ । ସେ ମଧ୍ୟ ମତେ ଲେଖନ୍ତି ନାହିଁ ।

 

ଦିନେ ପ୍ରିୟ ଭାଉଜଙ୍କ ପାଖକୁ ଲେଖିଲେ–ସୁନୁର ହଗା ହଉଛି, ସେଥିପାଇଁ ମୁଁ ବଡ଼ ଚିନ୍ତିତ ।’

 

ସୁନୁ କନ୍ୟାଟିର ନାମ ।

 

ମୁଁ ମଧ୍ୟ ଯଥାସମୟରେ ଚିଠିଟିର ସାରାଂଶ ଶୁଣିଲି । ମୋର ମନର ଆବେଗ ବୃଦ୍ଧି ପାଇଲା । କାହିଁକି କେଜାଣେ ମନେ ହେଲା–‘ଟିକେ ଦେଖିଯାନ୍ତି !’

 

ସେହି ଥରକ ଏ କଥା ଭାବିଲି, ପର ମୁହୂର୍ତ୍ତରେ ପୁଣି ସେ କଥା ଭୁଲିଗଲି । ଏ କଥା କାହିଁକି ମନରେ ଆଣିଲି, ଏଥିପାଇଁ ମଧ୍ୟ ମତେ ଅନୁଶୋଚନା କରିବାକୁ ହେଲା । ଦିନ ଯେତିକି ସରି ଯାଉଥାଏ ମୁଁ ସେତିକି ପ୍ରିୟଙ୍କୁ ଭୁଲିବାକୁ ଲାଗୁଥାଏ । ଶେଷରେ ଦେଖିଲି–ସେ ଯେମିତି ମୋର କେହି ନୁହନ୍ତି ।

 

ଚାରି ମାସ ପରେ ମତେ ବିଦେଶ ଯିବାକୁ ହେଲା । ସେଦିନ ମୋ ବନ୍ଧୁ ଆସି ମତେ କହିଲେ–‘ମହେଶ୍ୱର, ତମେ ବଡ଼ ଭୁଲ୍‌ କରୁଛ ।’

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲ–‘କ’ଣ ? ମୁଁ କିଛି ତ ଭୁଲ କରୁନାହିଁ ?’

 

‘‘ଆଚ୍ଛା, ତମେ କାହିଁକି ତମ ଝିଅକୁ ଦେଖିବାକୁ ଯାଉନା ଶୁଣେ ? ବେଶ୍‌ ଯୋଉଦିନ ବିଦେଶ ଯିବ, ସେହି ଦିନ ସେହି ବାଟେ ଯିବ ।’’

 

ମୁଁ ନିର୍ବୋଧ ଭାବରେ କହିଲି–‘ନ ଗଲେ କ୍ଷତି କ’ଣ ?

 

ବନ୍ଧୁ ମୋର ନିର୍ବୋଧତାରେ ଏକାନ୍ତ ରୁଷ୍ଟ ହୋଇଗଲେ । ତା’ପରେ ସେ ଠୋ ଠୋ ହସି ଉଠିଲେ । ମୁଁ ଅନ୍ୟମନସ୍କ ଭାବରେ ଦୂର ଦିଗ୍‌ବଳୟ ଆଡ଼େ ଚାହିଁ ରହିଲି ।

 

ସେ ପୁଣି କହିଲେ–‘‘ତମ ସ୍ତ୍ରୀ ପୁଣି ଚିଠି ଲେଖିଛନ୍ତି, ସୁନୁର ହଗା ବନ୍ଦା ହୋଇନାହିଁ । ଟିକେ ଦେଖିଯିବ ସେହି ବାଟେ....’’

 

ବନ୍ଧୁ ଆଉ କିଛି କହିଲେ ନାହିଁ, ମୋଠୁଁ ଉତ୍ତର ପାଇବା ଅପେକ୍ଷାରେ ବସି ରହିଲେ ।

 

ମୁଁ ନିହାତି ବାଧ୍ୟ ହୋଇ କହିଲି–‘ଆଛା, ତୁମକୁ କ’ଣ ପରାସ୍ତ କରିପାରିବି ?’

 

ବନ୍ଧୁ ସ୍ମିତବଦନରେ ସେ ସ୍ଥାନ ତ୍ୟାଗ କଲେ ।

 

ତା’ପରେ ଭାଉଜଙ୍କଠାରୁ ଅନୁମତି ନେଇ ମୁଁ ପ୍ରିୟଙ୍କ ଘରକୁ ଆସିଲି । ମୋର ହଠାତ୍‌ ଆଗମନଟା ତାଙ୍କ ପରିବାରରେ ମହା ଚାଞ୍ଚଲ୍ୟ ଖେଳାଇଦେଲା । ପିଲାମାନଙ୍କ କୋଳାହଳରେ ଅଙ୍ଗନ ମୁଖରିତ ହେଲା । ଦେଖିଲି ତାଙ୍କ ପରିବାରରେ ମଧ୍ୟ ମତେ ଯେମିତି ସମସ୍ତେ ବିଦ୍ରୂପ କରୁଛନ୍ତି । ତାଙ୍କ ପିତାମାତାଙ୍କର ଯେମିତି ମୋ ପ୍ରତି ଗୋଟାଏ ମମତାହୀନ ଶ୍ରଦ୍ଧା ଅଛି । ଅବଶ୍ୟ ମତେ ସମ୍ବର୍ଦ୍ଧନା କରିବାରେ କିଛି ତ୍ରୁଟି କରି ନଥିଲେ; ତଥାପି ମୁଁ ଭାବିଲି ଏମାନଙ୍କର ମଧ୍ୟ ମତେ ଜାମାତାରୂପେ ପାଇବାରେ ଆପତ୍ତି ଅଛି । ସମସ୍ତ ମତେ ଗୋଟାଏ ପରିହାସର ସମଷ୍ଟି ବୋଲି ବୋଧ ହେଲା ।’

 

ମୁଁ ଖାଇ ପିଇ ସାରି ପ୍ରିୟଙ୍କ ପାଖକୁ ଗଲି । ଯେତେବେଳେ ମଧ୍ୟ ତାଙ୍କର ନୀରସ ପ୍ରାଣରେ ସରସତାର କ୍ଷୀଣ ସଞ୍ଚାର ହୋଇ ନ ଥିଲା । ମୁଁ ମୋ ଚକ୍ଷୁ ହଠାତ୍‌ ତାଙ୍କ ଅଲକ୍ଷ୍ୟରେ ଫେରାଇ ଆଣି ରୁକ୍ଷ ସ୍ୱରରେ କହିଲି–‘ସୁନୁ କିମିତି ଅଛି ?’

 

ଦେଖିଲି–ତାଙ୍କ ଚକ୍ଷୁ ଲୋତକରେ ଭରିଗଲା–ଟପ୍‌ ଟପ୍‌ ହୋଇ ତପ୍ତ ଅଶ୍ରୁ ସୁନୁ ବକ୍ଷ ଉପରେ ପଡ଼ିଲା । ସେ ସୁନୁକୁ କୋଳରେ ଧରି ସେମିତି ପାଷାଣ ମୂର୍ତ୍ତି ଭଳି ବସିଥାନ୍ତି । ତାଙ୍କୁ ନିରୁତ୍ତର ଦେଖି ଓ ତାଙ୍କର ଏ ଦୁଃଖ ଦେଖି ମୋ ମନଟା କାହିଁକି କିମିତି କିମିତି ହୋଇଗଲା । ସେ ଜଡ଼ିତ କଣ୍ଠରେ କହିଲେ–‘ମୁ ତମର କେହି ନୁହେଁ ବୋଲି ସୁନୁ ମଧ୍ୟ ତମର.....’’

 

ସେ ଆଉ କିଛି କହିପାରିଲେ ନାହିଁ । ତାଙ୍କ କଥାଗୁଡ଼ାକ ମୋ ବୁକୁରେ ଦାରୁଣ ଆଘାତ କଲା । ମୋର ମନେ ହେଲା ତାହା ହେଲେ ବଞ୍ଚିତ ସ୍ନେହର ସଞ୍ଚିତ ହାହାକାରର ଆଜି ଶେଷ । ମୁଁ ତାଙ୍କ ପାଖକୁ ଘୁଞ୍ଚି ବସିଲି । ସେ ମୋ ପାଖକୁ ଲାଗି ଆସିଲେ । ସେ ନିଜକୁ ସଂଯତ କରି ସୁନୁର ବକ୍ଷରୁ ତାଙ୍କର ଝରା–ଅଶ୍ରୁ ପୋଛି ଦେଇ ତାକୁ ମୋ କୋଳକୁ ଦେଇ କହିଲେ–‘‘ଦେଖିଲ, ସୁନୁ କିମିତି ତୁମକୁ ଦେଖି ଆଜି ହସୁଛି ।’’

Image